Skip to main content

‘ନ୍ୟାୟ’ – ସଫଳ ନିର୍ବାଚନୀ ଆୟୁଧ ହେବ?

ନିର୍ବାଚନର ଅଳ୍ପ କେଇ ଦିନ ପୂର୍ବରୁ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କ ଦ୍ୱାରା ‘ନ୍ୟୂନତମ ଆୟ ଯୋଜନା’ (ନ୍ୟାୟ) ସମ୍ପର୍କରେ ଘୋଷଣା ହେବା ପରେ ବିଧିବଦ୍ଧ ଭାବେ ତାହା ଦଳର ନିର୍ବାଚନୀ ଇସ୍ତାହାରରେ ସ୍ଥାନ ପାଇଛି । ସେ ଯୋଜନାଟିକୁ ‘ଦାରିଦ୍ର‌୍ୟ ବିରୁଦ୍ଧରେ ସର୍ଜିକାଲ ଷ୍ଟ୍ରାଇକ’ ବୋଲି ଅଭିହିତ କରିଛନ୍ତି । ଯୋଜନା ପାଇଁ ଏତେ ଟଙ୍କା କେଉଁଠୁ ଆସିବ ବୋଲି ଅନେକେ ପ୍ରଶ୍ନ ଉଠାଉଥିବା ବେଳେ, କଂଗ୍ରେସ ଦ୍ୱାରା ଅତୀତରେ ମନରେଗା କାର୍ଯ୍ୟକ୍ରମ ଓ ଋଣଛାଡ ଘୋଷଣା ବେଳେ ବିରୋଧୀମାନେ ଠିକ ଏଭଳି ପଚାରୁଥିଲେ ବୋଲି ଦଳ କହିଛି । ଯୋଜନା ପାଇଁ କେଉଁ ଉତ୍ସରୁ ଅର୍ଥ ଆସିବ, ତାହା ସ୍ପଷ୍ଟ ହୋଇ ନଥିବାରୁ ଅର୍ଥନୀତିଜ୍ଞଙ୍କ ମଧ୍ୟରେ ଏହାର କ୍ରିୟାନ୍ୱୟନକୁ ନେଇ ସନ୍ଦେହ ଉପୁଜିବା ସ୍ୱାଭାବିକ ।

ଗରିବ ଲୋକଙ୍କର ମଧ୍ୟ ସମ୍ମାନର ସହ ଜୀବନ ନିର୍ବାହ କରିବାର ଅଧିକାର ଅଛି ଓ ସେମାନଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେମାନଙ୍କୁ ଏକ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ପ୍ରଦାନ କରିବାକୁ ହେବ ବୋଲି କ୍ରମଶଃ ବିଶ୍ୱବ୍ୟାପୀ ଏକ ଜନମତ ସୃଷ୍ଟି ହେଲାଣି । ‘ନ୍ୟାୟ’ ଏହି ଭଳି ଏକ ଯୋଜନା ଯେଉଁଥିରେ ଦେଶର ସର୍ବନିମ୍ନ ଆୟବର୍ଗର ୫ କୋଟି ଗରିବ ପରିବାରଙ୍କ ବ୍ୟାଙ୍କ ଖାତାରେ ମାସିକ ହାରାହାରି ୬୦୦୦ ଟଙ୍କା ଲେଖାଏଁ ଏହିପରି ବର୍ଷକୁ ୭୨୦୦୦ ଟଙ୍କା ଜମା କରାଯିବାର ପ୍ରତିଶ୍ରୁତି ଦିଆଯାଇ ସେମାନଙ୍କ ମାସିକ ଆୟକୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରିବାର ଗ୍ୟାରେଣ୍ଟି ଦିଆଯାଇଛି । ଏହି ସହାୟତା ଟପ-ଅପ ଆଧାରରେ ପ୍ରଦାନ କରାଯିବାର ସମ୍ଭାବନା ରହିଛି, ଅର୍ଥାତ ସମସ୍ତଙ୍କୁ ଛଅ ହଜାର ଟଙ୍କା ନ ମିଳି, ପରିବାରର ଆୟ ଚାରି ହଜାର ଟଙ୍କା ହୋଇଥିଲେ ବଳକା ଆଠ ହଜାର ଟଙ୍କା ଓ ନଅ ହଜାର ହୋଇଥିଲେ ବଳକା ତିନି ହଜାର ଟଙ୍କା ସହାୟତା ମିଳିବ । ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ବର୍ଷକୁ ଆନୁମାନିକ ୩.୬୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ହେବ, ଯାହା ଦେଶର ମୋଟ ଘରୋଇ ଉତ୍ପାଦର ପ୍ରାୟ ୧.୬ ପ୍ରତିଶତ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ କଂଗ୍ରେସ କ୍ଷମତାକୁ ଆସିଲେ ହିତାଧିକାରୀ ଚିହ୍ନଟ କରିବା ସହ ଅନ୍ୟାନ୍ୟ ପ୍ରକ୍ରିୟା ନିର୍ଦ୍ଧାରଣ କରିବାକୁ ଏକ ବିଶେଷଜ୍ଞ କମିଟି ଗଠିତ ହୋଇ ତିନି ମାସ ମଧ୍ୟରେ ଯୋଜନାକୁ ପାଇଲଟ ଭିତ୍ତିରେ ଆରମ୍ଭ କରାଯିବ । ତାପରେ ଏହାକୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଅଞ୍ଚଳରେ ଆରମ୍ଭ କରାଯାଇ ଦୁଇ ବର୍ଷ ମଧ୍ୟରେ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯିବ ।

‘ନ୍ୟାୟ’ ଯୋଜନାଟି ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଯୋଜନା ହୋଇଥିବା ବେଳେ ବିଶ୍ୱର ବିଭିନ୍ନ ଦେଶରେ ‘ୟୁନିଭର୍ସାଲ ବେସିକ ଇନକମ’ (ୟୁବିଆଇ) ଯୋଜନା ପ୍ରଚଳିତ ଅଛି । ‘ନ୍ୟାୟ’ ଯୋଜନାରେ ସର୍ବନିମ୍ନ ବର୍ଗର ଲୋକଙ୍କୁ ସହାୟତା ପ୍ରଦାନ କରାଯିବାକୁ ଥିଲା ବେଳେ ୟୁବିଆଇ ଯୋଜନାରେ ଦେଶର ଅଧିକାଂଶ ନାଗରିକଙ୍କୁ ସହାୟତା ପ୍ରଦାନ କରାଯାଇଥାଏ । ଏପରିକି ଏନଡିଏ ସରକାର ମଧ୍ୟ ଏକ ୟୁବିଆଇ ଯୋଜନା କାର୍ଯ୍ୟକାରୀ କରି ଦେଶର ୭୫ ଭାଗ ପରିବାରଙ୍କୁ ବାର୍ଷିକ ୭୬୨୦ ଟଙ୍କା ଲେଖାଏଁ ଦେବା କଥା ଚିନ୍ତା କରୁଥିବା ବିଷୟ ୨୦୧୬-୧୭ର ଇକୋନୋମିକ ସର୍ଭେ ଅଫ ଇଣ୍ଡିଆ ରିପୋର୍ଟରେ ଉଲ୍ଲେଖ ହୋଇଥିଲା । ବ୍ରାଜିଲରେ ପ୍ରଚଳିତ ‘ବୋଲସା ଫେମିଲିଆ’ ନାମକ ସାମାଜିକ ବିକାଶ କାର୍ଯ୍ୟକ୍ରମଟି ହେଉଛି ବିଶ୍ୱର ସର୍ବ ବୃହତ୍ ୟୁବିଆଇ ଯୋଜନା, ଯେଉଁଥିରେ ପ୍ରାୟ ୧.୨ କୋଟି ଲୋକଙ୍କୁ ପ୍ରତି ମାସ ନଗଦ ରାଶି ପ୍ରଦାନ କରାଯାଉଛି । ବ୍ରାଜିଲରେ ଦାରିଦ୍ର‌୍ୟର ସ୍ତରକୁ ହ୍ରାସ କରିବାରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ଓ ଏହାର ସଫଳତା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ସେହିପରି କାନାଡାର ‘ମିନକମ’ ଓ ନାମ୍ବିଆର ‘ବେସିକ ଇନକମ ଗ୍ରାଣ୍ଟ’ ଭଳି ଯୋଜନାଗୁଡିକ ସଫଳତାର ସହ ଚାଲୁଥିବା ବେଳେ ଅନ୍ୟ କେତେକ ରାଷ୍ଟ୍ର ସେହିଭଳି ଯୋଜନା ପ୍ରଣୟନ କରିବା କଥା ଚିନ୍ତା କରୁଛନ୍ତି । ତେଣୁ ରାଜନୈତିକ ଇଚ୍ଛାଶକ୍ତି ଥିଲେ ଭାରତରେ ମଧ୍ୟ ‘ନ୍ୟାୟ’ ଯୋଜନା ସଫଳତାର ସହ ପ୍ରଣୟନ ହୋଇ ପାରିବ ।

ପ୍ରଶ୍ନ ଉଠିବା ସ୍ୱାଭାବିକ, ଯୋଜନାଟି ପାଇଁ ଆବଶ୍ୟକ ଆନୁମାନିକ ୩.୬୦ ଲକ୍ଷ କୋଟି ଟଙ୍କା ଆସିବ କେଉଁଠୁ? ଯୋଜନାଟି ପର୍ଯ୍ୟାୟକ୍ରମେ ଦୁଇ ବର୍ଷରେ ପ୍ରଣୟନ ହେବାକୁ ଥିବାରୁ ଏ ସମସ୍ତ ରାଶି ତୁରନ୍ତ ଏକକାଳୀନ ଦରକାର ହେବ ନାହିଁ । ବର୍ତ୍ତମାନ ଖାଦ୍ୟ, ସାର ଓ ତୈଳ ଉତ୍ପାଦ ବାବଦକୁ ବର୍ଷକୁ ପ୍ରାୟ ୨.୬୫ ଲକ୍ଷ କୋଟି ଟଙ୍କା ସବସିଡି ପ୍ରଦାନ କରାଯାଉଛି । ଏମଜିନରେଗା ଓ ଅନ୍ୟାନ୍ୟ ବିକାଶମୂଳକ କାମ ପାଇଁ ଆବଣ୍ଟିତ ରାଶିକୁ ଏଥି ସହ ମିଶାଇଲେ ତାହା ପ୍ରାୟ ୩.୫୦ ଲକ୍ଷ କୋଟି ଟଙ୍କା ହେଉଛି । ଏଗୁଡିକୁ ଚାଲୁ ରଖି ‘ନ୍ୟାୟ’ ଯୋଜନା କାର୍ଯ୍ୟ କଲେ ସବସିଡିର ପରିମାଣ ୭ ଲକ୍ଷ କୋଟିି ଟଙ୍କାରେ ପହଞ୍ଚିବ, ଯାହା ବହନ କରିବାକୁ ଆମ ଅର୍ଥନୀତି ସକ୍ଷମ ନୁହେଁ ବୋଲି କେତେକ ଅର୍ଥନୀତିଜ୍ଞଙ୍କ ମତ । ଏଥିପାଇଁ ହୁଏତ ପ୍ରଚଳିତ କେତୋଟି ସବସିଡି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଅଣାଯାଇପାରେ । ଧନୀ-ଦରିଦ୍ରଙ୍କ ମଧ୍ୟରେ ଅସମାନତାରେ ମାତ୍ରାଧିକ ବୃଦ୍ଧି କାରଣରୁ ସମ୍ପତ୍ତି କର ପ୍ରଚଳନ କରାଯାଇପାରେ । ବିଗତ ବର୍ଷମାନଙ୍କରେ ଦେଶର ଟିକସ-ଜିଡିପି ଅନୁପାତରେ ବିଶେଷ ବୃଦ୍ଧି ହୋଇ ନଥିବାରୁ ସରକାର ଯେ ନିଶ୍ଚିତ ରୂପେ ତା ଉପରେ ଗୁରୁତ୍ୱ ଦେଇ ପୁଞ୍ଜି ସଂଗ୍ରହକୁ ବଢାଇବେ, ଏଥିରେ ସନ୍ଦେହ ନାହିଁ । ସରକାରଙ୍କୁ ପୁଞ୍ଜି ସଂଗ୍ରହର ନୂଆ ଦିଗ ମଧ୍ୟ ଖୋଜିବାକୁ ପଡିପାରେ ।

‘ନ୍ୟାୟ’ ଯୋଜନାର ସମ୍ଭାବ୍ୟ ଅର୍ଥନୈତିକ ଓ ସାମାଜିକ ପ୍ରଭାବ ସଂକ୍ରାନ୍ତରେ ଅନେକେ ଆଶଙ୍କିତ । ଏହା ଦ୍ୱାରା ବିତ୍ତୀୟ ନିଅଣ୍ଟରେ ବୃଦ୍ଧି ଓ ଟିକସ ବଢିବାର ସମ୍ଭାବନା ସହ ମୁଦ୍ରାସ୍ଫୀତି ହାର ମଧ୍ୟ ବଢିପାରେ । ତେଣୁ ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ ମଧ୍ୟରେ ରଖି ଯୋଜନାଟିକୁ ଧୀରେ ଧୀରେ କାର୍ଯ୍ୟକାରୀ କରାଯାଇପାରେ । ଲୋକଙ୍କ ହାତକୁ ଟଙ୍କା ଆସିଲେ ସେମାନଙ୍କ କ୍ରୟ ଶକ୍ତି ବୃଦ୍ଧି ପାଇବ । ଏହାଦ୍ୱାରା ଅର୍ଥନୀତି ଉପରେ ସିଧାସଳଖ ସକାରାତ୍ମକ ପ୍ରଭାବ ପଡି ତାହା ଉତ୍ପାଦନ ବୃଦ୍ଧି, ନିଯୁକ୍ତି ବୃଦ୍ଧି, ଟିକସ ରାଜସ୍ୱ ବୃଦ୍ଧି ସହ ଜିଡିପି ବୃଦ୍ଧିରେ ସହାୟକ ହେବ । ସେମାନେ ସେମାନଙ୍କ ଦାରିଦ୍ର‌୍ୟର କାରଣକୁ ଚିହ୍ନଟ କରି ନିଜ ଅଗ୍ରାଧିକାର ଭିତ୍ତିରେ ତାକୁ ଦୂର କରିବା ପାଇଁ ଚେଷ୍ଟା କରିବେ । ଫଳରେ ବ୍ରାଜିଲ ଭଳି ଏଠାରେ ମଧ୍ୟ ଦାରିଦ୍ର‌୍ୟ ହାର ଦ୍ରୁତ ହ୍ରାସ ପାଇପାରେ । ଏହା ଏକ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା ହୋଇଥିଲେ ମଧ୍ୟ ଏହା ସମାଜରେ ଅର୍ଥନୈତିକ ଅସମାନତା ହ୍ରାସ କରିବା ପାଇଁ ଏକ ପଦକ୍ଷେପ ହୋଇପାରେ । ବିଭିନ୍ନ ସମୟରେ ସରକାରଙ୍କ ଭୁଲ ନୀତି ଓ ଅପାରଗ ପ୍ରଣୟନର ଲାଭ ଉଠାଇ ମାତ୍ର ଏକ ପ୍ରତିଶତ ଲୋକ ବିଭିନ୍ନ ପ୍ରାକୃତିକ ସମ୍ପଦର ମାଲିକାନା ଜରିଆରେ ଦେଶର ୭୩ ପ୍ରତିଶତ ସମ୍ପତ୍ତିକୁ ନିଜ ଅକ୍ତିଆରକୁ ନେଇଛନ୍ତି । ‘ଘରେ ବସି ଟଙ୍କା ପାଇଲେ ଲୋକେ କୋଢିଆ ହୋଇଯିବେ’, ‘ଏ ଭଳି ଯୋଜନାରେ ଏତେ ଟଙ୍କା ବ୍ୟୟ ହେଲେ ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ପାଇଁ ଅର୍ଥର ଅଭାବ ଦେଖା ଦେଇ ଦେଶର ବିକାଶ ହାର କମିଯିବ’, ‘ଟଙ୍କା ବଣ୍ଟନ ମାଧ୍ୟମରେ ନୁହେଁ ବରଂ ଅର୍ଥନୀତିର ବିକାଶ ଜରିଆରେ ଦାରିଦ୍ର‌୍ୟ ଦୂରୀକରଣ ହୋଇପାରିବ’ ଆଦି କହୁଥିବା ଅର୍ଥନୀତିଜ୍ଞମାନେ ମଧ୍ୟ ଏକମତ ହେବେ ଯେ ଭାରତରେ ଏ ଯାଏଁ ହୋଇଥିବା ବିକାଶର ଧାରା ମୁଷ୍ଟିମେୟ ପୁଞ୍ଜିପତିଙ୍କୁ ପୁଞ୍ଜି ଠୁଳ କରିବାରେ ସହାୟକ ହୋଇଛି ସିନା ଦାରିଦ୍ର‌୍ୟ ଦୂରୀକରଣରେ ସେତେଟା ପ୍ରଭାବୀ ହୋଇପାରିନାହିଁ । ତେଣୁ ଏହି ଅସମାନତାର ଖାଇକୁ କିଛିଟା ହ୍ରାସ କରିବା ପାଇଁ ସର୍ବନିମ୍ନ ଆୟ ବର୍ଗର ଲୋକଙ୍କୁ ସାମୟିକ ରୂପେ ସିଧାସଳଖ ନଗଦ ରାଶି ପ୍ରଦାନ କରାଯାଇପାରେ । ଅବଶ୍ୟ ଏହା ଏକ ସ୍ୱଳ୍ପକାଳୀନ ସମାଧାନ ପନ୍ଥା ହୋଇଥିଲେ ମଧ୍ୟ ଗାଁ ଗଣ୍ଡାରେ ଲୋକଙ୍କ କ୍ରୟ ଶକ୍ତି ଉତ୍କଟ ଭାବେ ହ୍ରାସ ପାଇ ଅର୍ଥନୀତିକୁ ସ୍ଥାଣୁ କରି ଦେଇଥିବାରୁ ଏହି ପନ୍ଥାକୁ ଗ୍ରହଣ କରିବା ଏକ ବାଧ୍ୟବାଧକତା ହୋଇପାରେ

କେଉଁ ତଥ୍ୟ ଭିତ୍ତିରେ ‘ନ୍ୟାୟ’ ଯୋଜନାରେ ହିତାଧିକାରୀ ଚୟନ କରାଯିବ, ତାହା ସ୍ଥିର ହୋଇ ନଥିଲେ ମଧ୍ୟ ସମ୍ଭବତଃ ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ସାମାଜିକ, ଅର୍ଥନୈତିକ, ଜାତିଗତ ଜନଗଣନା (ଏସଇସିସି), ୨୦୧୧ ତଥ୍ୟକୁ ଆଧାର କରାଯାଇପାରେ । ବର୍ତ୍ତମାନ ‘ଉଜ୍ଜ୍ୱଳା’, ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ଆଦିର ହିତାଧିକାରୀ ଚୟନ ମଧ୍ୟ ଏହି ତଥ୍ୟ ଆଧାରରେ ହେଉଛି । ଏସଇସିସି ତଥ୍ୟ ଅନୁଯାୟୀ ସମଗ୍ର ଦେଶର ସର୍ବନିମ୍ନ ଆୟ ବର୍ଗରେ ଥିବା ସମୁଦାୟ ପରିବାରଙ୍କ ମଧ୍ୟରୁ ପ୍ରାୟ ଶତକଡା ୬ ଭାଗ ଓଡିଶାରେ ବସବାସ କରୁଥିବାରୁ ଏଠାକାର ଗରିବ ଲୋକେ ଅଧିକ ଲାଭାନ୍ୱିତ ହେବାର ସମ୍ଭାବନା ରହିଛି ଓ ସେମାନଙ୍କ ହାତକୁ ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କା ଆସିବାର ଆକଳନ କରା ଯାଇପାରେ । ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ତିନି ବର୍ଷର ବଜେଟ ୧୦ ହଜାର କୋଟି ଟଙ୍କା, ଅର୍ଥାତ ବର୍ଷକୁ ପ୍ରାୟ ୩୫୦୦ କୋଟି ଟଙ୍କା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ‘ପିଏମ-କିସାନ’ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ଦିଆଯାଉଥିବାରୁ ଓଡିଶା ଚାଷୀଙ୍କ ହାତକୁ ବାର୍ଷିକ ସର୍ବାଧିକ ୨୦୦୦ରୁ ୨୫୦୦ କୋଟି ଟଙ୍କା ଆସିପାରେ । ଅର୍ଥାତ, ‘କାଳିଆ’ ଓ ‘ପିଏମ-କିସାନ’ ଯୋଜନାରେ ଓଡିଶା ବାସୀଙ୍କୁ ମିଳିବାକୁ ଥିବା ସହାୟତା ରାଶିର ଯଥାକ୍ରମେ ପ୍ରାୟ ୬ ଓ ୮ ଗୁଣରୁ ଅଧିକ ସହାୟତା ‘ନ୍ୟାୟ’ ଯୋଜନାରୁ ମିଳିପାରେ ।

ଆୟକୁ ଆଧାର କରି ହିତାଧିକାରୀ ଚିହ୍ନଟ କରିବା ଓ ପରିବାରର ଆୟ ଭିତ୍ତିରେ ସଠିକ ସହାୟତା ପ୍ରଦାନ କରିବା, ଯୋଜନାର ସଫଳ ରୂପାୟନ ପ୍ରତି ଏକ ବଡ ଆହ୍ୱାନ ସୃଷ୍ଟି କରିବ । ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାର ଲାଭକୁ ହାତେଇବା ପାଇଁ ଅଯୋଗ୍ୟ ଲୋକେ ପ୍ରୟାସ କରିବେ, କିଛି ହଡପ କରିବାକୁ ସମର୍ଥ ହେବେ ମଧ୍ୟ, ଯାହାକୁ ପ୍ରତିହତ କରିବାକୁ ହେବ । କୌଣସି ପରିବାରର ମାସିକ ଆୟ ୧୨ ହଜାର ଟଙ୍କାରୁ ଅଧିକ ହେଲେ ସହାୟତା ପ୍ରଦାନ ବନ୍ଦ କରିିବା ପ୍ରାବଧାନ ଥିବାରୁ ସେ ନେଇ ନିରନ୍ତର ନିବିଡ ନିରୀକ୍ଷଣର ଆବଶ୍ୟକତା ରହିଛି ।

ପ୍ରତିମାସ ୧୨ ହଜାର ଟଙ୍କା ରୋଜଗାରର ଗ୍ୟାରେଣ୍ଟି ଗରିବ ଲୋକଙ୍କୁ ଆକର୍ଷିିତ କରି ନିର୍ବାଚନ ରଣାଙ୍ଗନରେ ଖେଳକୁ ବଦଳାଇ ପାରିବାର ସମସ୍ତ ଉପାଦାନ ଓ କ୍ଷମତା ଭରି ରହିଛି ଏଇ ‘ନ୍ୟାୟ’ ଯୋଜନାରେ । ତେବେ ଯୋଜନା ପ୍ରତି ସାଧାରଣ ଭୋଟରଙ୍କର ପ୍ରତ୍ୟୟ ସୃଷ୍ଟି କରିବାକୁ ହେଲେ ଯୋଜନାକୁ ନେଇ ଉଙ୍କି ମାରୁଥିବା କେତେକ ପ୍ରଶ୍ନର ଉତ୍ତର ଉପସ୍ଥାପନ ହେବା ଉଚିତ । ଯେ ପର୍ଯ୍ୟନ୍ତ ଯୋଜନା ସମ୍ପର୍କରେ ମତଦାତା ଅବଗତ ହୋଇନାହାନ୍ତି, ସେ ଯାଏଁ ଏହା ହୁଏତ ଏକ ସଫଳ ନିର୍ବାଚନୀ ଆୟୁଧ ପାଲଟି କଂଗ୍ରେସ ଦଳକୁ ଇପସିତ ନିର୍ବାଚନୀ ଲାଭାଂଶ ପ୍ରଦାନ କରିବାକୁ ସମର୍ଥ ହୋଇ ନପାରେ ।

Published in Odia Daily Sambad on April 03, 2019.

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...