‘ଯେତେ ସଚ୍ଚୋଟ ଓ ସାବଧାନ ହେଲେ ମଧ୍ୟ କୌଣସି ଡାକ୍ତର କହି ପାରିବ ନାହିଁ ଯେ କେଉଁ ଦିନ ବା କେଉଁ ମୁହୂର୍ତ୍ତରେ ସେ କୌଣସି ଅବାଞ୍ଛିତ ଆକ୍ରମଣ, ଦୁର୍ଭାବନାପୂର୍ଣ୍ଣ ଆରୋପ, ଭୟଦୋହନ (ବ୍ଲାକମେଲ) ବା କ୍ଷତିପୂରଣ ପାଇଁ ମାମଲାର ଶରବ୍ୟ ନ ହେବ’ - ପ୍ରାୟ ୧୩୫ ବର୍ଷ ତଳେ ଏକ ଆମେରିକୀୟ ଡାକ୍ତରୀ ଜର୍ଣ୍ଣାଲରେ ପ୍ରକାଶିତ ଉପରୋକ୍ତ ଆଶଙ୍କାଟି ଆଜି ମଧ୍ୟ ପ୍ରାସଙ୍ଗିକ । ପଶ୍ଚିମବଙ୍ଗରେ ଜଣେ ଡାକ୍ତର ହିଂସାର ଶିକାର ହେବା ଓ ତାଙ୍କୁ ସମର୍ଥନ ଜଣାଇ ସମଗ୍ର ଦେଶରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ ଡାକ୍ତରଙ୍କ ପ୍ରତି ହିଂସା ପ୍ରସଙ୍ଗଟିି ପୁଣି ଚର୍ଚ୍ଚାର ବିଷୟ ପାଲଟିଛି ।
କେବଳ ଭାରତ ନୁହେଁ, ବରଂ ବିଶ୍ୱର ଅଧିକାଂଶ ଦେଶରେ ଡାକ୍ତରମାନଙ୍କ ପ୍ରତି ହିଂସା ଆଚରଣ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ଗୋଟିଏ ଅଧ୍ୟୟନ ଅନୁଯାୟୀ ଜାପାନରେ ପ୍ରାୟ ୮୫ ପ୍ରତିଶତ ଡାକ୍ତର ତାଙ୍କ ଚାକିରୀ କାଳ ମଧ୍ୟରେ କେବେ ହେଲେ ହିଂସାର ଶିକାର ହୋଇଛନ୍ତି । ଅନ୍ୟ ଏକ ଅଧ୍ୟୟନରେ ଅଷ୍ଟ୍ରେଲିଆର ପ୍ରାୟ ୫୭ ପ୍ରତିଶତ ଡାକ୍ତର ବର୍ଷକ ଭିତରେ ହିଂସାର ଶିକାର ହୋଇଥିଲେ । ବ୍ରିଟେନର ଏକ-ତୃତୀୟାଂଶ ଡାକ୍ତର ବାଚନିକ ଦୁର୍ବ୍ୟବହାର ବା ଶାରୀରିିକ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ବ୍ରିଟିଶ ମେଡିକାଲ ଆସୋସିଏସନ ସ୍ୱୀକାର କରିଛି । ଚୀନରେ ଡାକ୍ତରମାନେ ବହୁଳ ଭାବେ ହିଂସାର ଶିକାର ହୋଇ ହଜାର ହଜାର ସଂଖ୍ୟାରେ ଆହତ ହୋଇଥିବାର ଦୃଷ୍ଟାନ୍ତମାନ ରହିଛି । ଡାକ୍ତରମାନଙ୍କ ପ୍ରତି ହେଉଥିବା ବିଭିନ୍ନ ପ୍ରକାର ହିଂସାକୁ ମୃଦୁ, ମଧ୍ୟମ ଓ ଭୟଙ୍କର ଏହି ଭଳି ମୋଟାମୋଟି ତିନି ଶ୍ରେଣୀରେ ବିଭକ୍ତ କରି ହେବ । ବଚସା, ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମୃଦୁ ଶ୍ରେଣୀର ହିଂସା ହୋଇଥିବା ବେଳେ ଡରେଇବା, ଧମକେଇବା, ଭୟ ଦେଖାଇବା ଆଦି ମଧ୍ୟମ ଧରଣର ହିଂସା ପ୍ରଦର୍ଶନ । ଯୌନ ଉତ୍ପୀଡନ ଓ ଆକ୍ରମଣ, ଶାରୀରିକ ଆକ୍ରମଣ, ଅସ୍ତ୍ରଶସ୍ତ୍ରରେ ଆକ୍ରମଣ, ଚୋରି ଓ ଡାକ୍ତରଙ୍କ ପରିବାର ଏବଂ ସମ୍ପତିକୁ କ୍ଷତି ଫହଂଚାଇବା ଆଦି ଭୟଙ୍କର ହିଂସା ପର୍ଯ୍ୟାୟବାଚୀ ।
ଇଣ୍ଡିଆନ ମେଡିକାଲ ଆସୋସିଏସନ ଅନୁଯାୟୀ ଭାରତରେ ପ୍ରାୟ ୭୫ ପ୍ରତିଶତ ଡାକ୍ତର କାର୍ଯ୍ୟ କ୍ଷେତ୍ରରେ ହିଂସାର ଶିକାର ହୋଇଛନ୍ତି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ହେଉଥିବା ହିଂସା ଏକ ଭୟଙ୍କର ରୋଗର ଲକ୍ଷଣ ମାତ୍ର । ଏକ ଅଧ୍ୟୟନରୁ ଜଣା ପଡେ ଯେ ଏହାର ଅନେକ କାରଣ ମଧ୍ୟରୁ ରୋଗୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ଜନିତ ବିରକ୍ତି ମୁଖ୍ୟ କାରଣ । ଡାକ୍ତରଙ୍କ କ୍ୟାବିନ ବା କ୍ଲିନିକ ବାହାରେ ରୋଗୀମାନେ ଘଂଟା ଘଂଟା ଧରି ଅପେକ୍ଷା କରି ରହିଥିବା ବେଳେ ବଡବଡିଆ ବା ଚିହ୍ନା ଜଣା ଲୋକ ତାକୁ ବେଖାତିର କରି ଡାକ୍ତରଙ୍କ ପାଖକୁ ସିଧାସଳଖ ପଶିଯାଆନ୍ତି । ଏହା ରୋଗୀଙ୍କ ମଧ୍ୟରେ ବିରକ୍ତି ଓ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଆଜିକାଲିର ମୋବାଇଲ ଯୁଗରେ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରଖାଇବାର କୌଣସି ଯୌକ୍ତିକତା ନାହିଁ । ଏସଏମଏସ ବା ହ୍ୱାଟସଅପ ଜରିଆରେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଦିଆଯାଇ ଅଯଥା ଭିଡକୁ କମ କରି ହେବ । ପରସ୍ପର ପ୍ରତି ବିଶ୍ୱାସ ଅଭାବରୁ ରୋଗୀ-ଡାକ୍ତର ସମ୍ପର୍କରେ କ୍ରମଶଃ ଅବନତି ପରିଲକ୍ଷିତ ହୋଇ ଏ ଭଳି ସ୍ଥିତି ସୃଷ୍ଟି ହୋଇଛି । କେତେକ କ୍ଷେତ୍ରରେ ଡାକ୍ତରଙ୍କ ଚିକିତ୍ସା ନେଇ ରୋଗୀ ସନ୍ତୁଷ୍ଟ ନଥାନ୍ତି । ଦାମିକା ଔଷଧ ଲେଖିବା, ଅନାବଶ୍ୟକ ପରୀକ୍ଷା କରିବା ପାଇଁ ବାଧ୍ୟ କରିବା ମଧ୍ୟ ଅସନ୍ତୋଷର ଏକ ପ୍ରମୁଖ କାରଣ । କିଛି ଡାକ୍ତର ଔଷଧ କମ୍ପାନୀ ଓ ଡାଏଗ୍ନୋଷ୍ଟିକ ସେଂଟର ନିକଟରୁ ମୋଟା ଅଙ୍କର କମିଶନ ନେଇ ରୋଗୀଙ୍କୁ ଅଯଥା ଖର୍ଚ୍ଚାନ୍ତ କରନ୍ତି ବୋଲି ଏକ ଧାରଣା ଦୃଢ ହେବାରେ ଲାଗିଛି । ଏଣେ ଏହା ବି ସତ ଯେ ରୋଗ ନିରୂପଣ ପାଇଁ ଏମିତି କିଛି ପରୀକ୍ଷା-ନିରୀକ୍ଷା ଜରୁରୀ ଯାହା ବାବଦରେ ରୋଗୀ ବା ସେମାନଙ୍କ ସମ୍ପର୍କୀୟଙ୍କଠାରୁ ଡାକ୍ତରମାନେ ଭଲ ଭାବେ ଜାଣନ୍ତି । ତେଣୁ ମୂଳ କଥା ହେଉଛି ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ବିଶ୍ୱାସ ରହିବା, ଯାହା ଏ ପ୍ରକାର ପରିସ୍ଥିତି ବଦଳାଇ ପାରିବ । ମୁଷ୍ଟିମେୟ ଡାକ୍ତରଙ୍କ ବ୍ୟାବସାୟିକ ମନୋବୃତି ଯୋଗୁ ସମଗ୍ର ଡାକ୍ତର ସମାଜର ଛବି ମଳିନ ହେଉଛି ଓ ଡାକ୍ତର-ରୋଗୀ ବିଶ୍ୱାସ ଦୁର୍ବଳ ହୋଇ ପଡିଛି । ପରିତାପର ବିଷୟ, ସେ ଭଳି ଡାକ୍ତରଙ୍କ ବିରୁଦ୍ଧରେ କଡା ପଦକ୍ଷେପ ଗ୍ରହଣ କରିବାକୁ ଦାବି କରି ଡାକ୍ତରମାନେ ଆନ୍ଦୋଳନ କରିଥିବାର କୌଣସି ଉଦାହରଣ ଦେଖିବାକୁ ମିଳେ ନାହିଁ । ନ୍ୟାୟିକ ପ୍ରକ୍ରିୟା ଉପରେ ଅବିଶ୍ୱାସ ମଧ୍ୟ କେତେକ କ୍ଷେତ୍ରରେ ରୋଗୀ ଓ ସମ୍ପର୍କୀୟଙ୍କୁ ଆଇନକୁ ହାତକୁ ନେବାକୁ ପ୍ରେରିତ କରିଥାଏ । ଡାକ୍ତରମାନେ ନିଜ ପ୍ରଭାବ ଦ୍ୱାରା ପୁଲିସଠାରୁ ସୁରକ୍ଷା ପାଇଯିବେ ବୋଲି ବିଚାର କରି ଅନେକ ରୋଗୀଙ୍କ ସମ୍ପର୍କୀୟ ମାମଲା ରୁଜୁ ନ କରି ଆଇନକୁ ହାତକୁ ନେବାକୁ ଉଚିତ ମନେ କରନ୍ତି । ଚିକିତ୍ସା ବେଳେ ଯେଉଁଠି ଡାକ୍ତର ରୋଗୀକୁ ସହଭାଗୀ ଭାବେ ବିବେଚନା କରନ୍ତି ଓ ସହାନୁଭୂତିଶୀଳ ହୁ୍ଅନ୍ତି, ସେଠାରେ ବିଶ୍ୱାସ ଜନ୍ମେ, ଯାହା ଏକ ଉତ୍ତମ ବୁଝାମଣାର ପରିବେଶ ସୃଷ୍ଟି କରେ । ଡାକ୍ତର-ରୋଗୀଙ୍କ ସମ୍ପର୍କ ‘ମୁନିବ-ଅଧସ୍ତନ’ର ସମ୍ପର୍କ ନୁହେଁ; ଡାକ୍ତରମାନେ ଏହା ମନେ ରଖିବା ଦରକାର । ରୋଗୀ ଅଜ୍ଞ ଓ ଅସହାୟ ହୋଇଥିବାରୁ ନିଜ ସନ୍ଦେହ ମୋଚନ ଲାଗି ବାରମ୍ବାର ପଚାରିବେ ଏବଂ ଡାକ୍ତରମାନଙ୍କ ନିକଟରେ ବିଦ୍ୟା ଓ ଜ୍ଞାନ ଥିବାରୁ ସେମାନେ ବିରକ୍ତ ନ ହୋଇ ବାରମ୍ବାର ବୁଝାଇବେ ; ଏ ପ୍ରକାର ଧାରା ଚାଲିବା କଥା, ଯାହା ହେଉନାହିଁ । ସ୍ଥଳ ବିଶେଷରେ ପ୍ରଶ୍ନ ପଚାରି ରୋଗୀ ଡାକ୍ତରଙ୍କ ଦୁର୍ବ୍ୟବହାର ବା ତାଚ୍ଛଲ୍ୟର ଶିକାର ହୋଇଥାନ୍ତି । ‘ମୁଁ ଡାକ୍ତର ନା ତମେ ଡାକ୍ତର’, ସେହିପରି ଏକ ବହୁଳ ବ୍ୟବହୃତ ତାଚ୍ଛଲ୍ୟ । ରୋଗୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ (ଏମପାଥି) ଡାକ୍ତରୀ ଶିକ୍ଷାର ଅଂଶ ବିଶେଷ ହେବା ଉଚିତ । ସହାନୁଭୂତିଶୀଳ ଡାକ୍ତର ଜନ ଆକ୍ରୋଶର ସମ୍ମୁଖୀନ ହେବା ତ ଦୂରର କଥା ବରଂ ଲୋକଙ୍କ ଅଜସ୍ର ଭଲ ପାଇବା ଓ ସମ୍ମାନ ସାଉଁଟିଥାନ୍ତି । ନିକଟରେ ଆମ ରାଜ୍ୟର କିଛି ଡାକ୍ତରଙ୍କ ବଦଳି ବନ୍ଦ କରିବା ଲାଗି ସ୍ଥାନୀୟ ଲୋକେ ବିଶାଳ ଆନ୍ଦୋଳନ କରିଛନ୍ତି । ଏହା କାହିଁକି ହୋଇଛି, ତାହା ବୁଝାଇ କହିବାର ଆବଶ୍ୟକତା ନାହିଁ । ଭାରତରେ ଲୋକଙ୍କର ସ୍ୱାସ୍ଥ୍ୟ ସାକ୍ଷରତାର ସ୍ତର ନିମ୍ନ । ଆଧୁନିକ ଔଷଧ, ଚିକିତ୍ସା ପ୍ରଣାଳୀ ଓ ବୈଷୟିକ ଜ୍ଞାନ କୌଶଳର ବିକାଶ ଯୋଗୁ ଡାକ୍ତରମାନେ ଯେ ନିଶ୍ଚିତ ଭାବେ ଯେ କୌଣସି ରୋଗ ଭଲ କରି ଦେଇ ପାରିବେ, ତାହା ଅନେକଙ୍କ ବିଶ୍ୱାସ । ଯଦି ନ ହେଲା, ତାହା ହେଲେ ଜାଣିଶୁଣି ଡାକ୍ତର ଭୁଲ ଚିକିତ୍ସା କରିଛନ୍ତି ବୋଲି ଭାବି ହିଂସାର ଆଶ୍ରୟ ନେବାର ଅନେକ ଖବର ଶୁଣିବାକୁ ମିଳୁଛିି, ଯାହା ଦୁଭାର୍ଗ୍ୟଜନକ । ସତର୍କତା ଅବଲମ୍ବନ ନ କଲେ ଡାକ୍ତରଖାନା ଭଳି ଜନବହୁଳ ଅଞ୍ଚଳରେ ଖୁବ ସହଜରେ ଭିଡ ମାନସିକତା (ମବ ମେଂଟାଲିଟି)କୁ ପ୍ରଶ୍ରୟ ମିଳିଥାଏ । ନେତାଏ ତ ଅନାଇ ରହିଥାନ୍ତି ଏ ଭଳି ସୁଯୋଗକୁ ହାତଛଡା ନ କରିବା ପାଇଁ । କେଉଁଠି କେମିତି ତାହା ଜାତି ଓ ସମ୍ପ୍ରଦାୟ ବିଦ୍ୱେଷର ରଙ୍ଗ ମଧ୍ୟ ନେଇଥାଏ ।
ଡାକ୍ତର-ରୋଗୀଙ୍କ ମଧ୍ୟରେ ହେଉଥିବା ଅପ୍ରୀତିକର ସ୍ଥିତି ଲାଗି ଆହୁରି ମଧ୍ୟ ଦାୟୀ ସ୍ୱାସ୍ଥ୍ୟସେବା ପ୍ରତି ବର୍ଷ ବର୍ଷର ସରକାରୀ ଉଦାସୀନତା । ସ୍ୱାସ୍ଥ୍ୟସେବା କ୍ଷେତ୍ର ଲାଗି ବଜେଟରେ ବ୍ୟୟ ବରାଦ ଏତେ କମ ଯେ ତାହା ନୂଆ ଭିତ୍ତିଭୂମି ନିର୍ମାଣ ତ ଦୂରର କଥା ପୁରୁଣା ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଓ ଆବଶ୍ୟକ ସଂଖ୍ୟକ ଡାକ୍ତରୀ ଉପକରଣ କିଣିବା ପାଇଁ ବି ଯଥେଷ୍ଟ ନୁହେଁ । ଜନସଂଖ୍ୟା ହୁ ହୁ ହୋଇ ବଢୁଥିଲେ ମଧ୍ୟ ସାରା ଦେଶରେ ସରକାରୀ ଡାକ୍ତରଙ୍କ ସଂଖ୍ୟା ୧,୦୬,୪୧୫ରେ ସୀମିତ । ତେଣୁ ଡାକ୍ତରଙ୍କ ପିଛା ରୋଗୀ ସଂଖ୍ୟା ବଢିବାରେ ଲାଗିଛି ଆଉ ରୋଗୀଙ୍କ ଅପେକ୍ଷା କରିବା ସମୟ ମଧ୍ୟ ବଢି ବଢି ଚାଲିଛି । ଏଣେ ଭିତ୍ତିଭୂମିର ମଧ୍ୟ ଘୋର ଅଭାବ । ଫଳରେ ଡାକ୍ତରମାନେ ଅତ୍ୟଧିକ ଚାପଗ୍ରସ୍ତ ହେଉଛନ୍ତି । ଡାକ୍ତରଖାନାଗୁଡିକରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥାର ଅଭାବ ସମସ୍ୟାକୁ ଅଧିକ ଗମ୍ଭୀର କରୁଛି । ଏକ ଅଧ୍ୟୟନ ଅନୁଯାୟୀ ବରିଷ୍ଠ ଡାକ୍ତରଙ୍କ ତୁଳନାରେ କନିଷ୍ଠ ଡାକ୍ତରମାନେ ହିଂସାର ଅଧିକ ଶିକାର ହୋଇଥାନ୍ତି । ସାଧାରଣତଃ ପ୍ରାଥମିକ ଚିକିତ୍ସା ସମୟରେ ସର୍ବାଧିକ ୬୦ ପ୍ରତିଶତ ହିଂସା ‘ରୋଗୀ’ ଦ୍ୱାରା ହେଉଥିବା ବେଳେ, ଡାକ୍ତରଖାନାରେ ୪୫ ପ୍ରତିଶତ ଆକ୍ରମଣ ‘ସମ୍ପର୍କୀୟ’ଙ୍କ ଦ୍ୱାରା ହୋଇଥାଏ । ଅପରେସନ ହେଉଥିବା ସ୍ଥାନ ଓ ଜରୁରୀକାଳୀନ ବିଭାଗଗୁଡିକ ସର୍ବାଧିକ ଆକ୍ରମଣ ପ୍ରବଣ ଅଂଚଳ । ଏ ସବୁକୁ ଧ୍ୟାନରେ ରଖି ସିସିଟିଭି କ୍ୟାମେରା ଖଞ୍ଜାଗଲେ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା କରାଗଲେ ହିଂସାର ମାତ୍ରା ହୁଏତ କମିପାରେ । ସେହିପରି ପ୍ରତ୍ୟେକ ଡାକ୍ତରଖାନାରେ ରୋଗୀଙ୍କ ଅଭିଯୋଗର ନିଦାନ ପାଇଁ ଉପଯୁକ୍ତ ଓ ପ୍ରଭାବୀ ବ୍ୟବସ୍ଥା କରାଗଲେ ତାହା ଅସନ୍ତୋଷର ଦାନା ବାନ୍ଧି ହିଂସାର ରୂପ ନେବା ପୂର୍ବରୁ ପ୍ରଶମିତ କରି ହୁଅନ୍ତା ।
ଏ ସବୁ ସତ୍ତ୍ଵେ ଏକ ସଭ୍ୟ ସମାଜରେ, କେବଳ ଡାକ୍ତର କାହିଁକି, କାହାରି ପ୍ରତି ହିଂସା ଆଚରଣ ଆଦୌ ସ୍ପୃହଣୀୟ ନୁହେଁ ଓ ହିଂସା ଭିଆଉଥିବା ପ୍ରତ୍ୟେକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନିହାତି ଜରୁରୀ । ହିଂସାର ଶିକାର ହୋଇଥିବା ପ୍ରତ୍ୟେକ ଡାକ୍ତର ଶାରୀରିକ ଯନ୍ତ୍ରଣା ବ୍ୟତୀତ ଯେଉଁ ଅକଥନୀୟ ମାନସିକ ଯାତନାର ଶରବ୍ୟ ହୋଇଥାନ୍ତି, ତାହା ଅକଳ୍ପନୀୟ । ଜାପାନରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ହିଂସାର ଶିକାର ହୋଇଥିବା ଅଧିକାଂଶ ଡାକ୍ତର ସାଧାରଣତଃ ଅତ୍ୟଧିକ ‘କ୍ରୋଧ’ ଜରିଆରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି । ଭୟ ଓ ହିଂସା ଡାକ୍ତରଙ୍କ ମନସ୍ତତ୍ତ୍ଵ ଉପରେ ଗଭୀର କୁପ୍ରଭାବ ପକାଇଥାଏ, ଯଦ୍ଦ୍ୱାରା ଅଧିକାଂଶ ଡାକ୍ତର ମାନସିକ ଆଘାତ ପରବର୍ତ୍ତୀ ଚାପ ରୋଗ (ପିଏସଟିଡି)ରେ ଆକ୍ରାନ୍ତ ହୋଇଥାନ୍ତି । ଫଳରେ ସେମାନେ ଚିଡିଚିଡା ହୋଇଥାନ୍ତି, ଅସହାୟ ଅନୁଭବ କରିଥାନ୍ତି ଓ ଚାକିରୀ ଛାଡି ଦେବା ଭଳି ଦୁର୍ଭାବନା ଦ୍ୱାରା ଗ୍ରସ୍ତ ହୋଇଥାନ୍ତି । ସେହି ସମୟରେ ସେମାନେ ମାନସିକ ଅସ୍ଥିରତା ଦେଇ ଗତି କରୁଥିବାରୁ ସେମାନଙ୍କୁ ସାମୟିକ ଭାବେ ରୋଗୀ ସେବାରୁ ନିବୃତ୍ତ କରି ବିଶ୍ରାମ ଦେବା ଉଦ୍ଦେଶ୍ୟରେ କିଛି ଦିନ ଛୁଟି ଦିଆଯିବା ଉଚିତ ।
ଡାକ୍ତରଙ୍କ ପ୍ରତି ହେଉଥିବା ହିଂସାରେ ଅଙ୍କୁଶ ଲଗାଇବା ପାଇଁ ଏକ କଡା କେନ୍ଦ୍ରୀୟ ଆଇନ ପ୍ରବର୍ତ୍ତନ ଉପରେ ଡାକ୍ତରମାନଙ୍କ ସଂଘ ଗୁରୁତ୍ୱ ଦେଉଛି । ଏ ଭଳି ଏକ କଡା ଆଇନ ରହିଲେ କୁଆଡେ ଆକ୍ରମଣକାରୀଙ୍କ ମନରେ ଭୟ ରହିବ ଓ ସେମାନେ ହିଂସାର ଆଶ୍ରୟ ନେବାରୁ ନିବୃତ୍ତ ହେବେ ବୋଲି ସେମାନଙ୍କ ବିଶ୍ୱାସ । କିନ୍ତୁ ଡାକ୍ତରମାନଙ୍କ ଉପରେ ହେଉଥିବା ଆକ୍ରମଣ ରୋଗୀଙ୍କ ସମ୍ପର୍କୀୟଙ୍କ ଭିତରେ ଜାତ ହେଉଥିବା ଅସହାୟତାଜନିତ ହତାଶା ଓ ତାତ୍କାଳିକ କ୍ରୋଧ କାରଣରୁ ହେଉଥିବାରୁ ଦଣ୍ଡର ଭୟ ପ୍ରଭାବୀ ହୋଇ ନପାରେ । ‘ନିର୍ଭୟା କାଣ୍ଡ’ ପରେ ପ୍ରଣୀତ ଆଇନ ସେହି ଧରଣର ଅପରାଧ ରୋକିବାରେ ସେତେ ବେଶି ପ୍ରଭାବୀ ନ ହୋଇ ପାରିବା, ତାର ଏକ ଜ୍ୱଳନ୍ତ ଉଦାହରଣ । ଏବେ ମଧ୍ୟ ଡାକ୍ତରଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ଊଣେଇଶଟି ରାଜ୍ୟରେ ଆଇନ ରହିଛି, ଯେଉଁଥିରେ ଆକ୍ରମଣକାରୀକୁ ତିନି ବର୍ଷ ଜେଲ ଦଣ୍ଡ ସହ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ପ୍ରାବଧାନ ଅଛି । ତଥାପି ସେ ସବୁ ରାଜ୍ୟରେ ଡାକ୍ତରମାନେ ହିଂସାର ଶିକାର ହେଉଥିବାର ଖବରମାନ ନିୟମିତ ଶୁଣିବାକୁ ମିଳୁଛି । ପୁଣି ଦେଖାଯାଉଛି ଯେ ଆକ୍ରମଣକାରୀଙ୍କ ପ୍ରତି ଦଣ୍ଡବିଧାନର ହାର ପ୍ରାୟ ଶୂନ । ତେଣୁ ଆଇନର କଡାକଡି ଅନୁପାଳନ ହେଉଛି ଆଇନ ପ୍ରଣୟନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।
ନାରୀକୁ ଦେବୀ ଆସନରେ ବସାଇ କ୍ଷଣକେ କୁଳଟା କହି ନିନ୍ଦିତ କରିବାକୁ ପଛାଉ ନଥିବା ଭାରତୀୟ ସମାଜ, ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନର ଆଖ୍ୟା ଦେଇ ଠାକୁର ଆସନରେ ବସାଇ କ୍ଷଣକେ ଶ୍ୱାନ ସଦୃଶ ଆଚରଣ କରିବାକୁ ବ୍ୟଗ୍ରତା ଦେଖାଇବା ନିନ୍ଦନୀୟ ହେଲେ ବିି ବିଚିତ୍ର ନୁହେଁ । ଲୋକେ ବୁଝିବା ଉଚିତ ଯେ ଡାକ୍ତର ଭଗବାନ ନୁହନ୍ତି । ଡାକ୍ତରଙ୍କୁ ଠାକୁର ଆସନରେ ବସାଇ ଆଶାନୁରୂପ ଫଳ ନ ପାଇଲେ ହତାଶାରେ କାଣ୍ଡଜ୍ଞାନ ହରାଇ ହିଂସାର ଆଶ୍ରୟ ନେବା କେତେ ଦୂର ସମୀଚୀନ ? ଅନ୍ୟାନ୍ୟ ଅନେକ ବୃତ୍ତି ଭଳି ଡାକ୍ତରୀ ମଧ୍ୟ ଗୋଟିଏ ବୃତ୍ତି । ଅନେକେ ଭ୍ରମରେ ଥାଆନ୍ତି ଯେ ଡାକ୍ତରମାନେ ‘ସେବା କରିଥାନ୍ତି’ । ପ୍ରକୃତପକ୍ଷେ ସେମାନେ ଅନ୍ୟ ଅନେକ ସେବା ପ୍ରଦାନକାରୀଙ୍କ ପରି ‘ସେବା ପ୍ରଦାନ କରିଥାନ୍ତି’ ଯାହା । କୌଣସି ପ୍ରତ୍ୟାଶା ନ ରଖି କରାଯାଉଥିବା କାମଟିକୁ ‘ସେବା’ କୁହାଯାଉଥିବା ବେଳେ ଅର୍ଥ ବିନିମୟରେ କରା ଯାଉଥିବା ପ୍ରତ୍ୟେକଟି କାର୍ଯ୍ୟ ‘ସେବା ପ୍ରଦାନ’ ପର୍ଯ୍ୟାୟବାଚୀ । ତେବେ କିଛି ଡାକ୍ତର ଏହି ସେବା ପ୍ରଦାନ କଲା ବେଳେ ଯେଉଁ ଆନ୍ତରିକତା ପ୍ରଦର୍ଶନ କରିଥାନ୍ତି, ତାହା ସେବା କଲା ଭଳି ପ୍ରତୀୟମାନ ହୋଇଥାଏ । ଏହି କଥାଟିକୁ ହୃଦୟଙ୍ଗମ କରି ପାରିଲେ ଡାକ୍ତରଙ୍କୁ ଠାକୁର ଆସନରେ ବସାଇ ସେମାନଙ୍କଠାରୁ ଅତ୍ୟଧିକ ପ୍ରତ୍ୟାଶାର ପ୍ରବୃତ୍ତି ହ୍ରାସ ପାଆନ୍ତା । ଡାକ୍ତରମାନେ ମଧ୍ୟ ଚାପମୁକ୍ତ ହୁଅନ୍ତେ ଓ ସେମାନଙ୍କ ପ୍ରତି ହେଉଥିବା ହିଂସା ଅନେକଟା କମି ପାରନ୍ତା । ଡାକ୍ତରଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସାକୁ କେବଳ ଆଇନ ମାଧ୍ୟମରେ ରୋକିବା ସମ୍ଭବ ନୁହେଁ । ବରଂ ଉଭୟ ରୋଗୀ ଓ ଡାକ୍ତରଙ୍କ ଉତ୍କଣ୍ଠା ଓ ଉଦବେଗଗୁଡିକୁ ଧ୍ୟାନରେ ରଖି ସରକାର ରୁଗ୍ଣ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସଜାଡିବା ଦିଗରେ ପ୍ରୟାସରତ ହେଲେ ସମସ୍ୟାଟି ଅନେକାଂଶରେ ଲାଘବ ହୋଇପାରନ୍ତା ।
Published in Odia Daily Sambad on June 24, 2019
Very nice and appropriate write up with constructive thought. Thanks.
ReplyDeleteThanks for appreciating the article.
Delete