ହରିଆଣାର ସୋନିପତ ଜିଲ୍ଲାରେ ଅବସ୍ଥିତ ଏକ ସମ୍ଭ୍ରାନ୍ତ ଘରୋଇ ବିଶ୍ୱବିଦ୍ୟାଳୟ ‘ଅଶୋକା ୟୁନିଭର୍ସିଟି’ର ଆସିଷ୍ଟାଣ୍ଟ ପ୍ରଫେସର ସବ୍ୟସାଚୀ ଦାସଙ୍କ ଜୁଲାଇ ୨୫ରେ ଏକ ଗବେଷଣା ପତ୍ର ପ୍ରକାଶ ପାଇବା ପରେ ତାକୁ ନେଇ ଏବେ ବିଶ୍ୱବିଦ୍ୟାଳୟ ଭିତରେ ଓ ବାହାରେ ଝଡ଼ ସୃଷ୍ଟି ହୋଇଛି । ଫଳସ୍ୱରୂପ ସବ୍ୟସାଚୀ ଇସ୍ତଫା ପ୍ରଦାନ କରିବାକୁ ଏକ ପ୍ରକାର ବାଧ୍ୟ ହେବା ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାଳବିଳମ୍ୱ ନ କରି ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନେବା ଯୋଗୁଁ ଛାତ୍ର ଓ ଶିକ୍ଷକଙ୍କ ଅସନ୍ତୋଷ ବୃଦ୍ଧି ପାଇ ସମସ୍ୟାକୁ ଅଧିକ ଜଟିଳ କରିଛି । କିଛି ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଥିବା ଅଶ୍ୱସ୍ତିକର ବାତାବରଣ ସମ୍ପର୍କରେ ଉପରୋକ୍ତ ଘଟଣାଟି ଇଙ୍ଗିତ କରୁଥିବା ବେଳେ ଗବେଷଣାଲବ୍ଧ ଫଳାଫଳକୁ ଗ୍ରହଣ କରିବାରେ ପ୍ରକାଶ ପାଉଥିବା ଅସହିଷ୍ଣୁତା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ଯାହା ଗବେଷକମାନଙ୍କୁ ବିବଦମାନ ବିଷୟରେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା କରିବାରୁ ବିମୁଖ କରିପାରେ । ଆମେରିକାର ୟାଲେ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡ଼ି କରିଥିବା ଆସିଷ୍ଟାଣ୍ଟ ପ୍ରଫେସର ସବ୍ୟସାଚୀଙ୍କ ୫୦ ପୃଷ୍ଠା ବିଶିଷ୍ଟ ଗବେଷଣା ପତ୍ରର ଶୀର୍ଷକ ଥିଲା ‘ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରରେ ଗଣତାନ୍ତ୍ରିକ ସ୍ଖଳନ’ (ଡେମୋକ୍ରାଟିକ ବ୍ୟାକସ୍ଲାଇଡ଼ିଂ ଇନ ଦ ୱାର୍ଲଡସ ଲାର୍ଜେଷ୍ଟ ଡେମୋକ୍ରାସି) । ଗଣତାନ୍ତ୍ରିକ ସ୍ଖଳନ ଏବେ ସାରା