ପ୍ରତିବର୍ଷ ମାର୍ଚ୍ଚ ୨୭ ଦିନଟିକୁ ବିଶ୍ୱ ନାଟ୍ୟ ଦିବସ ରୂପେ ପାଳନ କରାଯାଇଥାଏ ଓ ଇଣ୍ଟରନ୍ୟାସନାଲ ଥିଏଟର ଇନଷ୍ଟିଚ୍ୟୁଟ ଦ୍ୱାରା ଏହି ଦିବସରେ ବିଶ୍ୱର ଜଣେ ପ୍ରମୁଖ ନାଟ୍ୟ ବ୍ୟକ୍ତିତ୍ୱଙ୍କ ଏକ ବାର୍ତ୍ତା ବିଭିନ୍ନ ଭାଷାରେ ଅନୁଦିତ ହୋଇ ନାଟ୍ୟପ୍ରେମୀଙ୍କ ନିକଟରେ ପହଞ୍ଚାଇ ଦିଆଯାଇଥାଏ । ୨୦୨୩ରେ ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ବାର୍ତ୍ତା ପ୍ରଦାନ କରିଛନ୍ତି ମିଶରର ୯୧ ବର୍ଷୀୟା ଅଭିନେତ୍ରୀ ସମିହା ଆୟୁବ । ଏହି ଅବସରରେ ମିଶରର ସମୃଦ୍ଧ ନାଟ୍ୟ ପରମ୍ପରା ତଥା ସମିହାଙ୍କ ଭଳି ଜଣେ ଉଚ୍ଚକୋଟିର କଳାକାରଙ୍କର ସୁଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ପରିବ୍ୟାପ୍ତ କଳାଜୀବନ ସମ୍ପର୍କରେ ଅନ୍ତତଃ କିଞ୍ଚିତ୍ ଜାଣିବାର ଅବକାଶ ସୃଷ୍ଟି ହୋଇଛି । ପ୍ରାଚୀନ ଗ୍ରୀସକୁ ରଙ୍ଗମଞ୍ଚର ଏନ୍ତୁଡ଼ିଶାଳ ରୂପେ ଗ୍ରହଣ କରାଯାଇଥାଏ । ତେବେ ମିଶରର ଅକ୍ସିରାଇଙ୍କୋସଠାରେ ଉତଖନନ ପରେ ମିଳିଥିବା ଏକ ରଙ୍ଗମଞ୍ଚରେ ଏକାକଳୀନ ୧୦୦୦୦ ଦର୍ଶକ ବସି ପ୍ରଦର୍ଶନ ଉପଭୋଗ କରିପାରୁଥିବାର ଜଣାଯାଏ । ସେତେବେଳେ ମିଶର ରୋମାନ ସାମ୍ରାଜ୍ୟର ଅଂଶବିଶେଷ ଥିବାରୁ ଏହି ରଙ୍ଗମଞ୍ଚଟିରେ ଉଭୟ ଗ୍ରୀକ୍ (ଅର୍ଦ୍ଧବୃତ୍ତାକାର ଦର୍ଶକଙ୍କ ବସିବା ସ୍ଥାନ) ଓ ରୋମାନ ଶୈଳୀ (ଆସନ ତଳେ ସୁଡ଼ଙ୍ଗ)ର ସମ୍ମିଶ୍ରଣ ଦେଖିବାକୁ ମିଳିଥାଏ । ଖ୍ରୀଷ୍ଟପୂର୍ବ ୩୨୩ରେ ସମ୍ରାଟ ଆଲେକଜାଣ୍ଡାରଙ୍କ ଦ୍ୱାରା ମିଶର ଅଧିକୃତ ହେବା ପରେ ସେଠାକୁ ଗ୍ରୀକ ନାଟକ ଆସିଥିଲା ବୋଲି କୁହାଯାଏ । ଅର୍ଥାତ୍ ...