Skip to main content

ଭାରତ-ଚୀନ ସୀମା ଅସ୍ପଷ୍ଟ କାହିଁକି ?

ଭାରତ ଓ ଚୀନ ମଧ୍ୟରେ ଗଲଓ୍ୱାନ ଘାଟୀରେ ସାମରିକ ଉତ୍ତେଜନା ଲାଗି ରହି ୨୦ ଜଣ ଯବାନ ଶହୀଦ ହେଲା ପରେ ଚୀନ ଭାରତ ଭିତରକୁ ପଶି ଆସି ଭାରତର ଭୂମି ଦଖଲ କରିଛି ବୋଲି ଉପଗ୍ରହ ଚିତ୍ର ଆଧାରରେ ରକ୍ଷା ବିଶେଷଜ୍ଞମାନଙ୍କର ମତ l ଭାରତର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହି ସାରିଛନ୍ତି ଯେ ଚୀନ ଭାରତର ଇଞ୍ଚେ ବି ଭୂଭାଗ ନେଇନାହିଁ l ଏହାକୁ ଚୀନ ସମର୍ଥନ କରିବା ସହ ସେମାନେ ଯାହା କରୁଛନ୍ତି ନିଜ ଭୂଭାଗରେ କରୁଛନ୍ତି ବୋଲି କହିବାକୁ ପଛାଇ ନାହିଁ । ତେବେ ଏ ସମସ୍ତ ଉକ୍ତି ଅର୍ଦ୍ଧସତ୍ୟ ଉପରେ ଆଧାରିତ, କାରଣ ଚୀନ ସହ ଭାରତର ସୀମା ପ୍ରାୟ ୩୪୮୮ କିଲୋମିଟର ପରିବ୍ୟାପ୍ତ ହୋଇଥିଲେ ବି ଉଭୟ ଦେଶ ମଧ୍ୟରେ କୌଣସି ସୁନିର୍ଦ୍ଦିଷ୍ଟ ସୀମାରେଖା ନାହିଁ l ଭାରତର କିଛି ଅଞ୍ଚଳ ଚୀନ ମାଡି ବସିଛି ବୋଲି ଭାରତ କହୁଥିବା ବେଳେ ଚୀନର କିଛି ଅଞ୍ଚଳ ଭାରତ ଦଖଲରେ ଅଛି ବୋଲି ଚୀନର ଅଭିଯୋଗ l ଉଭୟ ଦେଶଙ୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳକୁ ଭିତ୍ତି କରି ସୀମାରେଖା ବଦଳରେ ଯାହା ଏବେ ଅଛି ତାହାର ବେଶି ଭାଗ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଭାବେ ବିଦିତ l ଯଦିଓ ଉଭୟ ଦେଶ ନିଜ ଦାବିରେ କାଏମ ରହିଛନ୍ତି ତଥାପି ମୋଟାମୋଟି ଭାବେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ର ବାସ୍ତବିକତାକୁ ଏକ ପ୍ରକାର ପରୋକ୍ଷରେ ଗ୍ରହଣ କରି ନେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ l ତେବେ ଉଭୟ ଦେଶର ସୀମାରେଖାକୁ ନେଇ ଥିବା ଅସ୍ପଷ୍ଟତା ହିଁ ଉତ୍ତେଜନା ବୃଦ୍ଧିର ପ୍ରଧାନ କାରଣ ହୋଇଥିବାରୁ ଏହି ଅସ୍ପଷ୍ଟତାର କାରଣ ବୁଝିବାର ଆବଶ୍ୟକତା ରହିଛି l

ଭାରତର ଯେଉଁ ପାଞ୍ଚଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସୀମା ଚୀନ ସହ ସଂଲଗ୍ନ ହୋଇଛି, ସେଗୁଡିକ ହେଲା ଲଦ୍ଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ  l ଏହି ସମଗ୍ର ଅ଼ଞ୍ଚଳଟି ସୁଉଚ୍ଚ ହିମାଳୟ ପର୍ବତ ଶ୍ରେଣୀର ଅନ୍ତର୍ଗତ l ଏହି ପ୍ରାୟ ସାଢେ ତିନି ହଜାର କିଲୋମିଟରର ସୀମାକୁ ମୋଟାମୋଟି ତିନି ଭାଗରେ ବିଭକ୍ତ କରା ଯାଇପାରେ - ପଶ୍ଚିମ କ୍ଷେତ୍ର, ମଧ୍ୟ କ୍ଷେତ୍ର ଓ ପୂର୍ବ କ୍ଷେତ୍ର l ଏଥି ମଧ୍ୟରୁ ୧୫୯୭ କିଲୋମିଟର ବା ପ୍ରାୟ ୪୬ ପ୍ରତିଶତ ସୀମା ‘ପଶ୍ଚିମ କ୍ଷେତ୍ର’ରେ ଅବସ୍ଥିତ l ଏହି କ୍ଷେତ୍ରଟି ଭାରତର ଲଦ୍ଦାଖ ଓ ଚୀନର ସିନଜାନ ପ୍ରଦେଶର ସୀମା ସଂଲଗ୍ନ l ଏହି କ୍ଷେତ୍ରରେ ବିବାଦିତ ‘ଅକସଇ ଚୀନ’ ଅଞ୍ଚଳଟି ଅବସ୍ଥିତ, ଯାହା ସମୁଦ୍ରପତ୍ତନଠାରୁ ପ୍ରାୟ ୧୪ ହଜାର ଫୁଟରୁ ଅଧିକ ଉଚ୍ଚତାରେ ସ୍ଥିତ ଓ ପ୍ରାୟ ୩୭ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଏକ ଜନମାନବଶୂନ୍ୟ ମରୁଭୂମି l ‘ଅକସଇ ଚୀନ’କୁ ଭାରତ ଲଦ୍ଦାଖର ଅଂଶ ବିଶେଷ ବୋଲି କହି ଆସୁଥିବା ବେଳେ ୧୯୬୨ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧରେ ଚୀନ ଏହାକୁ ଭାରତ ନିକଟରୁ ଛଡାଇ ନେଇ ନିଜ ଅକ୍ତିଆରରେ ରଖିବାକୁ ସମର୍ଥ ହୋଇଛି l କିନ୍ତୁ ଏବେ ବି ଭାରତ ଅକସଇ ଚୀନ ଉପରେ ତା’ର ଦାବିରୁ ଓହରି ନାହିଁ l ସେହି ଅଞ୍ଚଳଟି ଚୀନ ପାଇଁ ଅତ୍ୟଧିକ ସାମରିକ ଗୁରୁତ୍ୱ ବହନ କରୁଥିବାରୁ ସେ ମଧ୍ୟ ତାକୁ ହାତଛଡା କରିବାକୁ ଚାହୁଁନାହିଁ l ତେବେ ଉଭୟ ଦେଶ ଏହି ଅଞ୍ଚଳଟିକୁ ନିଜ ଅଞ୍ଚଳ ବୋଲି ଦାବି କରିବା ପଛରେ ଥିବା ଐତିହାସିକ ଯୁକ୍ତି ବି ପ୍ରଣିଧାନ ଯୋଗ୍ୟ l ୧୮୬୫  ମସିହାରେ ସର୍ଭେ ଅଫ ଇଣ୍ଡିଆର ପ୍ରଶାସନିକ ଅଧିକାରୀ ଉଇଲିୟମ ଜନସନ ‘ଅକସଇ ଚୀନ’କୁ କାଶ୍ମୀର ରାଜ୍ୟର ଅଂଶ ବିଶେଷ ବୋଲି ଦର୍ଶାଇ ଗାର ଟାଣି ଯେଉଁ ସୀମା ନିର୍ଦ୍ଧାରଣ କରିଥିଲେ ତାହା ‘ଜନସନ ଲାଇନ’ ଭାବେ ବିଦିତ l ଅବଶ୍ୟ ସେହି ମାନଚିତ୍ରଟିର ପ୍ରସ୍ତୁତିରେ ଚୀନକୁ ସାମିଲ କରା ଯାଇ ନଥିଲା କି ସେହିଟିକୁ ଚୀନକୁ ଦେଖା ଯାଇ ନଥିଲା, କାରଣ ସେତେବେଳେ ଡଙ୍ଗନ ବିଦ୍ରୋହ ଲାଗି ରହି ସିନଜାନ ପ୍ରଦେଶ ଚୀନର ପ୍ରତ୍ୟକ୍ଷ ନିୟନ୍ତ୍ରଣ ବାହାରେ ଥିଲା l ଅନ୍ୟ ପକ୍ଷରେ ମାନଚିତ୍ରଟିକୁ କାଶ୍ମୀରର ମହାରାଜାଙ୍କୁ ଦେଖାଯିବା ପରେ ସେ ଏହି ଅଞ୍ଚଳଟିକୁ ନିଜ ଅକ୍ତିଆରକୁ ନେବା ପାଇଁ ସହିଦୁଲ୍ଲାଠାରେ ଏକ ଦୁର୍ଗ ନିର୍ମାଣ କରି ସେଠାରେ ସୈନ୍ୟ ମୁତୟନ କରାଇଥିଲେ l ଇତିମଧ୍ୟରେ ଚୀନ ସିନଜାନକୁ ୧୮୭୮ରେ ପୁନଃଦଖଲ କରିବା ପରେ ସହିଦୁଲ୍ଲାକୁ ନିଜ ଅକ୍ତିଆରକୁ ନେଇ ୧୮୯୨ ସୁଦ୍ଧା କାରାକୋରମରେ ସୀମାକୁ ଚିହ୍ନିତ କରି ସାରିଥିଲା l ଚୀନ ‘ଜନସନ ଲାଇନ’କୁ ଗ୍ରହଣ କରି ନ ଥିଲେ ବି ୧୮୯୩ ଯାଏଁ ‘ଅକସଇ ଚୀନ’କୁ ନିୟନ୍ତ୍ରଣାଧୀନ କରିବା ଲାଗି ବ୍ୟଗ୍ର ନଥିଲା l ତେବେ କୁହାଯାଏ ରୁଷିଆର ପ୍ରରୋଚନାରେ ଚୀନ ୧୮୯୬ରେ ‘ଅକସଇ ଚୀନ’କୁ ନିଜ ଅକ୍ତିଆରକୁ ନେବାକୁ ଆଗ୍ରହ ଦେଖାଇଲା l ରୁଷିଆର ବିସ୍ତାରବାଦୀ ମନୋଭାବ ଓ ଚୀନ ଦୁର୍ବଳ ହୋଇ ପଡୁଥିବା ଦେଖି ବ୍ରିଟିଶ ସେନାଧିକାରୀ ସାର ଜନ ଅର୍ଡଗ ବ୍ରିଟିଶ-ଭାରତର ସୀମାକୁ ପ୍ରତିରକ୍ଷା ଦୃଷ୍ଟିରୁ ସୁଦୃଢ କରିବା ଲକ୍ଷ୍ୟରେ ୧୮୯୭ରେ ଜନସନ ଲାଇନରେ କେତେକ ସଂଶୋଧନ କଲେ, ଯାହା ‘ଜନସନ-ଅର୍ଡଗ ଲାଇନ’ ଭାବେ ବିଦିତ l ତେବେ ଚୀନ ଏହି ରେଖାଟିକୁ ବି ଗ୍ରହଣ କରି ନ ଥିଲା l

ଚୀନର ବରିଷ୍ଠ ଅଧିକାରୀଙ୍କ ସହ ବିଚାର ବିମର୍ଶ ପରେ ସିନଜାନର କାସଗରଠାରେ ଅବସ୍ଥାପିତ ବ୍ରିଟିଶ ବାଣିଜ୍ୟଦୂତ ଜର୍ଜ ମ୍ୟାକାର୍ଟନୀଙ୍କ ଦ୍ୱାରା କାରାକୋରମ ପର୍ବତମାଳାକୁ ପ୍ରାକୃତିକ ସୀମା ବୋଲି ଗ୍ରହଣ କରି ପ୍ରସ୍ତୁତ ଅନ୍ୟ ଏକ ମାନଚିତ୍ରରେ ଭାରତର ବଡଲାଟ  ଲର୍ଡ ଏଲଗିନ ସାମାନ୍ୟ ପରିବର୍ତ୍ତନ କଲେ ଯାହା ୧୮୯୯ରେ ବ୍ରିଟିଶ ଇଣ୍ଡିଆ ସରକାରଙ୍କ ଚୀନରେ ଅବସ୍ଥାପିତ ରାଷ୍ଟ୍ରଦୂତ ସାର କ୍ଲଡ ମ୍ୟାକଡୋନାଲ୍ଡଙ୍କ ଜରିଆରେ ଚୀନର ଚିଙ୍ଗ ଶାସକଙ୍କୁ ପ୍ରଦାନ କରାଗଲା l ଏହି ମାନଚିତ୍ରରେ  ‘ଅକସଇ ଚୀନ’କୁ ଚୀନର ଅଂଶ ଭାବେ ଦର୍ଶା ଯାଇଥିଲା ଓ ଏହି ସୀମାରେଖାଟି ‘ମ୍ୟାକାର୍ଟନୀ-ମ୍ୟାକଡୋନାଲ୍ଡ ଲାଇନ’ ବା ‘ମ୍ୟାକଡୋନାଲ୍ଡ ଲାଇନ’ ଭାବେ ବିଦିତ ହେଲା l ଏହି ରେଖାକୁ ଚୀନ ଆଧିକାରିକ ଭାବେ ଗ୍ରହଣ କରି ନ ଥିବାରୁ ପରବର୍ତ୍ତୀ ସମୟରେ ବ୍ରିଟିଶ ସରକାର ପୂର୍ବର ‘ଜନସନ-ଅର୍ଡଗ ଲାଇନ’କୁ ସୀମା ଭାବେ ଗ୍ରହଣ କରିବାକୁ ଲାଗିଲେ l ଅନ୍ୟ ପକ୍ଷରେ ‘ମ୍ୟାକଡୋନାଲ୍ଡ ଲାଇନ’ଟି ଚୀନ ଦ୍ୱାରା ଅନୌପଚାରିକ ଭାବେ ସୀମା ଭାବେ ଗୃହୀତ ହେବାକୁ ଲାଗିଲା l ସ୍ୱାଧୀନତା ପରେ ଭାରତ ‘ଜନସନ ଲାଇନ’କୁ ଆଧାର କରି ‘ଅକସଇ ଚୀନ’ ଭାରତର ବୋଲି ତା’ ଦାବିରେ ଅଟଳ ରହିଛି l ଅନ୍ୟ ପକ୍ଷରେ ଜନସନ ଲାଇନ ସ୍ଥିର ହେବାର ୩୪ ବର୍ଷ ପରେ ନିର୍ଦ୍ଧାରିତ ହୋଇଥିବା ‘ମ୍ୟାକଡୋନାଲ୍ଡ ଲାଇନ’କୁ ଅଧିକ ଯୁକ୍ତିସଙ୍ଗତ ବୋଲି କହି ତାକୁ ଆଧାର କରି ‘ଅକସଇ ଚୀନ’କୁ ଚୀନ ନିଜର ବୋଲି କହି ଆସୁଛି l ଅଧିକନ୍ତୁ, ‘ମ୍ୟାକଡୋନାଲ୍ଡ ଲାଇନ’ ଆଧାରରେ ପାକିସ୍ତାନ ଓ ଚୀନର ସୀମା ସଫଳତାର ସହ ନିର୍ଦ୍ଧାରଣ ହୋଇ ପାରିଥିବାରୁ ସେହି ଆଧାରରେ ପଶ୍ଚିମ କ୍ଷେତ୍ରରେ ଭାରତ ଓ ଚୀନ ମଧ୍ୟରେ ସୁରୁଖୁରୁରେ ସୀମା ନିର୍ଦ୍ଧାରଣ କରା ଯାଇପାରିବ ବୋଲି ଚୀନର ମତ l ଉଲ୍ଲେଖଯୋଗ୍ୟ, ଚୀନରେ କମ୍ୟୁନିଷ୍ଟ ଶାସିତ ପିପୁଲସ ରିପବ୍ଲିକ ଅଫ ଚାଇନା ପ୍ରତିଷ୍ଠିତ ହେବା ପରେ ୧୯୫୦ ମସିହାରେ ଚୀନ ସିନଜାନ ପ୍ରଦେଶରୁ ପଶ୍ଚିମ ତିବ୍ବତକୁ ସଂଯୋଗ କରି ଓ୍ୱେଷ୍ଟର୍ଣ୍ଣ ହାଇଓ୍ୱେର ନିର୍ମାଣ କାମ ଆରମ୍ଭ କଲା, ଯାହାର ପ୍ରାୟ ୧୮୦ କି.ମି. ‘ଅକସଇ ଚୀନ’ ଭିତର ଦେଇ ଯାଇଥିଲେ ବି ଭାରତ ସେ ସମ୍ପର୍କରେ ୧୯୫୭ ପର୍ଯ୍ୟନ୍ତ ଅବଗତ ନ ଥିଲା ଓ ଏହା ହିଁ ଥିଲା ୧୯୬୨ରେ ହୋଇଥିବା ଭାରତ-ଚୀନ ଯୁଦ୍ଧର ଏକ ପ୍ରମୁଖ କାରଣ l ସୀମାକୁ ନେଇ ଉଭୟ ଦେଶ ନିଜ ଦୃଷ୍ଟିକୋଣରେ ଅଟଳ ଥିବାରୁ ଏ ଯାଏଁ ଏହି ଅଞ୍ଚଳରେ ସୀମା ନିର୍ଦ୍ଧାରଣ ଚୂଡାନ୍ତ ହୋଇ ନ ପାରି ଅସ୍ପଷ୍ଟ ହୋଇ ରହିଛି l  ଏତଦବ୍ୟତୀତ ପଶ୍ଚିମ କ୍ଷେତ୍ରରେ ଡେମଚକ ଏକ ସୀମାନ୍ତବର୍ତ୍ତୀ ଗାଁ ଯେଉଁଠି ଭାରତର ସୈନ୍ୟ ମୁତୟନ ହୋଇ ରହିଥିଲେ ବି ଏହିଠାରେ ଭାରତୀୟ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ମଝିରେ ମଝିରେ ମୁହାଁମୁହିଁ ପରିସ୍ଥିତି ଉତ୍ପନ୍ନ ହୋଇଛି l ସେହିପରି ନିକଟରେ ଗଲଓ୍ୱାନ ଘାଟୀ ଓ ପେଙ୍ଗଙ୍ଗ ହ୍ରଦ ଇଲାକା ବି ଉତ୍ତେଜନାପୂର୍ଣ୍ଣ ସ୍ଥାନରେ ପରିଣତ ହୋଇଛି l ମନୋରମ ପେଙ୍ଗଙ୍ଗ ହ୍ରଦର ଦୁଇ-ତୃତୀୟାଂଶ ଚୀନ ନିକଟରେ ଥିବା ବେଳେ ଅବଶିଷ୍ଟ ଏକ-ତୃତୀୟାଂଶ ଭାରତ ନିକଟରେ ଅଛି l ଏହି ହ୍ରଦରେ ବି ଚୀନ ନିଜ ଦଖଲ ବଢାଇବାକୁ ଚେଷ୍ଟାରତ l   

ଲଦ୍ଦାଖର ଡେମଚକ ପରେ ନେପାଳ ସୀମା ଯାଏଁ ପରିବ୍ୟାପ୍ତ ସୁଦୀର୍ଘ ୫୪୫ କିଲୋମିଟର ବା ପ୍ରାୟ ୧୫ ପ୍ରତିଶତ ସୀମା ‘ମଧ୍ୟ କ୍ଷେତ୍ର’ ଭାବେ ବିଦିତ l ଏହି କ୍ଷେତ୍ରରେ ଚୀନ ସହ ହିମାଚଳ ପ୍ରଦେଶର ୨୦୦ କି.ମି. ଓ ଉତ୍ତରାଖଣ୍ଡର ୩୪୫ କି.ମି. ସୀମା ସଂଲଗ୍ନ l ତିନୋଟି କ୍ଷେତ୍ର ମଧ୍ୟରୁ ଏହି କ୍ଷେତ୍ରଟି ଅପେକ୍ଷାକୃତ ବିବାଦରହିତ l ତେବେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଥିବା ବାରାହଟି ଚାରଣ ଭୂମିକୁ ଚୀନ ଅତୀତରେ ଅନେକ ଥର ଅନୁପ୍ରବେଶ କରିସାରିଛି l ମଧ୍ୟ କ୍ଷେତ୍ର ପରେ ଭାରତ ଓ ଚୀନ ମଧ୍ୟରେ ନେପାଳ ଓ ଭୁଟାନ ଭଳି ଦୁଇଟି ଦେଶ ଥିବାରୁ ଏହି ଅଞ୍ଚଳରେ ଭାରତର ସୀମା ସିଧା ସଳଖ ଚୀନ ସହ ସଂଲଗ୍ନ ହୋଇନାହିଁ l ଚୀନ ସହ ନେପାଳର ସୀମା ୧୪୧୪ କି.ମି. ଥିବା ବେଳେ ଭୁଟାନ ସହ ୪୭୦ କି.ମି. ରହିଛି l

୧୩୪୬ କିଲୋମିଟର (୩୯ ପ୍ରତିଶତ) ବିଶିଷ୍ଟ ପୂର୍ବ କ୍ଷେତ୍ରର ସୀମାକୁ ଦୁଇ ଭାଗରେ ବିଭକ୍ତ କରା ଯାଇପାରେ - ସିକିମ ସଂଲଗ୍ନ ସୀମା ଓ ଅରୁଣାଚଳ ପ୍ରଦେଶ ସଂଲଗ୍ନ ସୀମା l ଉଲ୍ଲେଖଯୋଗ୍ୟ, ୧୯୭୫ରେ ସିକିମ ଭାରତରେ ବିଲୟ ହେବା ପୂର୍ବରୁ ଏକ ସ୍ୱତନ୍ତ୍ର ଦେଶ ଥିଲା ଓ ଏହା ଭାରତ ଓ ଚୀନ ମଧ୍ୟରେ ଏକ ବଫର ଦେଶର କାର୍ଯ୍ୟ କରୁଥିଲା l ସିକିମ ସହ ଚୀନର ପ୍ରାୟ ୨୨୦ କି.ମି. ସୀମା ସଂଲଗ୍ନ l ଏଥି ମଧ୍ୟରୁ ନାଥୁଲା ଓ ଚୋଲା ନିକଟରେ ଉଭୟ ସୈନିକଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାର ବିଭିନ୍ନ ସମୟରେ ଖବର ମିଳିଥାଏ l କିନ୍ତୁ ସିକିମକୁ ଲାଗି ଭାରତ, ଚୀନ ଓ ଭୁଟାନ ସୀମାର ତିନିଟି ଦେଶର ମିଳନ ସ୍ଥଳରେ ଅବସ୍ଥିତ ଡୋକଲାମ ଅଞ୍ଚଳକୁ ନେଇ ୨୦୧୭ରେ ଦେଖା ଦେଇଥିବା ବିବାଦ ଅତି କୁତ୍ସିତ ରୂପ ନେଇଥିଲା l ଏହି ଅଞ୍ଚଳଟିକୁ ଭୁଟାନ ତା’ର ବୋଲି ୧୯୬୧ରୁ ମାନଚିତ୍ରରେ ଦର୍ଶାଇ ଆସୁଥିଲେ ବି ଚୀନ ସେହି ଅଞ୍ଚଳଟିକୁ ନିଜର ବୋଲି ଦାବି କରିବା ସହ ସେଠାରେ ସୈନ୍ୟ ଅନୁପ୍ରବେଶ କରାଇବାକୁ ଭାରତ ବିରୋଧ କରିଥିଲା l ଉଭୟ ଭାରତ ଓ ଚୀନ ପାଇଁ ଡୋକଲାମ ଅଞ୍ଚଳଟିର ସାମରିକ ଗୁରୁତ୍ୱ ଯଥେଷ୍ଟ ଅଧିକ l ଏହି ଅଞ୍ଚଳଟି  ଚୀନ ଦଖଲକୁ ଚାଲିଗଲେ ତାହା ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ, କାରଣ ଏହା ଭାରତର ସମ୍ୱେଦନଶୀଳ ‘ଚିକେନ ନେକ’ କୁହାଯାଉଥିବା ‘ସିଲିଗୁଡି କରିଡର’ର ନିକଟବର୍ତ୍ତୀ ହୋଇଥିବାରୁ ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡିକ ଭାରତର ମୁଖ୍ୟ ଭୂମିଠାରୁ ବିଚ୍ଛିନ୍ନ ହେବାର ଆଶଙ୍କା ଦେଖା ଦେଇପାରେ l

ପୂର୍ବ କ୍ଷେତ୍ରର ଦ୍ୱିତୀୟ ଭାଗଟି ଅରୁଣାଚଳ ପ୍ରଦେଶ ସଂଲଗ୍ନ l ୧୧୨୬ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ସୀମାରେ ଚୀନ ସୈନ୍ୟଙ୍କ ଅନୁପ୍ରବେଶର ଖବର ନିୟମିତ ଭାବେ ଶୁଣିବାକୁ ମିଳିଥାଏ l ଏହି କ୍ଷେତ୍ରରେ ଆସାଫିଲା, ଲୋଙ୍ଗଜୁ, ବିସା, ମାଜା, ନାମକା ଚୁ ନଦୀ ଉପତ୍ୟକା, ସୁମଡୋରୋଙ୍ଗ ଚୁ ଉପତ୍ୟକା ଆଦି ତାଓ୍ୱଙ୍ଗ ଓ ଉପର ସୁବନସିରି ଜିଲ୍ଲାର ଅଞ୍ଚଳଗୁଡିକରେ ଚୀନ ଅନୁପ୍ରବେଶ କରିଥିବା ବେଳେ ଭାରତ ମଧ୍ୟ ଚୀନର କିଛି ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଥିବା କୁହାଯାଏ l ତେବେ ଭାରତ ‘ମ୍ୟାକମୋହନ ଲାଇନ’କୁ ଆଇନଗତ ଦୃଷ୍ଟିରୁ ଉଭୟ ଦେଶର ସୀମା ବୋଲି ଗ୍ରହଣ କରୁଥିବା ବେଳେ ଚୀନ ତାକୁ ଅଗ୍ରାହ୍ୟ କରି ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)କୁ ଅଧିକ ଗୁରୁତ୍ୱ ଦେଉଛି l ଅବଶ୍ୟ ବସ୍ତୁସ୍ଥିତି ଅନୁସାରେ ଦୁଇଟି ରେଖା ମଧ୍ୟରେ ବିଶେଷ ଫରକ ଥିବାର ପରିଲକ୍ଷିତ ହୁଏ ନାହିଁ l ୧୯୧୪ ମସିହାରେ ଭାରତର ଉତ୍ତର ପୂର୍ବାଞ୍ଚଳ ଓ ତିବ୍ବତ ମଧ୍ୟରେ ଥିବା ସୀମାକୁ ନିର୍ଦ୍ଧାରଣ କରିବା ପାଇଁ ବ୍ରିଟିଶ ଇଣ୍ଡିଆର ତତକାଳୀନ ବିଦେଶ ସଚିବ ହେନରି ମ୍ୟାକମୋହନ ଓ ତିବ୍ବତ ସରକାରଙ୍କ ମଧ୍ୟରେ ସିମଲା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା l ଏହି ଚୁକ୍ତିରେ ବ୍ରିଟିଶ-ଭାରତର ଉତ୍ତର ପୂର୍ବାଞ୍ଚଳ ଓ ତିବ୍ବତ ମଧ୍ୟରେ ନିର୍ଦ୍ଧାରିତ ସୀମାରେଖାଟି ‘ମ୍ୟାକମୋହନ ଲାଇନ’ ଭାବେ ବିଦିତ, ଯାହା ପୂର୍ବରେ ବ୍ରହ୍ମଦେଶ (ଏବର ମ୍ୟାନମାର)ଠାରୁ ପଶ୍ଚିମରେ ଭୁଟାନର ସୀମା ଯାଏଁ ପରିବ୍ୟାପ୍ତ l ଏଥି ପୂର୍ବରୁ ଚୀନର ଚିଙ୍ଗ ଶାସକମାନେ ସୈନ୍ୟ ପଠାଇ ତିବ୍ବତକୁ ନିଜ ନିୟନ୍ତ୍ରଣକୁ ନେଇ ୧୯୧୦ରୁ ୧୯୧୨ ଯାଏଁ ଶାସନ କରିଥିଲେ l ତିବ୍ବତ ସଂଲଗ୍ନ ଉତ୍ତର-ପୂର୍ବାଞ୍ଚଳରେ ନିଜ ସ୍ଥିତିକୁ ସୁଦୃଢ କରିବା ପାଇଁ ୧୯୧୨ରେ ବ୍ରିଟିଶ ସରକାର ନର୍ଥ ଇଷ୍ଟର୍ଣ୍ଣ ଫ୍ରଣ୍ଟିୟର ଏଜେନ୍ସି (ଏବର ଅରୁଣାଚଳ ପ୍ରଦେଶ)ର ସ୍ଥାପନା କରିଥିଲେ l ଚୀନରେ ଚିଙ୍ଗ ଶାସନର ପତନ ହେବା ପରେ ୧୯୧୩ ରେ ତିବ୍ବତ ସ୍ୱାଧୀନତା ଘୋଷଣା କରିଥିଲା ଓ ପରବର୍ତ୍ତୀ ସମୟରେ ସିମଲା ଚୁକ୍ତିରେ ସ୍ୱାକ୍ଷର କରିଥିଲା l ତେବେ ତିବ୍ବତ ଏକ ସାର୍ବଭୌମ ଦେଶ ହୋଇ ନ ଥିବାରୁ ଏ ପ୍ରକାର କୌଣସି ଚୁକ୍ତି ସ୍ୱାକ୍ଷର କରିବାକୁ ଅଯୋଗ୍ୟ ଦର୍ଶାଇ ଚୀନ ‘ମ୍ୟାକମୋହନ ଲାଇନ’କୁ ଗ୍ରହଣ କଲାନାହିଁ l ଭାରତର ସ୍ୱାଧୀନତା ପରେ ଭାରତ ‘ମ୍ୟାକମୋହନ ଲାଇନ’କୁ ଭାରତ ଓ ତିବ୍ବତ (ଏବେ ଚୀନ) ମଧ୍ୟରେ ସୀମା ବୋଲି ଗ୍ରହଣ କରି ସାରିଥିବା ବେଳେ ଚୀନ ଏହାକୁ ଅସ୍ୱୀକାର କରି ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତ ବୋଲି କହି ଚୀନର ପ୍ରାୟ ୬5ହଜାର ବର୍ଗ କିଲୋମିଟର ପରିମିତ ଅଞ୍ଚଳ ଭାରତ ଦଖଲରେ ଅଛି ବୋଲି କହୁଛି l କେବଳ ଚୀନ ନୁହେଁ ଏପରିକି ଭାରତରେ ଶରଣାପନ୍ନ ତିବ୍ବତର ବୌଦ୍ଧ ଧର୍ମଗୁରୁ ଦଲାଇଲାମା ମଧ୍ୟ 2008 ମସିହା ଯାଏଁ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତ ବୋଲି କହିବା ସହ ଏହା ଭାରତର ଅଂଶ  ବିଶେଷ ନୁହେଁ ବୋଲି କହି ଆସୁଥିଲେ l

ସାମରିକ ଦୃଷ୍ଟିକୋଣରୁ ଭାରତ ଓ ଚୀନ ମଧ୍ୟରେ ଏହି ବିବାଦିତ ସୀମାରେଖାର ଅଧିକାଂଶ ଅଞ୍ଚଳରେ ଚୀନ ଲାଭଜନକ ସ୍ଥିତିରେ ଥିବା ବେଳେ କେତେକ ଅଞ୍ଚଳରେ ଭାରତ ଲାଭଜନକ ସ୍ଥିତିରେ ରହିଛି l କୌଣସି ପରିସ୍ଥିତିରେ ଭାରତ ସାମରିକ ଗୁରୁତ୍ୱ ବହନ କରୁଥିବା ସେହି ଅଞ୍ଚଳଗୁଡିକ ଉପରୁ ନିଜ ନିୟନ୍ତ୍ରଣ ହରାଇବା ଉଚିତ ନୁହେଁ, କାରଣ ତାହା ହେଲେ ଭବିଷ୍ୟତରେ ଭାରତକୁ ଅନେକ ମୂଲ୍ୟ ଦେବାକୁ ପଡିପାରେ l ମଧ୍ୟ ଏସିଆ ପଟୁ କୌଣସି ଆକ୍ରମଣକୁ ପ୍ରତିହତ କରିବା ପାଇଁ ‘ଅକସଇ ଚୀନ’ର ସୁଉଚ୍ଚ ଭୂମି ସହାୟକ ହେଉଥିବାରୁ ଓ ଏହା ନୂଆଦିଲ୍ଲୀର ନିକଟବର୍ତ୍ତୀ ହୋଇ ଭାରତ ଉପରେ ଚାପ ପ୍ରୟୋଗ କରିବା ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ ଚୀନ ଏହାକୁ ହାତଛଡା କରିବାକୁ ପ୍ରସ୍ତୁତ ହେବ ନାହିଁ l ସେଥିପାଇଁ ଓ କୌଶଳଗତ କାରଣରୁ ପୂର୍ବ କ୍ଷେତ୍ରର ଅପେକ୍ଷାକୃତ କମ ଉଚ୍ଚତାରେ ସ୍ଥିତ ଅରୁଣାଚଳ ପ୍ରଦେଶ ସଂଲଗ୍ନ ଉର୍ବର ଅଞ୍ଚଳରେ ସେତେ ବେଶି ସକ୍ରିୟ ନ ହୋଇ ଚୀନ ପଶ୍ଚିମ କ୍ଷେତ୍ରରେ ସକ୍ରିୟତା ପ୍ରଦର୍ଶନ କରିବା ପାଇଁ ଅଧିକ ବ୍ୟଗ୍ର ଥିଲା ପରି ମନେ ହୁଏ l ସେହିପରି ପାକିସ୍ତାନ ସହ ଭାରତର ଉତ୍ତେଜନା ଲାଗି ରହିଲେ ତାହା ଚୀନକୁ ସୁହାଇଥାଏ l ନେପାଳ ସହ ଭାରତର ସୀମା ବିବାଦ ଚୀନର କୂଟନୈତିକ କୌଶଳର ପରିଣାମ ବୋଲି ମନେ କରାଯାଉଛି l  ଭାରତରେ ସୀମା ବିବାଦର ସମାଧାନ ନ ହୋଇ ଉତ୍ତେଜନା ଲାଗି ରହିଲେ ତାହା ଚୀନର ସ୍ୱାର୍ଥ ଅନୁକୂଳ ହେବ l ସୀମାରେ ଅସ୍ଥିରତା ଲାଗି ରହିଲେ ଭାରତର ଧ୍ୟାନ ଓ ସମ୍ୱଳ ଯୁଦ୍ଧ କୈନ୍ଦ୍ରିକ ହୋଇ ପଡିବ, ଯାହା ଚୀନ ଚାହୁଁଛି l ଅର୍ଥାତ୍, ଯୁଦ୍ଧକୁ ସର୍ବଶ୍ରେଷ୍ଠ ବିକଳ୍ପ ବୋଲି ମନେ କଲେ ଭାରତ ଚୀନର କୌଶଳ ଯନ୍ତାରେ ପଡିଯିବ l ତାହା ହେଲେ ଭାରତରେ ଅର୍ଥନୈତିକ ଓ ଅନ୍ୟାନ୍ୟ ବିକାଶମୂଳକ ଗତିବିଧି ବାଧାପ୍ରାପ୍ତ ହେବ, ଯଦ୍ଦ୍ୱାରା ଚୀନ ପ୍ରତ୍ୟକ୍ଷ ଭାବେ ନ ହେଲେ ବି ପରୋକ୍ଷରେ ଭାରତ ବଜାରରେ ନିଜ ଉପସ୍ଥିତିକୁ ଅଧିକ ଜାହିର କରିବାକୁ ସକ୍ଷମ ହେବ l ତେଣୁ ଦୀର୍ଘ ଦିନ ଧରି ସୀମାରେ ଉତ୍ତେଜନା ଲାଗି ରହିବା ଭାରତର ସ୍ୱାର୍ଥ ଅନୁକୂଳ ହେଉ ନଥିବାରୁ ଏହା ତୁରନ୍ତ ହ୍ରାସ କରିବା ପାଇଁ ଉଭୟ ସାମରିକ ଓ କୂଟନୈତିକ ସ୍ତରରେ ପ୍ରୟାସ ହେବା ଆବଶ୍ୟକ l   

ପୂର୍ବ କ୍ଷେତ୍ରରେ ଚୀନ ‘ମ୍ୟାକମୋହନ ଲାଇନ’କୁ ଗ୍ରହଣ କରୁ ନ ଥିଲା ବେଳେ ପଶ୍ଚିମ କ୍ଷେତ୍ରରେ ଭାରତ ‘ମ୍ୟାକଡୋନାଲ୍ଡ ଲାଇନ’କୁ ଗ୍ରହଣ କରୁନାହିଁ l ଭାରତ ‘ମ୍ୟାକଡୋନାଲ୍ଡ ଲାଇନ’କୁ ଗ୍ରହଣ ନ କରିବା ପଛର ଯୁକ୍ତି ହେଉଛି ‘ଅକସଇ ଚୀନ’ ଅଞ୍ଚଳଟି ଏକଦା କାଶ୍ମୀର ମହାରାଜାଙ୍କ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା ବୋଲି ଜନସନ ଲାଇନରେ ଦର୍ଶିତ l ଠିକ୍ ସେହିପରି ପୂର୍ବ କ୍ଷେତ୍ରରେ ଚୀନ ‘ମ୍ୟାକମୋହନ ଲାଇନ’କୁ ଗ୍ରହଣ ନ କରିବା ପଛର ଯୁକ୍ତି ହେଉଛି ସମଗ୍ର ଅରୁଣାଚଳ ପ୍ରଦେଶ ଦକ୍ଷିଣ ତିବ୍ବତ ଭାବେ ଏକଦା ଚୀନର ଚିଙ୍ଗ ଶାସକଙ୍କ ଶାସନାଧୀନ ଥିଲା l ଦୁଇଟି ଦେଶର ସଭ୍ୟତା ଅତି ପ୍ରାଚୀନ ହୋଇଥିବାରୁ ଓ ଅତୀତରେ ରାଜାରାଜୁଡା ଶାସନ ସମୟରେ ରାଜ୍ୟ ବିସ୍ତାର ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇ ଥିବାରୁ, କିଏ କେତେବେଳେ କାହାର ରାଜ୍ୟ ଦଖଲ କରୁଥିଲା ଓ ପରେ ତାହା ପୁଣି ଅନ୍ୟ ହାତକୁ ଚାଲି ଯାଉଥିଲା, ତାହାର କୌଣସି ଇୟତ୍ତା ନାହିଁ l ତେବେ ଏକବିଂଶ ଶତାବ୍ଦୀରେ ତାକୁ ସୀମା ନିର୍ଦ୍ଧାରଣର ଆଧାର କରିବା କେତେ ଦୂର ସମୀଚୀନ ? ତେଣୁ ବିଶ୍ୱର ଦୁଇଟି ସର୍ବାଧିକ ଜନବହୁଳ ଐତିହ୍ୟସମ୍ପନ୍ନ ଦେଶ ଉନ୍ମାଦ ଓ ଭାବୁକତାର ଊର୍ଦ୍ଧ୍ୱକୁ ଉଠି ପରିପକ୍ୱତା ପ୍ରଦର୍ଶନ କରି ବ୍ୟାବହାରିକ ହୋଇ କେବଳ ଆଲୋଚନା ମାଧ୍ୟମରେ ହିଁ ସୀମା ବିବାଦର ସମାଧାନ କରି ପାରିବେ ବୋଲି ଆଶା କରାଯାଏ, ଯୁଦ୍ଧ ମାଧ୍ୟମରେ ନୁହେଁ l କାରଣ ଯୁଦ୍ଧ, ସମାଧାନର ପନ୍ଥା ବାହାର ନ କରି ନୂଆ ସମସ୍ୟାକୁ ଜନ୍ମ ଦେଉଥିବାରୁ ଉଭୟ ଦେଶର ଲୋକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଭାରତ ଚୀନ ମଧ୍ୟରେ ଥିବା ଅସ୍ପଷ୍ଟ ସୀମାରେ ସ୍ପଷ୍ଟତା ଅଣାଯାଇ ଉଭୟ ଦେଶ ମଧ୍ୟରେ ବିଧିବଦ୍ଧ ସୀମା ନିର୍ଦ୍ଧାରଣ ପୂର୍ବକ ଉତ୍ତେଜନା ହ୍ରାସ ପାଇଁ ଶିଖରସ୍ତରୀୟ ପ୍ରୟାସର ଆବଶ୍ୟକତା ରହିଛି l

Published in Samadushti in August 2020


Comments

  1. ନିଜ ମାତୃଭାଷାରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ
    ତଥ୍ୟ ଆଧାରିତ ଆଲେଖ୍ୟ ଟି ପଢି ଜ୍ଞାନ ବର୍ଦ୍ଧନ ହେଲା । ଲେଖକଙ୍କୁ ଅଶେଷ ଧନ୍ୟବାଦ।
    ଜୟ ଶ୍ରୀଜଗନ୍ନାଥ।

    ReplyDelete
    Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ ।

      Delete
  2. Was not aware of so many things. Very enlightening article.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍