ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗିବା ପରଠାରୁ ତା’ର ପ୍ରତିକୂଳ ପ୍ରଭାବ ତୁରନ୍ତ ଭାରତରେ ଅନଭୂତ ହେବାକୁ ଲାଗିଲା। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବାଧିତ ହେବାରୁ ଉପସାଗରୀୟ ଦେଶଗୁଡ଼ିକରୁ ଅଶୋଧିତ ତେଲ ଓ ଗ୍ୟାସ ମିଳିବାରେ ସଙ୍କଟ ଦେଖାଦେଲା। ‘ଏଲପିଜି’ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ସହ ସିଲିଣ୍ଡର ପାଇବା ଲାଗି ଲୋକଙ୍କୁ ଲମ୍ୱା ଲାଇନରେ ଠିଆ ହେବାକୁ ହେଲା। ବାଣିଜ୍ୟିକ ସିଲିଣ୍ଡରର ବିତରଣକୁ ବନ୍ଦ କରିଦିଆଯିବାରୁ ହୋଟେଲ, ରେସ୍ତୋରାଁ ଓ ଛୋଟ ଛୋଟ ଦୋକାନୀଙ୍କ ବ୍ୟବସାୟ ବାଧିତ ହେଲା। ଇତିମଧ୍ୟରେ ତୈଳ ବିତରଣ କମ୍ପାନୀଗୁଡ଼ିକ ପ୍ରିମିଅମ ପେଟ୍ରୋଲ ଓ ଔଦ୍ୟୋଗିକ ଡିଜେଲର ମୂଲ୍ୟ ବୃଦ୍ଧି କରିସାରିଲେଣି। ‘ବ୍ରେଣ୍ଟଉଡ୍’ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୧୧୦ ଡଲାରରୁ ଅଧିକ ରହୁଥିବାରୁ ଆଗାମୀ ଦିନରେ ଦେଶରେ ସାଧାରଣ ପେଟ୍ରୋଲ ଓ ଡିଜେଲର ମଧ୍ୟ ଦରବୃଦ୍ଧିର ଆଶଙ୍କା ଦେଖାଦେଲାଣି। ଦେଶରେ ତେଲର ଅଭାବ ନଥିବା ନେଇ ପେଟ୍ରୋଲିଅମ୍ ମନ୍ତ୍ରଣାଳୟ ପକ୍ଷରୁ ଦୃଢ଼ୋକ୍ତି କରାଯାଇଥିଲେ ମଧ୍ୟ ଦେଶ କ୍ରମଶଃ ଇନ୍ଧନ ସଙ୍କଟ ଭିତରକୁ ଠେଲି ହୋଇଯାଉଥିବାର ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ ଦୀର୍ଘ ଦିନ ଧରି ଯୁଦ୍ଧ ଲାଗି ରହିଲେ ଆମଦାନି ରପ୍ତାନି ବାଧାପ୍ରାପ୍ତ ହୋଇ ଆଗାମୀ ଦିନରେ ଯେ ଦେଶରେ କୃଷି ଓ ଖାଦ୍ୟ ସୁରକ୍ଷା ମଧ୍ୟ ସଙ୍କଟଗ୍ରସ୍ତ ହେବ, ଏଥିରେ ସନ୍ଦେହ ନାହିଁ। ଦେଶରେ କୃଷି ଏବେ ଅତ୍ୟଧିକ ରାସାୟନିକ ସାର ନିର...