Skip to main content

ସ୍ୱଦେଶୀ କହିବା କାହାକୁ ?

କିଛି ଦିନ ଧରି ‘ଆତ୍ମନିର୍ଭର’, ‘ସ୍ଵଦେଶୀ’, ‘ଚାଇନା ସାମଗ୍ରୀ ବର୍ଜନ କର’ ଭଳି ଶବ୍ଦ ଓ ସ୍ଳୋଗାନମାନ ଏତେ ବେଶି ଶୁଣାଯାଉଛି ଯେ ମନେ ହେଉଛି ସତେ ଯେମିତି ଦେଶବାସୀଙ୍କ ମଧ୍ୟରେ ‘ସ୍ଵଦେଶୀ’ପ୍ରୀତି ଜାଗ୍ରତ ହୋଇ ଦେଶ ସ୍ଵାବଲମ୍ବୀ ହେବା ଦିଗରେ ଅଗ୍ରସର ହେଉଛି ଓ ତାହା ହୋଇ ପାରିଲେ ଭଲ । ତେବେ ବର୍ତ୍ତମାନ ସମଗ୍ର ବିଶ୍ଵ ଯେତେବେଳେ ଗୋଟିଏ ବଜାରରେ ପରିଣତ ହୋଇସାରିଛି ସେତେବେଳେ ସ୍ୱଦେଶୀ ପ୍ରସଙ୍ଗ ଉଠିଲେ ମନରେ ଯେଉଁ ପ୍ରଶ୍ନଗୁଡିକ ଉଙ୍କି ମାରୁଛି ସେଗୁଡିକର ଉତ୍ତର ଖୋଜି ପାଇଲେ ଆମେ ହୁଏତ ‘ସ୍ୱଦେଶୀ’ର ପ୍ରକୃତ ଅର୍ଥ ଓ ବାସ୍ତବିକତାର ନିକଟତର ହୋଇ ପାରିବା ।

ଭାରତୀୟ କମ୍ପାନୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରତି ଆମର ଦୁର୍ବଳତା ଥିଲେ ବି ସବୁ କ୍ଷେତ୍ରରେ ସେହି ଉତ୍ପାଦଗୁଡିକୁ ସ୍ଵଦେଶୀ କହି ହେବ କି ? ଆଇନ ଅନୁଯାୟୀ ଭାରତରେ ପଂଜିକୃତ କମ୍ପାନୀଗୁଡିକୁ ଭାରତୀୟ କମ୍ପାନୀ କୁହାଯାଇଥାଏ । ତଦନୁସାରେ ଯେ କୌଣସି ବିଦେଶୀ ନାଗରିକ ବା କମ୍ପାନୀ ମଧ୍ୟ ଭାରତରେ କମ୍ପାନୀ ପ୍ରତିଷ୍ଠା କରି ପାରିବେ ଓ ତାହା ଭାରତୀୟ କମ୍ପାନୀ ଭାବେ ପରିଗଣିତ ହେବ । ଆଇନ ଦୃଷ୍ଟିରୁ ସେଗୁଡିକ ଭାରତୀୟ କମ୍ପାନୀ ହୋଇଥିଲେ ବି ସେଗୁଡିକୁ ନେଇ ଜଣେ ଭାରତୀୟ ପ୍ରକୃତ ଅର୍ଥରେ ସେତିକି ଗର୍ବ ଅନୁଭବ କରିଥାଏ କି ? ମଣିଷ ପରି ପ୍ରତିଟି କମ୍ପାନୀର ମଧ୍ୟ ନିଜସ୍ୱ ଏକ ସ୍ୱତନ୍ତ୍ର ସତ୍ତା ଥାଏ । ଏହାର ମାଲିକାନା ବଦଳି ଯାଇପାରେ, ହେଲେ କମ୍ପାନୀ ତା’ର ସତ୍ତା ହରାଇ ନଥାଏ । ଉଦାହରଣ ସ୍ୱରୂପ, ଯଦି ‘ଏୟାର ଇଣ୍ଡିଆ’କୁ ବିଦେଶର କୌଣସି କମ୍ପାନୀ କିଣେ, ତେବେ ତାହା ଭାରତୀୟ କମ୍ପାନୀ ହୋଇ ରହିବ ହେଲେ ବିଦେଶୀ ମାଲିକାନାକୁ ଚାଲି ଯାଇ ତା’ର ସ୍ୱଦେଶୀ ସତ୍ତା ରଖି ପାରିବ କି ? ତାହାହେଲେ ଆମେ ‘ଏୟାର ଇଣ୍ଡିଆ’ ନାମ ଦେଖି ସ୍ୱଦେଶୀ ବୋଲି ଆଉ ସେତିକି ଗର୍ବ ଅନୁଭବ କରିବା ପାରିବା କି ? ଅର୍ଥାତ୍, କମ୍ପାନୀ ଭାରତୀୟ ହେଲେ ବି ସବୁ ଭାରତୀୟ କମ୍ପାନୀ ଓ ସେମାନଙ୍କ ଉତ୍ପାଦ ସ୍ୱଦେଶୀ ହୋଇ ନ ପାରେ ।  

କମ୍ପାନୀର ମାଲିକଜଣକ ଭାରତୀୟ ହୋଇଥିଲେ ଉତ୍ପାଦଟିକୁ ସ୍ୱଦେଶୀ କହି ହେବ କି ? ଭାରତୀୟ ବା ଭାରତୀୟ ମୂଳର ଲୋକଙ୍କ ଦ୍ଵାରା ଏବେ ବିଶ୍ଵର ବିଭିନ୍ନ ଦେଶରେ କମ୍ପାନୀମାନ ପ୍ରତିଷ୍ଠା ହୋଇଛି । କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ) ଦ୍ଵାରା ୨୦୧୮ରେ ପ୍ରସ୍ତୁତ ‘ଗ୍ରୋଇଂ ଫୁଟ ପ୍ରିଣ୍ଟସ ଅଫ ଇଣ୍ଡିଆନ କମ୍ପାନୀଜ ଇନ ଚାଇନା’ ରିପୋର୍ଟ ଅନୁଯାୟୀ କେବଳ ଚୀନର ସାଂଘାଇ, ବେଜିଂ, ଜିୟାଙ୍ଗସୁ, ଗୁଆଙ୍ଗଡଙ୍ଗ, ଝେଜିୟାଙ୍ଗ ଆଦି ସହରମାନଙ୍କରେ ଭାରତୀୟଙ୍କ ଦ୍ଵାରା ୫୪ଟି କମ୍ପାନୀ ସ୍ଥାପିତ ହୋଇଛି। ଏଥିରେ ୫୦ ପ୍ରତିଶତରୁ ଅଧିକ ସ୍ଥାନୀୟ ଚୀନ ଲୋକ କାମ କରିଥାଆନ୍ତି । ଭାରତକୁ ଆମଦାନୀ ହେଉଥିବା ସେହି କମ୍ପାନୀଗୁଡିକର ଉତ୍ପାଦକୁ ଆଉ ସ୍ଵଦେଶୀ କୁହାଯିବ କି ? ସେହିପରି ଭାରତୀୟ ବହୁ ରାଷ୍ଟ୍ରୀୟ କମ୍ପାନୀଙ୍କ ଦ୍ଵାରା ବିଦେଶରେ ପ୍ରସ୍ତୁତ ହୋଇ ଭାରତରେ ବିକ୍ରି ହେଉଥିବା ସାମଗ୍ରୀକୁ ଭାରତୀୟ କହିବାକୁ ମନ ବଳିବନି । 

କେବଳ ଦେଶ ଭିତରେ ଉପଲବ୍ଧ କଞ୍ଚାମାଲ ବା ଯନ୍ତ୍ରାଂଶରେ ଉତ୍ପାଦଟିଏ ପ୍ରସ୍ତୁତ ହେଲେ ଯାଇ ତାକୁ ସ୍ୱଦେଶୀ କୁହାଯିବା ଉଚିତ କି? ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ବା ଯନ୍ତ୍ରାଂଶ ଦେଶ ଭିତରୁ ମିଳି ପାରୁ ନ ଥିବାରୁ ସ୍ଥଳ ବିଶେଷରେ ବିଦେଶରୁ ଆମଦାନୀ ଉପରେ ନିର୍ଭର କରିବାକୁ ହୋଇଥାଏ । କିନ୍ତୁ ଏପରି କିଛି କମ୍ପାନୀ ତ ନିର୍ଦ୍ଦିଷ୍ଟ କିଛି ଉତ୍ପାଦ ପାଇଁ ଅଧିକାଂଶ ଏପରିକି ଶତ ପ୍ରତିଶତ ଯନ୍ତ୍ରାଂଶ ବିଦେଶରୁ ଆଣି ଏଠାରେ କେବଳ ଖଞ୍ଜାଖଞ୍ଜି କରି ସେଥିରେ ‘ମେଡ ଇନ ଇଣ୍ଡିଆ’ ଛାପ ଲଗାଇଥାଆନ୍ତି । କିଛି କମ୍ପାନୀ ତ ଖାଲି ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଏଇ ରାସ୍ତାଟିକୁ ବାଛିଥାନ୍ତି । ତେଣୁ କେବଳ ‘ମେଡ ଇନ ଇଣ୍ଡିଆ’ ଛାପ ଲାଗିଛି ବୋଲି କ’ଣ ସେଗୁଡିକୁ ସ୍ୱଦେଶୀ ଜିନିଷ ଭାବେ ଗ୍ରହଣ କରିବା ସମୀଚୀନ ହେବ ?   

କେବଳ ସ୍ଵଦେଶୀ ଶ୍ରମବଳକୁ ଉପଯୋଗ କରି ଦେଶରେ ପ୍ରସ୍ତୁତ ଉତ୍ପାଦଟି ସ୍ୱଦେଶୀ ପର୍ଯ୍ୟାୟଭୁକ୍ତ ହେବ କି ? ଭାରତରେ ଶ୍ରମଶକ୍ତିର ଅଭାବ ନ ଥିଲେ ବି କିଛି ବିଶେଷ ଧରଣର କାମ ପାଇଁ ଆବଶ୍ୟକ ଉନ୍ନତ ମାନର କୁଶଳୀ ଶ୍ରମିକଙ୍କର ଘୋର ଅଭାବ ରହିଛି । ସେଥିପାଇଁ ଓଡିଶାର କାରଖାନାଗୁଡିକରେ କୁଶଳୀ ଶ୍ରମିକ ଭାବେ ନିଯୁକ୍ତି ପାଇଁ ଆବଶ୍ୟକ ସଂଖ୍ୟକ ଓଡିଆ ମିଳୁନାହାନ୍ତି ବୋଲି ଅଭିଯୋଗ ହୁଏ । ‘ମ୍ୟାନପାଓ୍ଵାର ଟ୍ୟାଲେଣ୍ଟ ସର୍ଟେଜ ସର୍ଭେ’ର ରିପୋର୍ଟ ଅନୁଯାୟୀ ଭାରତର ଦୁଇ-ତୃତୀୟାଂଶ କମ୍ପାନୀ ଦେଶ ଭିତରେ ଆବଶ୍ୟକ ସଂଖ୍ୟକ ଉନ୍ନତ କୁଶଳୀ ଶ୍ରମବଳ ମିଳିବାରେ ଅସୁବିଧା ହେଉଛି ବୋଲି ଦର୍ଶାଇଛନ୍ତି । ତେଣୁ ଇମିଗ୍ରେସନ ଆଇନକୁ କୋହଳ କରି ବିଦେଶରୁ କୁଶଳୀ ଶ୍ରମବଳଙ୍କୁ ଆଣିବା ଲାଗି ସେମାନେ ସରକାରଙ୍କ ଉପରେ ଚାପ ପକାଇବା ସ୍ଵାଭାବିକ । ଉନ୍ନତମାନର କୁଶଳୀ ଶ୍ରମିକଙ୍କ ଅଭାବ ଦେଖା ଦେଇଥିବାରୁ ଚୀନ ମଧ୍ୟ ବିଦେଶରୁ ପ୍ରତିଭାସମ୍ପନ୍ନ ଉଦ୍ୟମୀ ଓ ଶ୍ରମବଳଙ୍କୁ ନିଜ ଦେଶକୁ ଆକୃଷ୍ଟ କରି ଆଣିବା ପାଇଁ ୨୦୦୮ ମସିହାରେ ଚୀନ ଗ୍ରିନ କାର୍ଡ ଓ ଅନ୍ୟାନ୍ୟ ଲୋଭନୀୟ ଯୋଜନାମାନ ଘୋଷଣା କରିଥିଲା । ବିଶ୍ଵର ପ୍ରାୟ ସବୁ ବିକଶିତ ଦେଶ ସେହି ପନ୍ଥା ହିଁ ଅନୁସରଣ କରିଥାଆନ୍ତି । ତେଣୁ ଭାରତର କମ୍ପାନୀଗୁଡିକରେ ବିଦେଶୀ ଶ୍ରମବଳ ନିୟୋଜିତ ହୋଇ ସାମଗ୍ରୀକୁ ପ୍ରସ୍ତୁତ କଲେ ତାକୁ ସ୍ଵଦେଶୀ ବୋଲି କହି ପାରିବା କି ?

ବିଦେଶୀ ଯନ୍ତ୍ରପାତି ଓ ଜ୍ଞାନକୌଶଳରେ ଦେଶରେ ନିର୍ମିତ ଉତ୍ପାଦଟିକୁ ସ୍ୱଦେଶୀ କହି ହେବ କି ? ବିଭିନ୍ନ ପ୍ରକାର ସାମଗ୍ରୀ ଉତ୍ପାଦନ ପାଇଁ ଦେଶରେ ପର୍ଯ୍ୟାପ୍ତ ଉଚ୍ଚ ମାନର ବିଶ୍ୱ ସ୍ତରୀୟ ସ୍ୱଦେଶୀ ଜ୍ଞାନକୌଶଳ ଓ ଯନ୍ତ୍ରପାତି ଉପଲବ୍ଧ ନାହିଁ । ସ୍ୱଦେଶୀ ଜ୍ଞାନକୌଶଳକୁ ବିଶ୍ୱସ୍ତରୀୟ କରିବା ପାଇଁ ବିଗତ ବର୍ଷମାନଙ୍କରେ ଦେଶ ଭିତରେ ଗବେଷଣା ଓ ଅନୁସନ୍ଧାନର ବିକାଶ ଉପରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଯଥୋଚିତ ଧ୍ୟାନ ଦିଆଯାଇନାହିଁ । ଫଳରେ  ଦେଶରେ ଆବଶ୍ୟକ ହେଉଥିବା ଅନେକ ପଦାର୍ଥର ଉତ୍ପାଦନ ପାଇଁ ଆମକୁ ଏବେ ବି ବିଦେଶୀ ଜ୍ଞାନକୌଶଳର ଉପଯୋଗ ଉପରେ ଅତି ମାତ୍ରାରେ ନିର୍ଭର କରିବାକୁ ହେଉଛି । ସ୍ୱଦେଶୀ ଜ୍ଞାନକୌଶଳର ଆଦୃତିକୁ ବଢାଇବା ପାଇଁ ଦୁଇଟି ସ୍ତରରେ ଉଦ୍ୟମ ହୋଇପାରେ । ପ୍ରଥମ, ଯେଉଁଥିପାଇଁ ବିଦେଶୀ ଜ୍ଞାନକୌଶଳ ଉପରେ ନିର୍ଭର କରିବାକୁ ହେଉଛି ତାହା ତୁରନ୍ତ କିପରି ଭାରତରେ ବିକଶିତ ହୋଇପାରିବ ସେଥିପାଇଁ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେବାକୁ ହେବ । ତେଣୁ ଉଚ୍ଚତର ଶିକ୍ଷା ଓ ଗବେଷଣା ପାଇଁ ଅଧିକ ପ୍ରୋତ୍ସାହନ ଦେବାକୁ ହେବ ଓ ସରକାର ସେ ସବୁ କ୍ଷେତ୍ରରୁ ଓହରି ଆସି ସେଗୁଡିକୁ ବେସରକାରୀ ଅନଷ୍ଠାନଙ୍କ ହାତକୁ ଟେକି ଦେବାର ମାନସିକତାରୁ ନିବୃତ୍ତ ହେବା ଆବଶ୍ୟକ । ଦ୍ୱିତୀୟ, ଉପଲବ୍ଧ ପାରମ୍ପରିକ ଜ୍ଞାନକୌଶଳଗୁଡିକୁ ଆଉ ଟିକେ ଘଷି ମାଜି ଉପଯୋଗୀ କରାଇବା, କାରଣ ସାଧାରଣତଃ ସେଗୁଡିକ ବ୍ୟୟବହୁଳ ନ ହୋଇ ଶ୍ରମଭିତ୍ତିକ ହୋଇଥିବାରୁ ଗ୍ରାମାଞ୍ଚଳରେ ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଥାଏ ।

ବିଦେଶୀ ପୁଞ୍ଜିରେ ଦେଶରେ ପ୍ରସ୍ତୁତ ହୋଇଥିବା ଉତ୍ପାଦଟିକୁ ସ୍ୱଦେଶୀ କହି ହେବ କି? ଶିଳ୍ପ ପ୍ରତିଷ୍ଠା ଓ ପରିଚାଳନା ପାଇଁ ପୁଞ୍ଜି ଦେଶ ଭିତରେ ଆବଶ୍ୟକ ପରିମାଣରେ ଉପଲବ୍ଧ ହୋଇ ପାରୁ ନଥିବାରୁ ଶିଳ୍ପକରଣ ପ୍ରକ୍ରିୟା ଧୀମେଇ ଯାଉଛି । ଏ ପରିପ୍ରେକ୍ଷୀରେ ବିଦେଶୀ ପୁଞ୍ଜି ଉପରେ ନିର୍ଭର କରିବା ଭିନ୍ନ ଦେଶ ଆଗରେ ଅନ୍ୟ କୌଣସି ବିକଳ୍ପ ଥିଲା ପରି ଜଣା ପଡୁନାହିଁ । ବିଦେଶୀ ପୁଞ୍ଜିକୁ ଆକୃଷ୍ଟ କରିବା ପାଇଁ ସରକାର ମଧ୍ୟ ଅଧିକ ଆଗ୍ରହ ଦେଖାଇ ନିୟମରେ ପରିବର୍ତ୍ତନ କରିବା ଦ୍ଵାରା ଗତ ଛଅ ବର୍ଷ ଭିତରେ ଦେଶକୁ ରେକର୍ଡ ପରିମାଣର ବିଦେଶୀ ପୁଞ୍ଜି ଆସିପାରିଛି । ଅବଶ୍ୟ ଏ କଥା ଭିନ୍ନ ଯେ ଆସିଥିବା ପୁଞ୍ଜି ଏଠାରେ ନୂଆ ଶିଳ୍ପ ପ୍ରତିଷ୍ଠାରେ ବିନିଯୋଗ ହେବା ଅପେକ୍ଷା ଏଠାକାର କମ୍ପାନୀଗୁଡିକର ଅଂଶଧନ କିଣିବାରେ ଅଧିକ ବିନିଯୋଗ ହୋଇଛି । ତେବେ ଏଠାରେ ପୁଞ୍ଜି ଲଗାଇଥିବା ପ୍ରତିଟି ବିଦେଶୀ କମ୍ପାନୀ ଏଠାରୁ ଉପାର୍ଜନ କରିଥିବା ଲାଭକୁ ଏଠାରେ ପୁନଃ ବିନିଯୋଗ ନ କରି ନିଜ ଦେଶକୁ ନେଇଯିବା ସ୍ଵାଭାବିକ । ତେଣୁ କେବଳ ବିଦେଶରୁ ସାମଗ୍ରୀ ଆମଦାନି ହୋଇ ଆସିଲେ ଯେ ସମ୍ପୃକ୍ତ ଦେଶ ଲାଭବାନ ହୋଇଥାଏ ତାହା ନୁହେଁ, ବରଂ ଅନ୍ୟ ଦେଶରେ ପୁଞ୍ଜି ନିବେଶ ମାଧ୍ୟମରେ ବି ସମ୍ପୃକ୍ତ ଦେଶ ଲାଭ ପାଇ ପାରିଥାଏ । ଅଧିକନ୍ତୁ, ସ୍ଥିତି ପ୍ରତିକୂଳ ହେଲେ ଏପରି ନିବେଶରୁ ସହଜରେ ପୁଞ୍ଜି ପ୍ରତ୍ୟାହାର ହୋଇ ‘ସ୍ଵ-ସ୍ଥାନମ୍ ଗଚ୍ଛ’ ହୋଇ ପାରିଥାଏ । ଏ ଭଳି ସ୍ଥଳେ ବିଦେଶୀ ପୁଞ୍ଜି-ନିର୍ଭର କମ୍ପାନୀର ଉତ୍ପାଦଗୁଡିକୁ ସ୍ୱଦେଶୀ କହିବା କେତେ ଦୂର ଠିକ୍ ?  

ଏକା ଲୋକଟିଏ ଜଣେ ନାଗରିକ ଓ ଜଣେ ଖାଉଟି ହୋଇଥିଲେ ବି ଦୁଇଟି ଭିନ୍ନ ଭୂମିକାରେ ତା’ର ଆଚରଣ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ନାଗରିକ ଭାବେ ସେ ଦେଶସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିଲେ ବି ଖାଉଟି ଭାବେ ତା’ର ବ୍ୟକ୍ତିଗତ ସ୍ୱାର୍ଥ ହିଁ ସର୍ବାଗ୍ରେ ହୋଇଥାଏ ଓ ସେତେବେଳେ ଜାତୀୟ ସ୍ଵାଭିମାନ ଗୌଣ ହୋଇ ଯାଇଥାଏ । ଅତୀତରେ ଇଟାଲୀ ଭଳି ଅନେକ ଦେଶରେ ଏହି ଜାତୀୟ ସ୍ୱାଭିମାନକୁ ଉଦ୍ରେକ କରି ସ୍ୱଦେଶୀ ଜିନିଷ ପ୍ରତି ଖାଉଟିଙ୍କୁ ଆକର୍ଷିତ କରିବାର ଉଦ୍ୟମ ସଫଳ ହୋଇପାରିନାହିଁ । ତହିଁର ଏକ ପ୍ରମୁଖ କାରଣ ହେଲା ଜିନିଷଟିଏ କିଣିଲା ବେଳେ ତା’ର ମୂଲ୍ୟ ଓ ଗୁଣବତ୍ତାକୁ ତଉଲି ଖାଉଟି ନିଜ ନିଷ୍ପତ୍ତି ନେଇଥାଏ । ଭାରତ ବଜାରରେ ବିଦେଶୀ ସାମଗ୍ରୀର ପ୍ରବେଶ ଉପରେ କଟକଣା ଥିଲା ବେଳେ ଭାରତୀୟ କମ୍ପାନୀମାନେ ଖାଉଟିମାନଙ୍କୁ ନିମ୍ନମାନର ଜିନିଷକୁ ଅଧିକ ଦାମରେ ବିକୁଥିବାର ଅଭିଯୋଗମାନ ଶୁଣିବାକୁ ମିଳୁଥିଲା । ବିଦେଶୀ କମ୍ପାନୀଙ୍କ ପ୍ରବେଶ ଫଳରେ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇ ଖାଉଟିଟିଏ ଉଭୟ ମୂଲ୍ୟ ଓ ମାନରେ ଲାଭାନ୍ୱିତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ତେଣୁ ସ୍ୱଦେଶୀ କଥା କହିଲା ବେଳେ ଆମର ବଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷର ଉତ୍ପାଦନ ପାଇଁ ଆମେ ଯେତେ ଅଧିକ ଆତ୍ମନିର୍ଭର ହୋଇ ପାରିବା ତା’ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । କେବଳ ‘ଚୀନ ଓ ବିଦେଶୀ ସାମଗ୍ରୀକୁ ବହିଷ୍କାର କର’ ସ୍ଳୋଗାନ ଦେବା ଯଥେଷ୍ଟ ନୁହେଁ । ସେଗୁଡିକୁ ବହିଷ୍କାର କଲା ପରେ ସୃଷ୍ଟି ହେବାକୁ ଯାଉଥିବା ଶୂନ୍ୟସ୍ଥାନ ଓ ସମସ୍ୟାର ଆହ୍ୱାନକୁ ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ତ ? ଯେତେବେଳେ ଚୀନରୁ ଗଣେଶ ମୂର୍ତ୍ତି ତିଆରି ହୋଇ ନ ଆସିଲେ ଏଠି ପୂଜା ହୋଇପାରୁ ନାହିଁ, ସେତେବେଳେ ଭାରତରେ ସେହି ଦାମ ଓ ମାନର ମୂର୍ତ୍ତି କିପରି ନିର୍ମାଣ କରି ହେବ ତାହା ପ୍ରାଥମିକତା ହେଲେ ଚୀନରୁ ଆମଦାନୀ ହେବା ଆପେ ଆପେ ବନ୍ଦ ହେଇଯିବ, ବହିଷ୍କାର କରିବାର ଆବଶ୍ୟକତା ଉପୁଜିବ ନାହିଁ । ଏହା ପ୍ରତିଟି ଦ୍ରବ୍ୟ ପାଇଁ ପ୍ରଯୁଜ୍ୟ । ଦେଶରେ ଏହି ସବୁ ଜିନିଷ ଉତ୍ପାଦନ କରୁଥିବା ଉଦ୍ୟୋଗଗୁଡିକୁ ବିଭିନ୍ନ ସୁବିଧା ଓ ସଂରକ୍ଷଣ ଦେବା କଥା ବିଚାର କରାଯାଇ ପାରେ । ଅନ୍ୟ ପକ୍ଷରେ ଉନ୍ନତ ଜୀବନଶୈଳୀର ନିର୍ବାହ ପାଇଁ ବ୍ୟବହୃତ ହେଉଥିବା କମ୍ପ୍ୟୁଟର, ମୋବାଇଲ ଭଳି ଇଲେକ୍ଟ୍ରୋନିକ ଉପକରଣ ଓ ଅନ୍ୟାନ୍ୟ ସୌଖୀନ ସାମଗ୍ରୀଗୁଡିକର ଉତ୍ପାଦନ ଓ ବିକ୍ରିବଟା ପାଇଁ ଉଭୟ ସ୍ୱଦେଶୀ ଓ ବିଦେଶୀ କମ୍ପାନୀଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଗଲେ ତାହା ଖାଉଟିଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହ ଭାରତୀୟ କମ୍ପାନୀମାନଙ୍କଠାରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ମନୋଭାବ ସୃଷ୍ଟି କରିବ ।

ସବୁ ସମୟରେ ସ୍ଵଦେଶୀ ଓ ଭାରତୀୟ ଏକା କଥା ହୋଇ ନ ପାରେ । ଉଦାହରଣ ସ୍ଵରୂପ, ଓଡିଶା ଲୋକଙ୍କ ପାଇଁ ତାମିଲନାଡୁର ପ୍ରିଣ୍ଟ ଲୁଙ୍ଗିଟି ଭାରତୀୟ ହୋଇପାରେ କିନ୍ତୁ ସମ୍ଵଲପୁରୀ ଲୁଙ୍ଗିଟି ସ୍ଵଦେଶୀ । ଏବେ ପାଇଁ ତିରୁପୁରରେ ତିଆରି ଗଞ୍ଜିଟି ସ୍ଵଦେଶୀ ହୋଇପାରେ, କିନ୍ତୁ କାଲି ଯଦି ମୟୂରଭଞ୍ଜର ଗଞ୍ଜି କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଯିବ (ଏବେ ବନ୍ଦ ଅଛି), ତେବେ ତାହା ସ୍ଵଦେଶୀ ହୋଇଯିବ ଆଉ ତିରୁପୁରର ଗଞ୍ଜି ଭାରତୀୟ । ସେହିପରି ସବୁବେଳେ ସ୍ଵଦେଶୀ ଓ ସ୍ଥାନୀୟ ମଧ୍ୟ ସମାନ ହୋଇ ନ ପାରେ । ଯେମିତି ଯେ କୌଣସି ସ୍ଥାନରେ ଦେଶୀ ବିହନ ଓ ଦେଶୀ ପଦ୍ଧତିରେ ଉତ୍ପାଦିତ ଧାନକୁ ଦେଶୀ ଧାନ କହି ହେବ ଅଥଚ ନିଜ ଗାଁରେ ଉତ୍ପାଦିତ ସ୍ଵର୍ଣ୍ଣ ଜାତୀୟ ଧାନକୁ ଦେଶୀ ବୋଲି କହି ହେବନାହିଁ । ଗାନ୍ଧୀଜୀଙ୍କର ସ୍ଵଦେଶୀ ସମ୍ପର୍କରେ ବିଚାରକୁ ଅନୁଶୀଳନ କଲେ ଜଣାଯାଏ ଯେ ସେ ଗ୍ରାମଗୁଡିକ ସ୍ଵାବଲମ୍ଵୀ ହେବା ଉପରେ ଗୁରୁତ୍ଵ ଦେଉଥିଲେ ବି କୌଣସି ସାମଗ୍ରୀକୁ, ଏପରିକି ବିଦେଶୀ ସାମଗ୍ରୀକୁ, ଘୃଣା କରିବା ସପକ୍ଷରେ ନ ଥିଲେ । ଅର୍ଥାତ ତାଙ୍କ ଅନୁସାରେ ଆବଶ୍ୟକ ସାମଗ୍ରୀଟି ଗାଁରେ ଉତ୍ପାଦିତ ହୋଇ ନ ପାରିଲେ ଆଖପାଖ ଗାଁରୁ, ଜିଲ୍ଲାଭିତରୁ, ରାଜ୍ୟ ଭିତରୁ, ଅନ୍ୟ ରାଜ୍ୟରୁ ସେହି କ୍ରମରେ ଆମଦାନୀ କରିବାରେ କୌଣସି ଅସୁବିଧା ନାହିଁ । ଦେଶ ଭିତରେ ତାହା ଉପଲବ୍ଧ ନ ହେଲେ ପ୍ରଥମେ ପଡୋଶୀ ଦେଶ ନିକଟରୁ ଓ ପରେ ଯେ କୌଣସି ଦେଶରୁ ତାହା ଆମଦାନୀ ହୋଇପାରିବ । ଅର୍ଥାତ୍ ଜିନିଷଟିଏ ସେହି କ୍ରମରେ ତା’ର ସ୍ଵଦେଶୀପଣ ବଜାୟ ରଖିଥାଏ ।

କମ୍ପାନୀର ଭାରତୀୟତା, ମାଲିକାନା, କଞ୍ଚାମାଲ, ଶ୍ରମବଳ, ଜ୍ଞାନକୌଶଳ, ପୁଞ୍ଜି ଏ ପରି ପ୍ରତିଟି କ୍ଷେତ୍ରରେ ଉତ୍ପାଦଟିଏ ଶତ ପ୍ରତିଶତ ସ୍ୱଦେଶୀ ହୋଇ ନ ପାରେ, କାରଣ ଏଥି ମଧ୍ୟରୁ ଏକ ବା ଏକାଧିକ କ୍ଷେତ୍ରରେ ବିଦେଶ ଉପରେ ନିର୍ଭରଶୀଳତା ଥାଇପାରେ । ତେବେ ‘ମେଡ ଇନ ଇଣ୍ଡିଆ’ ଲେଖି ଲୋକଙ୍କ ଜାତୀୟ ପ୍ରୀତିର ଯେପରି ଶୋଷଣ କରା ନ ଯାଏ ସେଥି ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ । ଉପରୋକ୍ତ ଛଅଟି ଉପାଦାନ ପୂର୍ଣ୍ଣ ମାତ୍ରାରେ ଭାରତୀୟ ହୋଇ ନିରୁତା ଭାରତୀୟ ଉତ୍ପାଦଟିଏ ମିଳିବା କ୍ରମଶଃ ବିରଳ ହେବାକୁ ଯାଉଥିବାରୁ ଆଗାମୀ ଦିନରେ ଆମକୁ ହୁଏତ ଉତ୍ପାଦଟିର ଆପେକ୍ଷିକ ଭାରତୀୟତା ଭିତ୍ତିରେ ତାକୁ ଭାରତୀୟ ବୋଲି ଗ୍ରହଣ କରି କାମ ଚଳାଇବାକୁ ହୋଇପାରେ । ଉତ୍ପାଦଟିର ଭାରତୀୟତା ବିବେଚନା କରିବା ପାଇଁ ଉପରୋକ୍ତ ଛଅଟି ବର୍ଗରେ ସମୁଦାୟ ୧୦୦ ନମ୍ବରର ପ୍ରାବଧାନ କରି ପ୍ରତିଟି ଉତ୍ପାଦ ବର୍ଗଓାରୀ ପାଇଥିବା ନମ୍ବର ଆଧାରରେ କେତେ ପ୍ରତିଶତ ‘ମେଡ ଇନ ଇଣ୍ଡିଆ’ ତାହା ଉଲ୍ଲେଖ ହେବା ପ୍ରଥା ଆରମ୍ଭ ହେଉ । ଉତ୍ପାଦଟି ସର୍ବନିମ୍ନ କେତେ ପ୍ରତିଶତ ଭାରତୀୟ ହେଲେ ଖାଉଟିଟିଏ ତାହା କିଣିବାକୁ ପସନ୍ଦ କରିବ, ତାହା ତା’ର ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରିବ । କେବଳ ସାଧାରଣ ଲୋକେ ଯେ ବିଦେଶୀ ଦ୍ରଵ୍ୟ କିଣିଥାଆନ୍ତି ତାହା ନୁହେଁ, ବରଂ ସରକାର ମଧ୍ୟ ବିଦେଶୀ ଦ୍ରଵ୍ୟ ଓ ସେବାର ଉପଯୋଗ କରିବାରେ ପଛରେ ନାହାନ୍ତି । ତେଣୁ ଯେଉଁ ସବୁ କାରଣରୁ ଉଭୟ ଖାଉଟି ଓ ସରକାର ସ୍ୱଦେଶୀ ଦ୍ରବ୍ୟ ପ୍ରତି ବୀତସ୍ପୃହ ହୋଇ ବିଦେଶୀ ଦ୍ରଵ୍ୟ କିଣିବାକୁ ବାଧ୍ୟ ହେଉଛନ୍ତି ସେଗୁଡିକୁ ଅନୁଧ୍ୟାନ କରି ସରକାର ସେଗୁଡିକର ନିରାକରଣ ପାଇଁ ପଦକ୍ଷେପ ନେବା ବେଶି ଜରୁରୀ । ନ ହେଲେ ଏହା ସାମାଜିକ ଗଣମାଧ୍ୟମରେ କେବଳ ରୋଷ ବ୍ୟକ୍ତ କରି ନିଜ ଜାତୀୟପ୍ରୀତି ପ୍ରଦର୍ଶନ କରିବା ଲାଗି ଏକ ବିଷୟ ମଧ୍ୟରେ ସୀମିତ ହୋଇ ରହିଯିବ । ଏ ସବୁ ଉପରେ ଧ୍ୟାନ ରହିଲେ ‘ସ୍ୱଦେଶୀ’ ଶବ୍ଦଟି ଉଚିତ ଭାବେ ପରିଭାଷିତ ହୋଇପାରିବ ।


Published in Sambad on August 11, 2020


Comments

  1. Very logical and informative article. It responds nicely to the frenzied rhetoric in media.

    ReplyDelete
  2. Very well analysed and backed by facts/ data.

    ReplyDelete

Post a Comment

Archive

Show more

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...