ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡକୁ ଅବୈଧ ଘୋଷଣା କରି ଫେବୃଆରୀ ୧୫, ୨୦୨୪ରେ ଦେଇଥିବା ତାଙ୍କର ରାୟରେ ବଣ୍ଡ୍ ସଂକ୍ରାନ୍ତ ସମସ୍ତ ତଥ୍ୟ ମାର୍ଚ୍ଚ ୬, ୨୦୨୪ ସୁଦ୍ଧା ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ । କଣ୍ଟ ପୂରିବାର ମାତ୍ର ଦୁଇ ଦିନ ପୂର୍ବରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ତଥ୍ୟ ଦାଖଲ କରିବା ସମ୍ଭବ ନୁହେଁ ବୋଲି ଦର୍ଶାଇ ଷ୍ଟେଟ ବ୍ୟାଙ୍କ ଜୁନ ୩୦ ଯାଏଁ ମହଲତ ମାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମାର୍ଚ୍ଚ ୧୨ ତାରିଖରେ ସର୍ବୋଚ୍ଚ ଅଦାଲତ ଆବେଦନଟିକୁ ଖାରଜ କରିବା ସହ ଗୋଟିଏ ଦିନ ଭିତରେ ସମସ୍ତ ତଥ୍ୟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବାକୁ ବ୍ୟାଙ୍କକୁ ତାଗିଦ କରିବା ପରେ ଅଗତ୍ୟା ବ୍ୟାଙ୍କ ନିର୍ବାଚନ କମିସନଙ୍କ ନିକଟରେ ତଥ୍ୟ ଦାଖଲ କଲା । ଅଦାଲତଙ୍କ ଆଦେଶ ଅନୁଯାୟୀ କମିସନ ତାହା ସର୍ବସାଧାରଣଙ୍କ ଗୋଚରାର୍ଥେ ୱେବସାଇଟରେ ରଖିବା ପରେ ନିର୍ବାଚନୀ ବଣ୍ଡର ଜିନ୍ ବା ଭୂତ ବୋତଲ ଭିତରୁ ବାହାରି ଅନେକ ଦୁର୍ନୀତିର ଆଭାସ ଦେବା ସହିତ ରାଜନୈତିକ ରଙ୍ଗମଞ୍ଚରେ ସତେ ଯେମିତି ତାଣ୍ଡବ ରଚିବା ଆରମ୍ଭ କରିଦେଇଛି ।
ନିର୍ବାଚନୀ ବଣ୍ଡ୍ ସ୍କିମ ଅନୁଯାୟୀ ଏହା ବର୍ଷର ନିର୍ଦ୍ଦିଷ୍ଟ କେତେକ ଦିନରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ନିର୍ଦ୍ଦିଷ୍ଟ କେତେକ ଶାଖାରେ କିଣିବାକୁ ମିଳେ; ବର୍ଷ ସାରା ନୁହେଁ । କ୍ରେତାଙ୍କ ‘କେୱାଇସି’ ବ୍ୟାଙ୍କ ନିକଟରେ ଥିବାରୁ ବ୍ୟାଙ୍କ ପକ୍ଷରେ ତାଙ୍କୁ ଚିହ୍ନଟ କରିବା ଆଦୌ କଠିନ ନୁହେଁ । ନିର୍ବାଚନୀ ବଣ୍ଡଗୁଡ଼ିକ ଟଙ୍କା ପରି ଏକ ବଚନ ପତ୍ର (ପ୍ରମିସରି ନୋଟ) ହୋଇଥିଲେ ବି ସ୍କିମ ଅନୁଯାୟୀ ଏହାକୁ କେବଳ ଆଇନତଃ ଯୋଗ୍ୟ କିଛି ରାଜନୈତିକ ଦଳ ଗ୍ରହଣ କରିପାରନ୍ତି । ପ୍ରତିଟି ବଣ୍ଡକୁ ବେନାମୀ କରିବା ଉଦ୍ଦେଶ୍ୟରେ ବଣ୍ଡ ଉପରେ ଚାନ୍ଦା ଦାତାଙ୍କ ବା ଗ୍ରହୀତାଙ୍କ ନାମ ଉଲ୍ଲିଖିତ ହୁଏନାହିଁ । ତେବେ ପ୍ରତ୍ୟେକଟିରେ ଏକ ସ୍ୱତନ୍ତ୍ର ନମ୍ୱର ଥାଏ । ପ୍ରାପ୍ତ ବଣ୍ଡଗୁଡ଼ିକୁ ଜମା କରିବା ଲାଗି ରାଜନୈତିକ ଦଳଗୁଡ଼ିକ ଷ୍ଟେଟ ବ୍ୟାଙ୍କରେ ଏକ ଅଲଗା ଖାତା ଖୋଲିଥିଲେ ଏବଂ ବଣ୍ଡ୍ ମିଳିବାର ୧୫ ଦିନ ଭିତରେ ସେଗୁଡ଼ିକୁ ସେହି ଖାତାରେ ଜମା କରିବାକୁ ପଡ଼ୁଥିଲା । ତେଣୁ କେଉଁ ଦଳକୁ କେତେ ଟଙ୍କାର ନିର୍ବାଚନୀ ବଣ୍ଡ ମିଳିଲା ତାହା ମଧ୍ୟ ଷ୍ଟେଟ ବ୍ୟାଙ୍କ ନିକଟରେ ଉପଲବ୍ଧ । ଗୋପନୀୟତା ରକ୍ଷା କରିବା ଲାଗି ଚାନ୍ଦା ଦାତା ଓ ଗ୍ରହୀତାଙ୍କ ନାମ ଅଲଗା ଅଲଗା କରି ରଖାଯାଇଥିବାରୁ କାହାକୁ କେଉଁ ବଣ୍ଡ ମିଳିଛି ତାକୁ ଗୋଟି ଗୋଟି କରି ମେଳାଇବା ସମୟ ସାପେକ୍ଷ ବୋଲି ଷ୍ଟେଟ ବ୍ୟାଙ୍କ ଯୁକ୍ତି ବାଢ଼ିଥିଲା । ତେଣୁ, ଉପଲବ୍ଧ ତଥ୍ୟକୁ ନ ମିଳାଇ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଲେ । ଏହା ପରେ ମଧ୍ୟ ଷ୍ଟେଟ ବ୍ୟାଙ୍କ ଦାଖଲ କରିଥିବା ତଥ୍ୟରେ ବଣ୍ଡ୍ ନମ୍ୱର ଉଲ୍ଲେଖ ନଥିବାରୁ ବ୍ୟାଙ୍କ ପୁନର୍ବାର ଅଦାଲତଙ୍କ ରୋଷର ଶିକାର ହେଲା । ତୁରନ୍ତ ବଣ୍ଡଗୁଡ଼ିକର ନମ୍ୱର ଜଣାଇବାକୁ ଅଦାଲତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଲେ । ଏ ସବୁରୁ ପ୍ରତୀତ ହୁଏ ଯେ ଜନସାଧାରଣଙ୍କ ସମ୍ମୁଖରେ ଅବିଳମ୍ୱେ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିବା ଲାଗି ଷ୍ଟେଟ ବ୍ୟାଙ୍କ କୁଣ୍ଠିତ, ଯାହା ଏକ ସମ୍ମାନଜନକ ଅନୁଷ୍ଠାନ ଭାବେ ଷ୍ଟେଟ୍ ବ୍ୟାଙ୍କର ଭାବମୂର୍ତ୍ତିକୁ ମଳିନ କରିଛି ।
ମିଳିଥିବା ତଥ୍ୟ ଅନୁଯାୟୀ ସର୍ବାଧିକ ନିର୍ବାଚନୀ ବଣ୍ଡ କିଣିଥିବା ୫ଟି କମ୍ପାନୀ ହେଲେ ଲଟେରୀ ପରିଚାଳନା କରୁଥିବା ‘ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ୍’ (୧୩୬୮ କୋଟି ଟଙ୍କା), ‘ମେଘା ଇଞ୍ଜିନିଅରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର’ (୯୬୬ କୋଟି ଟଙ୍କା), ‘ଏମକେଜେ ଗ୍ରୁପ’ (୬୧୭ କୋଟି ଟଙ୍କା), ‘କ୍ୱିକ ସପ୍ଲାଏ ଚେନ୍’ (୪୧୦ କୋଟି ଟଙ୍କା) ଓ ବେଦାନ୍ତ (୪୦୦ କୋଟି ଟଙ୍କା) । ଶୀର୍ଷ ୧୦୦ ଜଣ ଚାନ୍ଦା ଦାଚାଙ୍କ ମଧ୍ୟରେ ଅଛନ୍ତି ଅନେକ ଜାତୀୟ ସ୍ତରରେ ଅପରିଚିତ କମ୍ପାନୀ ଯେଉଁମାନେ ୨୭.୫ରୁ ୧୦୫ କୋଟି ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଦେଇଛନ୍ତି । ତନ୍ମଧ୍ୟରେ ଖଣି କାରବାର କରୁଥିବା ଓଡ଼ିଶାର ‘ଏସ ଏନ ମହାନ୍ତି’ କମ୍ପାନୀ (୪୫ କୋଟି ଟଙ୍କା) ଅନ୍ୟତମ । ଏତଦଭିନ୍ନ କିଛି ପୁଞ୍ଜିପତି ଓ ଶିଳ୍ପପତି ମଧ୍ୟ ବ୍ୟକ୍ତିଗତ ଭାବେ ନିର୍ବାଚନୀ ବଣ୍ଡ୍ କିଣିଥିଲେ ବି ଅନେକ ବଡ଼ ବଡ଼ ପୁଞ୍ଜିପତିଙ୍କ ନାମ ଚାନ୍ଦାଦାତାଙ୍କ ତାଲିକାରେ ନ ରହିବା ସମସ୍ତଙ୍କୁ ଚକିତ କରୁଛି । ଅନ୍ୟ ପକ୍ଷରେ ଜଣାପଡ଼ିଛି ଯେ ପୁଞ୍ଜି (ପେଡ୍-ଅପ୍ କ୍ୟାପିଟାଲ) ଓ ନିଟ୍ ମୂଲ୍ୟ (ନେଟ ୱର୍ଥ) ଅତ୍ୟଳ୍ପ ଥିଲେ ମଧ୍ୟ କେତେକ କମ୍ପାନୀ ବିପୁଳ ଅର୍ଥରାଶିଯୁକ୍ତ ନିର୍ବାଚନୀ ବଣ୍ଡ କିଣିଛନ୍ତି । ଏପରି କମ୍ପାନୀ ବି ଅଛନ୍ତି, ଯେଉଁମାନେ କୌଣସି ଲାଭ ନ କରି ବା ସ୍ୱଳ୍ପ ଲାଭ କରି ବିପୁଳ ମୂଲ୍ୟର ବଣ୍ଡ୍ କିଣିଛନ୍ତି । ୨୦୧୮ରେ ନିର୍ବାଚନୀ ବଣ୍ଡ୍ ସ୍କିମ ଆସିବା ପରେ ପଞ୍ଜିକୃତ ହୋଇଥିବା ପ୍ରାୟ ୪୦ରୁ ଅଧିକ କମ୍ପାନୀ ପଞ୍ଜିକରଣ ହେବାର ଅଳ୍ପ ଦିନ ମଧ୍ୟରେ ନିର୍ବାଚନୀ ବଣ୍ଡ କିଣିବା ଆରମ୍ଭ କରିଦେଇଥିଲେ; ସତେ ଯେମିତି ସେଗୁଡ଼ିକର ପ୍ରତିଷ୍ଠା ସେହି ଉଦ୍ଦେଶ୍ୟରେ ହୋଇଥିଲା; ଅର୍ଥାତ୍, ଏଗୁଡ଼ିକ ‘ସେଲ୍ କମ୍ପାନୀ’ ବା ମିଛ କମ୍ପାନୀ, ଯେଉଁମାନେ ଆଇନ ଆଖିରେ ଧୂଳି ଦେଇ କୌଣସି ବଡ଼ ବଡ଼ କମ୍ପାନୀ ବା ପୁଞ୍ଜିପତିଙ୍କ ପାଇଁ ନିର୍ବାଚନୀ ବଣ୍ଡ୍ କିଣିବା ଲାଗି ବ୍ୟବହୃତ ହୋଇଛନ୍ତି । ଏହା ‘ମନି ଲଣ୍ଡରିଂ’ ଅପରାଧ ପର୍ଯ୍ୟାୟବାଚୀ । ୧୪ଟି ଔଷଧ କମ୍ପାନୀ ୫୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଚାନ୍ଦା ଦେଇଥିବାରୁ ଔଷଧପତ୍ରର ଦରବୃଦ୍ଧି ପଛର ଅସଲ କାରଣ ସମ୍ପର୍କରେ ଧାରଣା କରିହେଉଛି । କୋଭିଡ ସମୟରେ ନିମ୍ନ ମାନର ‘ରେମଡେସିଭିର’ ଇଞ୍ଜେକସନ ଯୋଗାଇ ବିପୁଳ ଲାଭ କରିଥିବା ‘ହେଟେରୋ ଲାବସ୍ ଆଣ୍ଡ ହେଟେରୋ ହେଲଥକେୟାର’ ମଧ୍ୟ ଅନ୍ୟତମ ପ୍ରମୁଖ ଚାନ୍ଦାଦାତା । ଦେଶରେ ଏକ ପ୍ରକାର ଏକଚାଟିଆ ଭାବେ କୋଭିସିଲ୍ଡ ଇଞ୍ଜେକସନ୍ ପ୍ରସ୍ତୁତି ଓ ଯୋଗାଣ ପାଇଁ ଅନୁମତି ପାଇଥିବା ‘ସିରମ ଇନଷ୍ଟିଚ୍ୟୁଟ’ କମ୍ପାନୀ ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବଣ୍ଡ୍ କିଣିଛି ।
ନିର୍ବାଚନ କମିସନଙ୍କ ଦ୍ୱାରା ମାର୍ଚ୍ଚ ୧୭, ୨୦୨୪ରେ ଜାରି ତଥ୍ୟ ଅନୁଯାୟୀ ଭାରତୀୟ ଜନତା ପାର୍ଟି ସର୍ବାଧିକ ୬୯୮୬ କୋଟି ଟଙ୍କାର ବଣ୍ଡ୍ ପାଇଛି । ଦ୍ୱିତୀୟ ସ୍ଥାନରେ ଥିବା ତୃଣମୂଳ କଂଗ୍ରେସ ଖାତାରେ ୧୩୯୭ କୋଟି ଟଙ୍କା ଓ କଂଗ୍ରେସ ଖାତାରେ ୧୩୩୪ କୋଟି ଟଙ୍କା ଜମା ହୋଇଛି । ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ଯଥାକ୍ରମେ ବିଆରଏସ (୧୩୨୨ କୋଟି ଟଙ୍କା) ଓ ବିଜେଡି (୯୪୪ କୋଟି ଟଙ୍କା) । ବଣ୍ଡ ମାଧ୍ୟମରେ ଚାନ୍ଦା ଗ୍ରହଣ କରିବାକୁ ଯୋଗ୍ୟ ପ୍ରାୟ ସବୁ ଛୋଟ ବଡ଼ ଦଳକୁ ଊଣା ଅଧିକେ କିଛି ନା କିଛି ଚାନ୍ଦା ମିଳିଥିଲେ ବି ସିପିଆଇ, ସିପିଏମ, ଏମଆଇଏମ ଓ ବହୁଜନ ସମାଜ ପାର୍ଟି ନିର୍ବାଚନୀ ବଣ୍ଡ ମାଧ୍ୟମରେ କୌଣସି ଚାନ୍ଦା ଗ୍ରହଣ କରିନାହାନ୍ତି । କେହି କେହି ଯୁକ୍ତି ବାଢ଼ୁଛନ୍ତି ଯେ ଅଧିକାଂଶ ଦଳ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଚାନ୍ଦା ପାଇଥିବାରୁ ତା’ ବିରୋଧରେ ସ୍ୱର ଉତ୍ତୋଳନ କରିବାର ନୈତିକ ଅଧିକାର ସେମାନଙ୍କର ନାହିଁ । କିନ୍ତୁ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଚାନ୍ଦା ଗ୍ରହଣ କରିବା ଦେଶର ଆଇନ ହୋଇଥିବାରୁ ବଣ୍ଡ୍ ମାଧ୍ୟମରେ ଚାନ୍ଦା ଗ୍ରହଣ ବେଆଇନ କାର୍ଯ୍ୟ ନୁହେଁ । ଏମିତିରେ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଚାନ୍ଦା ପ୍ରଦାନ ବ୍ୟାଙ୍କ ଜରିଆରେ ହେଉଥିବାରୁ ତାହା ନଗଦ ତୁଳନାରେ ଅଧିକ ସ୍ୱଚ୍ଛ ବୋଲି କୁହାଯାଇଥାଏ । କିନ୍ତୁ ନିର୍ବାଚନୀ ବଣ୍ଡକୁ ‘ସ୍ୱଚ୍ଛତା’ର ପରିଧାନଟିଏ ପିନ୍ଧାଇ ଦେଇ ତା’ ଜରିଆରେ ଯେଉଁ ଅସ୍ୱଚ୍ଛ କାରବାରମାନ ହୋଇଥିବାର ଆଭାସ ମିଳୁଛି, ତାହା ଦେଶବାସୀଙ୍କ ସମ୍ମୁଖରେ ଉଦଘାଟିତ ହେବା ଆବଶ୍ୟକ । ଅଧିକ ଚାନ୍ଦା ପାଇଥିବା କିଛି ରାଜନୈତିକ ଦଳ ସେମାନଙ୍କ ସାଂସଦଙ୍କ ସଂଖ୍ୟାନୁପାତରେ ଅନ୍ୟ ଦଳଗୁଡ଼ିକ ତୁଳନାରେ କମ ଚାନ୍ଦା ପାଇଛନ୍ତି ବୋଲି ଯୁକ୍ତି ଉପସ୍ଥାପନ କରୁଛନ୍ତି । ସାଧାରଣ ନାଗରିକଟିଏ ପକ୍ଷରେ କାହାକୁ କେତେ ଚାନ୍ଦା ମିଳିଛି ଜାଣିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେହି ଚାନ୍ଦା କାହିଁକି ମିଳିଛି ଜାଣିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେବେ ଉପଲବ୍ଧ ତଥ୍ୟାବଳୀର ଅନୁଧ୍ୟାନରୁ କିଛି କିଛି ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ଉନ୍ମୋଚିତ ହେବାକୁ ଲାଗିଲାଣି ।
ଜଣାପଡ଼ୁଛି ଯେ ଏମିତି ଅନ୍ୟୂନ ୨୧ଟି ଚାନ୍ଦା ପ୍ରଦାନକାରୀ କମ୍ପାନୀ ଅଛନ୍ତି ଯେଉଁମାନେ ଇଡି, ସିବିଆଇ, ଆୟକର ଆଦିର ଚଢ଼ଉ ପରେ ନିର୍ବାଚନୀ ବଣ୍ଡ୍ କିଣିଥିଲେ । ସର୍ବାଧିକ ବଣ୍ଡ୍ କିଣିଥିବା ‘ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ’ କମ୍ପାନୀ ଉପରେ ଏପ୍ରିଲ ୨୦୨୨ରେ ଚଢ଼ଉ ପରେ ଏପ୍ରିଲ ୭ରେ ୧୦୦ କୋଟି ଟଙ୍କାର ବଣ୍ଡ୍ କ୍ରୟ, ‘ସନ୍ ଫାର୍ମା’ ଉପରେ ମେ’ ୨୦୧୯ରେ ଚଢ଼ଉ ପରେ ମେ’ ୮, ୨୦୧୯ରେ ୧୦ କୋଟି ଟଙ୍କାର ବଣ୍ଡ କ୍ରୟ ତା’ର ଦୁଇଟି ନମୁନା ମାତ୍ର । ଚଢ଼ଉର ତାରିଖକୁ ଅନୁଧ୍ୟାନ କଲେ ସ୍ଥଳ ବିଶେଷରେ ତାହା ନିର୍ବାଚନୀ ବଣ୍ଡ୍ କିଣିବା ପାଇଁ ଉପଲବ୍ଧ ତାରିଖର ଆଖପାଖରେ ହୋଇଥିବା ହୁଏତ ଏକ ସଂଯୋଗ ହୋଇପାରେ । ଏପରିକି ବିରୋଧୀ ଦଳଙ୍କ ତରଫରୁ ଏହାକୁ ଏକ ‘ବୃହତ୍ ଅସୁଲୀ ଯୋଜନା’ ବୋଲି ମଧ୍ୟ ଅଭିହିତ କରାଗଲାଣି । ସେହିପରି କେତେକ ରାଜ୍ୟରେ ଶାସକ ଦଳକୁ ଅଧିକ ପରିମାଣରେ ନିର୍ବାଚନୀ ବଣ୍ଡ୍ ମିଳିବା ମଧ୍ୟ ଅନେକ ପ୍ରଶ୍ନ ଉତ୍ଥାପନ କରୁଛି । କେବଳ ଚଢ଼ଉର ଭୟରୁ ବର୍ତ୍ତିବା ପାଇଁ ନୁହେଁ, ସ୍ଥଳ ବିଶେଷରେ କୌଣସି ବିଶେଷ ଅନୁଗ୍ରହ ପାଇବା ଉଦ୍ଦେଶ୍ୟରେ ମଧ୍ୟ କିଛି କମ୍ପାନୀ ଶାସକ ଦଳଙ୍କୁ ନିର୍ବାଚନୀ ବଣ୍ଡ୍ ପ୍ରଦାନ କରିଥିବାର ଅଭିଯୋଗ ହେଉଛି । ଦ୍ୱିତୀୟ ସର୍ବାଧିକ ନିର୍ବାଚନୀ ବଣ୍ଡ୍ କ୍ରୟ କରିଥିବା ‘ମେଘା ଇଞ୍ଜିନିଅରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର୍’ ଅନେକ ବଡ଼ ବଡ଼ ଠିକା ହାତେଇବାରେ ସମର୍ଥ ହେବା ସେହି ଅଭିଯୋଗକୁ ସାବ୍ୟସ୍ତ କରୁଛି କି ନାହିଁ, ତାହା ତଦନ୍ତ ସାପେକ୍ଷ । ସେହିପରି କିଛି କମ୍ପାନୀ ବିଭିନ୍ନ ଆଇନକୁ ନିଜ ସପକ୍ଷରେ କୋହଳ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ବିଶେଷ ଅନୁଗ୍ରହ ହାସଲ କରିଥିବାର ଅଭିଯୋଗ ମଧ୍ୟ ହେଉଛି ।
ନିର୍ବାଚନୀ ବଣ୍ଡରୁ ମିଳିଥିବା ଚାନ୍ଦାର ୯୦ ପ୍ରତିଶତରୁ ଅଧିକ ପରିମାଣ ଏକ କୋଟି ଟଙ୍କା ବିଶିଷ୍ଟ ବଣ୍ଡ୍ ମାଧ୍ୟମରେ ମିଳିଛି । ଅର୍ଥାତ୍ ଅଳ୍ପ ନିର୍ବାଚନୀ ବଣ୍ଡ୍ ବ୍ୟକ୍ତି ବିଶେଷଙ୍କଠାରୁ ମିଳିଥିଲେ ବି ମୋଟା ଅଙ୍କର ଚାନ୍ଦା କମ୍ପାନୀଗୁଡ଼ିକଠାରୁ ମିଳିଛି । ଏମାନଙ୍କ ମଧ୍ୟରୁ କେହି କେହି ହୁଏତ କୌଣସି ବିଶେଷ ପ୍ରତ୍ୟାଶା ନ ରଖି କୌଣସି ଦଳକୁ ଚାନ୍ଦା ଦେଇଥାଇପାରନ୍ତି । କିନ୍ତୁ ଆହୁରି ଅନେକ ଚାନ୍ଦାଦାତାଙ୍କ ଚାନ୍ଦାର ସମୟ ଓ ପରିମାଣ ସନ୍ଦେହର ଘେର ଭିତରକୁ ଆସିଯାଉଛି, କାରଣ ସେଗୁଡ଼ିକରୁ ‘ଅର୍ଥ ବିନିମୟରେ ସ୍ୱାର୍ଥ ହାସଲ’ (କ୍ୱିଡ ପ୍ରୋ କ୍ୱୋ)ର ଦୁର୍ଗନ୍ଧ ସ୍ପଷ୍ଟ ଭାବେ ବାରି ହେଉଛି । ନିର୍ବାଚନୀ ବଣ୍ଡ ସ୍କିମ୍ ସମ୍ୱିଧାନର ଅନୁଚ୍ଛେଦ ୧୯(୧)(ଏ)ରେ ଥିବା ନାଗରିକର ସୂଚନା ଅଧିକାରର ବିରୋଧାଚରଣ କରୁଥିବା ଦର୍ଶାଇ ସୁପ୍ରିମକୋର୍ଟ ଏହାକୁ ଅବୈଧ ଓ ଅସାମ୍ୱିଧାନିକ ଘୋଷଣା କରିଥିଲେ । ଆଶା କରାଯାଉଥିଲା ଯେ ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଅବିଳମ୍ବେ ସର୍ବସାଧାରଣଙ୍କ ସମକ୍ଷରେ ପ୍ରସ୍ତୁତ ହେବ, ଯଦ୍ଦ୍ୱାରା ମତଦାତାମାନେ ମତଦାନ ପୂର୍ବରୁ ସମସ୍ତ ତଥ୍ୟ ଅବଗତ ହୋଇ ଉଚିତ ନିର୍ଣ୍ଣୟ ନେବାକୁ ସମର୍ଥ ହେବେ । କିନ୍ତୁ ମତଦାତାଙ୍କ ସମ୍ମୁଖରେ ଠିକ୍ ଢଙ୍ଗରେ ତାହା ରଖାଯିବାରେ ତତ୍ପରତା ପ୍ରକାଶ ନ ପାଇବା କ୍ଷୋଭର ବିଷୟ । ତେବେ ସୂଚନା ପ୍ରଦାନରେ ଷ୍ଟେଟ୍ ବ୍ୟାଙ୍କର ଟାଳଟୁଳ ନୀତି ଦେଖି ମାନ୍ୟବର ସର୍ବୋଚ୍ଚ ଅଦାଲତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଲେଣି ଯେ ଏ ସଂକ୍ରାନ୍ତ ସବୁ ସୂଚନା ଦିଅ, ତା’ପରେ ଯେଉଁ କଥା । ତେଣୁ ଅଳ୍ପ ଦିନରେ ଚିତ୍ର ଅଧିକ ସ୍ପଷ୍ଟ ହେବାର ଆଶା କରାଯାଇପାରେ । ଅପର ପକ୍ଷରେ ସାଧାରଣ ଜୀବନରେ ସ୍ୱଚ୍ଛତା ଓ ଦୁର୍ନୀତିମୁକ୍ତ ସମାଜ ଗଠନ ଲାଗି ଜୋର ଦେଉଥିବା ରାଜନେତାମାନେ ନିଜ ଦଳୀୟ ସ୍ତରରେ ତା’ର ପ୍ରଥମେ ଅନୁପାଳନ କରିବା ଆବଶ୍ୟକ । କାହାଠାରୁ କେତେ ପରିମାଣର ନିର୍ବାଚନୀ ବଣ୍ଡ ମିଳିଛି ତାହା ସମ୍ପୃକ୍ତ ରାଜନୈତିକ ଦଳଗୁଡ଼ିକୁ ଜଣାଥିବାରୁ ସେମାନେ ନିଜ ତରଫରୁ ସ୍ୱତଃପ୍ରବୃତ୍ତ ଭାବେ ତାହା ଘୋଷଣା କରିବା ଆବଶ୍ୟକ । ଅନ୍ୟଥା ପରସ୍ତ ପରସ୍ତ ପିଆଜର ଚୋପା ଫିଟିଲା ପରି ପ୍ରତିଟି ନିର୍ବାଚନୀ ବଣ୍ଡ୍ ପଛରେ ଥିବା ସମ୍ଭାବ୍ୟ ଦୁର୍ନୀତିର କାହାଣୀ ଆଜି ନହେଲେ କାଲି ଲୋକଲୋଚନକୁ ଆସିବ, ସେଥିରେ ସନ୍ଦେହ ନାହିଁ । ଅବଶ୍ୟ ଦୁର୍ନୀତିର ଆକାର ଓ ବିସ୍ତାରକୁ ବୁଝିବା ବେଳକୁ ବିଳମ୍ୱ ହୋଇଯାଇପାରେ । ଜନସ୍ୱାର୍ଥ ତଥା ଦେଶ ଓ ରାଜ୍ୟର ସ୍ୱାର୍ଥକୁ ବଳି ପକାଇ ମୁଷ୍ଟିମେୟ ବ୍ୟକ୍ତି ବିଶେଷ ଓ କମ୍ପାନୀଙ୍କୁ ‘ଅର୍ଥ ବିନିମୟରେ ସ୍ୱାର୍ଥ ହାସଲ’ କରିବାରେ ସହଯୋଗ କରିବା ଦେଶପ୍ରେମର ନିଦର୍ଶନ ହୋଇନପାରେ ବରଂ ଏହା ଦେଶ ଓ ରାଜ୍ୟ ସହ ଏକପ୍ରକାର ବିଶ୍ୱାସଘାତକତା । ନିର୍ବାଚନୀ ବଣ୍ଡ୍ ପ୍ରସଙ୍ଗରେ ବଡ଼ ଧରଣର ଅନେକ ଦୁର୍ନୀତି ହୋଇଥିବାର ଆଶଙ୍କା ଦେଖାଦେଉଥିବାରୁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଏସଆଇଟି ଗଠନ କରି ଏଗୁଡ଼ିକର ସମୟବଦ୍ଧ ଭାବେ ତଦନ୍ତ ହେବା ଜରୁରୀ ।
Published in Sambad on March 19, 2024
Comments
Post a Comment