ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ହେଉଥିବା ଉପ-ନିର୍ବାଚନରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନେ ସେମାନଙ୍କ ଖରିଫ ୨୦୨୧ର ପ୍ରାପ୍ୟ ବୀମା ଦେୟ ଦୀର୍ଘ କାଳ ପରେ ମଧ୍ୟ ନ ପାଇବା, କୌଣସି ଯୁକ୍ତିଯୁକ୍ତ କାରଣ ନ ଦର୍ଶାଇ ସେମାନଙ୍କୁ ବୀମା ଦେୟ ପାଇବାରୁ ବଞ୍ଚିତ କରିବା ଆଦି ପ୍ରସଙ୍ଗ ଚାଷୀମାନଙ୍କ ଗଣ ଅସନ୍ତୋଷର କାରଣ ପାଲଟି ଏକ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ହୋଇଥିବା ବେଳେ ଏଥିପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପରସ୍ପରକୁ ଦୋଷାରୋପ କରିବା ଭଳି ସ୍ଥିତି ଯୋଜନାର ଉଦ୍ଦେଶ୍ୟ ସାଧନ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଚାଷୀ ଅସନ୍ତୋଷ ଦେଖା ଦେଉଛି । ରାଜ୍ୟ ସରକାରଙ୍କ ଅନୁସାରେ ଖରିଫ ୨୦୨୧ରେ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ ଓ ୧୫ଟି ପୌରାଞ୍ଚଳର ୨୬୩୫୬୦ ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ଅନେକ କ୍ଷତିଗ୍ରସ୍ତ ଚାଷୀ ବୀମା ଦେୟ ପାଇ ନଥିବାରୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାର ଉଦ୍ୟମ କରି ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁତରାଂ ଏଭଳି ସମସ୍ୟାର ସମୀକ୍ଷା ଓ ପୁନର୍ବିବେଚନାର ଆବଶ୍ୟକତା ରହିଛି ବୋଲି ମନେ ହୋଇଥାଏ । ଖରିଫ ୨୦୧୬ରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ୟ୍ୟକା...