Skip to main content

ଓଡିଶାରେ ବିଭାଜିତ ମତଦାନର ବାସ୍ତବତା

୨୦୧୯ ସାଧାରଣ ନିର୍ବାଚନରେ ଲୋକସଭା ସହ ଓଡିଶା, ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ରାଜ୍ୟମାନଙ୍କରେ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥି ମଧ୍ୟରୁ ଓଡିଶାକୁ ବାଦ ଦେଲେ ବାକି ତିନୋଟି ରାଜ୍ୟରେ ବିଧାନସଭାରେ ଅଧିକ ଆସନ ପାଇଥିବା ଦଳ ସ୍ୱାଭାବିକ ଭାବେ ଲୋକସଭାରେ ମଧ୍ୟ ଆନୁପାତିକ ଭାବେ ଅଧିକ ଆସନ ପାଇଲେ । ତେବେ ଓଡିଶା ନିର୍ବାଚନ ଫଳରୁ ବିଜେଡି ରାଜ୍ୟ ବିଧାନସଭାରେ ସଫଳତା ପାଇଲେ ମଧ୍ୟ ଓ ବିଜେପି ଲୋକସଭାର ୮ଟି ଆସନ ଦଖଲ କରିବାକୁ ଜାତୀୟ ଗଣ ମାଧ୍ୟମର ପ୍ରତିଷ୍ଠିତ ନିର୍ବାଚନ ବିଶ୍ଳେଷକମାନେ ଏଠାକାର ମତଦାତାଙ୍କ ବିଭାଜିତ ମତଦାନ (ସ୍ପ୍ଲିଟ ଭୋଟିଂ) ବା କୌଶଳଗତ ମତଦାନ (ଟାକ୍ଟିକାଲ ଭୋଟିଂ) କହି ପ୍ରଶଂସା କରିବା ସହ ଓଡିଶା ଭଳି ଏକ ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ରାଜ୍ୟର ମତଦାତା ଏ ଭଳି ପରିପକ୍ୱତା ଦେଖାଇଥିବାରୁ ବିସ୍ମିତ ହୋଇଥିଲେ । ଜଣେ ମତଦାତା ବିଧାନସଭା ପାଇଁ ଗୋଟିଏ ଦଳକୁ ଓ ଲୋକସଭା ପାଇଁ ଆଉ ଗୋଟିଏ ଦଳକୁ ଭୋଟ ଦେବାରେ ମତଦାତାର ବିଭାଜିତ ଆଚରଣକୁ ବିଭାଜିତ ମତଦାନ କୁହାଯାଇଥାଏ । ଗୋଟିଏ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀମାନେ ପାଇଥିବା ସମୁଦାୟ ଭୋଟ ତୁଳନାରେ ଲୋକସଭା ପ୍ରାର୍ଥୀ ବେଶି ବା କମ ଭୋଟ ପାଇଥିଲେ ସେଠାରେ ସମ ପରିମାଣରେ ବିଭାଜିତ ମତଦାନ ତାଙ୍କ ସପକ୍ଷରେ ବା ବିପକ୍ଷରେ ଯାଇଛି ବୋଲି କୁହାଯାଇପାରେ । ତେବେ ଓଡିଶାରେ ଏହି ନିର୍ବାଚନରେ କଣ ଏକ ବଡ ଧରଣର ବିଭାଜିତ ମତଦାନ ହୋଇଛିି ?

ସାଧାରଣତଃ, ଲୋକସଭା ଆସନ ବିଜୟ ପାଇଁ ଯେ କୌଣସି ଦଳକୁ ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ଅନ୍ତତଃ ୩ରୁ ୪ଟିରେ ଜୟଲାଭ କରିବାକୁ ହୋଇଥାଏ । ଏହି ମାନ୍ୟତା ଆଧାରରେ ଏଥର ବିଜେଡିର ୧୨ଜଣ ଓ ବିଜେପିର ୪ଜଣ ସାଂସଦ ବିଜୟ ଲାଭ କରଛନ୍ତି । ବିଜେଡି ବିଜୟ ଲାଭ କରିଥିବା ପ୍ରତିଟି ଆସନରେ ଅନ୍ତତଃ ପକ୍ଷେ ୫ ଜଣ ବିଧାୟକ ପ୍ରାର୍ଥୀ ଜୟଯୁକ୍ତ ହୋଇଛନ୍ତି । ଅନ୍ୟ ପକ୍ଷରେ ବିଜେପି ଅକ୍ତିଆର କରିଥିବା ମୟୂରଭଞ୍ଜ ଆସନରୁ ୫ ଜଣ, ସମ୍ବଲପୁର, ସୁନ୍ଦରଗଡ ଓ ବାଲେଶ୍ୱର ଆସନରୁ ୩ ଜଣ ଲେଖାଏଁ ବିଧାୟକ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ବିଜେପି ଜିତିଥିବା କଳାହାଣ୍ଡି ଓ ବଲାଙ୍ଗିରରେ ଦଳ ଗୋଟିଏ ଲେଖାଏଁ ବିଧାନସଭା ଆସନ ଜିତିଛି । ତେବେ ବରଗଡ ଏବଂ ଭୁବନେଶ୍ୱରରେ କୌଣସି ଆସନ ପାଇ ନ ଥିବା ସତ୍ତ୍ଵେ ଏଠାରେ ଦଳୀୟ ପ୍ରାର୍ଥୀ ବିଜୟ ଲାଭ କରି ସମସ୍ତଙ୍କୁ ଚମତ୍କୃତ କରିଛନ୍ତି ।

ଭୁବନେଶ୍ୱର ଆସନରେ ବିଜେପିର ଅପରାଜିତା ଷଡଙ୍ଗୀଙ୍କ ଜିତିବା ପଛରେ ବିଭାଜିତ ମତଦାନ କାମ କରିଛି ବୋଲି ଅନେକଙ୍କ ଧାରଣା । ଏହି ଆସନରୁ ସେ ୪.୮୬ ଲକ୍ଷ ଭୋଟ ପାଇ ମାତ୍ର ୨୩ ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି । ଏହି ଲୋକସଭା ଅନ୍ତର୍ଗତ ୭ ଜଣ ବିଜେପି ବିଧାୟକ ପ୍ରାର୍ଥୀ ପାଇଥିବା ପ୍ରାୟ ୨.୯୧ ଲକ୍ଷ ଭୋଟ ଅପେକ୍ଷା ଅପରାଜିତା ପ୍ରାୟ ୨ ଲକ୍ଷ ଅଧିକ ଭୋଟ ପାଇଛନ୍ତି । ଅନ୍ୟ ପକ୍ଷରେ ବିଜେଡିର ସାଂସଦ ପ୍ରାର୍ଥୀ ଦଳର ୭ ଜଣ ବିଧାୟକ ପ୍ରାର୍ଥୀ ପାଇଥିବା ମୋଟ ୪.୮୨ ଲକ୍ଷ ଭୋଟ ଅପେକ୍ଷା ପ୍ରାୟ ୧୯ ହଜାର କମ ଭୋଟ ପାଇଛନ୍ତି । କଂଗ୍ରେସ ସମର୍ଥିତ ସିପିଏମ ପ୍ରାର୍ଥୀଙ୍କୁ ମାତ୍ର ୨୩ ହଜାର ଭୋଟ ମିଳି ଥିବାରୁ କଂଗ୍ରେସ ପାଇଥିବା ଲକ୍ଷାଧିକ ବିଧାୟକ ପ୍ରାର୍ଥୀଙ୍କ ଭୋଟ ସିପିଏମ ପ୍ରାର୍ଥୀଙ୍କ ସପକ୍ଷରେ ନ ଯାଇ ଅପରାଜିତାଙ୍କ ନିକଟକୁ ଯାଇଥିବାର ସ୍ପଷ୍ଟ ସୂୂଚନା ମିଳୁଛିି । ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର କେହି ପ୍ରାର୍ଥୀ ନଥିଲେ ଓ ବିଜେଡି ପ୍ରାର୍ଥୀଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଜଣେ ସ୍ୱାଧୀନ ପ୍ରାର୍ଥୀ ପାଇଥିବା ୪୪ ହଜାର ଭୋଟ ଲୋକସଭା ପାଇଁ ଭାସମାନ (ଫ୍ଲୋଟିଂ) ଭୋଟ ପାଲଟି ଯିିବାରୁ ତାହା ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ନିକଟକୁ ଯାଇଛି ଓ ସେଥିରୁ ବିଜେପି ପ୍ରାର୍ଥୀ ପ୍ରାୟ ୨୬ ହଜାର ଭୋଟ ପାଇଥିବା ଜଣା ପଡୁଛି । ଅର୍ଥାତ, ଉପରୋକ୍ତ ମତେ ଅପରାଜିତା ପାଇଥିବା ଲକ୍ଷାଧିକ ଭୋଟ ପସନ୍ଦ ଅଭାବରେ ତାଙ୍କ ନିକଟକୁ ଯାଇଛି, ବିଭାଜିତ ମତଦାନ ପାଇଁ ନୁହେଁ । ତେବେ ଏକାମ୍ର, ଭୁବନେଶ୍ୱର ମଧ୍ୟ ଓ ଖୋର୍ଦ୍ଧା ଭଳି ସହରାଞ୍ଚଳ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାନସଭା ପ୍ରାର୍ଥୀ ପାଇଥିବା ୨.୧୩ ଲକ୍ଷ ଭୋଟରୁ ବିଜେଡିର ଲୋକସଭା ପ୍ରାର୍ଥୀଙ୍କ ନିକଟକୁ ମାତ୍ର ୧.୭୩ ଲକ୍ଷ ଭୋଟ ଯାଇଥିବାରୁ ଏହି ଅଞ୍ଚଳର ପ୍ରାୟ ୪୦ ହଜାର ମତଦାତା ବିଭାଜିତ ମତଦାନ କରିଥିବାର ସ୍ପଷ୍ଟ ସୂଚନା ମିଳୁଛି । ଭୁବନେଶ୍ୱରରେ ୨୦୧୪ରେ ମଧ୍ୟ ବିଜେପିର ଲୋକସଭା ପ୍ରାର୍ଥୀଙ୍କ ସପକ୍ଷରେ ୫୪ ହଜାର ଅଧିକ ବିଭାଜିତ ମତ ମିଳିଥିଲା ବେଳେ ବିଜେଡିର ଲୋକସଭା ପ୍ରାର୍ଥୀଙ୍କ ବିପକ୍ଷରେ ୨୮ ହଜାର କମ ଭୋଟ ମିଳିଥିଲା । ତେବେ ଗତ ଥର କଂଗ୍ରେସର ବିଧାୟକ ପ୍ରାର୍ଥୀମାନେ ପାଇଥିବା ପ୍ରାୟ ୧.୪୬ ଲକ୍ଷ ଭୋଟ ଦଳର ଲୋକସଭା ପ୍ରାର୍ଥୀଙ୍କ ନିକଟକୁ ଯାଇଥିଲା । ହୁଏତ କଂଗ୍ରେସ ଭୁବନେଶ୍ୱର ଆସନରେ ପ୍ରାର୍ଥୀ ଦେଇଥିଲେ, ଅପରାଜିତା ପରାଜିତ ହେବାର ସମ୍ଭାବନା ବଢି ଯାଇଥାନ୍ତା ।

ବରଗଡ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସାତୋଟି ଯାକ ବିଧାନସଭା କ୍ଷେତ୍ର ମଧ୍ୟରୁ କୌଣସିଟିରେ ବିଜେପି ଜୟ ଲାଭ କରି ନଥିଲେ ମଧ୍ୟ ବିଧାୟକ ପ୍ରାର୍ଥୀମାନେ ୪.୫୫ ଲକ୍ଷ ଭୋଟ ପାଇଛନ୍ତି । ସେଠାରେ ଦଳୀୟ ଲୋକସଭା ପ୍ରାର୍ଥୀ ୫.୮୫ ଲକ୍ଷ ଭୋଟ  ଅର୍ଥାତ ୧.୩୦ ଲକ୍ଷ ଅଧିକ ଭୋଟ ପାଇଛନ୍ତି । ଅନ୍ୟ ପକ୍ଷରେ ବିଜେଡି ସାତୋଟି ଯାକ ଆସନରେ ବିଜୟ ଲାଭ କରି ପ୍ରାର୍ଥୀମାନେ ୬.୩୦ ଲକ୍ଷ ଭୋଟ ପାଇଥିଲେ ବି ଏହାର ଲୋକସଭା ପ୍ରାର୍ଥୀ ୫.୧୩ ଲକ୍ଷ ଭୋଟ ଅର୍ଥାତ ୧.୧୭ ଲକ୍ଷ କମ ଭୋଟ ପାଇଛନ୍ତି । କଂଗ୍ରେସର ବିଧାନସଭା ପ୍ରାର୍ଥୀମାନେ ୧.୨୧ ଲକ୍ଷ ଭୋଟ ପାଇଥିଲେ ମଧ୍ୟ ସେଥିରୁ ଦଳୀୟ ଲୋକସଭା ପ୍ରାର୍ଥୀଙ୍କ ସପକ୍ଷରେ ୧.୦୪ ଲକ୍ଷ ଭୋଟ ଯାଇଛି । ତେଣୁ ଏହି ନିର୍ବାଚନ ମଣ୍ଡଳୀରେ ଏକ ବଡ ଧରଣର ବିଭାଜିତ ମତଦାନ ହୋଇଛି, ଯେଉଁଥିରେ ବିଜେଡି ଓ କଂଗ୍ରେସର ଲକ୍ଷାଧିକ ମତଦାତା ବିଜେପି ସପକ୍ଷରେ ମତଦାନ କରଛନ୍ତି । ତେବେ ଏହି ଆସନରେ ୨୦୧୪ ନିର୍ବାଚନରେ ବିଜେପିର ଲୋକସଭା ପ୍ରାର୍ଥୀ ପରାଜିତ ହୋଇଥିଲେ ବି ତାଙ୍କ ସପକ୍ଷରେ ପ୍ରାୟ ୨୫ ହଜାର ଅଧିକ ବିଭାଜିତ ଭୋଟ ମିଳିଥିବା ବେଳେ ଜିତିଥିବା ବିଜେଡି ଲୋକସଭା ପ୍ରାର୍ଥୀଙ୍କ ବିପକ୍ଷରେ ପ୍ରାୟ ୪୫ ହଜାର କମ ବିଭାଜିତ ଭୋଟ ମିଳିଥିଲା । ବିଜେପି ଜିତିଥିବା ସୁନ୍ଦରଗଡ, କଳାହାଣ୍ଡି ଓ ବଲାଙ୍ଗୀରରେ ଦଳ ସପକ୍ଷରେ ଯଥାକ୍ରମେ ପ୍ରାୟ ୧.୧୫ ଲକ୍ଷ, ୧.୦୬ ଲକ୍ଷ ଓ ୮୪ ହଜାର ବିଭାଜିତ ମତ ଯାଇଛି । ଏପରିକି ଦଳ ହାରିଥିବା କଟକ ଓ କେନ୍ଦ୍ରାପଡା ଆସନରେ ମଧ୍ୟ ଦଳ ସପକ୍ଷରେ ଯଥାକ୍ରମେ  ୧.୦୭ ଲକ୍ଷ ଓ ୯୬ ହଜାର ବିଭାଜିତ ମତ ମିଳିଛି ।

ବିଭାଜିତ ମତଦାନର ସବୁଠାରୁ ବିସ୍ମୟକର ଉଦାହରଣଟି ଦେଖିବାକୁ ମିଳିଛି କୋରାପୁଟ ସଂସଦୀୟ କ୍ଷେତ୍ରରେ, ଯେଉଁଠାରେ ଉଭୟ ‘ମୋଦି ମ୍ୟାଜିକ’ ଓ ‘ନବୀନ ମ୍ୟାଜିକ’ ଫେଲ୍ ମାରି କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେଠାରେ କଂଗ୍ରେସ ମାତ୍ର ଗୋଟିଏ ବିଧାନସଭା ଆସନରେ ବିଜୟ ଲାଭ କରିଛି । ଅନ୍ୟ ପକ୍ଷରେ ବିଜେଡି ୫ଟି ବିଧାନସଭା କ୍ଷେତ୍ରରେ ଜୟଯୁକ୍ତ ହୋଇଥିଲେ ମଧ୍ୟ ଲୋକସଭା ଆସନକୁ ନିଜ ଦଖଲକୁ ନେବାରେ ଅସମର୍ଥ ହୋଇଛି । ଏଠାରେ ବିଧାନସଭା ପ୍ରାର୍ଥୀ ଭାବେ ଲଢିଥିବା ବିଭିନ୍ନ ଛୋଟ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଭୋଟର ବିଭାଜିତ ମତଦାନ ଲୋକସଭା ନିର୍ବାଚନର ଫଳକୁ କଂଗ୍ରେସ ସପକ୍ଷରେ ନେବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି । ବିଶେଷ କରି ରାୟଗଡା ବିଧାନସଭା କ୍ଷେତ୍ରର ବିଜୟୀ ସ୍ୱାଧୀନ ପ୍ରାର୍ଥୀ ପାଇଥିବା ଭୋଟର ସିଂହଭାଗ କଂଗ୍ରେସ ଲୋକସଭା ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିବାରୁ ତାଙ୍କ ବିଜୟ ସୁନିଶ୍ଚିତ ହୋଇଛି ।
          
ଅଧିକାଂଶ କ୍ଷେତ୍ରରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀମାନେ ପାଇଥିବା ଭୋଟ ଦଳୀୟ ଲୋକସଭା ପ୍ରାର୍ଥୀଙ୍କ ସପକ୍ଷରେ ଅନୁରୂପ ଭାବେ ଯାଇନାହିଁ । କେନ୍ଦ୍ରାପଡା ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ବିଧାନସଭା ପ୍ରାର୍ଥୀ ପାଇଥିବା ଭୋଟ ଅପେକ୍ଷା ପ୍ରାୟ ୮୫ ହଜାର କମ ଭୋଟ ପାଇଛନ୍ତି ଓ ସେଗୁଡିକ ସିଧାସଳଖ ବିଜେପି ନିକଟକୁ ଯାଇଥିବା ପରି ଜଣା ପଡୁଛି । ଭୁବନେଶ୍ୱର, ଆସ୍କା ଓ ମୟୂରଭଞ୍ଜ ଆସନରେ କଂଗ୍ରେସ ସମର୍ଥିତ ଦଳର ଲୋକସଭା ପ୍ରାର୍ଥୀଙ୍କ ନିକଟକୁ ଦଳୀୟ ଭୋଟ ସମ୍ପୂର୍ଣ୍ଣ ହସ୍ତାନ୍ତର (ଟ୍ରାନ୍ସଫର) ହୋଇନାହିଁ । ଭୁବନେଶ୍ୱରର ସିପିଏମ ପ୍ରାର୍ଥୀ ମାତ୍ର ୨୩ ହଜାର ଭୋଟ ଓ ଆସ୍କାର ସିପିିଆଇ ପ୍ରାର୍ଥୀ ୬୦ ହଜାର ଭୋଟ ପାଇବାରୁ ଜଣା ପଡୁଛି ହୁଏତ ଏଠାରେ କଂଗ୍ରେସର ଅଧିକାଂଶ ମତଦାତା ଏହି ଦଳଗୁଡିକୁ କଂଗ୍ରେସର ‘ସ୍ୱାଭାବିକ ମିତ୍ର’ (ନାଚୁରାଲ ଆଲାଏ) ଭାବେ ଗ୍ରହଣ କରି ପାରିନାହାନ୍ତିି । ପ୍ରକାରାନ୍ତରେ, ରାଜ୍ୟରେ କଂଗ୍ରେସ ମତଦାତାଙ୍କ ବିଭାଜିତ ମତ ପ୍ରାୟତଃ ବିଜେଡି ବିରୋଧୀ ହୋଇଛି, ଯଦ୍ଦ୍ୱାରା ବିଜେପି ଅଧିକ ଲାଭବାନ ହୋଇଛି ।
  
୨୦୧୪ ସାଧାରଣ ନିର୍ବାଚନରେ କିଛି ଆସନରେ ବିଜେପି ସପକ୍ଷରେ ସୀମିତ ଭାବେ ବିଭାଜିତ ମତଦାନ ହୋଇଥିଲେ ମଧ୍ୟ ସେହି ଆସନଗୁଡିକରେ ବିଜେପି ଜିତି ନଥିବାରୁ ତାହା ଚର୍ଚ୍ଚାର ପରିଧି ଭିତରକୁ ଆସି ନଥିଲା । ଏଥର ୨୧ଟି ଯାକ ଲୋକସଭା ଆସନରେ ବିଜେପି ସପକ୍ଷରେ ୧୪.୬୦ ଲକ୍ଷ ବିଭାଜିତ ମତଦାନ ହୋଇଛି । କନ୍ଧମାଳ ଆସନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସର୍ବନିମ୍ନ ୧୨ ହଜାର ବିଭାଜିତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବୋଚ୍ଚ ୧.୯୬ ଲକ୍ଷ ହୋଇଛି । ଓଡିଶାର ଅଧିକାଂଶ ସହରାଞ୍ଚଳରେ ବିଜେପି ସପକ୍ଷରେ ବିଭାଜିତ ମତଦାନ ହୋଇଥିବା ଜଣା ପଡୁଛି । ବିଭାଜିତ ମତଦାନ ଯୋଗୁ କେବଳ ଯେ ବିଜେପି ଲାଭବାନ ହୋଇଛି ତାହା ନୁହେଁ, ବିଜେଡି ଓ କଂଗ୍ରେସ ଦଳ ମଧ୍ୟ ଏହା ଦ୍ୱାରା ଉଭୟ ଲାଭ ଓ କ୍ଷତି ସହିଛନ୍ତି । ୬ଟି ଆସନରେ ବିଭାଜିତ ମତଦାନ ବିଜେଡି ସପକ୍ଷରେ ଯାଇଥିବା ବେଳେ ୧୫ଟିରେ ବିପକ୍ଷରେ ଯାଇଛି ଓ ମୋଟ ଉପରେ ଏହିପରି ଭାବେ ୩.୮୭ ଲକ୍ଷ ଭୋଟ ଦଳ ବିପକ୍ଷରେ ଯାଇଛି । ଦଳର କନ୍ଧମାଳ ପ୍ରାର୍ଥୀଙ୍କ ସପକ୍ଷରେ ସର୍ବାଧିକ ୪୩ ହଜାର ବିଭାଜିତ ମତଦାନ ହୋଇଥିବା ବେଳେ ବରଗଡ ପ୍ରାର୍ଥୀଙ୍କ ବିପକ୍ଷରେ ସର୍ବାଧିକ ୧.୧୬ ଲକ୍ଷ ମତଦାନ ହୋଇଛି । ସେହିପରି କଂଗ୍ରେସ ଦଳ ସପକ୍ଷରେ ୭ଟି ଆସନରେ ବିଭାଜିତ ମତଦାନ ହୋଇଥିବା ବେଳେ ୧୪ଟିରେ ବିପକ୍ଷରେ ହୋଇଛି ଓ ୪.୫୩ ଲକ୍ଷ ଭୋଟ ଦଳ ଓ ସମର୍ଥିତ ଦଳ ପ୍ରାର୍ଥୀଙ୍କ ବିପକ୍ଷରେ ଯାଇଛି । କୋରାପୁଟ ଆସନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସର୍ବାଧିକ ୪୨ ହଜାର ବିଭାଜିତ ମତଦାନ ହୋଇଛି ଓ ଭୁବନେଶ୍ୱରରେ ଦଳ ସମର୍ଥିତ ସିପିଏମ ପ୍ରାର୍ଥୀଙ୍କ ବିପକ୍ଷରେ ସର୍ବାଧିକ ୧.୧୮ ଲକ୍ଷ ମତଦାନ ହୋଇଛି ।

ବିଭାଜିତ ମତଦାନ ସୁନିଶ୍ଚିତ କରିବା ପାଇଁ ସ୍ଥଳ ବିଶେଷରେ ଦଳୀୟ ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଓ ଦଳଗୁଡିକ ତରଫରୁ କୌଶଳଗତ ମତଦାନ (ଟାକ୍ଟିକାଲ ଭୋଟିଂ)କୁ ପରୋକ୍ଷରେ ପ୍ରଶ୍ରୟ ଦିଆ ଯାଇଥିବା ସମ୍ଭାବନାକୁ ଏଡାଇ ହେବନାହିଁ । ଏହି ବିଭାଜିତ ମତଦାନ ବିଭିନ୍ନ ଦଳ ପାଇଁ ସତର୍କ ଘଣ୍ଟିର ସୂଚନା ଦେଇଛି ଓ ରାଜନୈତିକ ଦଳଗୁଡିକ ପାଇଁ ଏଥିରୁ ମିଳିଥିବା ବଡ ଶିକ୍ଷାଟି ହେଉଛି କେବଳ ସାଧାରଣ ମେଣ୍ଟଟିଏ କରି ନୁହେଁ ବରଂ କୌଶଳଗତ ମେଣ୍ଟ (ଟାକ୍ଟିକାଲ ଆଲାଏନ୍ସ) କରି ହୁଏତ ଏହାକୁ ପ୍ରତିହତ କରାଯାଇପାରେ । ଓଡିଶାରେ ଏହି ବିଭାଜିତ ମତଦାନ ଶାସକ ବିଜେଡି ଦଳର କ୍ଷତିସାଧନ କରିଥିଲେ ମଧ୍ୟ ଲୋକସଭା ନିର୍ବାଚନ ଏକ ସଙ୍ଗେ ହୋଇ ନଥିଲେ ତେଲେଙ୍ଗାନାର ଟିଆରଏସ ଦଳ ଭଳି ହୁଏତ ଦଳକୁ ଅଧିକ କ୍ଷତି ସହିବାକୁ ପଡିଥାଆନ୍ତା ।                 

Published in Matrubhasha - 15.06.19, Amruta Dunia - 18.06.19, Samanya Kathan - 18.06.19, Manthan - 20.06.19, Swadhikar - 20.06.19, Krantidhara - 24.06.19, Samadrusti (16-31 July 19), Pratidin - 27.06.19, Sanchar - 28.06.19

Comments

  1. Very incisive and highly analytical article.Saral Babu, you deserve kudos for such type of articles. Keep it up!

    ReplyDelete
    Replies
    1. Thanks for appreciating the article. Since you have not subscribed to the blog, your name did not appear. May I know your name please.

      Delete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍