ଗତ କିଛି ବର୍ଷ ଧରି ଦୀପାବଳି ଆସିଲେ ଦେଶବାସୀଙ୍କୁ ଚୀନରୁ ଆସୁଥିବା ବାଣ, ଆଲୁଅ ଆଦି କିଣିବାକୁ ବାରଣ କରୁଥିବା ହ୍ୱାଟସଆପ୍ ମ୍ୟାସେଜର ବନ୍ୟା ଛୁଟେ। କାରଣ ହେଲା, ଚୀନ ଆମ ଶତୃଦେଶ; ତେଣୁ ଆମେ କିଣୁଥିବା ପ୍ରତିଟି ଚୀନ ପ୍ରସ୍ତୁତ ସାମଗ୍ରୀ ଦ୍ୱାରା ଲାଭ ଚୀନକୁ ଯାଏ। ପୁଣି ତାହା କୁଆଡ଼େ ସେଠାକାର ସୈନ୍ୟବାହିନୀକୁ ଶକ୍ତିଶାଳୀ କରି ପରୋକ୍ଷରେ ଆମ ଅହିତ ସାଧନର କାରଣ ହୋଇଥାଏ। ପ୍ରକାରାନ୍ତରେ ଆମ ଭିତରେ ସୁପ୍ତ ଜାତୀୟତାକୁ ଜାଗ୍ରତ କରିବାର ଏହା ଏକ ସାମୟିକ ପ୍ରୟାସ ଭଳି ଲାଗିଥାଏ। ତା’ପରେ ପୁଣି ସବୁ କିଛି ଗତାନୁଗତିକ ହୋଇଯାଏ। ଚୀନରୁ ଅବିର, ରଙ୍ଗ, ରାକ୍ଷୀ, ଠାକୁର ଠାକୁରାଣୀଙ୍କ ମୂର୍ତ୍ତି, କଣ୍ଢେଇ ଓ ବାଣ ଇତ୍ୟାଦି ଆସେ। ଘରକରଣା ଜିନିଷଠୁ ନେଇ ମୋବାଇଲ ଫୋନ ଓ ଯାନବାହନ ପର୍ଯ୍ୟନ୍ତ ସବୁ କିଛି ଆସେ। ବରଂ ପଚରାଯିବା ଉଚିତ କ'ଣ ନ ଆସେ? ସେହି କାରଣରୁ ଗଲା ୧୧ ବର୍ଷ ଭିତରେ ଚୀନରୁ ଭାରତକୁ ଆମଦାନୀ ଦୁଇଗୁଣରୁ ଅଧିକ ହୋଇଛି। ୨୦୧୪ ଆର୍ଥିକ ବର୍ଷରେ ଚୀନରୁ ଭାରତକୁ ଆମଦାନୀର ପରିମାଣ ଥିଲା ମାତ୍ର ୫୧୦୩ କୋଟି ଡଲାର. ଯାହା ୨୦୨୫ ଆର୍ଥିକ ବର୍ଷରେ ହେଲାଣି ୧୧୩୪୦ କୋଟି ଡଲାର। ଅପର ପକ୍ଷରେ ୨୦୧୪ ଆର୍ଥିକ ବର୍ଷରେ ଭାରତରୁ ଚୀନକୁ ହୋଇଥିବା ୧୭୦୩ କୋଟି ଡଲାରର ରପ୍ତାନୀ ୨୦୨୫ ବେଳକୁ ଓଲଟି ହ୍ରାସ ପାଇ ପହଞ୍ଚିଛି ୧୪୧୩ କୋଟି ଡଲାରରେ, ଅର୍ଥାତ୍ ରପ୍ତାନୀ ପ୍ରାୟ ୧୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ଚୀନରୁ ହେଉଥିବା ଆମଦ...