ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ବିଭିନ୍ନ ଅଭିଯୋଗରେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା କ୍ଲିନ୍ ଚିଟ୍ ପ୍ରଦାନ କରାଯିବାର ପ୍ରତିବାଦରେ ତିନି ଜଣିଆ ନିର୍ବାଚନ ଆୟୋଗର ଅନ୍ୟତମ ବରିଷ୍ଠ ସଦସ୍ୟ ଅଶୋକ ଲାଭାସା ନିଜ ଅସନ୍ତୋଷ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ବିଚାର ପାଇଁ ବସୁଥିବା ମିଟିଂରେ ଆଉ ଅଂଶଗ୍ରହଣ କରିବାକୁ ମନା କରିଦେବା ଘଟଣା ଆୟୋଗର ନିରପେକ୍ଷତା ଉପରେ ପୂର୍ବରୁ ଉଠି ଆସୁଥିବା ଅଭିଯୋଗକୁ ଆହୁରି ସୁଦୃଢ କରିଛି । ଏହା ପରେ ଏ ସଂକ୍ରାନ୍ତରେ ତାଙ୍କର ଭିନ୍ନ ମତକୁ ସାର୍ବଜନୀନ କରିବା ନେଇ ଲାଭାସାଙ୍କ ଦାବିକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଖାରଜ କରିବା ଘଟଣା ଆୟୋଗରେ ଥିବା ଫାଟକୁ ପଦାରେ ପକାଇ ଦେଇଛି, ଯାହା ଗଣତନ୍ତ୍ର ପାଇଁ ନିଶ୍ଚିତ ଭାବେ ଶୁଭଙ୍କର ନୁହେଁ । ଏଥି ପୂର୍ବରୁ ‘ନାନାବିଧ ଅସୁବିଧା ଓ ବାଧାବିଘ୍ନ ସତ୍ତ୍ଵେ ଭାରତରେ ସୁଦୀର୍ଘ ସମୟ ଧରି ମୁକ୍ତ ଓ ଅବାଧ ନିର୍ବାଚନ କରାଇବାର ସମ୍ମାନ ଓ ଶ୍ରେୟର ହକଦାର ନିର୍ବାଚନ ଆୟୋଗ ହୋଇଥିବା ବେଳେ ଏବେ କିନ୍ତୁ ଏହାର ସ୍ୱାଧୀନତା, ସ୍ୱଚ୍ଛତା ଓ ନିରପେକ୍ଷତାରେ ସାଲିଶ ହୋଇଥିଲା ଭଳି ମନେ ହେଉଛି । ତଦ୍ଦ୍ୱାରା ଭାରତୀୟ ଗଣତନ୍ତ୍ରର ମୂଳଦୁଆ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାର ସଂହତି ବିପଦଗ୍ରସ୍ତ ହୋଇଛି ଓ ନିର୍ବାଚନ ଆୟୋଗ ବିଶ୍ୱସନୀୟତା-ସଙ୍କଟର ସମ୍ମୁଖୀନ ହୋଇଛନ୍ତି’ - ଏହି ମର୍ମରେ ୬୬ ଜଣ ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଜଣାଇବା ପରେ ଆୟୋଗଙ୍କ ନିରପେକ୍ଷତା ଓ ଅଧିକାର ନେଇ ବିତର୍କର ସୂତ୍ରପାତ ହୋଇଥିଲା । ବିଭିନ୍ନ ରାଜନେତାଙ୍କ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ସତ୍ତ୍ଵେ ଆୟୋଗ ପଦକ୍ଷେପ ଗ୍ରହଣ କରିବାରେ ଶିଥିଳତା ପ୍ରଦର୍ଶନ କରିବା ଅନେକଙ୍କୁ ବ୍ୟଥିତ କରିଥିଲା । ୧୫ ଅପ୍ରେଲ ୨୦୧୯ରେ ସୁପ୍ରିମ କୋର୍ଟ ନିର୍ବାଚନ ଆୟୋଗଙ୍କୁ କହିଥିଲେ- ‘ଏହା ଏପରି ଏକ କାର୍ଯ୍ୟ ଯାହା ଆପଣ କରିବାକୁ ବାଧ୍ୟ । ଆପଣଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ଓ ଆପଣ ଏହାକୁ ଲମ୍ବେଇ ପାରିବେ ନାହିଁ’ । ଉଚ୍ଚତମ ଅଦାଲତଙ୍କଠାରୁ ଏ ଭଳି ଏକ ଛାଟିଆ ପାଇଲା ପରେ ତୁରନ୍ତ ୨୪ ଘଣ୍ଟା ମଧ୍ୟରେ ଆୟୋଗ ଯୋଗୀ ଆଦିତ୍ୟନାଥ, ମାୟାବତୀ, ମାନେକା ଗାନ୍ଧୀ ଓ ଆଜମ ଖାଁଙ୍କୁ ୪୮ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିବାରୁ ନିବୃତ୍ତ କରାଇବା ଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ତେବେ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ତତ୍ପରତା ନ ଦେଖାଇବା ଯୋଗୁ ସୁପ୍ରିମ କୋର୍ଟ, ରାଜନୈତିକ ଦଳ, ମତଦାତା ଓ ଗଣମାଧ୍ୟମଙ୍କ ଆଲୋଚନାର ଶରବ୍ୟ ହେଉଛନ୍ତି । ଏବେ ସଦ୍ୟ ଉପୁଜିଥିବା ଇଭିଏମ ବିବାଦରେ ମତଦାନକୁ ସନ୍ଦେହର ଊର୍ଦ୍ଧ୍ୱରେ ରଖିବା ପାଇଁ ଆୟୋଗ ଅଧିକ ଯତ୍ନବାନ ହେବା ଉଚିତ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଟିପ୍ପଣୀ ପରେ ଆୟୋଗର କାର୍ଯ୍ୟଧାରା ଅନ୍ତତଃ ଜନତାଙ୍କ କ୍ଲିନ ଚିଟ ପାଇବାକୁ ଅସମର୍ଥ ହେଲା ଭଳି ସ୍ଥିତିରେ ପହଞ୍ଚିଛିି ।
ମୁୁକ୍ତ ଓ ଅବାଧ ନିର୍ବାଚନ ଏକ ସଫଳ ଗଣତନ୍ତ୍ରର ପ୍ରଥମ ଆବଶ୍ୟକତା । ଏହାକୁ ସୁନିଶ୍ଚିତ କରିବା ପାଇଁ ସମ୍ବିଧାନର ଧାରା ୩୨୪ରେ ଏକ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ଆୟୋଗର କଥା ଉଲ୍ଲେଖ ରହିଛି । ଦେଶରେ ଲୋକସଭା, ରାଜ୍ୟସଭା, ବିଧାନସଭା, ବିଧାନ ପରିଷଦ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନଗୁଡିକର ପର୍ଯ୍ୟବେକ୍ଷଣ, ପରିଚାଳନା ଓ ନିୟନ୍ତ୍ରଣର ଦାୟିତ୍ୱ ଏହି ଆୟୋଗ ଉପରେ ନ୍ୟସ୍ତ । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସୁପାରିଶ କ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ ଆୟୁକ୍ତ ତଥା ଅନ୍ୟ ଦୁଇ ଜଣ ନିର୍ବାଚନ ଆୟୁକ୍ତଙ୍କୁ ନିଯୁକ୍ତି ପ୍ରଦାନ କରିଥାନ୍ତି । ମୁଖ୍ୟ ନିର୍ବାଚନ ଆୟୁକ୍ତ ଏକ ସାମ୍ବିଧାନିକ ପଦ ହୋଇଥିଲେ ମଧ୍ୟ ତାଙ୍କ ଚୟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ନିର୍ଣ୍ଣାୟକ ହୋଇଥିବାରୁ ତାଙ୍କ ଅନୁଗ୍ରହରେ ମନୋନୀତ ବ୍ୟକ୍ତି ତାଙ୍କ ପ୍ରତି ‘କୋମଳ’ ହେବା ଓ ଆନୁଗତ୍ୟ ପ୍ରଦର୍ଶନ କରିବା ସ୍ୱାଭାବିକ ବୋଲି ସମାଲୋଚକମାନେ ମତ ପ୍ରକାଶ କରିଥାନ୍ତି । ଅନ୍ୟ ପକ୍ଷରେ ସିବିଆଇ ନିର୍ଦ୍ଦେଶକ ପଦଟି ଏକ ସାମ୍ବିଧାନିକ ପଦ ହୋଇ ନଥିଲେ ମଧ୍ୟ ଏହାର ଚୟନ ବେଳେ ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ଓ ସୁପ୍ରିମ କୋର୍ଟର ଜଣେ ବିଚାରପତିଙ୍କୁ ନେଇ ଗଠିତ ଏକ କମିଟି ନିଷ୍ପତ୍ତି ନେଉଥିବାରୁ ଚୟନ ପ୍ରକ୍ରିୟା ଅପେକ୍ଷାକୃତ ସନ୍ଦେହ ଊଦ୍ଧ୍ୱର୍ରେ ରହି ପାରିଥାଏ । ତେଣୁ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଚୟନ ସେହିଭଳି ଏକ କମିଟି ମାଧ୍ୟମରେ କରିବାରେ ଅସୁବିଧା କେଉଁଠି ?
ସମ୍ପ୍ରତି ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠିବାର ମୂଳ କାରଣ ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆୟୋଗଙ୍କ କୋହଳ ମନୋଭାବ ପ୍ରଦର୍ଶନର ଅଭିଯୋଗ । ବିଭିନ୍ନ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିର ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ଭାଷଣରେ ଅଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହୋଇଥିବା ଦର୍ଶାଇ ଆୟୋଗଙ୍କଠାରେ ଅଭିଯୋଗମାନ ଦାୟର ହୋଇଥିଲା । ଦୀର୍ଘ ଦିନ ଧରି ଏହି ଅଭିଯୋଗଗୁଡିକ ଉପରେ ନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା, ନା ଏଗୁଡିକୁ ଖାରଜ କରାଗଲା । ତେଣୁ କେହି କେହି ‘ମଡେଲ କୋଡ ଅଫ କଣ୍ଡକ୍ଟ’ (ଆଦର୍ଶ ଆଚରଣ ବିଧି)କୁ ବ୍ୟଙ୍ଗ କରି ‘ମୋଦୀ କୋଡ ଅଫ କଣ୍ଡକ୍ଟ’ କହୁଥିବା ଶୁଣାଗଲା । ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆୟୋଗଙ୍କ କୋହଳ ମନୋଭାବ ଓ କାର୍ଯ୍ୟାନୁଷ୍ଠାନ ଦିଗରେ ଦୀର୍ଘସୂତ୍ରୀ ଆଚରଣକୁ ବିରୋଧ କରି ସୁପ୍ରିମ କୋର୍ଟରେ ମାମଲା ଦାୟର କରାଯାଇଥିଲା । ତେବେ ଏହାର ଶୁଣାଣି ପୂର୍ବର୍ରୁ ଆୟୋଗ ପୁଣି ଥରେ ‘ଆକ୍ସନ ମୋଡ’କୁ ଆସି ପଡି ରହିଥିବା ଅଭିଯୋଗଗୁଡିକୁ ବିଚାର କରି ଗୋଟିଏ ପରେ ଗୋଟିଏ କ୍ଲିନ୍ ଚିଟ୍ ଦେଇ ଚାଲିଲେ । ଆୟୋଗଙ୍କ ନିଷ୍ପତ୍ତିର ଆଲୋଚନା କରା ନ ଗଲେ ମଧ୍ୟ ଅଭିଯୋଗଗୁଡିକ ପକାଇ ରଖା ଯାଇ ପ୍ରଧାନମନ୍ତ୍ରୀ ଓ ତାଙ୍କ ଦଳ ପ୍ରତି ଅନୁକମ୍ପା ପ୍ରଦର୍ଶନ ଓ ପରୋକ୍ଷରେ ପକ୍ଷପାତିତା କରାଯାଇଛି ବୋଲି ନିନ୍ଦୁକମାନେ କହିବାର ସୁଯୋଗ ପାଇଲେ । ଏପରିକି ‘ନମୋ ଟିଭି’ ପ୍ରସାରଣ ଉପରେ ନିଷେଧାଦେଶ ଜାରି ନ କରିବା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ଦ୍ୱାହି ଦେଇ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାରକୁ ଅଭୂତପୂର୍ବ ଭାବେ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ବନ୍ଦ କରିବା ବିଷୟ ଘୋଷଣା କଲା ବେଳେ ତାହା ତତକ୍ଷଣାତ ଲାଗୁ ନ କରି ସେଠାରେ ୧୬ ମଇ ୨୦୧୯ରେ ଥିବା ପ୍ରଧାନମନ୍ତ୍ରୀଙ୍କ ଦୁଇଟି ରାଲି ସରିବା ଯାଏଁ ଅପେକ୍ଷା କରିବାର ନିଷ୍ପତ୍ତି ମଧ୍ୟ ଆୟୋଗଙ୍କ ପକ୍ଷପାତିତା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ।
ନିର୍ବାଚନ ଆୟୋଗ ଏକ ସ୍ୱାଧୀନ, ସକ୍ଷମ, ପ୍ରଭାବୀ, ଅଣରାଜନୈତିକ ଓ ନିରପେକ୍ଷ ସଂସ୍ଥା ହେବା ଉଚିତ । ତେବେ ଏହାର ନିରପେକ୍ଷତା ଓ ସ୍ୱାଧୀନତା ସମ୍ପର୍କରେ ଆଶଙ୍କା ପ୍ରକାଶ ପାଇ ୧୯୪୯ ମସିହାରେ ଏ ନେଇ ସମ୍ବିଧାନ ପ୍ରଣୟନ ସଭାରେ ମଧ୍ୟ ସରଗରମ ବିତର୍କ କରାଯାଇଥିଲା । ପ୍ରଫେସର ସିବନ ଲାଲ ସାକ୍ସେନା ଓ ପଣ୍ଡିତ ହୃଦୟନାଥ କୁଞ୍ଜ୍ରୁ ନିର୍ବାଚନ ଆୟୁକ୍ତଙ୍କ ନିରପେକ୍ଷତା ଓ ସ୍ୱାଧୀନତା ଉପରେ ସନ୍ଦେହ ବ୍ୟକ୍ତ କରି ତାଙ୍କ ନିଯୁକ୍ତିକୁ ସଂସଦର ସଂଯୁକ୍ତ ଅଧିବେଶନରେ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ମିଳିବା ଅନିବାର୍ଯ୍ୟ କରିବା ଦରକାର ବୋଲି ପ୍ରସ୍ତାବ ଦେଇଥିଲେ । ଅବଶ୍ୟ ତାହା ଗ୍ରହଣୀୟ ହୋଇ ନଥିଲା । ସମ୍ବିଧାନ ପ୍ରଣୟନ ସମୟରେ ଲୋକସଭା ଓ ରାଜ୍ୟସଭାର ନିର୍ବାଚନ ପରିଚାଳନା ପାଇଁ ଏକ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଓ ରାଜ୍ୟ ସ୍ତରରେ ବିଧାନ ସଭା ଓ ବିଧାନ ପରିଷଦ ନିର୍ବାଚନ ପରିଚାଳନା କରିବା ପାଇଁ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତ ହୋଇ ଏକ ରାଜ୍ୟସ୍ତରୀୟ ଆୟୋଗ ପ୍ରତିଷ୍ଠାର ପ୍ରସ୍ତାବ ଉଠିଥିଲା । ତେବେ ଭାଷା, ସଂସ୍କୃତି, ଜାତୀୟତା ଆଦି ଆଧାରରେ ରାଜ୍ୟସ୍ତରୀୟ ନିର୍ବାଚନ ଆୟୋଗଗୁଡିକ ପକ୍ଷପାତିତା ଆଚରଣ କରିବାର ଆଶଙ୍କା ଥିବାରୁ ଶେଷରେ ସାରା ଦେଶ ପାଇଁ ଏକ ଶକ୍ତିଶାଳୀ ଓ ନିରପେକ୍ଷ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପ୍ରତିଷ୍ଠା କଥା ସ୍ଥିର ହେଲା । ସେହିପରି ଥରେ ନିଯୁକ୍ତି ପାଇ ସାରିଲା ପରେ ଯେପରି ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ମନଇଚ୍ଛା ସହଜରେ ବହିଷ୍କାର କରି ନ ହୁଏ, ସେଥିପାଇଁ ବ୍ୟବସ୍ଥା କରାଗଲା । ସୁପ୍ରିମ କୋର୍ଟର ଜଣେ ବିଚାରପତିଙ୍କୁ ବହିଷ୍କାର କରିବା ପାଇଁ ଯେଉଁ ପ୍ରକ୍ରିୟା ଅବଲମ୍ବନ କରାଯାଇଥାଏ, ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ବହିଷ୍କାର କରିବା ପାଇଁ ଠିକ ସେହି ପ୍ରକ୍ରିୟା ଦେଇ ଗତି କରିବାକୁୁ ହୋଇଥାଏ । ଅର୍ଥାତ, ସଂସଦର ଉଭୟ ଗୃହର ଦୁଇ ତୃତୀୟାଂଶ ସଦସ୍ୟଙ୍କ ଦ୍ୱାରା ବହିଷ୍କାର ପ୍ରସ୍ତାବ ଗୃହୀତ ହେବା ଦରକାର । ଏଥିରୁ ସ୍ପଷ୍ଟ ଯେ ଆରମ୍ଭରୁ ହିଁ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସମ୍ବିଧାନ ପ୍ରଣେତାମାନେ ମଧ୍ୟ ଏକ ଶକ୍ତିଶାଳୀ ଓ ନିରପେକ୍ଷ ନିର୍ବାଚନ ଆୟୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଆସିଥିଲେ ।
ନିର୍ବାଚନ ଆୟୋଗ ଚିରକାଳ ଯେ ଏକ ଅସହାୟ ଅନୁଷ୍ଠାନ ଭଳି କାର୍ଯ୍ୟ କରି ଆସିଛି, ତାହା ନୁହେଁ । ତେବେ ଟି ଏନ ଶେଷାନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଦେଶବାସୀ ପ୍ରଥମ କରି ଏହି ଅନୁଷ୍ଠାନର କ୍ଷମତା ଓ ଗୁରୁତ୍ୱ ଉପଲବ୍ଧି କରିଥିଲେ । ତାଙ୍କ କଡା ଅନୁଶାସନ ଯୋଗୁ ରାଜନେତା ଓ ରାଜନୈତିକ ଦଳମାନେ ଶୃଙ୍ଖଳିତ ଆଚରଣ କରିବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଥିଲେ । ତାଙ୍କ ପରେ ଲିଙ୍ଗଡୋ, କୁରେସିଙ୍କ ଭଳି ମୁଖ୍ୟ ନିର୍ବାଚନ ଆୟୁକ୍ତମାନେ ମଧ୍ୟ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରି ଅନୁଷ୍ଠାନର ଗରିମାକୁ ବଜାୟ ରଖିିବାକୁ ସମର୍ଥ ହୋଇଥିଲେ । ପରିତାପର ବିଷୟ, ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରରେ ମହାପର୍ବ ଭଳି ପାଳିତ ହେଉଥିବା ଏବର ନିର୍ବାଚନର ମୁଖ୍ୟ ପରିଚାଳକ ନିଜର ଭୂମିକାକୁ ଏପରି ଗୌଣ କରି ଦେଇଛନ୍ତି ଯେ ଅଧିକାଂଶ ପ୍ରାର୍ଥୀ ଓ ରାଜନେତା ତାଙ୍କ ନାମ ସୁଦ୍ଧା ଜାଣିନାହାନ୍ତି ।
ଜୁନ ୨୦୧୨ରେ ତତ୍କାଳୀନ ବିରୋଧୀ ଦଳ ନେତା ଲାଲକୃଷ୍ଣ ଆଡଭାନୀ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଚୟନ ଏକ ନିରପେକ୍ଷ କଲେଜିୟମ ଦ୍ୱାରା କରାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି, ଆଇନ ମନ୍ତ୍ରୀ ଓ ଲୋକସଭା ଓ ରାଜ୍ୟସଭାରେ ଥିବା ବିରୋଧୀ ଦଳ ନେତା ରହିବା ଜରୁରୀ ବୋଲି ଉଲ୍ଲେଖ ଥିଲା । ତାଙ୍କ ମତରେ ପ୍ରଚଳିତ ଚୟନ ପ୍ରକ୍ରିୟା ହେରଫେର ଓ ପକ୍ଷପାତିତା କରିବା ପାଇଁ ପ୍ରଶ୍ରୟ ଦେଉଛି । ଯେ ପର୍ଯ୍ୟନ୍ତ ଚୟନ ପ୍ରକ୍ରିୟା କେବଳ ପ୍ରଧାନମନ୍ତ୍ରୀଙ୍କ ନିୟନ୍ତ୍ରଣରେ ଥିବ ନିର୍ବାଚନ ଆୟୋଗ ଯେତେ ନିରପେକ୍ଷ ଭାବେ କାର୍ଯ୍ୟ କଲେ ମଧ୍ୟ ତାଙ୍କ ନିରପେକ୍ଷତା ଉପରେ ବାରମ୍ବାର ପ୍ରଶ୍ନ ଉୁଠୁଥିବ । ତେଣୁ ନିର୍ବାଚନ ଆୟୋଗଙ୍କୁ ଏହି ସନ୍ଦେହରୁ ଊଦ୍ଧ୍ୱର୍ରେ ରଖି ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ପ୍ରସ୍ତାବିତ କଲେଜିୟମ ମାଧ୍ୟମରେ ଚୟନ କରିବାକୁ ସେ ଯୁକ୍ତି ବାଢିଥିଲେ । ଅବଶ୍ୟ, ଏହି ପ୍ରସ୍ତାବର ଯଥେଷ୍ଟ ପୂର୍ବରୁ ଏକ କଲେଜିୟମ ମାଧ୍ୟମରେ ଚୟନ ହେବା ସପକ୍ଷରେ ସ୍ୱର ଉଠି ସାରିଥିଲା । ଏ ସମ୍ପର୍କରେ ଅପ୍ରେଲ ୨୦୦୬ରେ ସର୍ବ ପ୍ରଥମେ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ବି ବି ଟଣ୍ଡନ ରାଷ୍ଟ୍ରପତିଙ୍କ ନିକଟକୁ ଏକ ପତ୍ର ଲେଖି ଏକ ସାତ ଜଣିଆ କମିଟିଙ୍କ ସୁପାରିଶ କ୍ରମେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତିର ପ୍ରସ୍ତାବ ରଖିଥିିଲେ । ଏହି କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାର ବାଚସ୍ପତି, କେନ୍ଦ୍ର ଆଇନ ମନ୍ତ୍ରୀ, ଉଭୟ ଲୋକସଭା ଓ ରାଜ୍ୟସଭାର ବିରୋଧୀ ଦଳ ନେତା, ରାଜ୍ୟସଭାର ଉପାଧ୍ୟକ୍ଷ ଓ ସୁପ୍ରିମ କୋର୍ଟର ଜଣେ ବିଚାରପତି ରହିବା ସପକ୍ଷରେ ସେ ମତ ଦେଇଥିଲେ । ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଚୟନ ଏହି ଭଳି ଭାବେ ହେଲେ ତାହା ରାଜନୈତିକ ଦଳଠାରୁ ଆରମ୍ଭ କରି ସମସ୍ତ ହିତଧାରକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବାକୁ ସମର୍ଥ ହେବ ଏବଂ ଉପଯୁକ୍ତ ବ୍ୟକ୍ତି ନିଯୁକ୍ତି ପାଇଛନ୍ତି ବୋଲି ସାଧାରଣରେ ପ୍ରତ୍ୟୟ ସୃଷ୍ଟି ହୋଇପାରିବ । ଏହି ଧରଣର ଅନ୍ୟ ଏକ ପ୍ରସ୍ତାବ ଜାନୁଆରି ୨୦୦୯ରେ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏନ ଗୋପାଲସ୍ୱାମୀ ମଧ୍ୟ ଦେଇଥିଲେ । ତେବେ ପ୍ରଚଳିତ ବ୍ୟବସ୍ଥା କ୍ଷମତାସୀନ ଦଳକୁ ସୁହାଉଥିବାରୁ ବିଭିନ୍ନ ସମୟରେ କ୍ଷମତାସୀନ ଦଳ ନିଜ କ୍ଷମତାକୁ ହାତଛଡା କରିବାକୁ କୁଣ୍ଠା ପକାଶ କରି ଆସିଛନ୍ତି । ନିଯୁକ୍ତି ମାଧ୍ୟମରେ ଅନୁଗ୍ରହ ପ୍ରଦାନ କରି ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ହାତବାରିଶି କରି ରଖିବାର ମୋହ କ୍ଷମତାସୀନ ଦଳକୁ ଘାରିଥାଏ ।
ବର୍ତ୍ତମାନର ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ରହି ମଧ୍ୟ ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ନିରପେକ୍ଷ ଭାବେ ଅନୁଶାସନର ଅନୁପାଳନ ସହ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିପାରିବେ । ଶେଷାନ, ଲିଙ୍ଗଡୋଙ୍କ ଭଳି ମୁଖ୍ୟ ନିର୍ବାଚନ ଆୟୁକ୍ତମାନେ ତାହା କରି ଉଦାହରଣ ଥୋଇ ଦେଇ ଯାଇଛନ୍ତି । ତେବେ ତାହା ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଉପରେ ଅନେକଟା ନିର୍ଭର କରେ । ଏକ ସାମ୍ବିଧାନିକ ପଦର ଫଳପ୍ରସୂତାକୁ ତ ଆଉ ବ୍ୟକ୍ତିତ୍ୱ-ନିର୍ଭର କରି ଛାଡି ଦେଇ ହେବ ନାହିଁ । ତେଣୁ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଚୟନ ପ୍ରକ୍ରିୟାକୁ ବଳିଷ୍ଠ କରିବା ପାଇଁ ପଦକ୍ଷେପ ନିଆଯିବା ଉଚିତ । ଉପରୋକ୍ତ ପରାମର୍ଶକୁ କାର୍ଯ୍ୟକାରି କରି କଲେଜିୟମ ମାଧ୍ୟମରେ ଚୟନ କରିବାକୁ ହେଲେ ସଂସଦ ଦ୍ୱାରା ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ନିର୍ବାଚନ ଆୟୁକ୍ତଙ୍କ ସେବା ନିୟମ ସଂକ୍ରାନ୍ତୀୟ ୧୯୯୧ର ଆଇନରେ କେବଳ ଏକ ସଂଶୋଧନର ଆବଶ୍ୟକତା ରହିଛି । କଲେଜିୟମ ଦ୍ୱାରା ଚୟନ ହୋଇ ନିଯୁକ୍ତି ପାଇଲା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଅଧିକ ସଶକ୍ତ ଓ ନିରପେକ୍ଷ ହୋଇପାରିବେ ଓ କେହି ଆଉ ତାଙ୍କ ଉପରେ ଅନ୍ତତଃ ନିଯୁକ୍ତିରେ ଅସ୍ୱଚ୍ଛତା କାରଣରୁ ପକ୍ଷପାତ ଆଚରଣର ଅଙ୍ଗୁଳି ନିର୍ଦ୍ଦେଶ କରି ପାରିବେ ନାହିଁ । ମୂଳ କଥା ହେଲା, ନା କ୍ଷମତାସୀନ ଦଳ ନା ନିର୍ବାଚନ ଆୟୋଗ କେହି ଭୁଲିବା ଉଚିତ ନୁହେଁ ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଅଉ କାହା ହିତରେ ହେଉ ବା ନ ହେଉ ଅନ୍ତତଃ ରାଷ୍ଟ୍ର ଓ ସାଧାରଣ ନାଗରିକଙ୍କ ହିତରେ ହେବା ଉଚିତ ।
Published in Sambad on May 23, 2019
Comments
Post a Comment