Skip to main content

ପାଞ୍ଚ ଟ୍ରିଲିଅନ ବ୍ୟାଙ୍କ ଠକେଇ

ଅନେକଙ୍କର ଧାରଣା ବିଜୟ ମାଲ୍ୟା, ନୀରବ ମୋଦୀ, ମେହୁଲ ଚୋକସିଙ୍କ ଭଳି କୁଖ୍ୟାତ ବ୍ୟବସାୟୀ ଓ ଅପରାଧୀମାନେ ୟୁପିଏ ଅମଳରେ ଅନୈତିକ ଭାବେ ଋଣ ନେଇ ଭାରତୀୟ ବ୍ୟାଙ୍କଗୁଡିକୁ ହଜାର ହଜାର କୋଟି ଟଙ୍କା ଠକେଇ ବିଦେଶକୁ ପଳାଇ ଯିବା ପରେ ବ୍ୟାଙ୍କସମୂହ ଓ ସରକାରଙ୍କ ସତର୍କତା ଯୋଗୁ ବୋଧହୁଏ ଭାରତରେ ବ୍ୟାଙ୍କ ଠକେଇ ଯଥେଷ୍ଟ ହ୍ରାସ ପାଇଛି । ହେଲେ ସ୍ଥିତି ସମ୍ପୂର୍ଣ୍ଣ ବିପରୀତ । ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୦-୨୧ ବର୍ଷରେ ବ୍ୟାଙ୍କ ଠକେଇର ପରିମାଣ ମୋଟ ପ୍ରାୟ ୫ ଲକ୍ଷ କୋଟି (ଟ୍ରିଲିଅନ) ଛୁଇଁବାକୁ ଯାଉଛି । ବ୍ୟାଙ୍କ ଠକେଇର ପରିମାଣ ୨୦୧୯-୨୦ ବର୍ଷରେ ୧,୮୫,୪୬୮ କୋଟି ଟଙ୍କା ଥିଲା, ଯାହା ୨୦୨୦-୨୧ରେ ହ୍ରାସ ପାଇ ୧,୩୮,୪୨୨ କୋଟି ଟଙ୍କା ହୋଇଛି, ଯଦ୍ଦ୍ୱାରା ସର୍ବମୋଟ ବ୍ୟାଙ୍କ ଠକେଇର ପରିମାଣ ୪.୯୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅବଶ୍ୟ ରିଜର୍ଭ ବ୍ୟାଙ୍କ ତା’ର ହିସାବ ବର୍ଷକୁ ଜୁଲାଇ-ଜୁନ ବଦଳରେ ଅପ୍ରେଲ-ମାର୍ଚ୍ଚ ଯାଏଁ କରିଥିବାରୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୦୨୦-୨୧ ବର୍ଷ ପାଇଁ ପ୍ରଦତ୍ତ ତଥ୍ୟ ପୂରା ୧୨ ମାସର ନ ହୋଇ ଜୁଲାଇରୁ ମାର୍ଚ୍ଚ ଯାଏଁ ୯ ମାସ ପାଇଁ ଅଟେ । ସରକାର କୃଷି ଓ କୃଷକମାନଙ୍କ ପାଇଁ ଅନେକ ସବସିଡି ଓ ସୁବିଧା ସୁଯୋଗ ଦେଉଥିବା କଥା କୁହାଯାଇଥାଏ । ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୦-୨୧ ବଜେଟରେ କୃଷି, ସମବାୟ, କୃଷକ ମଙ୍ଗଳ ବିଭାଗ ପାଇଁ ଆବଣ୍ଟିତ ରାଶି ପ୍ରାୟ ୧.୨୩ ଲକ୍ଷ କୋଟି ଟଙ୍କା ହୋଇଥିଲା ବେଳେ ସେହି ବର୍ଷ ବ୍ୟାଙ୍କ ଠକେଇର ପରିମାଣ ତା’ଠାରୁ ଯଥେଷ୍ଟ ଅଧିକ ।  

୨୦୨୦-୨୧ରେ ହୋଇଥିବା ସମୁଦାୟ ୧.୩୮ ଲକ୍ଷ କୋଟି ଟଙ୍କାର ଠକେଇ ମଧ୍ୟରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ କ୍ଷତିର ପରିମାଣ ୮୧,୯୦୧ କୋଟି ଟଙ୍କା ବା ୫୯ ପ୍ରତିଶତ ହୋଇଥିଲା ବେଳେ ଘରୋଇ ବ୍ୟାଙ୍କଗୁଡିକର କ୍ଷତିର ପରିମାଣ ୪୬,୩୩୫ କୋଟି ଟଙ୍କା ବା ୩୩ ପ୍ରତିଶତ । ବିଦେଶୀ ବ୍ୟାଙ୍କଗୁଡିକରେ ଠକେଇର ପରିମାଣ ୩୩୧୫ କୋଟି ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକରେ ୬୮୩୯ କୋଟି ଟଙ୍କା ହୋଇଥିଲା । ସଂଖ୍ୟା ଦୃଷ୍ଟିରୁ ୨୦୧୯-୨୦ରେ ୮୭୦୩ଟି ଠକେଇ ହୋଇଥିଲା ଯାହା ୨୦୨୦-୨୧ରେ ୧୫ ପ୍ରତିଶତ ହ୍ରାସ ପାଇ ୭୩୬୩ରେ ପହଞ୍ଚିଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଠକେଇର ସଂଖ୍ୟା ପୂର୍ବ ବର୍ଷର ୪୪୧୦ ତୁଳନାରେ ହ୍ରାସ ପାଇ ୨୯୦୩ ହୋଇଛି । ଅନ୍ୟ ପକ୍ଷରେ ଘରୋଇ ବ୍ୟାଙ୍କରେ ସେହି ସଂଖ୍ୟା ୩୦୬୫ରୁ ବଢି ୩୭୧୦ ହେବା ଉଦବେଗଜନକ । ସାମଗ୍ରିକ ଭାବେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଯେଉଁ ୪.୯୨ ଲକ୍ଷ କୋଟି ଟଙ୍କାର ଠକେଇ ହୋଇଛି ତାହା ବ୍ୟାଙ୍କ ବ୍ୟବସ୍ଥାରେ ଥିବା ସମଗ୍ର ଋଣ ରାଶିର ପ୍ରାୟ ୪.୫ ପ୍ରତିଶତ । ସେଥିରୁ ୭୮,୦୭୨ କୋଟି ଟଙ୍କା ବା ୧୬ ପ୍ରତିଶତ କେବଳ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ହୋଇଥିବା ବେଳେ ତା ପଛକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (୩୯,୭୩୩ କୋଟି), ବ୍ୟାଙ୍କ ଅଫ ଇଣ୍ଡିଆ (୩୨,୨୨୪ କୋଟି) ଓ ୟୁନିଅନ ବ୍ୟାଙ୍କ (୨୯,୫୭୨ କୋଟି) ରହିଛି । ଅନ୍ୟ ପକ୍ଷରେ ଘରୋଇ ବ୍ୟାଙ୍କଗୁଡିକ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କରେ ଠକେଇର ପରିମାଣ ଟଙ୍କା ସର୍ବାଧିକ (୫.୩ ପ୍ରତିଶତ) ହୋଇଥିଲା ବେଳେ ତା ପଛକୁ ରହିଛି ୟେସ ବ୍ୟାଙ୍କ (୪.୦୨ ପ୍ରତିଶତ) ଓ ଆକ୍ସିସ ବ୍ୟାଙ୍କ (୨.୫୪ ପ୍ରତିଶତ) । ବ୍ୟାଙ୍କ ଠକେଇର ପ୍ରାୟ ୯୯ ପ୍ରତିଶତ ଋଣଗ୍ରହୀତାଙ୍କ ଦ୍ୱାରା ସଂଘଟିତ ହୋଇଛି । ଅର୍ଥାତ୍, ଜମା, ଇଣ୍ଟରନେଟ, ଏଟିଏମ କାର୍ଡ, ଜାଲ ନୋଟ ଓ ବାଲାନ୍ସ ସିଟ ବହିର୍ଭୁତ ଠକେଇ ଆଦି ହେଉଥିଲେ ବି ତାହା ପରିମାଣ ଦୃଷ୍ଟିରୁ ପୂର୍ବ ବର୍ଷଗୁଡିକ ତୁଳନାରେ ନଗଣ୍ୟ ।

ବ୍ୟାଙ୍କ ଠକେଇରେ କେବଳ ୧ ଲକ୍ଷ ଟଙ୍କା ବା ତା’ଠାରୁ ଅଧିକ ପରିମାଣର ଠକେଇକୁ ହିସାବକୁ ନିଆ ଯାଇଥିବାରୁ ଠକେଇର ପରିମାଣ ଓ ସଂଖ୍ୟା ସାମାନ୍ୟ ଅଧିକ ହୋଇପାରେ । ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ଠକେଇ ସଂଘଟିତ ହେବା ତାରିଖ ଓ ତାହା ଜଣା ପଡିବା ତାରିଖ ମଧ୍ୟରେ ସମୟ ବ୍ୟବଧାନ ୧ ଲକ୍ଷ ଟଙ୍କାରୁ ଅଧିକ ଠକେଇଗୁଡିକ କ୍ଷେତ୍ରରେ ହାରାହାରି ୨୩ ମାସ ଲାଗୁଛି, ଯାହା ପୂର୍ବ ବର୍ଷ ୨୪ ମାସ ଥିଲା । ସେହିପରି ୧୦୦କୋଟି ଟଙ୍କା ବା ତଦୂର୍ଦ୍ଧ୍ୱ ପରିମାଣର ଠକେଇ ଜଣା ପଡିବା ପାଇଁ ହାରାହାରି ଠକେଇ ସଂଘଟିତ ହେବା ପରେ ୪ ବର୍ଷ ୯ ମାସ ସମୟ ଲାଗୁଛି, ଯାହା ପୂର୍ବ ବର୍ଷ ୫ ବର୍ଷ ୩ ମାସ ଲାଗୁଥିଲା । ୨୦୦୮-୦୯ରୁ ୨୦୧୮-୧୯ ଏଗାର ବର୍ଷ ମଧ୍ୟରେ ସମୁଦାୟ ବ୍ୟାଙ୍କ ଠକେଇର ପରିମାଣ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ କେବଳ ଗତ ଦୁଇ ବର୍ଷରେ ଠକେଇର ପରିମାଣ ୩ ଲକ୍ଷ କୋଟି ଟଙ୍କାରୁ ବି ଅଧିକ ହୋଇଛି । ଠକେଇ ସଂଘଟିତ ହେବାର ହାରାହାରି ୪ ବର୍ଷ ୯ମାସ ମଧ୍ୟରେ ତାହା ଜଣା ପଡିଥିବାରୁ, ଅଧିକାଂଶ ଠକେଇ ଏନଡିଏ ସରକାର ଅମଳରେ ହୋଇଛି ବୋଲି ଜଣାପଡୁଛି । ତେବେ ଠକେଇଗୁଡିକ ଚିହ୍ନଟ ହେବାରେ ବିଳମ୍ୱ ହେବାର ପ୍ରମୁଖ କାରଣଗୁଡିକ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ପୂର୍ବ ଚେତାବନୀ ସଂକେତ (ଇଡବଲ୍ୟୁଏସ) ଗୁଡିକର ଦୁର୍ବଳ ଅନୁପାଳନ, ଆଭ୍ୟନ୍ତରୀଣ ଅଡିଟ ସମୟରେ ପୂର୍ବ ଚେତାବନୀ ସଂକେତଗୁଡିକ ପ୍ରତି ଗୁରୁତ୍ୱ ନ ଦେବା ବା ଅଣଦେଖା କରିବା, ଅସମ୍ପୂର୍ଣ୍ଣ ଅଡିଟ ରିପୋର୍ଟ, ଋଣଗ୍ରହୀତାଙ୍କ ଦ୍ୱାରା ଅସହଯୋଗିତା ଆଦି ବୋଲି ଦର୍ଶାଯାଇଥାଏ । କୁଆଡେ ୟୁପିଏ ସରକାରଙ୍କ ଅମଳରେ ଲୋନଗୁଡିକ ଫୋନ ବ୍ୟାଙ୍କିଙ୍ଗ ଜରିଆରେ ଦିଆ ଯାଉଥିଲା ବୋଲି ପୂର୍ବରୁ କଟାକ୍ଷ କରା ଯାଉଥିଲା, ଯାହା ସତ ବି ହୋଇପାରେ । ତେବେ ଏବର ଠକେଇ ପରିମାଣ ୟୁପିଏ ଅମଳ ଅପେକ୍ଷା ଯଥେଷ୍ଟ ଅଧିକ ହୋଇ ସାରିଥିବାରୁ ଏବେ ବି କ’ଣ ଲୋନଗୁଡିକ ଫୋନ ବ୍ୟାଙ୍କିଙ୍ଗ ଜରିଆରେ ଦିଆଯିବା ବଳବତ୍ତର ରହିଛି ବୋଲି କହି ହେବ ?

ବ୍ୟାଙ୍କ ଠକେଇର ପରିମାଣ ବଢି ବଢି ଚାଲିବା ଉଦବେଗଜନକ ହେଲେ ବି ନିକଟ ଅତୀତରେ ଠକେଇକୁ ତୁରନ୍ତ ଚିହ୍ନଟ କରିବା ପାଇଁ ନିଆ ଯାଇଥିବା କେତେକ ପଦକ୍ଷେପ ଯୋଗୁ ବ୍ୟାଙ୍କଗୁଡିକ ଠକେଇ ସମ୍ପର୍କରେ ଆଗ ଅପେକ୍ଷା ଅଧିକ ଓ ଶୀଘ୍ର ସୂଚନା ଦେଉଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୦୧୮ରେ ଜାରି ନିର୍ଦ୍ଦେଶିକା ଅନୁସାରେ ୫୦ କୋଟି ଟଙ୍କାରୁ ଅଧିକ ପରିମାଣର ଏନପିଏ ହେଲେ ତାକୁ ସମ୍ଭାବିତ ଠକେଇ ଶ୍ରେଣୀରେ ରଖି ସେଥି ପାଇଁ 100 ପ୍ରତିଶତ ପ୍ରଭିଜନ କରି ସ୍ୱତନ୍ତ୍ର ଭାବେ ତଦାରଖ କରିବା ଏବେ ବ୍ୟାଙ୍କଗୁଡିକ ଲାଗି ବାଧ୍ୟତାମୂଳକ ହୋଇଛି । ଏପରିକି ସେଥିପାଇଁ ଏକ 'ସେଣ୍ଟ୍ରାଲ ଫ୍ରଡ ରେଜିଷ୍ଟ୍ରୀ' ସ୍ଥାପିତ ହୋଇ ସେହି ଖାତାଗୁଡିକ ଉପରେ କଡା ନଜର ରଖାଯାଉଛି । ଏଥି ସହ ସିଭିସିଙ୍କ ପରାମର୍ଶ କ୍ରମେ ରିଜର୍ଭ ବ୍ୟାଙ୍କ ଏକ 'ଆଡଭାଇଜରି ବୋର୍ଡ ଫର ବ୍ୟାଙ୍କିଙ୍ଗ ଫ୍ରଡସ' (ଏବିବିଏଫ)ର ଗଠନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ୩.୩୮ ଲକ୍ଷ ନିଷ୍କ୍ରିୟ କମ୍ପାନୀଙ୍କ ବ୍ୟାଙ୍କ ଖାତାକୁ ଅଚଳ କରାଯାଇଛି । ତେବେ ଏତେ ସବୁ ପଦକ୍ଷେପ ସତ୍ତ୍ୱେ ବ୍ୟାଙ୍କ ଠକେଇ ଉଲ୍ଲେଖନୀୟ ହ୍ରାସ ନ ପାଇବାର ଅର୍ଥ ସରକାର, ରିଜର୍ଭ ବ୍ୟାଙ୍କ ଓ ବ୍ୟାଙ୍କଗୁଡିକ ଡାଳରେ ଡାଳରେ ଗଲା ବେଳେ ଧୂର୍ତ୍ତ ଠକମାନେ ବୋଧେ ପତ୍ରରେ ପତ୍ରରେ ଯାଇ ଠକିବାକୁ ସକ୍ଷମ ହେଉଛନ୍ତି ।      

ଭାରତରେ ଏତେ ପରିମାଣର ବ୍ୟାଙ୍କ ଠକେଇ ହେବା ନିଶ୍ଚିତ ଭାବେ ଚିନ୍ତାଜନକ, କାରଣ ଏହି ଧରଣର ଅର୍ଥନୈତିକ ଅପରାଧ ବିଭିନ୍ନ ଦୃଷ୍ଟିରୁ ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ । ଠକେଇରେ କେବଳ କିଛି ଟଙ୍କାର କ୍ଷତି ହୋଇଥାଏ ବୋଲି କହିବା ଭୁଲ ହେବ । ଏଥିରେ ହେଉଥିବା କ୍ଷତି କେବଳ କ୍ଷତିର ପରିମାଣ ବା କ୍ଷତିରେ ଶିକାର ବ୍ୟକ୍ତି ବା ଅନୁଷ୍ଠାନ ପର୍ଯ୍ୟନ୍ତ ସୀମିତ ରହି ନ ଥାଏ । ଏହା ଦେଶର ଆର୍ଥିକ ସ୍ଥିରତାକୁ ବିପର୍ଯ୍ୟସ୍ତ କରିବା ସହ ଅର୍ଥନୈତିକ ବିକାଶର ଗତିରେ ବାଧା ଉତ୍ପନ୍ନ କରିଥାଏ । ଏପରିକି ସ୍ଥଳ ବିଶେଷରେ ଠକେଇ ଟଙ୍କା ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କ ନିକଟରେ ପହଞ୍ଚି ଜାତୀୟ ସୁରକ୍ଷା ମଧ୍ୟ ବିପଦଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଥାଏ । ଅନେକ କ୍ଷେତ୍ରରେ ଠକେଇରେ ଶିକାର ବ୍ୟକ୍ତି ବିଶେଷଙ୍କର ଠକେଇ ଯୋଗୁ ପ୍ରାଣହାନି ହୋଇଥିବାର ଖବର ମିଳୁଥିବା ବେଳେ ହଜାର ହଜାର ସଂଖ୍ୟାରେ ନାଗରିକଙ୍କ ସମ୍ପତ୍ତି ହାନି ହୋଇଥାଏ । ଏହି ପ୍ରଭାବ କେବଳ ମୁଷ୍ଟିମେୟ ବଡ ବ୍ୟାଙ୍କ ଠକେଇ ପର୍ଯ୍ୟନ୍ତ ସୀମିତ ନ ରହି ସମାଜର ବିଭିନ୍ନ ବର୍ଗକୁ ବ୍ୟାପୁଥିବାର ପରିଲକ୍ଷିତ ହେଉଛି । ଉଦାହରଣ ସ୍ୱରୂପ, ଏନସିଆରବି ତଥ୍ୟ ଅନୁଯାୟୀ ଦେଶରେ ୨୦୧୪ ମସିହାରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ୧୧୦ ଜଣ ଅର୍ଥନୈତିକ ଅପରାଧ ସହ ସମ୍ପୃକ୍ତ ଥିବା ବେଳେ ୨୦୧୭ରେ ସେହି ସଂଖ୍ୟା ୧୧୧.୩କୁ ବୃଦ୍ଧି ପାଇଛି ।

ଆଗ ଅପେକ୍ଷା ଏଣିକି ବ୍ୟାଙ୍କ ଠକେଇ ଶୀଘ୍ର ଚିହ୍ନଟ ହେଉଛି ବୋଲି କହି ଆଉ କେତେ ଦିନ ପିଠି ଥାପୁଡାଇ ହେବା ! ଠକେଇ ଶୀଘ୍ର ଚିହ୍ନଟ ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ ତା'ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଠକେଇକୁ ପ୍ରତିହତ କରିବା ବା ଠକେଇ ହେବାକୁ ନ ଦେବା । ରିଜର୍ଭ ବ୍ୟାଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଠକେଇକୁ ନିୟନ୍ତ୍ରଣ କରିବା ପାଇଁ ଏତେଗୁଡିଏ ପଦକ୍ଷେପ ଗ୍ରହଣ କରିଥିଲେ ବି ତାହା ଠକେଇ ନିୟନ୍ତ୍ରଣ କରିବାରେ ସେ ଭଳି ପ୍ରଭାବୀ ହେଉ ନାହିଁ କାହିଁକି,  ତାହା ତର୍ଜମା ହେବା ଆବଶ୍ୟକ । ଦେଶକୁ ୨୦୨୪-୨୫ ସୁଦ୍ଧା ପା଼ଞ୍ଚ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ତ ନିର୍ଦ୍ଧାରିତ ସମୟରେ ପୂରଣ ହେବାର ସମ୍ଭାବନା ଦେଖା ଯାଉନାହିଁ, ହେଲେ ବ୍ୟାଙ୍କ ଠକେଇରେ ଦେଶ ନିଶ୍ଚିତ ଭାବେ ପାଞ୍ଚ ଟ୍ରିଲିଅନ ଟଙ୍କାର ଅଙ୍କକୁ ଛୁଇଁଛି, ଯାହା ଏକ ଲଜ୍ଜାଜନକ ଉପଲବ୍ଧି । ୨୦୧୯-୨୦ର ତଥ୍ୟ ଅନୁଯାୟୀ ପରିମାଣ ଦୃଷ୍ଟିରୁ ଦେଶରେ ହୋଇଥିବା ବ୍ୟାଙ୍କ ଠକେଇଗୁଡିକ ମଧ୍ୟରୁ ପ୍ରାୟ ୭୬ ପ୍ରତିଶତ ୫୦ଟି ବଡ ବଡ ଋଣଗ୍ରହୀତାଙ୍କ ଦ୍ୱାରା ହୋଇଛି । ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରୁଥିବା ଏପରି ବ୍ୟକ୍ତିବିଶେଷ ଦେଶଦ୍ରୋହୀଙ୍କଠାରୁ କୌଣସି ଗୁଣରେ ଊଣା ନୁହନ୍ତି । ତେଣୁ ପ୍ରତି ବର୍ଷ ଦେଶରେ ବ୍ୟାଙ୍କ ବ୍ୟବସ୍ଥାକୁ ଠକାଇଥିବା ୫୦ ଜଣ ସର୍ବବୃହଦ୍ ଠକଙ୍କ ନାମ ରିଜର୍ଭ ବ୍ୟାଙ୍କ ତରଫରୁ ସର୍ବସାଧାରଣରେ ପ୍ରକାଶ କରି ସେମାନଙ୍କୁ ନିନ୍ଦିତ କରିବାର ଆବଶ୍ୟକତା ରହିଛି । ଏଥି ସହ କେଉଁ ବଡ ଠକଠାରୁ ଠକିଥିବା କେତେ ପରିମାଣର ରାଶି ଆଦାୟ ହେଲା ତାହାର ସୂଚନା ରିଜର୍ଭ ବ୍ୟାଙ୍କ ପ୍ରତି ବର୍ଷ ପ୍ରଦାନ କରିବା ଆବଶ୍ୟକ । ସମଗ୍ର ବ୍ୟାଙ୍କ ବ୍ୟବସ୍ଥା ବିଶ୍ୱାସ ଓ ଭରସା ଉପରେ ପ୍ରତିଷ୍ଟିତ ହୋଇଥିବାରୁ ଘନ ଘନ ବ୍ୟାଙ୍କ ଠକେଇର ଖବର ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାଙ୍କ ବ୍ୟବସ୍ଥା ପ୍ରତି ସନ୍ଦେହ ଉତ୍ପନ୍ନ କରିଥାଏ, ଯାହା ବ୍ୟାଙ୍କଗୁଡିକର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବା ସହ ସେଗୁଡିକୁ ବିଶ୍ୱାସ ସଙ୍କଟର ଦ୍ୱାର ଦେଶକୁ ଠେଲି ଦେଇଥାଏ । ଯେ କୌଣସି ଦେଶର ଅର୍ଥନୀତିର ବିକାଶ ଅନେକାଂଶରେ ସେହି ଦେଶର ଏକ ବଳିଷ୍ଠ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ନିର୍ଭର କରିଥାଏ । ତେଣୁ ବ୍ୟାଙ୍କ ଠକେଇକୁ ଉଚିତ ଢଙ୍ଗରେ ପ୍ରତିହତ କରିବା ପାଇଁ ସରକାର, ରିଜର୍ଭ ବ୍ୟାଙ୍କ ଓ ବ୍ୟାଙ୍କଗୁଡିକୁ ଅବିଳମ୍ୱେ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଅନୁଭୂତ ହେଉଛି ।


Published in Odisha Reporter on July 31, 2021 



Comments

  1. Meticulously analysed . Govt in future may charge 5% Cess to each tax payer for recovery of this huge amount. Great Saral.

    ReplyDelete
  2. ଋଣ ଖିଲାପି ମାନଙ୍କୁ କଠୋର ଦଣ୍ଡ ଓ ସର୍ବସାଧାରଣରେ ନିନ୍ଦିତ କରିବା ଉଚିତ୍। ସେମାନଙ୍କର ସମସ୍ତ ସମ୍ପତ୍ତି ସରକାରୀ ଖାତାକୁ ଫେରାଇ ଆଣିବାକୁ ନିୟମ କରାଯାଉ। ନ୍ୟାଳୟ ମାନେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ।

    ReplyDelete
  3. The issue of banking fraud is very well analysed with published facts and figures. It is evident from the data that the claim of controlling black money (fraud) sounds hollow.




    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍