କୋଭିଡ-୧୯ ମହାମାରୀର ମୁକାବିଲା କରିବା ପାଇଁ ସାରା ବିଶ୍ୱରେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ସେହି କ୍ରମରେ ଅଗଷ୍ଟ ୨୦୨୧ ସୁଦ୍ଧା ବିଶ୍ୱର ଉଚ୍ଚ ଆୟ ବର୍ଗର ଦେଶଗୁଡିକରେ ପ୍ରାୟ ୬୦ ପ୍ରତିଶତ ଲୋକଙ୍କୁ ଅନ୍ତତଃ ପକ୍ଷେ ଗୋଟିଏ ଡୋଜ ଟିକା ଦିଆ ସରିଲାଣି । ଅନ୍ୟ ପକ୍ଷରେ ବିଶ୍ୱର ନିମ୍ନ ଆୟକାରୀ ଦେଶଗୁଡିକରେ ଟିକାକରଣ ଅତି ମନ୍ଥର ଗତିରେ ଚାଲି ସେଠାରେ ସେହି ସମୟ ମଧ୍ୟରେ ମାତ୍ର ୧ ପ୍ରତିଶତ ଲୋକଙ୍କ ଟିକାକରଣ ହୋଇପାରିଛି । ଫଳରେ ସାରା ବିଶ୍ୱରେ ଧନୀ ଓ ଗରିବ ଦେଶମାନଙ୍କ ମଧ୍ୟରେ ଟିକାକରଣକୁ ନେଇ ଏକ ବିରାଟ ଖାଇ ସୃଷ୍ଟି ହୋଇଛି । ଏହି ଟିକାକରଣରେ ହୋଇଥିବା ଅସମତା ପାଇଁ ସାରା ବିଶ୍ୱକୁ ଆଗାମୀ ୪ ବର୍ଷ ମଧ୍ୟରେ ବହୁ ମୂଲ୍ୟ ଦେବାକୁ ପଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ସାରା ବିଶ୍ୱରେ ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ୫୨୫ କୋଟି ଡୋଜ ଟିକା ଦିଆ ସରିଲାଣି, ଅର୍ଥାତ୍ ପ୍ରତି ୧୦୦ ଜଣରେ ୬୮ ଜଣ ଗୋଟିଏ ଡୋଜ ଟିକା ପାଇଲେଣି । ଏହା ଉତ୍ସାହଜନକ ପରି ମନେ ହେଉଥିଲେ ବି ବାସ୍ତବତା କିଛି ଭିନ୍ନ । ୟୁଏଇ, ଉରୁଗୁଏ, ମାଲଟା, କାତାର, ସିଙ୍ଗାପୁର, ଚିଲି, ଡେନମାର୍କ, ଆଇସଲାଣ୍ଡ, ପର୍ତ୍ତୁଗାଲ, କାନାଡା, ବେଲଜିଅମ ଆଦି ଦେଶରେ ୭୦ ପ୍ରତିଶତରୁ ଅଧିକ ଲୋକ ଡବଲ ଡୋଜ ଟିକା ନେଇ ସାରିଥିବା ବେଳେ ଏମାନଙ୍କ ମଧ୍ୟରୁ ୟୁଏଇ ସମେତ ଚାରିଟି ଦେଶରେ ତ ୮୦ ପ୍ରତିଶତରୁ ଅଧିକ ଲୋକ ଅନ୍ତତଃ ଗୋଟିଏ ଡୋଜର ଟିକା ପାଇ ସାର...