ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜରିୱାଲ ଦୀର୍ଘ ୧୭୭ ଦିନ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଛି । ଜାମିନ ଆଦେଶରେ ସୁପ୍ରିମକୋର୍ଟର ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ ଉଲ୍ଲେଖ କରିଛନ୍ତି, “ବେଶି ଦିନ ଆଗରୁ ନୁହେଁ, ସିବିଆଇକୁ ‘ପିଞ୍ଜରାବଦ୍ଧ ଶୁଆ’ ସହ ତୁଳନା କରି ଏହି ଅଦାଲତ ଭର୍ତ୍ସନା କରିଥିଲେ । ସିବିଆଇ ଏକ ପି଼ଞ୍ଜରାବଦ୍ଧ ଶୁଆ ବୋଲି ଧାରଣାଟିକୁ ଦୂରୀଭୁତ କରିବା ଅପରିହାର୍ୟ୍ୟ ଅଟେ । ବରଂ ଏହା ଏକ ପିଞ୍ଜରାମୁକ୍ତ ଶୁଆ ବୋଲି ଧାରଣାଟିଏ ସୃଷ୍ଟିହେବା ଆବଶ୍ୟକ ।“ ଏଥିରୁ ସ୍ପଷ୍ଟ ଯେ ଅନ୍ତତଃ ସୁପ୍ରିମକୋର୍ଟଙ୍କ ଦୃଷ୍ଟିରେ ସିବିଆଇ ଏବେ ମଧ୍ୟ ନିଜ ମୁନିବ ନିର୍ଦ୍ଦେଶରେ ପରିଚାଳିତ ହୋଇ ପିଞ୍ଜରାବଦ୍ଧ ଶୁଆଟିଏ ପରି ଆଚରଣ କରୁଛି । ଏକ ସମ୍ମାନଜନକ ଜାତୀୟ ଅନୁଷ୍ଠାନ ପ୍ରତି ସୁପ୍ରିମକୋର୍ଟଙ୍କ ଏଭଳି କଟୁ ମନ୍ତବ୍ୟ ବିଚଳିତ କଲା ଭଳି ହୋଇଥିଲେ ବି ଏହା ପଛରେ କାରଣ ରହିଛି ।
ସିବିଆଇ ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟର ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ସେପ୍ଟେମ୍ୱର ୧୩ ତାରିଖରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅଭିଯୋଗପତ୍ର ଦାଖଲ ହୋଇ ସାରିଥିବାରୁ ଓ ବିଚାର ପ୍ରକ୍ରିୟା ନିକଟ ଭବିଷ୍ୟତରେ ସମାପ୍ତ ହେବାର ସମ୍ଭାବନା ନ ଥିବାରୁ କେଜ୍ରିୱାଲଙ୍କୁ ଜେଲରେ ଅଟକ ରଖିଲେ ସମ୍ୱିଧାନର ଅନୁଚ୍ଛେଦ ୨୧ ଅନୁସାରେ ତାଙ୍କ ବ୍ୟକ୍ତି ସ୍ୱାଧୀନତାର ହନନ ହେବ ବୋଲି ଦର୍ଶାଇ ଉଭୟ ବିଚାରପତି ତାଙ୍କୁ ଜାମିନ ଦେବା ଲାଗି ସହମତ ହେଲେ । ତେବେ ଜଷ୍ଟିସ ଭୂୟାଁ ଆଉ ପାଦେ ଆଗକୁ ଯାଇ ଉଲ୍ଲେଖ କରିଛନ୍ତି ଯେ କଠୋର ସର୍ତ୍ତାବଳୀ ଥିବା ପିଏମଏଲଏ ମାମଲାରେ ସୁପ୍ରିମକୋର୍ଟଙ୍କ ତରଫରୁ ତାଙ୍କୁ ଜାମିନ ମିଳିସାରିଥିବାରୁ ସିବିଆଇ ଦ୍ୱାରା ଦୁର୍ନୀତି ନିରୋଧ ଆଇନ ଅନ୍ତର୍ଗତ ଏକ ‘ବିଧେୟ ଅପରାଧ’ (ପ୍ରେଡିକେଟ ଅଫେନ୍ସ)ରେ ତାଙ୍କୁ ଜେଲରେ ଅଟକାଇ ରଖିବାର ପ୍ରୟାସ ନ୍ୟାୟର ଉପହାସ ମାତ୍ର । ସାଧାରଣତଃ ବିଧେୟ ଅପରାଧ ଏକ ବଡ଼ ଓ ଗୁରୁତର ଅପରାଧର ଅଂଶବିଶେଷ ହୋଇଥାଏ । କେବଳ ଜାମିନ ନୁହେଁ, ବରଂ କେଜ୍ରିୱାଲଙ୍କ ଗିରଫଦାରିର ବୈଧତାକୁ ନେଇ ମଧ୍ୟ ମାମଲା ରୁଜ୍ଜୁ ହୋଇଥିଲା । ଏହାକୁ ନେଇ ଉଭୟ ଜଷ୍ଟିସଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଛି । ଜଷ୍ଟିସ ସୂର୍ୟ୍ୟକାନ୍ତ ଗିରଫଦାରିକୁ ବୈଧ କହିବା ସଙ୍ଗେ ସଙ୍ଗେ ଏଥିରେ କୌଣସି ପ୍ରକ୍ରିୟାଗତ ତ୍ରୁଟି ହୋଇନାହିଁ ବୋଲି ଦର୍ଶାଇଛନ୍ତି । ଅନ୍ୟ ପକ୍ଷରେ ସିବିଆଇ ଦ୍ୱାରା ଗିରଫଦାରିର ସମୟ ଓ ଆବଶ୍ୟକତାକୁ ନେଇ ଜଷ୍ଟିସ ଭୂୟାଁ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ମତରେ ସିବିଆଇ ୧୭ ଅଗଷ୍ଟ ୨୦୨୨ରେ ମାମଲା ରୁଜ୍ଜୁ କରିଥିବା ସତ୍ତ୍ୱେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା କେଜ୍ରିୱାଲଙ୍କୁ ୨୧ ମାର୍ଚ୍ଚ ୨୦୨୪ରେ ଗିରଫ କରାଯିବା ପର୍ଯ୍ୟନ୍ତ ସିବିଆଇ ତାଙ୍କୁ ଗିରଫ କରିବାର ଆବଶ୍ୟକତା ଅନୁଭବ କରି ନଥିଲା । ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ବର୍ଷେ ପୂର୍ବରୁ ୧୬ ଏପ୍ରିଲ ୨୦୨୩ରେ ସିବିଆଇ ତାଙ୍କୁ ପଚରାଉଚରା କରିଥିଲା । ଇଡି ମାମଲାରେ ସ୍ୱତନ୍ତ୍ର ବିଚାରପତି ୨୦ ଜୁନ ୨୦୨୪ରେ ତାଙ୍କୁ ଜାମିନ ପ୍ରଦାନ କଲେ ଯାହା ଉପରେ ହାଇକୋର୍ଟ ତା’ ପରଦିନ ରହିତାଦେଶ ଲଗାଇଥିଲେ । ଏହା ପରେ ଯାଇ ସିବିଆଇ ନିକଟରେ ତତ୍ପରତା ଦେଖାଦେଲା ଓ ସେ କେଜରିୱାଳଙ୍କୁ ନିଜ ହେପାଜତକୁ ନେବାକୁ ସ୍ୱତନ୍ତ୍ର ବିଚାରପତିଙ୍କ ନିକଟରେ ଆବେଦନ କଲେ । ଇଡି ମାମଲାରେ ସୁପ୍ରିମକୋର୍ଟଙ୍କ ଜାମିନ ପାଇ ଜେଲରୁ ମୁକୁଳିବାର ଦ୍ୱାର ଦେଶରେ ଥିଲା ବେଳେ ୨୨ ମାସ ଧରି ନିଷ୍କ୍ରିୟ ଥିବା ସିବିଆଇ ଲାଗି ତାଙ୍କୁ ଗିରଫ କରିବା କାହିଁକି ଏତେ ଜରୁରି ହୋଇପଡ଼ିଲା, ତାହା ବୁଝିବା କଷ୍ଟକର । ଉଲ୍ଲେଖଯୋଗ୍ୟ ଯେ ଜୁନ ୨୬, ୨୦୨୪ରେ କେଜ୍ରିୱାଲଙ୍କୁ ଗିରଫ କରିବା ପର୍ୟ୍ୟନ୍ତ ସିବିଆଇ ଦାଖଲ କରିଥିବା ଅଭିଯୋଗପତ୍ରରେ ତାଙ୍କୁ ଜଣେ ଅଭିଯୁକ୍ତ ଭାବେ ଦର୍ଶାଯାଇ ନଥିଲା । ଇଡ଼ି ମାମଲାରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜୁଲାଇ ୧୨ ତାରିଖରେ ଜାମିନ ଦେବାର ଯଥେଷ୍ଟ ପରେ ଜୁଲାଇ ୨୯ ତାରିଖରେ ସିବିଆଇ ଦାଖଲ କରିଥିବା ଶେଷ ଦଫାର ଅଭିଯୋଗପତ୍ରରେ ଯାଇ ତାଙ୍କ ନାମ ଅଭିଯୁକ୍ତ ଭାବେ ସ୍ଥାନ ପାଇଥିଲା । ସତେ ଯେମିତି ଇଡି ମାମଲାରେ ଜାମିନ ପାଇ କେଜ୍ରିୱାଲ ଜେଲରୁ ମୁକୁଳୁଥିବା ଦେଖି ତାଙ୍କୁ କୌଣସି ମତେ ଜେଲ ବାହାରକୁ ବାହାରିବାକୁ ନଦେବା ଲାଗି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ସିବିଆଇ ତା’ର ରାଜନୈତିକ ମୁନିବଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଥିଲା ।
ସିବିଆଇର କାର୍ଯ୍ୟଶୈଳୀ ଉପରେ କଡ଼ା ମନ୍ତବ୍ୟ ଦେବା ସହ ଉପଦେଶ ଛଳରେ ଜଷ୍ଟିସ ଭୂୟାଁ କହିଛନ୍ତି ଯେ ଏହା ଦେଶର ଏକ ପ୍ରମୁଖ ତଦନ୍ତକାରୀ ସଂସ୍ଥା ହୋଇଥିବାରୁ ଜନସ୍ୱାର୍ଥରେ ଏହା ସନ୍ଦେହର ଊର୍ଦ୍ଧ୍ୱରେ ରହିବା ଯେତିକି ଆବଶ୍ୟକ ତା’ଠାରୁ ବେଶି ଜରୁରି ସନ୍ଦେହର ଊର୍ଦ୍ଧ୍ୱରେ ରହୁଥିବାର ପ୍ରତୀୟମାନ ହେବା । ସିବିଆଇ ଦ୍ୱାରା ଉଚିତ ଢଙ୍ଗରେ ତଦନ୍ତ ହେଉ ନ ଥିବା ବା ମନୋମୁଖୀ ଓ ପକ୍ଷପାତିତାରେ ଗିରଫଦାରି ହେଉଥିବାର ସୃଷ୍ଟ ଧାରଣାଟିକୁ ଦୂର କରିବା ଲାଗି ଯଥେଷ୍ଟ ପ୍ରୟାସ ହେବାର ଆବଶ୍ୟକତା ରହିଛି । ଆଇନର ଶାସନ ଥିବା ଏକ ସକ୍ରିୟ ଗଣତନ୍ତ୍ରରେ ଲୋକଙ୍କ ଧାରଣା ଅନେକ ଗୁରୁତ୍ୱ ବହନ କରିଥାଏ । ରୋମର ସମ୍ରାଟ ଜୁଲିଅସ ସିଜରଙ୍କ ପତ୍ନୀଙ୍କ ସଦୃଶ ତଦନ୍ତକାରୀ ସଂସ୍ଥା ମଧ୍ୟ ସନ୍ଦେହର ଊର୍ଦ୍ଧ୍ୱରେ ରହିବା ନିତାନ୍ତ ଆବଶ୍ୟକ । ତେଣୁ ସିବିଆଇ ଏକ ‘ପିଞ୍ଜରାବଦ୍ଧ ଶୁଆ ବୋଲି ସୃଷ୍ଟ ଧାରଣାଟିକୁ ଦୂର କରିବା ଲାଗି ସିବିଆଇକୁ ହିଁ ପ୍ରୟାସ କରିବାକୁ ହେବ ।
ସିବିଆଇର କାର୍ଯ୍ୟଶୈଳୀରେ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ ପ୍ରକାଶ କିଛି ନୂଆ କଥା ନୁହେଁ । ହାୱାଲା ଜୈନ ଡାଏରୀ ମାମଲାରେ ସିବିଆଇ ଦ୍ୱାରା ଉଚିତ ଢଙ୍ଗରେ ତଦନ୍ତ ହୋଇ ନ ଥିବାରୁ ସମ୍ପୂର୍ଣ୍ଣ ସତ ପ୍ରକାଶ ପାଇ ପାରି ନଥିଲା ଓ ପ୍ରକୃତ ଅପରାଧୀମାନେ ଦଣ୍ଡିତ ହୋଇ ପାରି ନଥିଲେ ବୋଲି ଦର୍ଶାଇ ୧୯୯୭ ମସିହାରେ ହୋଇଥିବା ‘ବିନୀତ ନାରାୟଣ ଏବଂ ଅନ୍ୟମାନେ ବନାମ କେନ୍ଦ୍ର ସରକାର’ ମାମଲାରେ ସୁପ୍ରିମକୋର୍ଟ ସିବିଆଇକୁ ଭର୍ତ୍ସନା କରିଥିଲେ । ତେବେ ସିବିଆଇକୁ ଏକ ‘ପିଞ୍ଜରାବଦ୍ଧ ଶୁଆ’ ବୋଲି ୨୦୧୩ ମସିହାରେ ପ୍ରଥମେ କୋଇଲା ଖଣି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟର ଜଷ୍ଟିସ ଆର ଏମ ଲୋଧାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅଭିହିତ କରିଥିଲେ । ସିବିଆଇ ତାଙ୍କ ଚିଠା ତଦନ୍ତ ରିପୋର୍ଟକୁ କୋଇଲା ମନ୍ତ୍ରାଳୟ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀଙ୍କୁ ଦେଖାଇଥିବାର ଜଣା ପଡ଼ିଥିଲା । ସିବିଆଇର ତତ୍କାଳୀନ ନିର୍ଦ୍ଦେଶକ ରଣଜିତ ସିଂହ ସ୍ୱୀକାର କରିଥିଲେ ଯେ ସେତେବେଳର ଆଇନ ମନ୍ତ୍ରୀ ଅଶ୍ୱିନୀ କୁମାର ଚିଠା ତଦନ୍ତ ରିପୋର୍ଟରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଥିଲା ବେଳେ ଅନ୍ୟ କେତେକ ଅଧିକାରୀ ମଧ୍ୟ କିଛି ସଂଶୋଧନ କରିବା ଲାଗି ପରାମର୍ଶ ଦେଇଥିଲେ । ଏହା ସିଧାସଳଖ ଭାବେ ସିବିଆଇର ତଦନ୍ତରେ ସରକାରୀ ହସ୍ତକ୍ଷେପ ବୋଲି ବିରକ୍ତି ପ୍ରକାଶ କରି ଜଷ୍ଟିସ ଲୋଧା ଟିପ୍ପଣୀ ଦେଇଥିଲେ, ‘ସିବିଆଇ ମୁନିବର କଥା କହୁଥିବା ଏକ ପିଞ୍ଜରାବଦ୍ଧ ଶୁଆ ପାଲଟିଛି’ । ସିବିଆଇ କେନ୍ଦ୍ର ସରକାରଙ୍କ ପ୍ରାଶାସନିକ ନିୟନ୍ତ୍ରଣରେ ଏକ ପୋଲିସ ବଳରେ ପରିଣତ ହୋଇଥିବାରୁ ସ୍ୱତନ୍ତ୍ର ଭାବେ ତଦନ୍ତ କରିବା ଏହା ପକ୍ଷରେ ଦୁରୁହ ହୋଇପଡ଼ୁଛି । ଶେଷରେ ଏହି ମାମଲାରେ ଆଇନ ମନ୍ତ୍ରୀ ଅଶ୍ୱିନୀ କୁମାରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ।
ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ଜାତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକରେ ଅନେକ ଦକ୍ଷ ଅଧିକାରୀ କାର୍ଯ୍ୟରତ, ଯେଉଁମାନେ ଉଚ୍ଚକୋଟୀର ତଦନ୍ତ କରିବାକୁ ସକ୍ଷମ । ତଥାପି ସେହି ସଂସ୍ଥାଗୁଡ଼ିକର କାର୍ୟ୍ୟଧାରାର ନିରପେକ୍ଷତାକୁ ନେଇ ମଝିରେ ମଝିରେ ସାଧାରଣ ଲୋକଙ୍କ ମନରେ ସଂଶୟ ସୃଷ୍ଟି ହୋଇଥାଏ । ସେମାନଙ୍କ କାର୍ୟ୍ୟରେ ଅତ୍ୟଧିକ ରାଜନୈତିକ ହସ୍ତକ୍ଷେପ ସେମାନଙ୍କ ଛବିକୁ ମଳିନ କରୁଛି । ଏହା ସତ୍ତ୍ୱେ ରାଜ୍ୟ ପୋଲିସ ତୁଳନାରେ ସିବିଆଇର ବିଶ୍ୱସନୀୟତା ଅଧିକ ହୋଇଥିବାରୁ ଅଧିକାଂଶ ସମ୍ୱେଦନଶୀଳ ଅପରାଧର ତଦନ୍ତ ସିବିଆଇ ଉପରେ ନ୍ୟସ୍ତ କରାଯାଉ ବୋଲି ଦାବି ହୋଇଥାଏ ଓ ଅନେକ କ୍ଷେତ୍ରରେ ତାହା ନ୍ୟସ୍ତ ହୋଇଥାଏ ମଧ୍ୟ । ଫଳରେ ସିବିଆଇ ଉପରେ କାର୍ଯ୍ୟଭାର ଦିନକୁ ଦିନ ବଢ଼ିଚାଲିଛି । ତେବେ ସିବିଆଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ଅସ୍ତ୍ର ରୂପେ ବ୍ୟବହୃତ ହେଉଥିବାର ଅବଧାରଣାଟିଏ ସୃଷ୍ଟି ହୋଇସାରିଥିବାରୁ ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକ ସାଧାରଣତଃ ସିବିଆଇ ତଦନ୍ତକୁ ପ୍ରତ୍ୟାଖ୍ୟାନ କରିଥାନ୍ତି । ୨୦୨୨-୨୩ର ବାର୍ଷିକ ରିପୋର୍ଟ ଅନୁଯାୟୀ ସିବିଆଇ ପାଖରେ ୧୦୨୫ଟି ମାମଲା ପଡ଼ିରହିଥିଲା । ଅନ୍ୟ ପକ୍ଷରେ ୩୧ ଡିସେମ୍ୱର ୨୦୨୨ ସୁଦ୍ଧା ସିବିଆଇରେ ଆବଶ୍ୟକ ୭୨୯୫ ଅଫିସରଙ୍କ ସ୍ଥାନରେ ମାତ୍ର ୫୬୦୦ ଅଫିସର ଅବସ୍ଥାପିତ ଥିଲେ । ଅର୍ଥାତ୍ ପ୍ରାୟ ୧୬୦୦ ବା ୨୩ ପ୍ରତିଶତ ସ୍ଥାନ ଶୂନ୍ୟ ପଡ଼ିରହିଥିବାରୁ ଏହା ଅତ୍ୟଧିକ ଚାପଗ୍ରସ୍ତ । ଏକ ଦକ୍ଷ ପ୍ରକ୍ରିୟାର ଅନୁସରଣ ନ କରି ସ୍ଥଳ ବିଶେଷରେ ନିଜ ମନଲାଖି ଅଫିସରଙ୍କୁ ସିବିଆଇରେ ଅବସ୍ଥାପିତ କରିବାର ପ୍ରବଣତା ମଧ୍ୟ ଆସନ ଖାଲି ପଡ଼ିରହିବାର କାରଣ ହେଉଛି । ଫଳରେ ତଦନ୍ତରେ ଅହେତୁକ ବିଳମ୍ୱ ହେଉଛି, ଯାହା ସିବିଆଇର ବିଶ୍ୱସନୀୟତା ହ୍ରାସର ଅନ୍ୟତମ କାରଣ । ପୁନଶ୍ଚ, ସିବିଆଇ ସୂଚନାଧିକାର ଆଇନ ପରିସର ବାହାରେ ଥିବାରୁ ଏହାର କୌଣସି ସାର୍ବଜନିକ ଦାୟବଦ୍ଧତା ରହୁନାହିଁ ।
ସିବିଆଇ ପ୍ରତି ସୁପ୍ରିମକୋର୍ଟଙ୍କ ସିବିଆଇ ପ୍ରତି ‘ପିଞ୍ଜରାବଦ୍ଧ ଶୁଆ’ ଟିପ୍ପଣୀର ପୁନରାବୃତ୍ତି ପରେ ତା’ର ରାଜନୈତିକ ନିହିତାର୍ଥ ତର୍ଜମା ହେବାକୁ ଲାଗିଲାଣି । ୨୦୧୪ ପରଠାରୁ ଇଡ଼ି ଓ ସିବିଆଇ ଶାସକ ଦଳର ହାତବାରିସି ସାଜି କାର୍ୟ୍ୟ କରୁଥିବାର ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଆସୁଥିଲେ । ତଥ୍ୟ ଅନୁଯାୟୀ ୨୦୨୨ରେ ଯେଉଁ ୧୨୪ ଜଣ ରାଜନୈତିକ ନେତାଙ୍କ ଉପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସେମାନଙ୍କ ମଧ୍ୟରୁ ୧୧୮ ଜଣ ବା ପ୍ରାୟ ୯୫ ପ୍ରତିଶତ ବିରୋଧୀ ଦଳର । ୟୁପିଏ ସରକାରଙ୍କ ଅମଳରେ ଏହା ୬୦ ପ୍ରତିଶତ ଥିଲା । ଏହା ସିବିଆଇର ପକ୍ଷପାତିତାପୂର୍ଣ୍ଣ ଆଚରଣର ନିଦର୍ଶନ ବୋଲି କୁହାଯାଉଛି । ତେବେ ଏହି ଅଭିଯୋଗକୁ ଏଡ଼ାଇ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ଉଦ୍ଧାର କରି ଶାସକ ଦଳର ପ୍ରବକ୍ତାମାନେ ୟୁପିଏ ସମୟରେ ସିବିଆଇ ‘ପିଞ୍ଜରାବଦ୍ଧ ଶୁଆ’ ଥିଲା ବୋଲି କହି ପାରୁଥିଲେ । ଏବର ସୁପ୍ରିମକୋର୍ଟଙ୍କ ସେହି ଟିପ୍ପଣୀର ପୁନରାବୃତ୍ତି ପରେ ସେହି ଯୁକ୍ତିଟି ସତେ ଯେମିତି ସେମାନଙ୍କ ହାତଛଡ଼ା ହୋଇଗଲା । ତେଣୁ କାହା ଅମଳରେ ସିବିଆଇ କେତେ ନିରପେକ୍ଷ ବା ପକ୍ଷପାତିତାପୂର୍ଣ୍ଣ, ସେହି ବିବାଦ ନିରର୍ଥକ ମନେ ହୁଏ । ବରଂ ତାକୁ ରାଜନୈତିକ ନିୟନ୍ତ୍ରଣରୁ ମୁକ୍ତ କରି ପ୍ରକୃତ ଅର୍ଥରେ ଏକ ସ୍ୱାୟତ୍ତ ଅନୁଷ୍ଠାନରେ ପରିଣତ କରିବାର ପ୍ରୟାସ କରାଯିବା ଆବଶ୍ୟକ ।
ସୁପ୍ରିମକୋର୍ଟଙ୍କ ‘ପି଼ଞ୍ଜରାବଦ୍ଧ ଶୁଆ’ ଟିପ୍ପଣୀ ସିବିଆଇ ପ୍ରତି ଉଦ୍ଦିଷ୍ଟ ହୋଇଥିଲେ ବି ବିଭିନ୍ନ ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟଶୈଳୀରେ ଅଦାଲତଙ୍କ ଅସନ୍ତୋଷ ପ୍ରକାଶରୁ ତାହା ଅଚିରେ ଇଡି ପ୍ରତି ପ୍ରୟୋଗ ହେବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ । ଏହି ତଦନ୍ତକାରୀ ସଂସ୍ଥାଗୁଡ଼ିକ ରାଜନୈତିକ ମୁନିବମାନଙ୍କ ଆଦେଶ ଓ ଇଙ୍ଗିତରେ ପରିଚାଳିତ ହେବାରେ ଏପରି ଅଭ୍ୟସ୍ତ ହୋଇଗଲେଣି ଯେ ପିଞ୍ଜରାବଦ୍ଧ ଶୁଆର ଅବସ୍ଥାନ କ୍ରମଶଃ ସେମାନଙ୍କ ପାଇଁ ସ୍ୱାଭାବିକ ଭାବେ ଗ୍ରହଣୀୟ ହୋଇଗଲାଣି । ପ୍ରଶ୍ନ ଉଠୁଛି ପିଞ୍ଜରାରୁ ମୁକ୍ତ ହୋଇ ସ୍ୱଚ୍ଛନ୍ଦରେ ବିଚରଣ କରିବାକୁ ସେମାନେ ଆଗ୍ରହୀ କି ? କାରଣ ସେମାନେ କେବଳ ପିଞ୍ଜରାବଦ୍ଧ ନୁହନ୍ତି, ସେମାନଙ୍କର ପକ୍ଷ ମଧ୍ୟ ଛେଦନ ହୋଇଥିବାରୁ ଶୁଆପାଞ୍ଜି ପଢ଼ୁଥିବା ଶୁଆ ପରି ସେମାନେ ମୁକ୍ତ ଆକାଶରେ ବିଚରଣ କରିବାର ସ୍ୱପ୍ନ ନ ଦେଖି ପୁନରପି ପିଞ୍ଜରାବଦ୍ଧ ହେବାକୁ ଅଧିକ ପସନ୍ଦ କରିବେ । ଏହି ସ୍ଥିତିକୁ ବଦଳାଇବାକୁ ହେଲେ ଇଡି, ସିବିଆଇ ଆଦି ସଂସ୍ଥାଗୁଡ଼ିକର ବ୍ୟାପକ ଢାଞ୍ଚାଗତ ସଂସ୍କାରର ଆବଶ୍ୟକତା ରହିଚି, ଯଦ୍ଦ୍ୱାରା ବିରୋଧୀଙ୍କୁ ଡରାଇବା, ଧମକାଇବା, ଦାଉ ସାଧିବା, ରାଜନୈତିକ ସ୍ୱାର୍ଥସିଦ୍ଧି ବା ଭୟଦୋହନ (ବ୍ଲାକମେଲ୍)ରେ ସେମାନେ ସରକାର ଓ ସରକାରୀ ଦଳର ହାତବାରିସି ସାଜିବେ ନାହିଁ । ଏକ ସୁସ୍ଥ ଓ ସକ୍ରିୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦୁର୍ନୀତିର ଉନ୍ମୁଳନ ପାଇଁ ଉଦ୍ଦିଷ୍ଟ ଏଭଳି ଜାତୀୟ ଅନୁଷ୍ଟାନଗୁଡ଼ିକର ସ୍ୱତନ୍ତ୍ର ଓ ନିରପେକ୍ଷ ଭାବେ କାର୍ୟ୍ୟ କରିବା ନିହାତି ଜରୁରି । ତେଣୁ ଶୁଆକୁ କେବଳ ପିଞ୍ଜରାମୁକ୍ତ କରିଦେବା ଯଥେଷ୍ଟ ହେବ ନାହିଁ, ବରଂ ସ୍ୱଚ୍ଛନ୍ଦରେ ବିଚରଣ କରିବା ଲାଗି ତା’ଠାରେ ପ୍ରତ୍ୟୟ ସୃଷ୍ଟି କରିବାକୁ ହେବ, ଯାହା ସଂସ୍କାର ମାଧ୍ୟମରେ ସମ୍ଭବ ହୋଇପାରେ ।
Comments
Post a Comment