Skip to main content

ଗୋଟିଏ ବିସ୍ମୃତ ମେଳିର କଥା

ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍ସବ ପାଳନର ଶ୍ରେୟ ନେବା ପାଇଁ ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ଓଡିଶାର ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ୧୯୧୭ ମସିହାରେ ସଂଘଟିତ ଏପରି ଏକ ବିଦ୍ରୋହ, ଯଦ୍ଦ୍ଵାରା ଆନ୍ତର୍ଜାତୀୟ ସ୍ତରରେ ଇଂରେଜ ସରକାର ନିନ୍ଦିତ ହେବାର ସମ୍ଭାବନା ଥିଲା, ତା’ର ଶହେ ବର୍ଷ ପାଳନକୁ ସମସ୍ତେ ସତେ ଯେମିତି ସହଜରେ ପାଶୋରି ଦେଇଛନ୍ତି l ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଇଂରେଜମାନଙ୍କ ବଳପୂର୍ବକ ସୈନ୍ୟସଂଗ୍ରହକୁ ବିରୋଧ କରି ଭାରତରେ ହୋଇଥିବା ଦୁଇଟି ବିଦ୍ରୋହ ଭିତରୁ ମୟୂରଭଞ୍ଜର ଆଦିବାସୀଙ୍କ ଦ୍ଵାରା ହୋଇଥିବା ଏହି ମେଳି ଥିଲା ଅନ୍ୟତମ l

ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଯୁଦ୍ଧକ୍ଷେତ୍ରରେ ଲଢୁଆ ସୈନ୍ୟ (କମ୍ଵାଟାଣ୍ଟ)ଙ୍କ ସହିତ ଅଣଲଢୁଆ ସୈନ୍ୟ (ନନ କମ୍ଵାଟାଣ୍ଟ)ଙ୍କ ଆବଶ୍ୟକତା ପଡୁଥିଲା l ଏମାନଙ୍କୁ ଚିକିତ୍ସା, ଗମନାଗମନ, ଅସ୍ତ୍ରଶସ୍ତ୍ର ରକ୍ଷଣାବେକ୍ଷଣ ଠାରୁ ଆରମ୍ଭ କରି ରୋଷେଇ, ପାଣି ବୁହା, କମାର, ମୋଚି, ମେହେନ୍ତର, ମାଲବୁହା ଆଦି ବିଭିନ୍ନ ବେସାମରିକ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା l ପୂର୍ବେ ଭାରତୀୟ ସେନାର ସ୍ଥାୟୀ ଅଙ୍ଗ ନଥିବା ‘କୁଲି କୋର’ ଜରିଆରେ ଏହି ସବୁ କାମ କରାଯାଉଥିଲା l ୧୯୧୧ ମସିହାର ଇଣ୍ଡିଆନ ଆର୍ମି ଆକ୍ଟ ଅନୁଯାୟୀ ସ୍ଵତନ୍ତ୍ର ଭାବେ ‘ଇଣ୍ଡିଆନ ଲେବର କୋର’ ଓ ‘ଇଣ୍ଡିଆନ ପୋର୍ଟର କୋର’ ଗଠିତ ହେଲା l ୧୯୧୪ ମସିହାରେ ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭ ହେବା ପରେ ବ୍ରିଟିଶ ସେନାବାହିନୀ ପାଇଁ ଇରାକର ମେସୋପୋଟାମିଆ ଅଞ୍ଚଳରେ ଅଧିକ ସଂଖ୍ୟାରେ ଅଣଲଢୁଆ ସୈନ୍ୟଙ୍କ ଆବଶ୍ୟକତା ହେବାରୁ ଭାରତରୁ ସୈନ୍ୟସଂଗ୍ରହ ଅଭିଯାନ ଆରମ୍ଭ ହେଲା l ତେବେ ପ୍ରଚଳିତ ବ୍ୟବସ୍ଥାରେ ସୈନ୍ୟସଂଗ୍ରହ ମନ୍ଥର ହେବାରୁ ୧୯୧୬ ମସିହା ମଧ୍ୟ ଭାଗରେ ସଂଗ୍ରହ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା ପାଇଁ ଜଣେ ଆଡଜୁଟାଣ୍ଟ ଜେନେରାଲଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ ହେଲା l

୧୯୧୭ ମସିହା ଫେବୃଆରି ମାସ ୫୦ହଜାର ଅଣଲଢୁଆ ସୈନ୍ୟଙ୍କୁ ଫ୍ରାନ୍ସ ପଠାଇବାକୁ ସ୍ଥିର ହୋଇ ବିଭିନ୍ନ ରାଜ୍ୟକୁ ସୈନ୍ୟସଂଗ୍ରହ ପାଇଁ ଜଣାଇ ଦିଆଗଲା l ୧୯୧୨ ମସିହାରେ ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅକାଳ ବିୟୋଗ ପରେ ତାଙ୍କର ଜ୍ୟେଷ୍ଠପୁତ୍ର ପୂର୍ଣ୍ଣଚନ୍ଦ୍ର ନାବାଳକ ଥିବାରୁ ଗଡଜାତ ପଲିଟିକାଲ ଏଜେଣ୍ଟଙ୍କୁ ସୁପରିଣ୍ଟେଣ୍ଡେଣ୍ଟ ଭାବେ ନିଯୁକ୍ତି ମିଳିଲା l ବ୍ରିଟିଶ ପ୍ରଶାସକଙ୍କ ପ୍ରତ୍ୟକ୍ଷ ଶାସନରେ ଥିବାରୁ ସୈନ୍ୟସଂଗ୍ରହ ପ୍ରକ୍ରିୟା ଅପେକ୍ଷାକୃତ ସହଜ ହେବ ମନେ କରି, ମୟୂରଭଞ୍ଜରୁ ଅନ୍ତତଃ ପକ୍ଷେ ୨୦୦୦ ଆଦିବାସୀଙ୍କୁ ସଂଗ୍ରହ କରିବାର ଲକ୍ଷ୍ୟ ଧାର୍ଯ୍ୟ ହେଲା ଏବଂ ଏଥିରେ ପଲିଟିକାଲ ଏଜେଣ୍ଟ ସି.ଏଲ.ଫିଲିପଙ୍କୁ ସହଯୋଗ କରିଥିଲେ ସ୍କଟ ନାମକ ବ୍ରିଟିଶ ସେନାବାହିନୀର ଜଣେ ବରିଷ୍ଠ ଅଧିକାରୀ l ସୈନ୍ୟସଂଗ୍ରହ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା ପାଇଁ ଅପ୍ରେଲ ୨୮ ତାରିଖ ଦିନ ନିଯୁକ୍ତି ଅଭିଯାନ ଆରମ୍ଭ ହେଲା l ଆଦିବାସୀଙ୍କୁ ଜୋର ଜବରଦସ୍ତ ସାମିଲ କରିବା ପାଇଁ ବଳ ପ୍ରୟୋଗ ହେବାକୁ ଲାଗିଲା ଓ ଫଳସ୍ଵରୂପ ତୀବ୍ର ଜନ ଅସନ୍ତୋଷ ଦାନା ବାନ୍ଧିଲା l ଅବଶ୍ୟ ଏଥିପୂର୍ବରୁ ଆଦିବାସୀମାନେ ବିଭିନ୍ନ ସରକାରୀ କର୍ମଚାରୀଙ୍କ ଉତ୍ପୀଡନର ଶିକାର ହୋଇ ଅତିଷ୍ଠ ହୋଇ ଯାଇଥିଲେ l ହାଣ୍ଡିଆ ତିଆରି ଓ ବିକ୍ରି, ବନ୍ୟଜାତ ଦ୍ରବ୍ୟର ସଂଗ୍ରହ, ଘର ତିଆରି ପାଇଁ ଗଛକଟା ଆଦି ବିଭିନ୍ନ କାରଣ ଯୋଗୁଁ ସେମାନଙ୍କୁ ହଇରାଣ ହରକତ କରାଯାଉଥିଲା l କୁହାଯାଏ, ମହାରାଜାଙ୍କ ମୃତ୍ୟୁ ପରେ ବ୍ରିଟିଶ ପ୍ରଶାସକଙ୍କ ଦ୍ଵାରା ପ୍ରଜାଙ୍କ ଉପରେ ୬୪ ପ୍ରକାର ଟିକସ ବସା ଯାଇଥିଲା l ଏ ଯାଏଁ ବିନା ପ୍ରତିବାଦରେ ଆସାମର ଚା’ ବଗିଚାରେ ଶ୍ରମିକ ଭାବେ କାମ କରିବାକୁ ଯିବା ପାଇଁ ଅମଙ୍ଗ ହେଉ ନଥିବା ଆଦିବାସୀମାନେ, ଦରିଆପାରି ବିଦେଶରେ କାମ କରିବାକୁ ବିରୋଧ କଲେ l

ଏତିକିବେଳେ ବେତନଟୀଠାରେ ପ୍ରଜାମେଳିର ସଦସ୍ୟମାନେ ହିନ୍ଦୁ ମାଝି ଓ ମାନସିଂ ମାଝିଙ୍କୁ ସେମାନଙ୍କ ମୁଖିଆ ବା ରାଜା ଓ କାଳିଆ ମହାନ୍ତଙ୍କୁ ମନ୍ତ୍ରୀ ଭାବେ ଘୋଷିତ କରି ତାଙ୍କ ନେତୃତ୍ଵରେ ବ୍ରିଟିଶ ପ୍ରଶାସନ ବିରୁଦ୍ଧରେ ଲଢିବାକୁ ଆଗେଇ ଆସିଲେ l କେତେକ ସ୍ଥାନରେ ସୈନ୍ୟସଂଗ୍ରହ ଦାୟିତ୍ଵରେ ଥିବା କର୍ମଚାରୀମାନେ ବିଦ୍ରୋହୀଙ୍କ ଆକ୍ରମଣର ଶିକାର ହେଲେ l ଲଢେଇ କ୍ରମଶଃ ହିଂସ୍ର ରୂପ ଧାରଣ କଲା l ମେ’ ମାସ ୧୮ ଓ ୧୯ ତାରିଖ ଦିନ ବେତନଟୀ ନିକଟରେ ବାଙ୍ଗିରିପୋଷି-ରୁପସା ରେଳ ଧାରଣାକୁ କାଟି ଦିଆଗଲା l ବେତନଟୀ ବଜାରରେ ବ୍ୟାପକ ଭଙ୍ଗାରୁଜା ଓ ଲୁଟତରାଜ ହେଲା l ଅଳ୍ପ ଦିନ ମଧ୍ୟରେ ମେଳି ସମଗ୍ର ବାରିପଦା ଉପଖଣ୍ଡକୁ ବ୍ୟାପିଗଲା l ଜୁନ ୨ ତାରିଖ ଦିନ ସାରସକଣା ହାଟରେ ଲୁଟତରାଜ ହେଲା l

ସୈନ୍ୟସଂଗ୍ରହ ନିଷ୍ପତ୍ତି ବିରୁଦ୍ଧରେ ଏହା ଥିଲା ଭାରତରେ ପ୍ରଥମ ବିଦ୍ରୋହ l ତେଣୁ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିଲେ ସୈନ୍ୟସଂଗ୍ରହରେ ବାଧା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବ୍ରିଟିଶ ପ୍ରଶାସକ ଚିନ୍ତିତ ହୋଇପଡିଲେ l ପୁନଶ୍ଚ, ପ୍ରଥମ ବିଶ୍ଵଯୁଦ୍ଧ ଚାଲିଥିବାରୁ ଏ ଭଳି ବିଦ୍ରୋହକୁ ତୁରନ୍ତ ନିୟନ୍ତ୍ରଣ କରି ନ ପାରିଲେ ଆନ୍ତର୍ଜାତିକ ସ୍ତରରେ ବ୍ରିଟେନ ପାଇଁ ଅପମାନଜନକ ସ୍ଥିତି ସୃଷ୍ଟି ହେବ l ତେଣୁ ବିଚଳିତ କମିଶନରଙ୍କୁ ବାରିପଦାରେ କ୍ୟାମ୍ପ କରିବାକୁ ହେଲା l ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଓଡିଶା ସଶସ୍ତ୍ର ପୋଲିସ ବାହିନୀକୁ ମୁତୟନ କରାଗଲା l ବାରିପଦା ଉପଖଣ୍ଡରେ ହିଂସା ପ୍ରଶମିତ ହେବା ସହିତ ବିଦ୍ରୋହର ପ୍ରଥମ ପର୍ଯ୍ୟାୟର ଅବସାନ ଘଟିଲା l ତଥାପି ପ୍ରଶାସନିକ ଉତ୍ପୀଡନ ବିରୁଦ୍ଧରେ ଗଣସଭାମାନ ଆୟୋଜିତ ହେଉଥିଲା l ହଠାତ୍ ମେଳି ବାମନଘାଟୀ ଓ ପଞ୍ଚପୀଢ ଉପଖଣ୍ଡକୁ ବ୍ୟାପିଗଲା l ଜୁନ ମାସ ୧୫ ଓ ୧୬ ତାରିଖ ଦିନ ରାଇରଙ୍ଗପୁର ବଜାରରେ ବ୍ୟାପକ ଲୁଟତରାଜ ହେଲା ଓ ଜଣେ କନେଷ୍ଟବଳଙ୍କୁ ହତ୍ୟା କରାଗଲା l କଲିକତାରୁ ସୈନ୍ୟବାହିନୀର ୧୦୦ ଜଣ ପଦାତିକ ଯବାନଙ୍କୁ ଅଣାଯାଇ ବିଦ୍ରୋହକୁ ଦମନ କରାଗଲା l ଉଲ୍ଲେଖଯୋଗ୍ୟ, ବିଦ୍ରୋହ ଦମନ କରିବା ପାଇଁ ରାଜ୍ୟକୁ ୮୪,୦୦୨ ଟଙ୍କାର ବ୍ୟୟଭାର ବହନ କରିବାକୁ ହୋଇଥିଲା l ଏହି ମେଳି ପ୍ରତି ତତ୍କାଳୀନ ଜାତୀୟ ଓ ରାଜ୍ୟସ୍ତରର ରାଜନେତାଙ୍କଠାରୁ କୌଣସି ସାହାଯ୍ୟ ବା ସମର୍ଥନ ନ ମିଳିବା ଆଶ୍ଚର୍ଯ୍ୟର ବିଷୟ l

ମେଳିର ଅବସାନ ପରେ ଭାଗ ନେଇଥିବା ଲୋକଙ୍କ ବିରୁଦ୍ଧରେ ମକଦ୍ଦମା ରୁଜ୍ଜୁ ହେଲା l ନେତୃତ୍ଵ ନେଇଥିବା କଙ୍କ ମାଝି, କାଳିଆ ମହାନ୍ତ, ରେତୁ କୋଲ-କୁମାର ଓ ନୟନ ସିଂ ମୁଣ୍ଡାଙ୍କୁ ଫାଶି ହୋଇଥଲା l କଙ୍କ ମାଝି ପ୍ରକୃତରେ ଜଣେ ବ୍ୟକ୍ତି ନୁହେଁ, ବରଂ ପୂର୍ବୋକ୍ତ ହିନ୍ଦୁ ମାଝି ଓ ମାନସିଂ ମାଝି ନାମକ ଦୁଇ ଭାଇ l ଏକ ଟୁସୁ ଗୀତରୁ ଏହି ନେତାମାନଙ୍କ ବଳିଦାନର ଝଲକ ମିଳିଥାଏ, ‘ଭଞ୍ଜଭୂଇୟେ ମେଲି ହଇଲୋ, କଙ୍କ ମାଝିର ଫାଁଶି ହଇଲୋ, ଓ ଟୁସୁ ହମାର ଅଗଦାହଲି, ଦେଖବି ତୋରା ଆଏ, କାଲିଆ ମାହାତୋର ଫାଁଶି ହଇଲୋ, ବାରିପଦା ଝରଝନାଏ, ରେତୁ କୋଲ-କୁମାର ଆଉର, ନୟନ ସିଂ ମୁଣ୍ଡା ମରଦ ବଠେ ଭାଇ l’ କୁହାଯାଏ, ଏହା ଥିଲା ବ୍ରିଟିଶ ଶାସନ ସମୟରେ ସମଗ୍ର ଭାରତରେ ଆଦିବାସୀଙ୍କ ବିରୁଦ୍ଧରେ ସବୁଠାରୁ ବଡ ମାମଲା, ଯେଉଁଥିରେ ୧୧୧୮ ଜଣଙ୍କ ବିରୁଦ୍ଧରେ ମକଦ୍ଦମା ଚାଲି ୭୦୦ରୁ ଊର୍ଦ୍ଧ୍ଵଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା l ସେମାନଙ୍କ ମଧ୍ୟରୁ ୩୭ ଜଣଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା l ତେବେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଏଚ. ମ୍ୟାକଫରସନ ଏକ ତର୍କସଙ୍ଗତ ରିପୋର୍ଟ ପ୍ରଦାନ କରି ନଥିଲେ ହୁଏତ ଆହୁରି ଅନେକ ଲୋକଙ୍କ ବିରୁଦ୍ଧରେ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଇଥା’ନ୍ତା l ସେ ତାଙ୍କ ରିପୋର୍ଟରେ ମୟୂରଭଞ୍ଜର ବିତ୍ତୀୟ ଓ ଅର୍ଥନୈତିକ ସ୍ଥିତି କଥା ଉଲ୍ଲେଖ କରି କୌଣସି ପ୍ରକାର ସାମୂହିକ ଦଣ୍ଡ ବିଧାନ ଓ ସାଧାରଣ ଲେଭି ଆଦାୟ ବିରୁଦ୍ଧରେ ମତ ଦେଇଥିଲେ l କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ସୈନ୍ୟସଂଗ୍ରହ ପ୍ରକ୍ରିୟାକୁ ଜଟିଳ କରିବା ସହିତ ଆଦିବାସୀଙ୍କ ମଧ୍ୟରେ ପ୍ରଶାସନ ପ୍ରତି ଅବିଶ୍ଵାସ ଭାବକୁ ଅଧିକ ବଢାଇବ ବୋଲି ସୂଚାଇଥିଲେ l

୧୯୧୭ ମସିହା ମେ’ ମାସରେ ଯୁବରାଜ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଆଜମେରର ମେୟୋ କଲେଜରୁ ଶିକ୍ଷା ସମାପ୍ତ କରି ପ୍ରତ୍ୟାବର୍ତ୍ତନ କରିଥା’ନ୍ତି, ଆଉ ଠିକ ସେତିକି ବେଳେ ମେଳି ଥାଏ ତା’ ଚରମରେ l ମେଳି ଦମନ ପରେ ଯୁବରାଜଙ୍କ ଆଗରେ ଥିଲା ଯୁଦ୍ଧ ପାଇଁ ରାଜ୍ୟ ଭିତରୁ ଅଧିକ ସଂଖ୍ୟାରେ ସୈନ୍ୟ ସଂଗ୍ରହ କରାଇ ବ୍ରିଟିଶ ଶାସକଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବା ସଙ୍ଗେସଙ୍ଗେ ଉତକ୍ଷିପ୍ତ ପ୍ରଜାଙ୍କ ରୋଷକୁ ପ୍ରଶମିତ କରି ଯୁଦ୍ଧରେ ସାମିଲ ହେବା ପାଇଁ ରାଜି କରାଇବା ଭଳି ଦୁଇ ଦୁଇଟି ଆହ୍ଵାନ l ସମ୍ଭବତଃ, ଯୁବରାଜଙ୍କ ଶ୍ଵଶୁର ଗୁଜରାଟର ଓ୍ଵାଙ୍କାନେର ରାଜ୍ୟର ମହାରାଜା ଅମରସିଂହ ବର୍ଷକ ପୂର୍ବରୁ ପ୍ରଥମ ବିଶ୍ଵଯୁଦ୍ଧରେ ଅଂଶ ଗ୍ରହଣ କରିଥିବାରୁ, ପୂର୍ଣ୍ଣଚନ୍ଦ୍ର ଅନୁପ୍ରାଣିତ ହୋଇ ଯୁଦ୍ଧରେ ଅଂଶ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ l ବ୍ରିଟିଶ ସେନା କର୍ତ୍ତୃପକ୍ଷ ତାଙ୍କ ଅନୁରୋଧକୁ ସ୍ଵୀକାର କରି ୧୯୧୮ରେ ତାଙ୍କୁ ରୟାଲ ଆର୍ଟିଲେରିରେ ଅନରାରି ସେକେଣ୍ଡ ଲେଫ୍ଟନାଣ୍ଟ ଭାବେ ନିଯୁକ୍ତି ପ୍ରଦାନ କରି ଫ୍ରାନ୍ସରେ ଅବସ୍ଥାପିତ କରିଥିଲେ l ଏତିକିବେଳେ ମୋରଡା ଅଞ୍ଚଳର ଖୁରୁଣ୍ଟିଆ ଗାଁର ଶିବ ଜେନା ମେସୋପୋଟାମିଆ ଯୁଦ୍ଧଭୂଇଁରୁ ସଦ୍ୟ ଫେରିଥା’ନ୍ତି l ରଣକ୍ଷେତ୍ରରେ ସେନାର ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ବୁଝାଇବା ପାଇଁ ତାଙ୍କୁ ବ୍ୟବହାର କରାଗଲା l ତାଙ୍କ ଯୁଦ୍ଧ ଅନୁଭୁତି ବର୍ଣ୍ଣନା ଓ ଯୁବରାଜଙ୍କ ଯୁଦ୍ଧରେ ଅଂଶଗ୍ରହଣ ନିଷ୍ପତ୍ତି ପ୍ରଜାଙ୍କୁ ପ୍ରଭାବିତ କଲା l ମରୁଡି ପରିସ୍ଥିତି ଯୋଗୁଁ ଆର୍ଥିକ ଅନଟନର ଶିକାର ହୋଇଥିବା କିଛି ପ୍ରଜା ସେନାରେ ଭର୍ତ୍ତି ହେବାକୁ ଆଗେଇ ଆସିଲେ l ଫେବୃଆରୀ ମାସର ପ୍ରଥମାର୍ଦ୍ଧରେ ୭୮ ଜଣଙ୍କୁ ‘ମେସୋପୋଟାମିଆ ଲେବର କୋର’ରେ କୁଲି ଭାବେ ଭର୍ତ୍ତି କରାଗଲା l ସୁପରିଣ୍ଟେଣ୍ଡେଣ୍ଟ ସି.ଏଲ ଫିଲିପଙ୍କ ତତ୍ତ୍ଵାବଧାନରେ ସମୁଦାୟ ୨୪୫୨ ଜଣଙ୍କୁ ଅଣଲଢୁଆ ସୈନ୍ୟ ଭାବେ ଭର୍ତ୍ତି କରାଯାଇଥିଲା l ଏତଦବ୍ୟତୀତ ମୟୂରଭଞ୍ଜ ରାଜ୍ୟ ତରଫରୁ ବ୍ରିଟିଶ ଯୁଦ୍ଧ ପାଣ୍ଠିକୁ ୮୯,୨୧୭ ଟଙ୍କା ପ୍ରଦାନ, ଭାରତୀୟ ଯୁଦ୍ଧଋଣ ପାଣ୍ଠିରେ ପ୍ରାୟ ୩୬ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗ ଓ ଉପହାର ସ୍ଵରୂପ ଗୋଟିଏ ଲେଖାଏଁ ଉଡାଜାହାଜ ଓ ମୋଟର ଆମ୍ଵୁଲାନ୍ସ ପ୍ରଦାନ କରାଯାଇଥିଲା l ଏହି ସହଯୋଗ ଓ ଅବଦାନର ପ୍ରତିବଦଳରେ ବ୍ରିଟିଶ ସରକାର ମହାରାଜା ପୂର୍ଣ୍ଣଚନ୍ଦ୍ରଙ୍କୁ କେ.ସି.ଆଇ.ଇ. ଉପାଧି ପ୍ରଦାନ କରିଥିଲେ l

ସେହି ଏକା ସମୟରେ ଏକା କାରଣରୁ ମଣିପୁରରେ ହୋଇଥିବା ‘କୁକି ବିଦ୍ରୋହ’କୁ ଇତିହାସରେ ଉପଯୁକ୍ତ ସ୍ଥାନ ମିଳିଛି l କୁକି ବିଦ୍ରୋହର ଶହୀଦ ଓ ପୀଡିତଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୯୬୩ ମସିହାରେ ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ମଣିପୁରର ରାଜଧାନୀ ଇମ୍ଫାଲରେ ଏକ ଯୁଦ୍ଧ ସ୍ମାରକୀ ପ୍ରତିଷ୍ଠା କରାଯାଇଛି l ମୋରେହ ସହରରେ କୁକି ରାଜା ଚେଙ୍ଗଜାପାଓ ଡ୍ୟୁଗେଲଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି l ମାତ୍ର ମୟୂରଭଞ୍ଜ ମେଳିକୁ ଉଚିତ ଐତିହାସିକ ମାନ୍ୟତା ନ ମିଳିବା ପରିତାପର ବିଷୟ l ବିଦ୍ରୋହରେ ଅଂଶ ଗ୍ରହଣ କରି ଦଣ୍ଡିତ ଓ ପୀଡିତ ହୋଇଥିବା ପ୍ରତ୍ୟେକଙ୍କ ସମ୍ପର୍କରେ ତଥ୍ୟ ଆହରଣ ପାଇଁ ଉଚ୍ଚତର ଗବେଷଣାର ଆବଶ୍ୟକତା ରହିଛି l ଏତଦବ୍ୟତୀତ ପ୍ରଥମ ବିଶ୍ଵଯୁଦ୍ଧରେ ଅଂଶ ଗ୍ରହଣ କରି ଶହୀଦ ହୋଇଥିବା ଓ ଯୁଦ୍ଧଫେରନ୍ତା ସମସ୍ତଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯିବା ଉଚିତ l କୌଣସି ରାଜା ବା ରାଜନେତା ମୟୂରଭଞ୍ଜ ମେଳିର ନେତୃତ୍ଵ ନେଇ ନଥିଲେ ବୋଲି କ’ଣ ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ଐତିହାସିକ ଘଟଣାକୁ ସମସ୍ତେ ଭୁଲିଗଲେ, ଆଉ ଆଦିବାସୀ ନେତାମାନେ ମଧ୍ୟ ସ୍ମରଣ କରିବାକୁ ଉଚିତ ମନେ କଲେ ନାହିଁ ? ବିଳମ୍ଵରେ ହେଲେ ମଧ୍ୟ ଶତବାର୍ଷିକୀ ପୂ୍ର୍ତ୍ତି ଅବସରରେ ଭାରତ ସରକାରଙ୍କ ତରଫରୁ ବାରିପଦାଠାରେ ଶହୀଦମାନଙ୍କ ପ୍ରତିମୂର୍ତ୍ତି ସହ ଏକ ସ୍ମାରକୀ ପ୍ରତିଷ୍ଠା କରାଯାଇ ସେମାନଙ୍କ ବଳିଦାନର ଗାଥା ଉଜ୍ଜୀବିତ କରି ରଖାଯିବା ଆବଶ୍ୟକ l ରାଜ୍ୟ ସରକାର ତୁରନ୍ତ ଜିଲ୍ଲା ଓ ରାଜ୍ୟସ୍ତରରେ ଉତ୍ସବ ପାଳନ କରିବାକୁ ପଦକ୍ଷେପ ନେବା ଦରକାର, ନହେଲେ ‘ଆଦିବାସୀ ବୋଲି ଭୁଲିଗଲେ’ ଅଭିଯୋଗ ଆସିବା ଅଯଥାର୍ଥ ନୁହେଁ l ଶକ୍ତିଶାଳୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି ଜୀବନର ଆହୁତି ଦେଇଥିବା ମୟୂରଭଞ୍ଜ ମେଳିର ମହାନାୟକମାନଙ୍କୁ କ’ଣ ବିସ୍ମୃତି ଗର୍ଭରେ ହଜି ଯିବାକୁ ଛାଡି ଦେବା ସମୀଚୀନ ହେବ ?

Published in Sambad on March 23, 2018 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍