ସମ୍ୱିଧାନର ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରର ମୁଖ୍ୟାଧାରାର ୮ଟି ରାଜନୈତିକ ଦଳର ୧୪ ଜଣ ନେତାଙ୍କ ସହ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଠକଟିକୁ ଗୁରୁତ୍ୱ ପ୍ରଦାନ କରା ଯାଉଥିବା ବେଳେ ଏହି ବୈଠକରେ ଜାମ୍ମୁ ଓ କାଶ୍ମୀର ତା’ର ପୂର୍ବ ରାଜ୍ୟ ମାନ୍ୟତା ଫେରି ପାଇବା ଆଲୋଚନାର ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ହୋଇଥିଲା । ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ଆଇନ, ୨୦୧୯ ଅନୁଯାୟୀ ପୂର୍ବତନ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ବିଭାଜିତ କରି ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ନାମକ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରା ଯାଇଥିଲା । ଜାମ୍ମୁ ଓ କାଶ୍ମୀରର ରାଜ୍ୟ ମାନ୍ୟତା ଫେରସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି ଥିଲା ଯେ ତାହା ଉପଯୁକ୍ତ ସମୟରେ ହେବ । ଏଥି ପୂର୍ବରୁ ରାଜ୍ୟ ବିଧାନସଭାର ନିର୍ବାଚନ ମଣ୍ଡଳୀଗୁଡିକର ସୀମା ନିର୍ଦ୍ଧାରଣ ସମାପ୍ତ ହେବା ଓ ସେଥିପାଇଁ ରାଜନୈତିକ ଦଳଗୁଡିକ ସହଯୋଗ କଲେ ସୀମା ନିର୍ଦ୍ଧାରଣ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଗଣତାନ୍ତ୍ରିକ ପ୍ରକ୍ରିୟା ସୁଦୃଢ ହୋଇପାରିବ । ତେବେ ସେଠାରେ ରାଜ୍ୟ ମାନ୍ୟତା ଫେରସ୍ତ ସହ ସୀମା ନିର୍ଦ୍ଧାରଣ ପ୍ରସଙ୍ଗଟିକୁ କାହିଁକି ଯୋଡା ଯାଉଛି, ତାହା ମଧ୍ୟ ବୁଝିବାର ଆବଶ୍ୟକତା ରହିଛି । ଜନସଂଖ୍ୟାରେ ପରିବର୍ତ୍ତନ ସହ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀଗୁଡିକର ସୀମାରେ ପରିବର୍ତ୍ତନ କରା ଯାଉଥିବା ପ୍ରକ୍...