Skip to main content

ମୋ’ ସୌନ୍ଦର୍ଯ୍ୟ ତୁମ ବୁଦ୍ଧିମତ୍ତା

କୁହାଯାଏ ତିନି ତୁଣ୍ଡରେ ଛେଳି କୁକୁର l ଅର୍ଥାତ୍ ବହୁ ଲୋକଙ୍କ ମୁହଁରୁ ସତ କଥାଟିକୁ ମିଛ ଭଳି ବାରମ୍ଵାର ପରିବେଷଣ କରାଗଲେ କ୍ରମଶଃ ପ୍ରଚାରିତ ମିଛଟି ସତ ଭଳି ଜଣା ପଡିଥାଏ l ସତଟି ମିଛ ହୋଇଯାଏ ଓ ଭଲଟି ଖରାପ ପାଲଟିଯାଏ l ଏହିଭଳି କିଛି ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ଜଣକର ସମ୍ମାନ ହାନି ବା ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାରେ ସକ୍ଷମ ହୋଇଥାନ୍ତି l ଛେଳିକୁ ଭଲ ଓ ସତର ପ୍ରତୀକ ଓ କୁକୁରକୁ ଖରାପ ଓ ମିଛର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ l ସେହି ଏକା ଯୁକ୍ତିରେ ତିନି ତୁଣ୍ଡରେ କୁକୁର ମଧ୍ୟ ଛେଳି ପାଲଟି ଯାଇପାରେ, ଅର୍ଥାତ୍ ମିଛଟିଏ ସତ ହୋଇ ଯାଉଥିବା ବେଳେ ଖରାପଟି ଭଲ ପାଲଟିଯାଏ l ଘଟି ନଥିବା ଘଟଣା ବା ସେଭଳି ଭାବେ ଘଟି ନଥିବା ଘଟଣାଟିଏକୁ ଲୋକଙ୍କ ମୁହଁରେ ବାରମ୍ଵାର ପ୍ରଚାର କରାଗଲେ ତାହାର ସତ୍ୟାସତ୍ୟ ପରଖିବାର କୌଣସି ଅବକାଶ ନଥିଲେ, ତାହା ହିଁ ସତ ବୋଲି କାଳକ୍ରମେ ସାଧାରଣ ଲୋକଙ୍କ ମନରେ ଧାରଣା ବସା ବାନ୍ଧିଥାଏ ଓ କ୍ରମଶଃ ତାହା ଉପାଖ୍ୟାନ ପର୍ଯ୍ୟାୟବାଚୀ ହୋଇଯାଇଥାଏ l ଏହିପରି ସାଧାରଣ ଲୋକଙ୍କୁ ବ୍ୟବହାର କରି ଜଣେ ବ୍ୟକ୍ତିକୁ ମହିମାମଣ୍ଡିତ କରିବା ସଙ୍ଗେସଙ୍ଗେ ଜନ ସାଧାରଣଙ୍କ ସମ୍ମୁଖରେ ତାର ଏକ ଭିନ୍ନ ଛବି ପ୍ରସ୍ତୁତ କରିହୁଏ l ଅନେକ ପ୍ରବାଦ ପୁରୁଷ ଓ କିମ୍ଵଦନ୍ତୀ ପୁରୁଷଙ୍କ ସହ ଉପାଖ୍ୟାନମାନ ଯୋଡା ହେବା କେବଳ ସଂଯୋଗ ନୁହେଁ l ସ୍ଥଳ ବିଶେଷରେ ଉପାଖ୍ୟାନ ସହ ଜଡିତ ଘଟଣାଟି ସମ୍ପୂର୍ଣ୍ଣ ମିଛ ହୋଇଥିବା ବେଳେ ଅଧିକାଂଶ କ୍ଷେତ୍ରରେ ଘଟଣାଟି ବର୍ଣ୍ଣିତ ଢଙ୍ଗରେ ଘଟି ନଥାଏ l ସେଥିରେ ମସଲା ଦେଇ ତାକୁ ସାମାଜିକ ଓ ରାଜନୈତିକ ଭାବେ ସଠିକ ମାତ୍ରାରେ ପରିପୁଷ୍ଟ କରାଯାଇ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଜୀବଦ୍ଦଶାରେ ତାଙ୍କ ଛବିକୁ ଜୀବନଠାରୁ ବଡ (ଲାର୍ଜର ଦ୍ୟାନ ଲାଇଫ) ଭାବେ ଉପସ୍ଥାପିତ କରାଯାଇଥାଏ l ମଜାର କଥା, ଅନେକ ସମୟରେ ସମ୍ପୃକ୍ତ ବ୍ୟକ୍ତିବିଶେଷ ଉପାଖ୍ୟାନର ବର୍ଣ୍ଣନାରେ ଆମୋଦିତ ହୋଇଥାନ୍ତି ଓ ଏହାକୁ ଉପଭୋଗ କରିଥାନ୍ତି, ହେଲେ ତାର ପ୍ରତିବାଦ କରିବାକୁ ଚାହିଁ ନଥାନ୍ତି ବା କରି ପାରି ନଥାନ୍ତି l ସେଥିପାଇଁ ଏଭଳି ପ୍ରବାଦ ପୁରୁଷଙ୍କ ମଧ୍ୟରୁ କେହି କେହି ନିଜ ଆତ୍ମଜୀବନୀ ଲେଖିବା ପାଇଁ କୁଣ୍ଠାବୋଧ କରିଥାନ୍ତି, କାରଣ ସେହି ମିଛଟିକୁ ଆଉ ଥରେ ସମର୍ଥନ କରି ବର୍ଣ୍ଣନା କରିବାକୁ ତାଙ୍କ ବିବେକ ଅନୁମୋଦନ କରିନଥାଏ l ଫଳରେ ଉପାଖ୍ୟାନର ପ୍ରକୃତ ସତଟି ଜାଣିବା କଷ୍ଟକର ହୋଇଥାଏ l ପ୍ରଖ୍ୟାତ ଲେଖକ ଜର୍ଜ ବର୍ଣ୍ଣାଡ ସ’ଙ୍କୁ କେନ୍ଦ୍ର କରି ଗଢି ଉଠିଥିବା ସେ ଭଳି ଏକ ବହୁ ଚର୍ଚ୍ଚିତ ଉପାଖ୍ୟାନ ହେଉଛି 'ମୋ ସୌନ୍ଦର୍ଯ୍ୟ ଓ ତୁମ ବୁଦ୍ଧିମତ୍ତା’, ଯାହାର ସତ୍ୟତା ଉଦଘାଟନ କରିବାକୁ ଭିନ୍ନ ଭିନ୍ନ ଭାବେ ପ୍ରଚେଷ୍ଟା ହୋଇଛି l

ବହୁଳ ଭାବେ ପ୍ରଚାରିତ ଉପାଖ୍ୟାନଟି ଏହିପରି l ‘’ଥରେ ଜଣେ ସମ୍ମୋହକ ସୁଶ୍ରୀ ଅଭିନେତ୍ରୀ ପ୍ରଖ୍ୟାତ ନାଟ୍ୟକାର ବର୍ଣ୍ଣାଡ ସ’ଙ୍କୁ ପ୍ରସ୍ତାବ ଦେଲେ, ‘କେତେ ଭଲ ହୁଅନ୍ତା ଯଦି ଆମେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇ ଏମିତି ଏକ ସନ୍ତାନକୁ ଜନ୍ମ ଦିଅନ୍ତେ ଯିଏ ମୋ’ ସୌନ୍ଦର୍ଯ୍ୟ ଓ ତୁମ ବୁଦ୍ଧିମତ୍ତାର ଅଧିକାରୀ ହୁଅନ୍ତା l’ ସେତେଟା ସୁଦର୍ଶନ ନଥିବା ପ୍ରତ୍ୟୁତ୍ପନ୍ନମତି ସମ୍ପନ୍ନ ବର୍ଣ୍ଣାଡ ସ’ ଉତ୍ତର ଦେଲେ, ‘ସତରେ ତାହା ବିସ୍ମୟକର ହୁଅନ୍ତା l ହେଲେ ଯଦି ଆମ ସନ୍ତାନଟି ମୋ’ ସୌନ୍ଦର୍ଯ୍ୟ ଓ ତୁମ ବୁଦ୍ଧିମତ୍ତାର ଅଧିକାରୀ ହୁଏ ତେବେ ?’’

ଯୁବତୀ ଜଣକ ଅଭିନେତ୍ରୀ ନ ହୋଇ ସେ ସମୟର ପ୍ରସିଦ୍ଧ ନୃତ୍ୟାଙ୍ଗନା ଇସାଡୋରା ଡଙ୍କାନ ଥିଲେ ବୋଲି ବିଶ୍ଵାସ କରାଯାଏ l ଆମେରିକାରେ ଜନ୍ମିତ ଇସାଡୋରା ପଶ୍ଚିମ ଇଉରୋପ ଓ ରୁଷିଆକୁ ତାଙ୍କ କର୍ମକ୍ଷେତ୍ରରେ ପରିଣତ କରିଥିଲେ l ଗତ ଶତାବ୍ଦୀର ପ୍ରଥମ ତିନି ଦଶକରେ ସେ ତାଙ୍କ ନୃତ୍ୟ ଓ ନୃତ୍ୟଶୈଳୀ ଯୋଗୁ ସମଗ୍ର ଇଉରୋପରେ ଚହଳ ପକାଇଥିଲେ l ତାଙ୍କ ସୌନ୍ଦର୍ଯ୍ୟ କେବଳ ପତ୍ରପତ୍ରିକାର ଚର୍ଚ୍ଚା ଭିତରେ ସୀମିତ ନରହି ସେ ସମୟର ସମ୍ଭ୍ରାନ୍ତ ସମାଜରେ ଚର୍ଚ୍ଚିତ ହେବା ସହିତ କିଛି ସ୍ଥପତି, ଚିତ୍ରକର ଓ ଚିତ୍ରୋତ୍ତଳକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲା l ଦୁଇ ଦୁଇ ଥର ବିବାହ କରି ଦୁଇଟି କନ୍ୟା ସନ୍ତାନର ଜନନୀ ହୋଇଥିବା ଇସାଡୋରା ବ୍ୟକ୍ତିଗତ ଜୀବନରେ ତାଙ୍କ ଉନ୍ମୁକ୍ତ ଜୀବନଶୈଳୀ ପାଇଁ ଚର୍ଚ୍ଚିତ ଥିଲେ l କେତେକଙ୍କ ମତରେ ଇସାଡୋରା ବର୍ଣ୍ଣାଡ ସ’ଙ୍କୁ ପ୍ରସ୍ତାବଟିକୁ ସିଧାସଳଖ ନ ଦେଇ ପତ୍ର ମାଧ୍ୟମରେ ଦେଇଥିଲେ l ସେ ଯାହା ହେଉ ନା କାହିଁକି, ଇସାଡୋରା ଓ ବର୍ଣ୍ଣାଡ ସ’ଙ୍କ ଉପାଖ୍ୟାନଟି ସେତେବେଳକୁ ସର୍ବତ୍ର ପ୍ରସାରିତ ହୋଇ ସାରିଥାଏ l ଠିକ୍ ଏତିକି ବେଳେ ମାକ୍ସ ହାୟେକ ନାମକ ଜଣେ ଲେଖକଙ୍କର ଏପରି ଏକ ଗଳ୍ପ ପ୍ରକାଶିତ ହେଲା ଯେଉଁଥିରେ ପୂର୍ବୋକ୍ତ ଉପାଖ୍ୟାନର ସାମଞ୍ଜସ୍ୟ ଥିଲା l ହାୟେକ ଏହାକୁ ବର୍ଣ୍ଣାଡ ସ’ଙ୍କ ଜୀବନରେ ଘଟିତ ଘଟଣାରୁ ଚୋରି କରିଛନ୍ତି ବୋଲି ଏକ ଇଟାଲୀୟ ପତ୍ରିକାରେ ଅଭିଯୋଗ ପ୍ରକାଶ ପାଇବା ପରେ ବିବାଦ ଆହୁରି ଘନେଇଲା l ଉପାଖ୍ୟାନର ସତ୍ୟତା ସମ୍ପର୍କରେ ଏକ ଜର୍ମାନ ପତ୍ରିକାର ସମ୍ପାଦକ ବର୍ଣ୍ଣାଡ ସ’ଙ୍କୁ ସିଧାସଳଖ ପଚାରିଲେ l ବାଧ୍ୟ ହୋଇ ବର୍ଣ୍ଣାଡ ସ’ ଏକ ପତ୍ର ମାଧ୍ୟମରେ (୧୯୨୬ରେ) ତାଙ୍କର ଇସାଡୋରାଙ୍କ ସହ ସମ୍ପର୍କ ଥିବା କଥାକୁ ଅସ୍ଵୀକାର କରିବା ସହିତ ଉଭୟଙ୍କ ମଧ୍ୟରେ ସେଭଳି କୌଣସି ବାର୍ତ୍ତାଳାପ ହୋଇ ନଥିଲା ବୋଲି କହିଥିଲେ l ସେ ଲେଖିଥିଲେ, ‘ଇଟାଲୀୟ ସାମ୍ଵାଦିକ ଜଣକ ନର୍ତ୍ତକୀ ଓ ତାଙ୍କ ପ୍ରସ୍ତାବକୁ ଉଦ୍ଭାବନ କଲେ l ମାକ୍ସ ହାୟେକଙ୍କ ଚତୁର ଉତ୍ତରକୁ ଚୋରି କଲେ, ଆଉ ମୋତେ ସେହି ଗପର ନାୟକ କରିଦେଲେ, କାରଣ ସମ୍ଵାଦପତ୍ରମାନେ ମୋ ବାବଦରେ ଏହିଭଳି ଅନେକ ଗପ ଛାପିଥାନ୍ତି l ସେଥିରୁ ଶତକଡା ଅନେଶତ ଭାଗ ସମ୍ପୂର୍ଣ୍ଣ ମିଛ ହୋଇଥିବା ବେଳେ, ଅଧା ପ୍ରତିଶତ ଅର୍ଦ୍ଧସତ୍ୟ l ବାକି ଅଧା ପ୍ରତିଶତ ସତ ହେଲେ ମଧ୍ୟ ତାର ଉପସ୍ଥାପନା ବେଳେ ତାକୁ କଦର୍ଯ୍ୟ କରି ଦେଇଥାନ୍ତି l’ ଅବଶ୍ୟ ସେ ୧୯୩୧ରେ ନାଟ୍ୟକାର ସିଓ୍ଵେଲ ଷ୍ଟୋକସଙ୍କ ସହ ଏକ ସାକ୍ଷାତକାରରେ ସ୍ଵୀକାର କରିଥିଲେ ଯେ ସେ ସେହି ଚତୁର ଉତ୍ତରଟି ଦେଇଥିଲେ ମଧ୍ୟ ତାହା ଅନ୍ୟ ଜଣେ ବିଦେଶୀ ଅଭିନେତ୍ରୀଙ୍କ ପ୍ରତି ଅଭିପ୍ରେତ ଥିଲା, ଇସାଡୋରାଙ୍କ ପ୍ରତି ନୁହେଁ l

କେବଳ ବର୍ଣ୍ଣାଡ ସ’ ନୁହନ୍ତି, ବରଂ ବିଭିନ୍ନ ସମୟରେ ‘ମୋ ସୌନ୍ଦର୍ଯ୍ୟ ଓ ତୁମ ବୁଦ୍ଧିମତ୍ତା’ ଉପାଖ୍ୟାନ ସହ ଆହୁରି ଅନେକ ଚର୍ଚ୍ଚିତ ବ୍ୟକ୍ତିତ୍ଵଙ୍କ ନାମ ଶୁଣିବାକୁ ମିଳିଛି l ସେମାନଙ୍କ ମଧ୍ୟରେ ଥିଲେ ୧୯୨୧ର ନୋବେଲ ପୁରସ୍କାର ପ୍ରାପ୍ତ ଫରାସୀ ସାହିତ୍ୟିକ ଆନାଟୋଲି ଫ୍ରାନ୍ସଙ୍କ ସହ ଇସାଡୋରା ଡଙ୍କାନ, ଅଲବର୍ଟ ଆଇନଷ୍ଟାଇନଙ୍କ ସହ ଜଣେ କୋରସ ଗାୟିକା, ନାଟ୍ୟକାର ଆର୍ଥର ମିଲରଙ୍କ ସହ ଅଭିନେତ୍ରୀ ମେରିଲିନ ମନରୋ l ତେବେ ବର୍ଣ୍ଣାଡ ସ’ ଅସ୍ଵୀକାର କରିଥିବା ସତ୍ତ୍ଵେ ଆଜିଯାଏଁ ଏ ଉପାଖ୍ୟାନ କଥା ଚର୍ଚ୍ଚା ହେଲେ ତାଙ୍କ ନାମ ଆପଣା ଛାଏଁ ମନକୁ ଆସିଯାଏ, କାରଣ ଉପାଖ୍ୟାନରେ ଥିବା ଚତୁର ଉକ୍ତି ଓ ସ’ଙ୍କ ପ୍ରତ୍ୟୁତ୍ପନ୍ନ ମତି ମଧ୍ୟରେ ଅନେକଟା ସାମଞ୍ଜସ୍ୟ ଥିବାରୁ ଏ ଉକ୍ତି ତାଙ୍କ ଭିନ୍ନ ଆଉ କାହା ମୁହଁରୁ ବାହାରି ନଥିବ ବୋଲି ପ୍ରତ୍ୟୟ ସୃଷ୍ଟି ହେବା ସ୍ଵାଭାବିକ l ଏଥିରୁ ସ୍ପଷ୍ଟ ଯେ ଗୋଟିଏ ଉପାଖ୍ୟାନ ବିଶ୍ଵାସଯୋଗ୍ୟ ଓ ଗ୍ରହଣୀୟ ହେବା କ୍ଷେତ୍ରରେ ଉପାଖ୍ୟାନ ସହ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ l

ଏଣିକି ଆଜିକାଲିକାର ବ୍ୟକ୍ତି ବିଶେଷଙ୍କୁ ନେଇ ବେଶି ଉପାଖ୍ୟାନ ଶୁଣିବାକୁ ମିଳୁନାହିଁ l ଏକଥା ନୁହେଁ ଯେ ଆଜିକାଲି ବିଶାଳ ବ୍ୟକ୍ତିତ୍ଵଙ୍କ ଅଭାବ ଅଛି ବା ସେମାନଙ୍କୁ ମହିମାମଣ୍ଡିତ କରିବା ପ୍ରଚେଷ୍ଟାରେ ଲୋକେ ଅସତ୍ୟର ଆଶ୍ରୟ ନେଉ ନାହାନ୍ତି l ତେବେ ଇଣ୍ଟରନେଟ, ଦୃଶ୍ୟ-ଶ୍ରାବ୍ୟ ଆଦି ମାଧ୍ୟମର ବହୁଳ ପ୍ରସାର ଫଳରେ ମିଥ୍ୟା ପ୍ରସାର କରିବା ପାଇଁ କିଛି ଲୋକ ଯେପରି ବ୍ୟଗ୍ର, ସତ୍ୟ ଉଦଘାଟନ କରିବାକୁ ଆଉ କିଛି ଲୋକ ସେହିପରି ତତ୍ପର ଥିବା ଯୋଗୁ ମିଛ ଆଉ ଦୀର୍ଘ ସମୟ ତିଷ୍ଠି ନପାରି ଧରାଶାୟୀ ହେଉଛି ଓ ଏଭଳି ଅପଚେଷ୍ଟା କରୁଥିବା ଲୋକେ ନିନ୍ଦିତ ହେଉଛନ୍ତି l ତେଣୁ ସେହି ମିଥ୍ୟା ଆଉ ଉପାଖ୍ୟାନ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରୁନାହିଁ l ଅବଶ୍ୟ କେତେକ କ୍ଷେତ୍ରରେ ଉପାଖ୍ୟାନରେ ବର୍ଣ୍ଣିତ ବ୍ୟକ୍ତି ବା ଘଟଣାର ସତ୍ୟତା ଅପେକ୍ଷା ସେଥିରେ ସନ୍ନିବେଶିତ ମର୍ମଟି ଏତେ ଅର୍ଥପୂର୍ଣ୍ଣ ହୋଇଥାଏ ଯେ ତାହା କାଳଜୟୀ ହୋଇଯାଏ, ଯାହା ହୋଇଛି ଚର୍ଚ୍ଚିତ ଉପାଖ୍ୟାନ ‘ମୋ ସୌନ୍ଦର୍ଯ୍ୟ ଓ ତୁମ ବୁଦ୍ଧିମତ୍ତା’ କ୍ଷେତ୍ରରେ l

Published in Dharitri on October 03, 2018

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...