ଘରେ ନ ପଶୁଣୁ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ମୁଣ୍ଡରେ ଚାଳ ବାଜିଲାଣି ବୋଲି ଏବେ ଚର୍ଚ୍ଚା ହେଉଛି । ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣାରେ ଅନେକ ଲୋକଙ୍କ ପ୍ରାଣହାନି ପରେ ଦେଶବ୍ୟାପୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନସାଧାରଣଙ୍କ କ୍ରୋଧର ଶରବ୍ୟ ହୋଇଛନ୍ତି । ଠିକ୍ ଏତିକିବେଳେ ନିଟ୍ ପରୀକ୍ଷାରେ ହୋଇଥିବା ବ୍ୟାପକ ଦୁର୍ନୀତିର ଖବର ପ୍ରଘଟ ହୋଇ ଦେଶ ତମାମ୍ ଲକ୍ଷ ଲକ୍ଷ ପ୍ରଭାବିତ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ରୋଷ-ଉତ୍ତାପ ବଳୟରେ ପଡ଼ିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ କହି ପରୀକ୍ଷା ପରିଚାଳନା କରୁଥିବା ‘ଏନଟିଏ’ ସଂସ୍ଥାକୁ ଏକପ୍ରକାର କ୍ଲିନ୍ ଚିଟ୍ ଦେବା, ତା’ପରେ କାଁ ଭାଁ ଅନିୟମିତତା ହୋଇଛି ବୋଲି ସ୍ୱୀକାର ଓ ଶେଷରେ ଅନିୟମିତତା ପାଇଁ ସେ ନିଜେ ନୈତିକ ଭାବେ ଦାୟୀ ବୋଲି ମନ୍ତ୍ରୀ କହିବା ପରେ ତାଙ୍କର ଇସ୍ତଫା ଦାବି ଜୋର ଧରିଲା । ଏହା କେବଳ ଏକ ପ୍ରଶ୍ନପତ୍ର ଲିକ୍ ମାମଲା ନୁହେଁ, ବରଂ ଏଥିରେ ପାଦେ ପାଦେ ବ୍ୟାପକ ଅନିୟମିତତା ହୋଇଥିବାର ସୂଚନା ମିଳୁଛି ଯହିଁରେ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ବିପନ୍ନ ହୋଇ ସେମାନଙ୍କ ସ୍ୱପ୍ନଚୋରି ଓ ମେଧାହତ୍ୟା ଲାଗି ସୁପରିକଳ୍ପିତ ଷଡ଼ଯନ୍ତ୍ର ହୋଇଥିବା ବିଷୟ ଜଣାପଡ଼ୁଛି । କହିବା ବାହୁଲ୍ୟ ଯେ ଏ ପ୍ରକାର ଦୁଃସ୍ଥିତିର ଦୀର୍ଘମିଆଦି ପ୍ରଭାବ ପଡ଼ିବାକୁ ଯାଉଛି, ଯାହା ଚିନ୍ତାଜନକ । ଡାକ୍ତରୀ ପାଠ ପଢ଼ିବା ପା...