'ଅପରେସନ ସିନ୍ଦୂର’ ସ୍ଥଗିତ ହେବା ପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ସମ୍ପର୍କରେ ବିଶ୍ୱବାସୀଙ୍କୁ ଅବଗତ କରାଇ ପାକିସ୍ତାନର ଅସଲ ଚେହେରାକୁ ବିମୋଚନ କରିବା ଲାଗି ଭାରତ ସରକାରଙ୍କ ତରଫରୁ ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀକୁ ୩୩ଟି ଦେଶକୁ ପଠାଯାଇଥିଲା। ଇତିମଧ୍ୟରେ ଦଳଗୁଡ଼ିକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ସାରିଥିବାରୁ ସେମାନଙ୍କ ଗସ୍ତରୁ ଉପଲବ୍ଧି ସମ୍ପର୍କରେ ଜାଣିବା ଲାଗି ଜନସାଧାରଣ ଉତ୍ସୁକ। ହୁଏତ ପରବର୍ତ୍ତୀ ସମୟରେ ଆଧିକାରିକ ଭାବେ ସେଗୁଡ଼ିକ ସର୍ବ ସମକ୍ଷକୁ ଆସିବ। ତେବେ ଗସ୍ତ ସମୟର କିଛି ଘଟଣାକ୍ରମକୁ ଅନୁଧ୍ୟାନ କଲେ ଏହି ଗସ୍ତରୁ କ’ଣ ହାସଲ କରାଯାଇପାରିଛି, ସେ ନେଇ କିଛି ଧାରଣା ମିଳିପାରେ। ବିଭିନ୍ନ ରାଜନୈତିକ ଦଳର ୫୧ଜଣ ନେତା ଓ ୮ ଜଣ ପୂର୍ବତନ ରାଜଦୂତଙ୍କୁ ୭ଟି ଦଳରେ ବିଭକ୍ତ କରି ସେମାନଙ୍କୁ ୩୩ଟି ଦେଶକୁ ପଠାଯାଇଥିଲା। ସମ୍ପୃକ୍ତ ଦେଶଗୁଡ଼ିକର ଚୟନ ପଛରେ ନିର୍ଦ୍ଦିଷ୍ଟ କିଛି କାରଣ ଥିଲା। ୧୫ ସଦସ୍ୟ ବିଶିଷ୍ଟ ନିରାପତ୍ତା ପରିଷଦର କେବଳ ଚୀନ, ପାକିସ୍ତାନ ଓ ସୋମାଲିଆକୁ ବାଦ୍ ଦେଇ ପ୍ରତିନିଧି ମଣ୍ଡଳୀସମୂହ ଅବଶିଷ୍ଟ ୧୨ଟି ଦେଶକୁ ଯାଇଥିଲେ। ସେଗୁଡ଼ିକ ମଧ୍ୟରେ ସ୍ଥାୟୀ ସଦସ୍ୟ ଥିବା ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ରୁଷିଆ ଓ ଅସ୍ଥାୟୀ ସଦସ୍ୟ ଥିବା ଆଲଜିରିଆ, ଡେନମାର୍କ, ଗ୍ରୀସ, ଗାଏନା, ପାନାମା, ସିଏରା ଲିଓନି, ସ୍ଲୋଭେନିଆ, ଓ ଦକ୍ଷିଣ କୋରିଆ ଅନ୍ତର୍ଭୁକ୍ତ। ସେହିପରି ଜାନୁଆରୀ ୨୦୨୬ରୁ...