ଅର୍ଥନୈତିକ ମାନ୍ଦାବସ୍ଥାକୁ ପ୍ରକାଶ୍ୟରେ ସ୍ୱୀକାର ନ କଲେ ମଧ୍ୟ ତାକୁ ସଜାଡିବା ପ୍ରଚେଷ୍ଟାରେ ଅର୍ଥମନ୍ତ୍ରୀ କର୍ପୋରେଟ କ୍ଷେତ୍ରକୁ ସରକାରଙ୍କ ତରଫରୁ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କାର କର ରିହାତି ପ୍ରଦାନ କରିଛନ୍ତି । ଯଦିଓ ଏହା ଦ୍ୱାରା ବିଶେଷ କିଛି ଲାଭ ହେବାର ସଙ୍କେତ ଦିଶିନାହିଁ, ତଥାପି ଏହାକୁ କେହି କେହି ଏକ ବଡ ଧରଣର ଅର୍ଥନୈତିକ ସଂସ୍କାର କହି ମତ ଦେଉଛନ୍ତି ଯେ ଏହା ଦେଶର ଅର୍ଥନୀତିକୁ ପୁଣି ବାଟକୁ ଫେରାଇ ଆଣିବ । ତେବେ ଏ କଥା ମଧ୍ୟ କୁହାଯାଉଛି ଯେ ସାବଧାନତା ଅବଲମ୍ବନ ନ କଲେ ଏହା ଦ୍ୱାରା ଦେଶ ଅଧିକ ଆର୍ଥିକ ସଙ୍କଟ ଭିତରକୁ ଟାଣି ହୋଇଯାଇପାରେ ।
ଯେମିତି କରଯୋଗ୍ୟ ଆୟ ଉପରେ ବ୍ୟକ୍ତିକୁ ଆୟକର ଦେବାକୁ ହୋଇଥାଏ, ଠିକ ସେହିପରି କମ୍ପାନିଗୁଡିକୁ ସେମାନଙ୍କ ନିଟ ଲାଭ ଉପରେ ପ୍ରତିବର୍ଷ କର୍ପୋରେଟ କର ଦେବାକୁ ପଡିଥାଏ । ଏ ପର୍ଯ୍ୟନ୍ତ ଘରୋଇ କମ୍ପାନିମାନଙ୍କୁ ସେମାନଙ୍କ ଲାଭ ଉପରେ ସର୍ବାଧିକ ଶତକଡା ୩୦ ଭାଗ (ମୂଳ ଦର ଭାବେ) କର୍ପୋରେଟ କର ଦେବାକୁ ହେଉଥିଲା । ଏହା ଉପରେ ସରଚାର୍ଜ ଓ ସେସ ମିଶାଇଲେ ତାହା ପ୍ରାୟ ୩୫ ପ୍ରତିଶତ ହୋଇ ଯାଉଥିଲା । ନୂତନ ନିଷ୍ପତ୍ତି ଅନୁଯାୟୀ କର୍ପୋରେଟ କରର ଏହି ମୂଳ ଦରକୁ ୮ପ୍ରତିଶତ କମାଇ ୨୨ ପ୍ରତିଶତ କରି ଦିଆଗଲା । ଏହା ଉପରେ ସରଚାର୍ଜ ଓ ସେସ ମିଶାଇଲେ ପ୍ରକୃତ କର ହାର (ଇଫେକ୍ଟିଭ ଟ୍ୟାକ୍ସ ରେଟ) ୨୫.୧୭ ପ୍ରତିଶତ ହେବ, ଯାହା କି ପୂର୍ବାପେକ୍ଷା ପ୍ରାୟ ୧୦ ପ୍ରତିଶତ କମ । ଏହି କର ରିହାତି ଯୋଗୁ ଯେ ଆଗ ଅପେକ୍ଷା ସବୁ କମ୍ପାନି ଲାଭାନ୍ୱିତ ହେବେ ଅଥବା ସବୁ କମ୍ପାନି ସମ ପରିମାଣରେ ଲାଭବାନ ହେବେ, ତାହା ଭାବିବା ଠିକ ନୁହେଁ । ଏମିତି ଅନେକ କମ୍ପାନି ଅଛନ୍ତି ଯେଉଁମାନେ ନୂଆ କର ହାର ପ୍ରଚଳନ ପୂର୍ବରୁ ବି ସରକାରଙ୍କ ନୀତି ଅନୁସାରେ ବିଭିନ୍ନ ପ୍ରକାର ଛାଡ, ରିହାତି, ଅବମୂଲ୍ୟାୟନର ସୁଯୋଗ ନେଇ ଏବର କର ହାର ୨୫.୧୭ ପ୍ରତିଶତ ଅପେକ୍ଷା ମଧ୍ୟ କମ କର ଦେଉଥିବାରୁ, ସେମାନେ ଏହା ଦ୍ୱାରା ଲାଭବାନ ହେବେ ନାହିଁ । ନୂତନ ନିଷ୍ପତ୍ତି ଅନୁଯାୟୀ ୧ ଅକ୍ଟୋବର ୨୦୧୯ ପରେ ପ୍ରତିଷ୍ଠିତ ଶିଳ୍ପାନୁଷ୍ଠାନଗୁଡିକୁ ମାତ୍ର ୧୫ ପ୍ରତିଶତ (ମୂଳ ଦର) କର୍ପୋରେଟ କର ଦେବାକୁ ହେବ, ଯାହା ସରଚାର୍ଜ ଓ ସେସ ପରେ ୧୭.୦୧ ପ୍ରତିଶତରେ ସୀମିତ ରହିବ । ଏହା ଶିଳ୍ପୋଦ୍ୟୋଗୀଙ୍କୁ ନୂତନ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହିତ କରିବ, ଯାହା ଫଳରେ ଅର୍ଥନୀତି ଗତିଶୀଳ ହେବ ବୋଲି ସରକାରଙ୍କ ବିଶ୍ୱାସ । ଅନ୍ୟ ଏକ ନିଷ୍ପତ୍ତିରେ କିଛି କମ୍ପାନି ଦେଉଥିବା ସର୍ବନିମ୍ନ ବିକଳ୍ପ କର (ମ୍ୟାଟ)କୁ ୧୮.୫ ପ୍ରତିଶତରୁ ୧୫ ପ୍ରତିଶତକୁ କମାଇ ଦିଆଯାଇଛି । ମୋଟାମୋଟି ଭାବେ ଦେଖିବାକୁ ଗଲେ କର୍ପୋରେଟ କ୍ଷେତ୍ରକୁ ବଦାନ୍ୟତା ଦେଖାଇ ଧନ ବର୍ଷା କରିବାରେ ସରକାର କୁଣ୍ଠା ପ୍ରକାଶ କରିନାହାନ୍ତି ।
ସରକାରଙ୍କ ବିଶ୍ୱାସ ଯେ କର୍ପୋରେଟ କର ରିହାତି ଫଳରେ ନିଶ୍ଚିତ ଭାବେ ସାତଟି ଲାଭ ହାସଲ କରାଯାଇପାରିବ । ପ୍ରଥମ, ଏହା ଅର୍ଥନୀତିର ମାନ୍ଦାବସ୍ଥାକୁ ଦୂର କରିବ । ଦ୍ୱିତୀୟ, ଏହା ସରକାରଙ୍କ ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ଗତିଶୀଳ କରିବ । ତୃତୀୟ, କମ୍ପାନିମାନେ ତାଙ୍କ କର୍ମଚାରୀଙ୍କୁ ଅଧିକ ଦରମା ବା ପ୍ରୋତ୍ସାହନ ଦେବା, ଅଂଶୀଦାର(ସେୟାରଧାରକ)ଙ୍କୁ ଅଧିକ ଲାଭାଂଶ ଦେବା ଓ ଅଂଶଧନ (ସେୟାର)ରେ ନିବେଶ କରୁଥିବା ଲୋକଙ୍କର ପୁଞ୍ଜି ଲାଭ (କ୍ୟାପିଟାଲ ଗେନ) ଆଦିର ସମ୍ଭାବନା ଥିବାରୁ ସାଧାରଣ ଲୋକଙ୍କ ହାତକୁ ଅଧିକ ଟଙ୍କା ଆସି ତାହା ସେମାନଙ୍କ କ୍ରୟ ଶକ୍ତିକୁ ବଢାଇ ବଜାରରେ ବିଭିନ୍ନ ସାମଗ୍ରୀର ଚାହିଦା ବଢାଇବାରେ ସହାୟକ ହେବ । ଚତୁର୍ଥରେ ଏହା ଶିଳ୍ପପତିମାନଙ୍କଠାରେ ପୁଞ୍ଜି ନିବେଶକୁ ନେଇ ଦେଖା ଦେଇଥିବା ନକାରାତ୍ମକ ମନୋଭାବକୁ ବଦଳାଇବ, କାରଣ କର ରିହାତି ପରେ ସେମାନଙ୍କ ଲାଭର ପରିମାଣ ବୃଦ୍ଧି ପାଇ ସେମାନେ ନୂତନ ପୁଞ୍ଜି ନିବେଶ କରିବାକୁ ସମର୍ଥ ହେବେ, ଯଦ୍ଦ୍ୱାରା ନୂଆ ନୂଆ କଳ କାରଖାନାମାନ ବସିପାରିବ । ପଞ୍ଚମରେ ଏହା କର୍ପୋରେଟ କ୍ଷେତ୍ରକୁ ବିଦେଶୀ କମ୍ପାନିଙ୍କ ସହ ସମାନ ସ୍ତରରେ ରଖି ପ୍ରତିଦ୍ୱନ୍ଦ୍ୱିତାତ୍ମକ କରାଇବ, ଯଦ୍ଦ୍ୱାରା ସେମାନେ ଅଧିକ ରପ୍ତାନୀ କରିବାକୁ ସମର୍ଥ ହେବେ । ଏହି ରିହାତି ପରେ କର ହାର ଅନେକ ବିକଶିତ ରାଷ୍ଟ୍ର ତଥା ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କରେ ପ୍ରଚଳିତ କର୍ପୋରେଟ କର ହାର ସହ ସମାନ ହୋଇଛି । ଷଷ୍ଠ କଥା ହେଲା କମ୍ପାନିମାନଙ୍କ ଲାଭ ବଢିଲେ ତାହା ସେୟାର ବଜାରକୁ ଚଳଚଞ୍ଚଳ କରିବ, କାରଣ କମ୍ପାନିଗୁଡିକର ଅଂଶଧନର ମୂଲ୍ୟ ବୃଦ୍ଧି ହୋଇ ସେଗୁଡିକରେ କାରବାର ଅଧିକ ଆକର୍ଷକ ହେବ । ସପ୍ତମରେ କମ୍ପାନିମାନେ ପୁଞ୍ଜି ନିବେଶ ମାଧ୍ୟମରେ ନୂତନ କଳ କାରଖାନା ବସାଇଲେ ତାହା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏଥି ସହ ବଜାରରେ ଚାହିଦା ବୃଦ୍ଧି ହେଲେ କମ୍ପାନିମାନେ ଅଧିକ ଲୋକଙ୍କୁ କାମରେ ଲଗାଇବେ । ମୋଟାମୋଟି ଭାବେ କହିବାକୁ ଗଲେ ସରକାରଙ୍କ ଏହି ଗୋଟିଏ ପଦକ୍ଷେପ ଅର୍ଥନୀତିକୁ ଗତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏକା ଥରେ ଅନେକ ସମସ୍ୟାର ସମାଧାନ କରି ଦେବ ବୋଲି ସରକାର ଦୃଢ ନିଶ୍ଚିତ ଥିଲା ପରି ଜଣା ପଡୁଛି । କିନ୍ତୁ ବାସ୍ତବତା କିଛିଟା ସେହି ଅଣ୍ଡା ବିକାଳିର ସମୂଳ କ୍ଷତି ହେଲା ପରି । ଅଣ୍ଡାବିକାଳିଟି କାଳ୍ପନିକ ଲାଭର ଦିବା ସ୍ୱପ୍ନରେ ମସଗୁଲ ହୋଇ ସବୁ ଅଣ୍ଡାକୁ ଭାଙ୍ଗି ପକାଇଥିଲା । ତେଣୁ ଏ ବିଷୟଟି ତର୍ଜମାସାପେକ୍ଷ ।
କର ରିହାତି ଘୋଷଣା ପରେ ସେୟାର ବଜାରରେ ଗୋଟିଏ ଦିନରେ ବମ୍ବେ ସେୟାର ବଜାର ସୂଚକାଙ୍କ ୧୮୦୦ ଅଙ୍କ ବୃଦ୍ଧି ପାଇଲା, ଯାହା ଗତ ଦଶ ବର୍ଷରେ ଗୋଟିଏ ଦିନରେ ସର୍ବାଧିକ ବୃଦ୍ଧି ଥିଲା । ସେଥିରେ ସରକାର ଉତଫୁଲ୍ଲିତ ହେଲେ । କମ୍ପାନିଗୁଡିକର ଲାଭ ବଢିଲେ ସେୟାର ଦାମ ବଢିବ ଓ ସେୟାରରେ ନିବେଶ କରୁଥିବା ଲୋକେ ଅଧିକ ଲାଭାଂଶ, ବୋନସ ଓ ପୁଞ୍ଜି ଲାଭ (କ୍ୟାପିଟାଲ ଗେନ) ମାଧ୍ୟମରେ ଲାଭାନ୍ୱିତ ହେବାର ସମ୍ଭାବନା ଥିବାରୁ ସେୟାର ବଜାରରେ ଉତ୍ସାହ ଦେଖା ଦେବା ସ୍ୱାଭାବିକ । ତେବେ ସେୟାର କାରବାର କରୁଥିବା ଲୋକଙ୍କ ସଂଖ୍ୟା ଏତେ ନଗଣ୍ୟ ଯେ ତଦ୍ଦ୍ୱାରା ଅବଶିଷ୍ଟ ଲୋକ ଖୁସି ହେବାର କୌଣସି କାରଣ ନାହିଁ । ଉପରୋକ୍ତ କର ରିହାତି ଫଳରେ କିଛି କମ୍ପାନିଙ୍କ ଲାଭ ପୂର୍ବ ବର୍ଷ ତୁଳନାରେ ୧୦ରୁ ୧୫ ପ୍ରତିଶତ ବଢି ସେମାନଙ୍କ ହାତକୁ ଯଥେଷ୍ଟ ପୁଞ୍ଜି ଆସିଯିବ । ଏଠାରେ ପ୍ରଶ୍ନ ଉଠୁଛି, ଏହି ପୁଞ୍ଜିକୁ ଶିଳ୍ପୋଦ୍ୟୋଗୀମାନେ ନୂତନ କମ୍ପାନି ପ୍ରତିଷ୍ଠା କରିବା ଲାଗି ତୁରନ୍ତ ବିନିଯୋଗ କରିବେ କି ? ଏଥି ପୂର୍ବରୁ ଉଭୟ ୟୁପିଏ ଓ ଏନଡିଏ ସରକାରଙ୍କ ଅମଳରେ କମ୍ପାନିମାନଙ୍କୁ ହଜାର ହଜାର କୋଟି ଟଙ୍କାର କର ରିହାତି ଦିଆଯାଇଥିଲେ ମଧ୍ୟ ସେଥିରୁ କେତେ ପରିମାଣର ରାଶି ନୂତନ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାରେ ବିନିଯୋଗ ହୋଇଛି, ସେ ନେଇ ସରକାରଙ୍କ ନିକଟରେ କୌଣସି ତଥ୍ୟ ନାହିଁ କି ସେ ବାବଦରେ ବିଧିବଦ୍ଧ ଭାବେ କୌଣସି ଅଧ୍ୟୟନ ହୋଇନାହିଁ । ଏ କ୍ଷେତ୍ରରେ କାନାଡାର ଅନୁଭବକୁ ଅନୁଧ୍ୟାନ କରି ସେଥିରୁ ଶିକ୍ଷା ଗ୍ରହଣ କରା ଯାଇପାରେ । କାନାଡାରେ ୨୦୦୦ ମସିହାରେ ଥିବା କର୍ପୋରେଟ କର ଦରକୁ ଆଗାମୀ ୧୦ ବର୍ଷ ଭିତରେ ୧୦ ପ୍ରତିଶତ କମ କରିବା ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ମଧ୍ୟ ସେଠାରେ ନୂତନ ଶିଳ୍ପ ପ୍ରତିଷ୍ଠା ଲାଗି ପୁଞ୍ଜି ନିବେଶରେ ବୃଦ୍ଧି ହୋଇ ନଥିଲା । ୨୦୦୦ ମସିହାରେ ପୁଞ୍ଜି ନିବେଶ ଜିଡିପିର ଯେଉଁ ୧୨.୪ ପ୍ରତିଶତ ଥିଲା ୨୦୦୯ ମସିହାରେ ମଧ୍ୟ ସେତିକି ରହିଲା । ଅର୍ଥାତ୍, ଶିଳ୍ପପତିଙ୍କ ହାତକୁ ଟଙ୍କା ଆସିଲେ ସେମାନେ ଶିଳ୍ପ ପ୍ରତିଷ୍ଠାରେ ସେହି ପୁଞ୍ଜି ତୁରନ୍ତ ନିବେଶ କରିବେ ବୋଲି ଭାବିବା ସମୀଚୀନ ନୁହେଁ । ବରଂ ସେମାନେ ସେଥିପାଇଁ ସୁବିଧାଜନକ ସମୟ ଯାଏଁ ଅପେକ୍ଷା କରିବାକୁ ଅଧିକ ପସନ୍ଦ କରିବେ । ଅନ୍ୟ ପକ୍ଷରେ ଲାଭ ହୋଇ ଶିଳ୍ପପତିଙ୍କ ହାତକୁ ଏକକାଳୀନ ଅଧିକ ପୁଞ୍ଜି ଆସିଗଲେ ସେମାନେ ନୂଆ ଶିଳ୍ପ ପ୍ରତିଷ୍ଠା ଅପେକ୍ଷା ପୁରୁଣା ଶିଳ୍ପର ଉତ୍ପାଦନ କ୍ଷମତାର ପୂର୍ଣ୍ଣ ବିନିଯୋଗ ଦିଗରେ ଯତ୍ନଶୀଳ ହୋଇ ତାହାର ଆଧୁନିକୀକରଣ ଓ ଅଟୋମେସନ ଉପରେ ଅଧିକ ଧ୍ୟାନ ଦେଇ ପାରନ୍ତି । ଫଳରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବଦଳରେ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଇବାର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ ।
ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଦିଆ ଯାଉଥିବା ଅଧିକ ରିହାତିର ଅନ୍ୟତମ କାରଣ ହେଉଛି ସମ୍ପ୍ରତି ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧରୁ ସୃଷ୍ଟ ସୁଯୋଗକୁ ହାତେଇବା । ଏହି ବାଣିଜ୍ୟ ଯୁଦ୍ଧ ଯୋଗୁ ଚୀନରେ ଥିବା କିଛି କମ୍ପାନି ସେମାନଙ୍କ କଳ କାରଖାନାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ଦେଉଛନ୍ତି । ବାତିଲ ହୋଇଥିବା କିଛି ଚୀନର ରପ୍ତାନୀ ଅର୍ଡରକୁ ହାତେଇବାରେ ଭିଏତନାମ ଓ ବଙ୍ଗଳାଦେଶ ଭଳି ଦେଶଗୁଡିକ ସକ୍ଷମ ହେଉଛନ୍ତି । ହେଲେ ଏ ଯାଏଁ ଭାରତ ସେ ଦିଗରେ ସଫଳ ହୋଇ ନାହିଁ । ଏହା ଏକ ବୃହତ ସମ୍ଭାବନାକୁ ହାତଛଡା କରିବା ପରି । ଏଠି ପ୍ରଶ୍ନ ଉଠୁଛି କେବଳ କର ରିହାତି କଣ ସେହି କମ୍ପାନିଗୁଡିକୁ ଭାରତ ପ୍ରତି ଆକୃଷ୍ଟ କରିବାକୁ ଯଥେଷ୍ଟ ହେବ ? ଭାରତ ‘ଇଜ୍ ଅଫ୍ ଡୁଇଙ୍ଗ ବିଜନେସ’ ସିଢିରେ କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ କରି ଉପରକୁ ଉଠୁଥିବାର କଥା କୁହା ଯାଉଥିଲେ ମଧ୍ୟ ତାହା ବିଦେଶୀ କମ୍ପାନିଙ୍କଠାରେ ପ୍ରତ୍ୟୟ ସୃଷ୍ଟି କରି ନ ପାରିବା, ବାସ୍ତବିକ ଚିନ୍ତାର ବିଷୟ ।
୨୦୧୯-୨୦ ବଜେଟରେ ୭.୭ ଲକ୍ଷ କୋଟି ଟଙ୍କାର କର୍ପୋରେଟ କର ଆଦାୟର ଲକ୍ଷ୍ୟ ଥିଲା ବେଳେ ଏହି ରିହାତି ଘୋଷଣା ଯୋଗୁ ସରକାର ୧.୪୫ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହରାଇବେ । ଏହି ରାଜସ୍ୱ କିପରି ଭରଣା ହେବ ସେ ନେଇ ଆପତତଃ ସରକାରଙ୍କ ନିକଟରେ କୌଣସି ଯୋଜନା ଥିଲା ପରି ଜଣା ପଡୁନାହିଁ । ଏହି ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ହୋଇଥିବା ୩.୩ ପ୍ରତିଶତ ବିତ୍ତୀୟ ନିଅଣ୍ଟର ଲକ୍ଷ୍ୟ ପୂରଣ କରିବା ତ ଦୂରର କଥା, ବରଂ ଏହି କର ରିହାତି ପ୍ରଦାନ ଯୋଗୁ ତାହା ବଢି ୪ ପ୍ରତିଶତରେ ପହଞ୍ଚି ଯିବ ବୋଲି ଅର୍ଥନୀତିଜ୍ଞମାନେ କହି ସାରିଲେଣି । ଅର୍ଥାତ୍, ଏହି ବିତ୍ତୀୟ ନିଅଣ୍ଟକୁ ପୂରଣ କରିବା ପାଇଁ ସରକାରଙ୍କୁ ଅଧିକ ଋଣ କରିବାକୁ ପଡିପାରେ । ଏଥି ସହିତ ରାଜସ୍ୱ କ୍ଷତିକୁ ଭରଣା କରିବା ପାଇଁ ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଉପରେ ଟିକସ ବଢିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦେଇ ହେବନାହିଁ, ଯଦ୍ଦ୍ୱାରା ସାଧାରଣ ଲୋକଙ୍କୁ ଅଧିକ କର ଦେବାକୁ ପଡିପାରେ । ଏହା ଝିଣ୍ଟିକା ମାରି ବଣି ପୋଷିବା ସଦୃଶ । ଅନ୍ୟ ପକ୍ଷରେ ସରକାରଙ୍କ ନିକଟରେ ପୁଞ୍ଜି ହ୍ରାସ ହୋଇଥିବାରୁ ବିକାଶ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବ ଓ ଭିତ୍ତିଭୂମି ନିର୍ମାଣ ଧିମେଇ ଯିବ । ଏହାର ସିଧାସଳଖ ପ୍ରଭାବ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଶ୍ରମଜୀବୀଙ୍କ ଉପରେ ପଡିବ । କୁହାଯାଉଛି, ଆମେରିକା ଓ ଇଂଲଣ୍ଡ ଭଳି ଦେଶ କର୍ପୋରେଟ କର କମାଇ ଥିବାରୁ ଭାରତ ତାହା କରିବାରେ ଅସୁବିଧା ନାହିଁ । ତେବେ ମନେ ରଖିବାକୁ ହେବ ଯେ ସେ ସବୁ ଦେଶରେ ଅଧିକାଂଶ ପୁଞ୍ଜି ନିବେଶ ଘରୋଇ କ୍ଷେତ୍ର ମାଧ୍ୟମରେ ହେଉଥିବା ବେଳେ ଭାରତରେ ତାହା ସରକାରୀ କ୍ଷେତ୍ର ଦ୍ୱାରା ହୋଇଥାଏ । ତେଣୁ ବିକାଶ କାର୍ଯ୍ୟ ଓ ଭିତ୍ତିଭୂମି ନିର୍ମାଣରେ ସରକାରୀ ବ୍ୟୟ ହ୍ରାସ ପାଇଲେ ତାହା ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ ।
ବର୍ତ୍ତମାନ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରିବାର ଏକ ମୁଖ୍ୟ କାରଣ ହେଉଛି ଉତ୍କଟ ବେକାରୀ ସମସ୍ୟା ଓ ଅନ୍ୟାନ୍ୟ କାରଣ ଯୋଗୁ ଲୋକଙ୍କ କ୍ରୟ ଶକ୍ତି କମ ହୋଇ ବିଭିନ୍ନ ସାମଗ୍ରୀର ଚାହିଦାର ଅଭାବ ଦେଖା ଦେବା । ପାଞ୍ଚ ଟଙ୍କିଆ ବିସ୍କୁଟଠାରୁ ଆରମ୍ଭ କରି ଗାଡି ପର୍ଯ୍ୟନ୍ତରେ ବିକ୍ରି ହ୍ରାସ ପାଇଛି । ତେଣୁ ଚାହିଦା ବଢାଇବା ପାଇଁ ସିଧାସଳଖ ଭାବେ ଲୋକଙ୍କ ହାତରେ ଅଧିକ ଟଙ୍କା ପହଞ୍ଚିବା ଦରକାର । କର୍ପୋରେଟ ଟିକସ ରିହାତି ମାଧ୍ୟମରେ ସରକାର ସମସ୍ୟାଟିର ଯୋଗାଣ (ସପ୍ଲାଏ) ଦିଗ ପ୍ରତି ଗୁରୁତ୍ୱ ଦେଇଛନ୍ତି ସିନା, ଚାହିଦା ଦିଗ ପ୍ରତି ଗୁରୁତ୍ୱ ଦେଇନାହାନ୍ତି । ସରକାର କମ୍ପାନିଗୁଡିକଙ୍କ ହାତରେ ଅଧିକ ଟଙ୍କା (ଲିକୁଇଡିଟି) ଦେଇ ସେମାନଙ୍କୁ ନୂଆ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ବାସ୍ତବତା ହେଉଛି ଅନେକଙ୍କ ନିକଟରେ ପୁଞ୍ଜି ଥିଲେ ମଧ୍ୟ କେବଳ ବଜାରରେ ଚାହିଦା ଅଭାବରୁ ନୂଆ ଉଦ୍ୟୋଗରେ ନିବେଶ ଲାଗି ସେମାନେ କୁଣ୍ଠିତ । ଏବେ ପୁରୁଣା କଳ କାରଖାନାଗୁଡିକ ପୂର୍ଣ୍ଣ କ୍ଷମତାରେ ଚାଲି ପାରୁ ନଥିବା ବେଳେ ନୂଆ ଉଦ୍ୟୋଗ କଥା ଉଠୁଛି ବା କେଉଁଠି? ତେଣୁ ବଜାରରେ ଚାହିଦା ବୃଦ୍ଧି ନ ପାଇବା ଯାଏଁ ନୂତନ ଉଦ୍ୟୋଗରେ ପୁଞ୍ଜି ନିବେଶ ଲାଗି ଆଗ୍ରହ ପ୍ରକାଶ ପାଇବ ନାହିଁ ।
କର୍ପୋରେଟ କ୍ଷେତ୍ରକୁ କର ରିହାତି ଘୋଷଣା କରି ସରକାର ଯୋଗାଣ ଦିଗ ପ୍ରତି ଗୁରୁତ୍ୱ ଦେଇ ଅର୍ଥନୀତିକୁ ବାଟକୁ ଆଣିବା ପାଇଁ ଏକ ପ୍ରକାର ଜୁଆ ଖେଳିଛନ୍ତି ବୋଲି କହିଲେ ଚଳେ । ଚାହିଦା ବଢାଇବା ପାଇଁ ଲୋକଙ୍କ ହାତକୁ ଖର୍ଚ୍ଚ କଲା ଭଳି ଅର୍ଥ ଆସିବା ଏହାର ଯୁକ୍ତି ସଙ୍ଗତ ପରବର୍ତ୍ତୀ ପଦକ୍ଷେପ ହେବା ଦରକାର । ସେଥିଲାଗି ସରକାର ବ୍ୟକ୍ତିଗତ ଆୟକର ଦରକୁ ମଧ୍ୟ ହ୍ରାସ କରିବା ଉଚିତ । ଚାଷୀ ଓ ଶ୍ରମ ବର୍ଗଙ୍କ ହାତକୁ କିପରି ଅଧିକ ଦୁଇ ପଇସା ଆସିବ ସେ ନେଇ ମଧ୍ୟ ଯୋଜନା କରାଯିବା ଦରକାର । ତେବେ ରାଜସ୍ୱ ଯଥେଷ୍ଟ ହ୍ରାସ ପାଇ ସାରିଥିବାରୁ ସରକାର ଏ ସବୁ କରିବାକୁ ସମର୍ଥ ହେବେ ତ ! ଏହା ବି ସତ ଯେ କମ୍ପାନିଗୁଡିକ ନୂତନ ଶିଳ୍ପ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ସୃଷ୍ଟି କଲେ ସେମାନଙ୍କ ଉପରେ ସରକାର ସ୍ଥାପନ କରିଥିବା ବିଶ୍ୱାସ ଉପରେ ମୋହର ଲାଗିବ । ଅନ୍ୟଥା ଗୋଟିଏ ହାତରେ ରିଜର୍ଭ ବ୍ୟାଙ୍କ ନିକଟରୁ ୧.୭୬ ଲକ୍ଷ କୋଟି ଟଙ୍କା ଗ୍ରହଣ କରି ଅନ୍ୟ ହାତରେ କର୍ପୋରେଟ କ୍ଷେତ୍ରକୁ ୧.୪୫ ଲକ୍ଷ କୋଟି ଟଙ୍କା ଅଯାଚିତ ପ୍ରଦାନକୁ, ‘ତେଲିଆ ମୁଣ୍ଡରେ ତେଲ’ ବୋଲି କୁହାଯାଇପାରେ ।
Published in Sambad on October 10, 2019
Comments
Post a Comment