୨୦୧୭-୧୮ ଆର୍ଥିକ ବର୍ଷରେ ଜାରି ହୋଇଥିବା ୨୨୨ କୋଟି ଟଙ୍କାର ନିର୍ବାଚନୀ ବଣ୍ଡରୁ କେବଳ ବିଜେପି ଦଳ ୨୧୦ କୋଟି ଟଙ୍କା ଅର୍ଥାତ ପ୍ରାୟ ୯୪ ପ୍ରତିଶତର ସିଂହଭାଗ ହାତେଇବା କଥା ଜଣା ପଡିବା ପରେ ଏହା ଅନେକଙ୍କୁ ବିସ୍ମିିତ କରିଥିଲା । ଏହି ସମୟରେ କଂଗ୍ରେସ ଦଳ ମାତ୍ର ୫ କୋଟି ଟଙ୍କା ପାଇଥିବା ବେଳେ ଅନ୍ୟ ସବୁ ଦଳ ମିଶି ମାତ୍ର ୭ କୋଟି ଟଙ୍କା ପାଇଥିବା ଜଣା ପଡିଲା । ଅଡିଟ ପରେ ୨୦୧୮-୧୯ ଆର୍ଥିକ ବର୍ଷର ସ୍ଥିତି ସ୍ପଷ୍ଟ ହେବାକୁ ଥିଲେ ମଧ୍ୟ ଶାସକ ବିଜେପି ଦଳ ଯେ ନିର୍ବାଚନୀ ବଣ୍ଡ ଯୋଜନାର ସର୍ବାଧିକ ଲାଭାର୍ଥୀ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଶାସକ ଦଳର ଚୁମ୍ବକୀୟ ଆକର୍ଷଣ ନିର୍ବାଚନୀ ବଣ୍ଡକୁୁ ତା ନିକଟକୁୁ ଟାଣି ନେଇଯିବା ପ୍ରଣିଧାନର ବିଷୟ ହୋଇପାରେ, କିନ୍ତୁ ତାହା ନିଶ୍ଚିତ ରୂପେ ଗଣତନ୍ତ୍ର ପ୍ରତି ବିପଜ୍ଜନକ ।
ନିର୍ବାଚନୀ ବଣ୍ଡର ପ୍ରଚଳନ କରାଯିବା ବେଳେ ଅର୍ଥମନ୍ତ୍ରୀ କହିଥିଲେ ଯେ ରାଜନୈତିକ ଦଳଗୁଡିକର ପାଣ୍ଠି ସଂଗ୍ରହ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବା ଦରକାର । ଏହାଦ୍ୱାରା ଦଳଗୁଡିକ ସ୍ୱଚ୍ଛ ଟଙ୍କା ପାଇବେ ଓ ପ୍ରଚଳିତ ଅସ୍ୱଚ୍ଛ ପାଣ୍ଠି ସଂଗ୍ରହ ପ୍ରକ୍ରିୟାର ପରିସମାପ୍ତି ଘଟି ଏକ ଯଥେଷ୍ଟ ସ୍ୱଚ୍ଛ ପ୍ରକ୍ରିୟାର ଅୟମାରମ୍ଭ ହେବ । ହଜାରେ, ଦଶ ହଜାର, ଲକ୍ଷେ, ଦଶ ଲକ୍ଷ ଓ ଏକ କୋଟି ଟଙ୍କା ମୂଲ୍ୟର ଏହି ବଣ୍ଡଗୁଡିକ ସାରା ଦେଶରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ୨୯ଟି ଭାରପ୍ରାପ୍ତ ଶାଖାରେ ବର୍ଷର ନିର୍ଦ୍ଦିଷ୍ଟ କେତୋଟିି ମାସର ଅଳ୍ପ କେଇ ଦିନ ପାଇଁ କିଣିବାକୁ ମିଳିଥାଏ । ଯେ କୌଣସିି ଭାରତୀୟ ନାଗରିକ ଓ ଭାରତରେ ପଞ୍ଜିକୃତ କମ୍ପାନୀ ଏହି ବଣ୍ଡ କିଣି ରାଜନୈତିକ ଦଳକୁ ଚାନ୍ଦା ଆକାରରେ ଦେଇଥାନ୍ତି । ଜନ ପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୨୯(କ) ଅଧୀନରେ ପଞ୍ଜିକୃତ ଓ ଗତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଅନ୍ତତଃ ପକ୍ଷେ ଏକ ପ୍ରତିଶତ ଭୋଟ ପାଇଥିବା ସମସ୍ତ ରାଜନୈତିକ ଦଳ ଏହି ବଣ୍ଡ ଗ୍ରହଣ କରିବାକୁ ଯୋଗ୍ୟ ।
ନିର୍ବାଚନୀ ବଣ୍ଡ ଯୋଜନା ଘୋଷଣା ହେବା ସହ ଜନ ପ୍ରତିନିଧିତ୍ୱ ଆଇନ, କମ୍ପାନୀ ଆଇନ, ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଆଦିରେ ମଧ୍ୟ ପରିବର୍ତ୍ତନ କରିବାକୁ ହେଲା । ଅତି ଚତୁରତାର ସହ ଜନ ପ୍ରତିନିଧିତ୍ୱ ଆଇନରେ କରା ଯାଇଥିବା ପରିବର୍ତ୍ତନ ଅନୁଯାୟୀ, କୌଣସି ରାଜନୈତିକ ଦଳ ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଉଥିବା ଚାନ୍ଦାର ବିବରଣୀ ନିର୍ବାଚନ କମିଶନଙ୍କୁ ଜଣାଇବା ଆଉ ଜରୁରୀ ନୁହେଁ । ଫଳରେ ଚାନ୍ଦା ଦାତାଙ୍କ ବାବଦରେ କୌଣସି ତଥ୍ୟ କମିଶନଙ୍କୁ ଅବଗତ ହେବାର ସମ୍ଭାବନା ନାହିଁ । ଆୟକର ଆଇନର ଧାରା ୧୩(କ) ଅନୁଯାୟୀ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଦାନ ଦେଉଥିବା କମ୍ପାନୀଗୁଡିକୁ ଦାନ ସଂକ୍ରାନ୍ତୀୟ କୌଣସି ରେକର୍ଡ ରଖିବାର ଆବଶ୍ୟକତା ନାହିଁ । ତେଣୁ ସୂଚନା ଅଧିକାର ଆଇନ ମାଧ୍ୟମରେ ବି ଚାନ୍ଦା ଦାତା କେଉଁ ଦଳକୁ କେତେ ଟଙ୍କା ଦେଇଛନ୍ତି ସେ ସମ୍ପର୍କରେ କୌଣସି ତଥ୍ୟ ନିର୍ବାଚନ କମିଶନ ବା ଆୟକର ବିଭାଗ ନିକଟରୁ ମିଳି ପାରିବ ନାହିଁ ।
ସେହିପରି ୨୦୧୭ ମସିହା ପୂର୍ବରୁ କମ୍ପାନୀ ଆଇନ, ୨୦୧୩ର ଧାରା ୧୮୨ ଅନୁଯାୟୀ ରାଜନୈତିକ ଚାନ୍ଦା ଦେବାକୁ ଆଗ୍ରହୀ କୌଣସି କମ୍ପାନୀ ତାର ତିନି ବର୍ଷର ହାରାହାରି ଲାଭର ସର୍ବାଧିକ ଶତକଡା ୭.୫ ଭାଗ ରାଜନୈତିକ ଦଳଗୁଡିକୁ ଚାନ୍ଦା ଆକାରରେ ଦେଇ ପାରୁଥିଲେ ଓ ସେ କେଉଁ ଦଳକୁ କେତେ ଟଙ୍କା ଦେଲେ ତାହା ଉଲ୍ଲେଖ କରିବା ବାଧ୍ୟତାମୂଳକ ଥିଲା, ଯାହାକୁ ଉଠାଇ ଦିଆଗଲା । ଏଣିିକି ଚାନ୍ଦା ଦେବା ପାଇଁ ଗୋଟିଏ କମ୍ପାନୀକୁ ଅନ୍ତତଃ ପକ୍ଷେ ତିନି ବର୍ଷ ପୁରୁଣା ହେବା ଓ ଲାଭ କରୁଥିବାର ଆଉ କୌଣସି ଆବଶ୍ୟକତା ରହିଲା ନାହିଁ । ଏହାଦ୍ୱାରା ନୂଆ ତିଆରି ହୋଇଥିବା କମ୍ପାନୀଟିଏ ମଧ୍ୟ ତାର ଲାଭ ହୋଇଥାଉ କି ନ ଥାଉ, ନିର୍ବିଘ୍ନରେ କୋଟି କୋଟି ଟଙ୍କା ଚାନ୍ଦା ଦେଇପାରିବ । ଏପରିକି ବିଦେଶୀ କମ୍ପାନୀମାନେ ମଧ୍ୟ ଭାରତରେ ସେମାନଙ୍କ ସେଲ (ନାମକୁ ମାତ୍ର) କମ୍ପାନୀ ଜରିଆରେ ରାଜନୈତିକ ଦଳଗୁଡିକୁ ଚାନ୍ଦା ପ୍ରଦାନ କରିବାକୁ ସକ୍ଷମ ହୋଇ ଦେଶର ନୀତି ନିର୍ଦ୍ଧାରଣ ପ୍ରକ୍ରିୟାକୁ ସିଧାସଳଖ ପ୍ରଭାବିତ କରି ପାରିବେ, ଯାହା ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିପାରେ । ତା ଛଡା ବିପଦଗ୍ରସ୍ତ, ମୃତ ପ୍ରାୟ ତଥା ସେଲ ଓ ସରକାରୀ କମ୍ପାନୀଗୁଡିକ ସମ୍ପୂର୍ଣ୍ଣ ଅଚିହ୍ନା ରହି ଅସୀମିତ ଚାନ୍ଦା ଦେଇପାରିବେ । କମ୍ପାନୀ ଆଇନରେ ଏହି ସଂଶୋଧନ ଯୋଗୁ ଦେଶର ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଜନ ସାଧାରଣଙ୍କ ଆବଶ୍ୟକତା ଓ ଅଧିକାର ଗୌଣ ହୋଇ ବେସରକାରୀ କମ୍ପାନୀଙ୍କ ସ୍ୱାର୍ଥ ଅଗ୍ରାଧିକାର ପାଇବାର ସମ୍ଭାବନା ଅଧିକ ।
ବିଦେଶୀ ଦାନ ନିୟନ୍ତ୍ରଣ ଆଇନ (ଏଫସିଆରଏ, ୨୦୧୦)ର ଅନୁଚ୍ଛେଦ ୩(୧)(ଗ) ଅନୁଯାୟୀ ରାଜନୈତିକ ଦଳର ବିଦେଶୀ କମ୍ପାନୀଠାରୁ ଦାନଗ୍ରହଣ ନିଷିଦ୍ଧ ଥିଲା । ଉଭୟ ବିଜେପି ଓ କଂଗ୍ରେସ ଦଳ ବେଦାନ୍ତ ଓ ତାର ସହାୟକ କମ୍ପାନୀଙ୍କଠାରୁ ବିଦେଶୀ ଦାନଗ୍ରହଣ ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ୨୦୧୪ ମସିହାରେ ଭର୍ତ୍ସିିତ ହୋଇଥିଲେ । ମାର୍ଚ୍ଚ ୨୦୧୮ରେ ଏଫସିଆରଏ ଆଇନକୁ ସଂଶୋଧନ କରାଗଲା ଯଦ୍ଦ୍ୱାରା ଦଳଗୁଡିକ ପାଇଁ ବିଦେଶୀ ଦାନ ସଂଗ୍ରହରେ ଥିବା କଟକଣା ଲାଘବ ହେଲା । ଉଲ୍ଲେଖନୀୟ, ଦଣ୍ଡରୁ ବର୍ତ୍ତିବା ପାଇଁ ଚଂଚକତାର ସହ ଏହାକୁ ମନି ବିଲ ଭାବେ ଗୃହୀତ କରାଇ ପିଛିଲା ଭାବେ ୧୯୭୬ରୁ ଲାଗୁ କରାଇ ନିଆଗଲା । ଏଥିରେ ବିଜେପି ଓ କଂଗ୍ରେସ ଦଳ ଲାଭାନ୍ୱିତ ହେଉଥିବାରୁ ଉଭୟେ ନୀରବ ରହିଲେ । ଦେଶପ୍ରେମ ଓ ଦେଶ-ପ୍ରଥମେ କଥା କହୁଥିବା ଦଳମାନେ ଦଳୀୟ ସ୍ୱାର୍ଥ ପାଇଁ ଦେଶର ସ୍ୱାର୍ଥକୁ କିପରି ଜଳାଞ୍ଜଳି ଦେଇପାରନ୍ତି, ଇଏ ତାର ଏକ ନମୁନା ମାତ୍ର ।
ନିର୍ବାଚନୀ ବଣ୍ଡର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର), ‘କମନ କଜ’ ଭଳି ସାମାଜିକ ସଂଗଠନ ଓ ସିପିଏମ ଦଳ ପକ୍ଷରୁ ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ମାମଲାଗୁଡିକର ଗୁରୁତ୍ୱକୁ ଉପଲବ୍ଧି କରି କୋର୍ଟ ଏଗୁଡିକର ଶୁଣାଣି ଆରମ୍ଭ କରିଛନ୍ତି । ବଣ୍ଡର କେତେଗୁଡିଏ ଦିଗ ସମ୍ବିଧାନର ବିରୋଧାଚରଣ କରୁଥିବା ପରି ମନେ ହୁଏ । ଉଦାହରଣ ସ୍ୱରୂପ, ଏଥିରେ ରାଜନୈତିକ ଦଳ କାହାଠାରୁ ଚାନ୍ଦା ଗ୍ରହଣ କଲେ ବା ଦାତା କେଉଁ ଦଳକୁ ଚାନ୍ଦା ପ୍ରଦାନ କଲେ ତାହା ଜଣାଇବାର ଆବଶ୍ୟକତା ନାହିଁ । ଏଭଳି ଚାନ୍ଦା ପ୍ରଦାନ କମ୍ପାନୀ-ରାଜନୈତିକ ଦଳମାନଙ୍କ ମଧୁଚନ୍ଦ୍ରିକାକୁ ଅଧିକ ସୁଦୃଢ କରିଥାଏ ଓ କଣ୍ଟ୍ରାକ୍ଟ ଲାଇସେନ୍ସ ଓ ବ୍ୟାଙ୍କ ଲୋନ ଭଳି ‘ପ୍ରତିବଦଳରେ ଅନୁକମ୍ପା’ (କୁଇଡ ପ୍ରୋ କୁଓ) ହାସଲ କରିବା ଦିଗରେ କମ୍ପାନୀକୁ ସାହାଯ୍ୟ କରିଥାଏ । ଫଳରେ କେଉଁ ଦଳ କାହା ନିକଟରୁ କେତେ ଟଙ୍କା ଚାନ୍ଦା ଆକାରରେ ସଂଗ୍ରହ କଲେ ସେ ସମ୍ପର୍କରେ ସୂଚନା ଉପଲବ୍ଧ ନଥିବାରୁ ମତଦାତା ପକ୍ଷରେ ତଥ୍ୟ ଆଧାରିତ ନିର୍ଣ୍ଣୟ ନେବାରେ ଅସୁବିଧା ହୋଇଥାଏ । ସମ୍ବିଧାନର ଧାରା ୧୯(୧)(କ)ରେ ସ୍ଥାନିତ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଆଧାରରେ ମୁକ୍ତ ଓ ନିରପେକ୍ଷ ଭୋଟ ଦାନ ପାଇଁ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ଆବଶ୍ୟକୀୟ ତଥ୍ୟ ମତଦାତାଠାରେ ଉପଲବ୍ଧ ହେବା ମଧ୍ୟ ଏକ ମୌଳିକ ଅଧିକାର । ମତଦାତାର ଏହି ଅଧିକାରକୁ ଗ୍ରହଣ କରି ଅତୀତରେ ସୁପ୍ରିମକୋର୍ଟ ପ୍ରାର୍ଥୀଙ୍କୁ ତାଙ୍କ ଆପରାଧିକ ରେକର୍ଡ ଘୋଷଣା କରିବାକୁ ବାଧ୍ୟ କରିଛନ୍ତି । ରାଜନୈତିକ ଦଳକୁ କିଏ ଚାନ୍ଦା ଦେଉଛି ତାହା ମତଦାତା ଜାଣି ପାରୁ ନଥିବାରୁ ପରବର୍ତ୍ତୀ ସମୟରେ ଚାନ୍ଦା ପ୍ରଦାନକାରୀ ସେହି ଦଳ ଉପରେ କେଉଁ ଧରଣର ପ୍ରଭାବ ବିସ୍ତାର କରିବ, ସେ ସମ୍ପର୍କରେ ମଧ୍ୟ ସେ ବିଶ୍ଳେଷଣ କରିି ପାରି ନ ଥାଏ । ଫଳରେ ସମ୍ପୂର୍ଣ୍ଣ ନିର୍ବାଚନୀ ପ୍ରକ୍ରିୟାର ଗୁରୁୁତ୍ୱ ହ୍ରାସ ପାଇବା ସହ ପରୋକ୍ଷରେ ତାର ସାମ୍ବିଧାନିକ ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି ବୋଲି ଅନେକଙ୍କ ମତ ।
୨୦୧୮ ମସିହାରେ ସମୁଦାୟ ପ୍ରାୟ ୧୦୫୭ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ବିକ୍ରି ହୋଇଥିବା ବେଳେ ୨୦୧୯ର ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ତାହା ଶତକଡା ୬୨ ଭାଗ ବୃଦ୍ଧି ପାଇ ୧୭୧୬ କୋଟି ଟଙ୍କାରେ ପହଞ୍ଚିଛି । ସାରା ଦେଶରେ ବିକ୍ରି ହୋଇଥିବା ନିର୍ବାଚନୀ ବଣ୍ଡର ପ୍ରାୟ ୯୭ ପ୍ରତିଶତ ହେଉଛି ଦଶ ଲକ୍ଷ ଓ ଏକ କୋଟି ଟଙ୍କିଆ ବଣ୍ଡ । ଅର୍ଥାତ ହଜାରେ, ଦଶ ହଜାରିଆ ଓ ଲକ୍ଷେ ଟଙ୍କିଆ ବଣ୍ଡର ବିକ୍ରି ନଗଣ୍ୟ । ତେଣୁ ଅନ୍ତତଃ ସାଧାରଣ ଲୋକେ ଯେ ନିର୍ବାଚନୀ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡିକୁ ଦାନ ଦେଉ ନାହାନ୍ତି ଓ ବୁଝି ହେଉଥିବା କାରଣରୁ ଦାନ ପ୍ରଦାନ ପ୍ରକ୍ରିୟାରେ କମ୍ପାନୀମାନେ ହିଁ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି, ତାହା ସୁସ୍ପଷ୍ଟ ।
କେଉଁ ବ୍ୟକ୍ତି ଓ କମ୍ପାନୀ କେତେ ଟଙ୍କାର ନିର୍ବାଚନୀ ବଣ୍ଡ କିଣିଲେ ଓ କେଉଁ ଦଳକୁ କେତେ ପ୍ରଦାନ କଲେ ସେ ସମ୍ପର୍କରେ ତଥ୍ୟ କେବଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଉପଲବ୍ଧ ଓ ସେହି ବ୍ୟାଙ୍କ ସରକାରୀ ନିୟନ୍ତ୍ରଣରେ ଥିବାରୁ ଏ ସମସ୍ତ ତଥ୍ୟ ସହଜରେ ଶାସକ ଦଳ ନିକଟରେ ପହଞ୍ଚିଯିବା କିଛି ବିଚିତ୍ର ନୁହେଁ । ବିରୋଧୀ ଦଳକୁ ବଣ୍ଡ ପ୍ରଦାନ କଲେ ସମ୍ପୃକ୍ତ କମ୍ପାନୀକୁ ସରକାରୀ ତନ୍ତ୍ର ମାଧ୍ୟମରେ ହଇରାଣ କରାଯିବାର ଭୟ ରହିଛି । ତେଣୁ ବିରୋଧୀ ଦଳଗୁଡିକ ଲାଗି ବଣ୍ଡ ଜରିଆରେ ଚାନ୍ଦାର ସ୍ରୋତ କ୍ଷୀଣ ହୋଇଯିବା ସ୍ୱାଭାବିକ । ନିର୍ବାଚନୀ ବଣ୍ଡ ଏପରି ଏକ ଅସ୍ୱଚ୍ଛ କାଚ ସଦୃଶ ଯାହା ଶାସନରେ ଥିବା ଲୋକଙ୍କୁୁ ସ୍ୱଚ୍ଛ ଦିଶୁଥିଲେ ବି ଶାସନ ବାହାରେ ଥିବା ଦଳଗୁଡିକ ପାଇଁ ଅସ୍ୱଚ୍ଛ । ନିର୍ବାଚନୀ ବଣ୍ଡ ମାଧ୍ୟମରେ ଶାସକ ଦଳଗୁଡିକ ସବୁ ବେଳେ ଅର୍ଥ ବଳରେ ପରିପୁଷ୍ଟ ରହିବେ ଓ ଯାହା ବଳରେ ନିର୍ବାଚନ ବେଳେ ମତଦାନକୁ ପ୍ରଭାବିତ କରାଯାଇ ପାରିବ । ଫଳରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନାରେ ଅନ୍ତରାୟ ସୃଷ୍ଟି ହୋଇ ଗଣତନ୍ତ୍ର ବିପନ୍ନ ହେବାର ଆଶଙ୍କା ଥିବାରୁ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବା ପାଇଁ ନିର୍ବାଚନ କମିଶନ ମଧ୍ୟ ନିଜ ମତ ବ୍ୟକ୍ତ କରି ସାରିଛନ୍ତି । କୌଣସି ରାଜନୈତିକ ଦଳ କମ୍ପାନୀଙ୍କ ନିକଟରୁ ସିଧାସଳଖ ଚାନ୍ଦା ଗ୍ରହଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରି ତା ସ୍ଥାନରେ ନିର୍ବାଚନ କମିଶନ ପରିଚାଳିତ ଏକ ‘ଜାତୀୟ ନିର୍ବାଚନୀ ପାଣ୍ଠି’ ଗଠନ କଥା ଚିନ୍ତା କରାଯାଇ ପାରେ, ଯେଉଁଥିରେ କମ୍ପାନୀ ଓ ବ୍ୟକ୍ତି ବିଶେଷ ଦାନ ଦେଇ ପାରିବେ । ଦଳଗୁଡିକୁ ସେମାନେ ପାଇଥିବା ଭୋଟର ପ୍ରତିଶତ ଆଧାରରେ ପାଣ୍ଠି ପ୍ରଦାନ କରାଯିବ । ଫଳରେ ‘ପ୍ରତିବଦଳରେ ଅନୁକମ୍ପା’ ହାସଲ କରିବାର ସମ୍ଭାବନା କ୍ଷୀଣ ହୋଇ କମ୍ପାନୀ-ରାଜନୈତିକ ଦଳଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାରେ ଯବନିକା ନ ପଡିଲେ ବି ତାହା ହ୍ରାସ ପାଇବ । କଂଗ୍ରେସ ଦଳ ମଧ୍ୟ ତା ନିର୍ବାଚନୀ ଇସ୍ତାହାରରେ ଏ ଭଳି ଏକ ପାଣ୍ଠି ଗଠନ ସପକ୍ଷରେ ଥିବାରୁ ଏ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ବିଚାର ବିମର୍ଶ ହେବା ଉଚିତ । ତେଣୁ ଆଗାମୀ ଦିନରେ ନିର୍ବାଚନୀ ବଣ୍ଡ ସଂକ୍ରାନ୍ତରେ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ଯେ କେବଳ ବଣ୍ଡର ବୈଧତାର ପ୍ରଶ୍ନର ସମାଧାନ କରିବ ତା ନୁହେଁ, ବରଂ ଭବିଷ୍ୟତ ନିର୍ବାଚନୀ ରାଜନୀତି ଉପରେ ଏହାର ସୁଦୂର ପ୍ରସାରୀ ପ୍ରଭାବ ପଡିବାର ଆଶା କରାଯାଏ ।
Published in Odia daily Sambad on April 10, 2019
Comments
Post a Comment