ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡକୁ ଅବୈଧ ଘୋଷଣା କରି ଫେବୃଆରୀ ୧୫, ୨୦୨୪ରେ ଦେଇଥିବା ତାଙ୍କର ରାୟରେ ବଣ୍ଡ୍ ସଂକ୍ରାନ୍ତ ସମସ୍ତ ତଥ୍ୟ ମାର୍ଚ୍ଚ ୬, ୨୦୨୪ ସୁଦ୍ଧା ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ । କଣ୍ଟ ପୂରିବାର ମାତ୍ର ଦୁଇ ଦିନ ପୂର୍ବରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ତଥ୍ୟ ଦାଖଲ କରିବା ସମ୍ଭବ ନୁହେଁ ବୋଲି ଦର୍ଶାଇ ଷ୍ଟେଟ ବ୍ୟାଙ୍କ ଜୁନ ୩୦ ଯାଏଁ ମହଲତ ମାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମାର୍ଚ୍ଚ ୧୨ ତାରିଖରେ ସର୍ବୋଚ୍ଚ ଅଦାଲତ ଆବେଦନଟିକୁ ଖାରଜ କରିବା ସହ ଗୋଟିଏ ଦିନ ଭିତରେ ସମସ୍ତ ତଥ୍ୟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବାକୁ ବ୍ୟାଙ୍କକୁ ତାଗିଦ କରିବା ପରେ ଅଗତ୍ୟା ବ୍ୟାଙ୍କ ନିର୍ବାଚନ କମିସନଙ୍କ ନିକଟରେ ତଥ୍ୟ ଦାଖଲ କଲା । ଅଦାଲତଙ୍କ ଆଦେଶ ଅନୁଯାୟୀ କମିସନ ତାହା ସର୍ବସାଧାରଣଙ୍କ ଗୋଚରାର୍ଥେ ୱେବସାଇଟରେ ରଖିବା ପରେ ନିର୍ବାଚନୀ ବଣ୍ଡର ଜିନ୍ ବା ଭୂତ ବୋତଲ ଭିତରୁ ବାହାରି ଅନେକ ଦୁର୍ନୀତିର ଆଭାସ ଦେବା ସହିତ ରାଜନୈତିକ ରଙ୍ଗମଞ୍ଚରେ ସତେ ଯେମିତି ତାଣ୍ଡବ ରଚିବା ଆରମ୍ଭ କରିଦେଇଛି । ନିର୍ବାଚନୀ ବଣ୍ଡ୍ ସ୍କିମ ଅନୁଯାୟୀ ଏହା ବର୍ଷର ନିର୍ଦ୍ଦିଷ୍ଟ କେତେକ ଦିନରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ନିର୍ଦ୍ଦିଷ୍ଟ କେତେକ ଶାଖାରେ କିଣିବାକୁ ମିଳେ; ବର୍ଷ ସାରା ନୁହେଁ । କ୍ରେତାଙ୍କ ‘କେୱାଇସି’ ବ୍ୟାଙ୍କ ନିକଟରେ ଥିବାରୁ ବ୍ୟାଙ...