ଫେବୃଆରି ୨୦୧୬ରେ ପ୍ରଧାନମନ୍ତ୍ରୀ ଚାଷୀର ଆୟ ୨୦୨୨ ସୁଦ୍ଧା ଡବଲ ହେବାର ଘୋଷଣା କରିବା ପରେ କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ କମିଟିମାନ ବସି ବିଶେଷଜ୍ଞଙ୍କୁ ନେଇ ରଣନୀତି ପ୍ରସ୍ତୁତ ହେବାକୁ ଲାଗିଲା । ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଗଲା । ଏ ସବୁରେ ଚାଷୀଙ୍କ ଆୟ କେତେ ବଢିଲା ତାହା ତ ଜଣା ନାହିଁ, ବରଂ କୃଷି ସଙ୍କଟ ଗମ୍ଭୀର ହୋଇ ସାରା ଦେଶରୁ ନିୟମିତ ଭାବେ ଚାଷୀ ଆତ୍ମହତ୍ୟାର ଖବରମାନ ଶୁଣିବାକୁ ମିଳୁଛି । ଇତି ମଧ୍ୟରେ ପୁଣି ଥରେ ବିଜେପିର ନିର୍ବାଚନୀ ଘୋଷଣା ପତ୍ରରେ ୨୦୨୨ ସୁଦ୍ଧା ଦେଶରେ ଚାଷୀଙ୍କ ଆୟ ଡବଲ କରାଯିବ ବୋଲି ଦୋହରାଯିବା ପରେ ଏହି ସମୟ ମଧ୍ୟରେ ଚାଷୀଙ୍କ ଆୟ ଡବଲ ହେବାର ସମ୍ଭାବନା କେତେ ଅଧିକ ବା କ୍ଷୀଣ ତାହା ତର୍ଜମା ହେବାର ଆବଶ୍ୟକତା ରହିଛି ।
ଚାଷୀଙ୍କ ଆୟ ଡବଲ ହେବା ଘୋଷଣା ପରେ ଏ ଯାଏଁ ସ୍ପଷ୍ଟ କରାଯାଇ ନାହିିଁଁ ଏହି ଆୟ ବୃଦ୍ଧି ନାମମାତ୍ର (ନୋମିନାଲ ଟର୍ମ) ଭାବେ ହେବ ନା ବାସ୍ତବ (ରିଅଲ ଟର୍ମ) ଭାବେ ହେବ । ଉଭୟଙ୍କ ମଧ୍ୟରେ ଫରକ ହେଲା ନାମମାତ୍ର ବୃଦ୍ଧିରେ ମୁଦ୍ରାସ୍ଫୀତିକୁ ବିଚାରକୁ ନିଆଯାଇ ନଥାଏ । ଫଳରେ ପରିମାଣ ଦୃଷ୍ଟିରୁ ଆୟ ବୃଦ୍ଧି ପାଇଲେ ମଧ୍ୟ ମୁଦ୍ରାସ୍ଫୀତି ଯୋଗୁ ସେହି ଟଙ୍କାର କ୍ରୟ ଶକ୍ତି କମ ହୋଇଥିବାରୁ ଚାଷୀ ପ୍ରକୃତରେ ସେତେଟା ଲାଭାନ୍ୱିତ ହୋଇ ପାରି ନଥାଏ । ବର୍ତ୍ତମାନ ୨୦୧୧-୧୨ର ସ୍ଥିର ମୂଲ୍ୟ ଆଧାରରେ ରିଅଲ ଟର୍ମରେ ଅଭିବୃଦ୍ଧିକୁ ଆକଳନ କରାଯାଉଥିବାରୁ ଏହି ପଦ୍ଧତିରେ ଚାଷୀର ଆୟ ଦୁଇଗୁଣ ହେବାକୁ ହେଲେ ଛଅ ବର୍ଷରୁ ଅଧିକ ସମୟ ଲାଗିବ । ତେଣୁ ସମ୍ଭବତଃ ସରକାର ପୂର୍ବୋକ୍ତ ନୋମିନାଲ ଟର୍ମରେ ଚାଷୀଙ୍କ ଆୟ ଡବଲ କରିବା କଥା ଚିନ୍ତା କରୁଥାଇ ପାରନ୍ତି । ଛଅ ବର୍ଷ ମଧ୍ୟରେ (୨୦୧୬ରୁ ୨୦୨୨) ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଚାଷୀଙ୍କ ଆୟ ବାର୍ଷିକ ୧୨.୩ ପ୍ରତିଶତ ହାରରେ ବୃଦ୍ଧି ପାଇବା ଆବଶ୍ୟକ । ମାତ୍ର ବିଗତ ୭ଟି ତ୍ରିମାସରେ କୃଷିର ବିକାଶ ଦର ଦୁଇ ଅଙ୍କ ବିଶିଷ୍ଟ ହୋଇ ପାରିନାହିଁ । ଅପ୍ରେଲ ୨୦୧୪ରୁ ଏ ଯାଏଁ ହାରାହାରି କୃଷି ଅଭିବୃଦ୍ଧି ହାର ନାମମାତ୍ର ଭାବେ ୮ ପ୍ରତିଶତରୁ ସାମାନ୍ୟ ଅଧିକ ହେଉଥିବାରୁ ୨୦୨୨ ସୁଦ୍ଧା ଆୟ ଡବଲ ହେବାର କୌଣସି ସମ୍ଭାବନା ନାହିଁ । ଅନ୍ୟ ପକ୍ଷରେ ଅକ୍ଟୋବରରୁ ଡିସେମ୍ବର ୨୦୧୮ ତ୍ରିମାସରେ ବାସ୍ତବ କୃଷି ଅଭିବୃଦ୍ଧି ହାର ୨.୬୭ ପ୍ରତିଶତ ଥିଲା, ଯାହା ଗତ ୧୧ଟି ତ୍ରିମାସ ମଧ୍ୟରେ ସର୍ବନିମ୍ନ । ଏହା ହିଁ ଦେଶରେ କୃଷି ସଙ୍କଟର ଏକ ପ୍ରଧାନ ସୂଚକ । ଉଦବେଗର ବିଷୟ, ଉପରୋକ୍ତ ତ୍ରିମାସରେ ନାମମାତ୍ର କୃଷି ଅଭିବୃଦ୍ଧି ହାର ମାତ୍ର ୨.୦୪ ପ୍ରତିଶତ ଥିଲା, ଯାହା ବାସ୍ତବ ଅଭିବୃଦ୍ଧି ହାର ଅପେକ୍ଷା ମଧ୍ୟ କମ । ନାମମାତ୍ର ଅଭିବୃଦ୍ଧି ହାର ବାସ୍ତବ ହାରଠାରୁ କମ ହେବାର ଅର୍ଥ ମୁଦ୍ରାସ୍ଫୀତି ଦର ନ ବଢି କମି ଯାଇଛି, ଅର୍ଥାତ କୃଷିଜାତ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଛି । ଫଳରେ ଚାଷୀ ତାର ଉତ୍ପାଦିତ କୃଷିଜାତ ଦ୍ରବ୍ୟର କମ ମୂଲ୍ୟ ପାଉଛି । ଏହା ଉଭୟ ଚାଷୀ ଓ ସରକାରଙ୍କ ପାଇଁ ନିଶ୍ଚିତ ଭାବେ ସୁସମାଚାର ନୁହେଁ, କାରଣ ଏ ପରିସ୍ଥିତିରେ ଆୟ ନ ବଢି କମି ଯିବାର ସମ୍ଭାବନା ଅଧିକ । କୁହାଯାଏ, କୃଷି କ୍ଷେତ୍ରରେ ଦେଖା ଦେଇଥିବା ଏହି ସଙ୍କଟଜନକ ସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ତାକୁ ମୁକାବିଲା କରିବା ପାଇଁ, ସାଧାରଣତଃ ଲୋକଙ୍କୁ ମାଗଣା କିଛି ବାଣ୍ଟିବା ସପକ୍ଷରେ ନଥିବା ମୋଦି, ପିଏମ-କିସାନ ସମ୍ମାନନିଧି ଯୋଜନା ମାଧ୍ୟମରେ ଚାଷୀଙ୍କୁ ବାର୍ଷିକ ତିନୋଟି କିସ୍ତିରେ ଛଅ ହଜାର ଟଙ୍କା ଦେବା କଥା ଘୋଷଣା କରିିବାକୁ ବାଧ୍ୟ ହେଲେ ।
ଏନଏସଏସଓ ପ୍ରସ୍ତୁତ ନମୁନା ସର୍ଭେକ୍ଷଣ ଅନୁଯାୟୀ ୨୦୦୨-୦୩ ଓ ୨୦୧୨-୧୩ ମଧ୍ୟରେ ଭାରତରେ କୃଷି ଅଭିବୃଦ୍ଧି ହାର ନାମମାତ୍ର (ନୋମିନାଲ)ଭାବେ ୧୧.୭୬ ପ୍ରତିଶତ ହୋଇଥିବା ବେଳେ ବାସ୍ତବ ପକ୍ଷେ (ରିଅଲ ଟର୍ମ) ୫.୨୦ ପ୍ରତିଶତ ଥିଲା । ଏହି ହାରରେ ଅଭିବୃଦ୍ଧି ଜାରି ରହିଲେ ଚାଷୀ ପରିବାରର ଆୟ ନାମମାତ୍ର ଭାବେ ଦୁଇଗୁଣ ହେବାକୁ ୬.୨୪ ବର୍ଷ ଓ ବାସ୍ତବ ପକ୍ଷେ ୧୩.୫୬ ବର୍ଷ ଲାଗିବା କଥା । ଉଲ୍ଲେଖଯୋଗ୍ୟ, ଅନ୍ୟ ରାଜ୍ୟଙ୍କ ତୁଳନାରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଓଡିଶାର କୃଷି ଅଭିବୃଦ୍ଧି ହାର ଦୁଇ ଅଙ୍କରୁ ଅଧିକ ହୋଇଥିବାରୁ ଏହି ରାଜ୍ୟଗୁଡିକରେ ଛଅ ବର୍ଷ ପୂର୍ବରୁ ମଧ୍ୟ ନାମମାତ୍ର ଭାବେ ଚାଷୀଙ୍କ ଆୟ ଡବଲ ହେବା କିଛି ବିଚିତ୍ର ନୁହେଁ । ତେବେ ଓଡିଶା ଚାଷୀଙ୍କ ଆୟ ସର୍ବ ଭାରତୀୟ ସ୍ତରରେ ଚାଷୀଙ୍କ ଆୟ ତୁଳନାରେ ଏତେ କମ ଯେ ଏଠାରେ ଆୟ କେବଳ ଡବଲ ହେବା ଯଥେଷ୍ଟ ନୁହେଁ । ଉଦାହରଣ ସ୍ୱରୂପ, ୨୦୧୫-୧୬ର ଆୟକୁ ଆଧାର କରି ଦେଶରେ ଚାଷୀଙ୍କ ହାରାହାରି ବାର୍ଷିକ ଆୟ ୯୬,୭୦୩ ଟଙ୍କା ଥିବା ବେଳେ ୨୦୨୨ ସୁଦ୍ଧା ତାକୁ ବଢାଇ ୨,୧୯,୭୨୪ ଟଙ୍କା କରିବାର ଲକ୍ଷ୍ୟ ରଖାଯାଇଛି । ଅନ୍ୟ ପକ୍ଷରେ ଓଡିଶାର ଚାଷୀଙ୍କ ଆୟ ୨୦୧୫-୧୬ରେ ପ୍ରାୟ ୭୫,୦୦୦ ଟଙ୍କା ଥିବାରୁ ୨୦୨୨ରେ ତାହା ଦୁଇଗୁଣ ହେଲେ ୧,୫୦,୦୦୦ ଟଙ୍କାରେ ପହଞ୍ଚିବ, ଯାହା ସର୍ବ ଭାରତୀୟ ଚାଷୀଙ୍କ ହାରାହାରି ଆୟ ତୁଳନାରେ ପ୍ରାୟ ସତୁରୀ ହଜାର ଟଙ୍କା କମ ହେବ । ତେଣୁ ଓଡିଶାର ଚାଷୀଙ୍କ ଆୟକୁ ସର୍ବ ଭାରତୀୟ ସ୍ତରରେ ଚାଷୀଙ୍କ ଆୟ ସହ ସମାନ କରିବାକୁ ହେଲେ ଅଧିକ କିଛି ପଦକ୍ଷେପ ନେବାକୁୁୁ ହେବ ।
ଏନଏସଏସଓର ୨୦୧୨-୧୩ର ସର୍ଭେ ଅନୁଯାୟୀ ଓଡିଶାରେ ଚାଷୀ ପରିବାରର ଆୟର ହାରାହାରି ୨୮ ପ୍ରତିଶତ କୃଷି ଓ ୨୬ ପ୍ରତିଶତ ପଶୁପାଳନରୁ ହୋଇଥିବା ବେଳେ ୧୧ ପ୍ରତିଶତ ଅଣ କୃଷି କ୍ଷେତ୍ରରୁ ଓ ୩୫ ପ୍ରତିଶତ ମଜୁରୀ ଓ ଦରମାରୁ ହୋଇଥିଲା । ପ୍ରତି ରାଜ୍ୟରେ ଚାଷୀ ପରିବାରର ଆୟ ଡବଲ କରିବା ପାଇଁ ପ୍ରସ୍ତୁତ ରଣନୀତି (ଷ୍ଟ୍ରାଟେଜି)ରେ ପ୍ରାୟତଃ ଚାଷରୁ ଆୟ ଡବଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ହେଲେ ଚାଷୀର ଆୟ ଡବଲ ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା ପରି ମନେ ହେଉନାହିଁ । ଚାଷରୁ ଆୟ ଡବଲ ହେବା ଓ ଚାଷୀର ଆୟ ଡବଲ ହେବା ଏକା କଥା ନୁହେଁ । ଚାଷରୁ ଆୟ ଡବଲ ହେଲେ ବି ଚାଷୀର ଆୟ ଡବଲ ହୋଇ ନ ପାରେ । ଅର୍ଥାତ, ରଣନୀତିରେ ଅଣ-କୃଷି କ୍ଷେତ୍ର, ମଜୁରୀ, ଦରମା ଓ ଅନ୍ୟ ଅଣ ପାରମ୍ପରିକ ରୋଜଗାର ମାଧ୍ୟମରେ ଚାଷୀ ପରିବାରର ଆୟ ବଢାଇବା ଦିଗରେ କୌଣସି ଚିନ୍ତାଧାରା ବା ପଦକ୍ଷେପ ବାବଦରେ ବିଶେଷ ଉଲ୍ଲେଖ ନାହିଁ । ଏ ସଂକ୍ରାନ୍ତରେ ଓଡିଶାର ରଣନୀତି ପୁସ୍ତିକାଟିକୁ ଅନୁଧ୍ୟାନ କଲେ ତାହା ଭଲ ଭାବେ ବୁଝି ହେବ । ଏହାର ଅନ୍ୟତମ କାରଣ ହେଉଛି, ରଣନୀତି ପ୍ରସ୍ତୁତିରେ କେବଳ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ସାମିଲ କରାଯାଇଥିବା ବେଳେ ଚାଷୀଙ୍କ ଆୟ ବଢାଇବା ପାଇଁ ଅଣକୃଷି ଓ ଅନ୍ୟ କ୍ଷେତ୍ରର ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଆ ଯାଇନାହିଁ ।
ଚାଷରୁ ଚାଷୀଙ୍କ ଆୟ ଆଶାନୁରୂପ ନ ବଢିବାର କାରଣଗୁଡିକ ମଧ୍ୟରୁ ପ୍ରମୁଖ କେତେ ଗୋଟି ହେଉଛି, ଚାଷୀଙ୍କୁ ବଜାରରୁ ତାଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ନ ମିଳିବା, ଏପରିକି ଘୋଷିତ ଏମଏସପିରେ ମଧ୍ୟ ଚାଷୀଙ୍କ ଦ୍ରବ୍ୟ ସଂଗୃହୀତ ହୋଇ ନ ପାରିବା, ସାର, ଔଷଧ, ବିହନ ଆଦିର ଅତ୍ୟଧିକ ଦର, କୃଷିବୀମାର ଅପେକ୍ଷିତ ପ୍ରସାର ହୋଇ ନ ପାରିବା, କୃଷିଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ । ଅତୀତରେ କୃଷିର ଅଭିବୃଦ୍ଧି ହାର ଏତେ କମ ହୋଇ ଆସିଛି ଯେ ତାକୁ ବାର୍ଷିକ ୧୨ ପ୍ରତିଶତ ସ୍ତରକୁ ବଢାଇବା ବାସ୍ତବିକ ଏକ ବଡ ଆହ୍ୱାନ । ଚାଷୀଙ୍କ ଆୟ ଡବଲ କରିବାକୁ ଏକ ସଙ୍ଗେ ଗୁଡିଏ ପଦକ୍ଷେପ ନେବାକୁ ହେବ । ସେମାନଙ୍କ ଉତ୍ପାଦନ, ଉତ୍ପାଦିକା ବୃଦ୍ଧି ଓ ଅଧିକ ଜମିକୁ ଚାଷ ଅନ୍ତର୍ଭୁକ୍ତ କରିବା ସହ ସେମାନେ ଯେପରି ଉତ୍ପାଦିତ ସାମଗ୍ରୀର ଭଲ ଦାମ ପାଇ ପାରିବେ, ତାହା ସୁନିଶ୍ଚିତ କରିବାକୁ ହେବ । ବିଭିନ୍ନ ଅଞ୍ଚଳରେ ଉପଲବ୍ଧ ସଂଯୁକ୍ତି ବ୍ୟବସ୍ଥାକୁ ଆଧାର କରି କେଉଁ ଚାଷ ପଦ୍ଧତି ସେମାନଙ୍କ ଆୟ ବୃଦ୍ଧି ଓ ଆୟରେ ସ୍ଥିରତା ଆଣିବାରେ ସହାୟକ ହେବ, ତାହା ସେମାନଙ୍କୁ ବାଛିବାକୁ ହେବ । କେଉଁ ବାଟରେ ସାର, ଔଷଧ, ବିହନ ଆଦିରେ ହେଉଥିବା ଖର୍ଚ୍ଚକୁ କମ କରି ଚାଷର ଖର୍ଚ୍ଚ କମାଇ ହେବ ସେ ନେଇ ଚିନ୍ତା କରିବାକୁ ହେବ । ଦରକାର ହେଲେ ଜୈବିକ କୃଷି କଥା ମଧ୍ୟ ବିଚାର କରାଯାଇପାରେ । ସେହିପରି ଚାଷୀଙ୍କ ଆୟରେ ସ୍ଥିରତା ଆଣିବା ଓ ଚାଷ ପ୍ରତି ଥିବା ବିପଦକୁ କମ କରିବା ପାଇଁ ପାରମ୍ପରିକ ଉପାୟଗୁଡିକୁ କାମରେ ଲଗାଇବା ସହିତ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ସାମନା କରିବା ପାଇଁ ପୂର୍ବ ପ୍ରସ୍ତୁତି ଓ କୃଷିବୀମାକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି ।
ଇତି ମଧ୍ୟରେ ଚାଷୀଙ୍କ ଆୟ ଡବଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ କମିଟି ପ୍ରଦାନ କରିଥିବା ଏକ ‘ବ୍ୟାପକ ନୀତି ସୁପାରିଶ’ ପ୍ରକାଶିତ ହୋଇଛି । ଅବଶ୍ୟ ବିଭିନ୍ନ ରାଜ୍ୟ ନିଜ ସ୍ଥିତି ଅନୁଯାୟୀ ରଣନୀତିମାନ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଅଧିକ ଅଞ୍ଚଳକୁ ଜଳସେଚନ ଯୋଗାଇ ଦେବା, ଧାନ ଭଳି କମ ଲାଭଜନକ ଚାଷକୁ କମାଇ ଅଧିକରୁ ଅଧିକ ଅର୍ଥକରୀ ଫସଲ କରିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା, ଚାଷୀମାନେ କିପରି ଉଚିତ ମୂଲ୍ୟ ପାଇପାରିବେ ସେଥିପାଇଁ ପଦକ୍ଷେପ ନେବା, ବୈଷୟିକ ଜ୍ଞାନକୌଶଳର ବିକାଶ କରିବା, ମତ୍ସ୍ୟ ଓ ପଶୁପାଳନକୁ ଗୁରୁତ୍ୱ ଦେବା, ଅଣକୃଷି କ୍ଷେତ୍ରରୁ ରୋଜଗାରର ସମ୍ଭାବନାକୁ ଖୋଜିବା ଆଦି ସାମିଲ । ଏହି ପ୍ରସଙ୍ଗରେ କୃଷି କ୍ଷେତ୍ରରେ ଏକ ଉନ୍ନତ ରାଜ୍ୟ ବୋଲି ବିବେଚିତ ମଧ୍ୟ ପ୍ରଦେଶ ପ୍ରସ୍ତୁତ କରିଥିବା ରଣନୀତିକୁ ଅନୁଧ୍ୟାନ କରାଯାଇପାରେ । ତାଙ୍କ ପ୍ରସ୍ତୁୁତ ରଣନୀତି ଅନୁଯାୟୀ, କୃଷିକାର୍ଯ୍ୟରେ ବ୍ୟବହୃତ ସାର, ବିହନ, ଔଷଧ ଭଳି ଇନପୁଟ ଖର୍ଚ୍ଚକୁ କମାଇ ଚାଷୀର ଆୟ ୧୫ ପ୍ରତିଶତ ବଢାଯିବ । ସେହିପରି ଉତ୍ପାଦନ ବୃଦ୍ଧି ମାଧ୍ୟମରେ ୩୦ ପ୍ରତିଶତ, କୃଷି କ୍ଷେତ୍ର ବୃଦ୍ଧି ମାଧ୍ୟମରେ ୧୪ ପ୍ରତିଶତ, ଅର୍ଥକରୀ ଫସଲ ଚାଷ (ଡାଇଭର୍ସିଫିକେସନ) ମାଧ୍ୟମରେ ୨୦ ପ୍ରତିଶତ, ଅମଳ ପରେ ହେଉଥିବା କ୍ଷତିକୁ କମାଇ ୬ ପ୍ରତିଶତ ଓ ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ମାଧ୍ୟମରେ ୧୫ ପ୍ରତିଶତ, ଏହିପରି ଭାବେ ଚାଷୀର ଆୟକୁ ଡବଲ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ଅପ୍ରେଲ ୨୦୧୪ ରୁ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ କୃଷିର ବାସ୍ତବ (ରିଅଲ ଟର୍ମ) ହାରାହାରି ଅଭିବୃଦ୍ଧି ହାର ବାର୍ଷିକ ୨.୯ ପ୍ରତିଶତରେ ସୀମିତ ରହିଛି । ଯଦି ଏହି ହାରରେ କୃଷି ଅଭିବୃଦ୍ଧି ଜାରି ରହେ ତେବେ ଚାଷୀର ଆୟ ବାସ୍ତବ ଭାବେ ଡବଲ ହେବାକୁ ୨୦୨୨ ନୁହେଁ ବରଂ ୨୦୪୦ ଯାଏଁ ଅପେକ୍ଷା କରିବାକୁ ପଡିପାରେ । ତେଣୁ ଚାଷୀ ପରିବାରର ଆୟ ଡବଲ କରିବାକୁ ହେଲେ କେବଳ ଚାଷ ଉପରେ ଗୁରୁତ୍ୱ ନ ଦେଇ ପରିବାରର କିଛି ସଦସ୍ୟଙ୍କୁ କିପରି ଅଣକୃଷି କାର୍ଯ୍ୟ, ମଜୁରୀ, ଚାକିରୀ ତଥା ଅନ୍ୟ ଅଣପାରମ୍ପରିକ ଆୟ ଉତ୍ସ ମାଧ୍ୟମରେ ରୋଜଗାର ସୁଯୋଗ ଯୋଗାଇ ପରିବାରର ଆୟକୁ ବଢାଇ ହେବ, ସେଥିପ୍ରତି ଧ୍ୟାନ ଦେବାକୁ ହେବ ।
ଚାଷୀଙ୍କ ଆୟ ଡବଲ କରିବା ପାଇଁ ଯେଉଁ ଛଅ ବର୍ଷର ସମୟ ସୀମା ଧାର୍ଯ୍ୟ କରାଯାଇଥିଲା, ସେଥିରୁ ତିନି ବର୍ଷ, ଅର୍ଥାତ ଅଧା ସମୟ ଅତିକ୍ରାନ୍ତ । ଘୋଷିତ ଲକ୍ଷ୍ୟ ହାସଲର ଏକ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ହୋଇ ନୀତି ବା କ୍ରିୟାନ୍ୱୟନରେ କଣ ଭୁଲ ଭଟକା ରହିଗଲା ତାହା ଚିହ୍ନଟ କରି ପ୍ରତିକାରାତ୍ମକ ପଦକ୍ଷେପ ନେବା ଉଚିତ । ଏହି ସମୟ ମଧ୍ୟରେ ଚାଷୀଙ୍କ ଆୟ କେତେ ବୃଦ୍ଧି ପାଇଛି ତାହା ସର୍ବ ସାଧାରଣରେ ଉପସ୍ଥାପିତ ହେଲେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲର ଆମେ କେତେ ନିକଟତର ହୋଇଛନ୍ତି, ତାହା ଜଣା ପଡନ୍ତା । ତେବେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଡବଲ ହେବା ଘୋଷଣା ପରେ ଏଥିପାଇଁ ନୀତି ସୁପାରିଶ କରିବାକୁ ପ୍ରାୟ ତିନି ବର୍ଷ ଲାଗିଗଲା । ଏଥିପାଇଁ ପ୍ରସ୍ତୁତ ରଣନୀତିରେ ଉଭୟ ସରକାର ଏବଂ ଚାଷୀଙ୍କ ପାଇଁ କାର୍ଯ୍ୟ ଥିଲେ ମଧ୍ୟ ରଣନୀତି ପ୍ରସ୍ତୁତିରେ ସାମିଲ ହୋଇଥିବା ମୁଷ୍ଟିମେୟ ସରକାରୀ କର୍ମଚାରୀ, କୃଷି ବିଜ୍ଞାନୀ, ଅନୁଷ୍ଠାନ ଓ ଏନଜିଓଙ୍କୁୁ ବାଦ ଦେଲେ ସାଧାରଣ ଚାଷୀମାନେ ରଣନୀତି ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ । ଯାହାଙ୍କ ଆୟ ଡବଲ ହେବା କଥା କୁହାଯାଉଛି, ସେମାନେ ଏ ପର୍ଯ୍ୟନ୍ତ ଜାଣନ୍ତି ନାହିଁ ଯେ ତାହା କିପରି ହେବ ଓ ସେଥିରେ ସେମାନଙ୍କ ଭୂମିକା କଣ । ଅର୍ଥାତ୍, ଏ ସଂକ୍ରାନ୍ତରେ ଚାଷୀଙ୍କ ସଚେତନତା ବଢାଇ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ହେବ । ଅନ୍ୟଥା, ବାଇଶ ଆସି ପଳାଇଯିବ, ହେଲେ ଚାଷୀ ତାର ଆୟ ଡବଲ ହେବାକୁ ଅନାଇ ରହିଥିବ ।
Published in Odia Daily Sambad on May 08, 2019
Sir, very well written. Please send the English version to times of India. It would give you natinal level prominence . Use Google translators for conversion to different language for access by wide range of readers.
ReplyDeleteReally a well researched and nicely structured article.
ReplyDeleteKudos to you and all the best for your 'Pen'.
Odisha is well placed in the national map. We can follow the practices of MP to boost our farm income. The procurement practices of MP is too good. Mobile App is widely used by farmers of MP to ensure better prices for their produce.
ReplyDeleteThanks.
Delete