Skip to main content

ଭଲ ଛୁଆଁ, ଖରାପ ଛୁଆଁ

ନିକଟରେ ଜଣେ ସିନେମା ପ୍ରଯୋଜକ ସର୍ବସମକ୍ଷରେ ଜଣେ କାର୍ଯ୍ୟରତ ସାମ୍ୱାଦିକାଙ୍କୁ ପିଠି ଓ ଗାଲରେ ଆଘାତ ଦେଇଥିବା ଅଭିଯୋଗ ପରେ ସାମ୍ୱାଦିକାଙ୍କ ଏତଲା କ୍ରମେ ତାଙ୍କୁ ହାଜତ ଯିବାକୁ ପଡ଼ିଥିଲା । ତେବେ ଉପଲବ୍ଧ ସିସିଟିଭି ଫୁଟେଜ ଆଧାରରେ କେହି କେହି ଯୁକ୍ତି ବାଢ଼ିଲେ ଯେ ସେ ସାମ୍ୱାଦିକାଙ୍କୁ ଆକ୍ରମଣ କରି ନଥିଲେ ବରଂ ଉଭୟ ପୂର୍ବରୁ ପରିଚିତ ହୋଇଥିବାରୁ ସେ ସ୍ନେହରେ ତାଙ୍କ ପିଠି ଓ ଗାଲକୁ ଥାପୁଡ଼ାଇ ଦେଇଥିଲେ, ଯାହା ଜେଲ୍ ଗଲା ଭଳି ଏକ ଅପରାଧ ନୁହେଁ କି ସେ ଜଣେ ଅପରାଧୀ ନୁହନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାକୁ ନିନ୍ଦା କରୁଥିବା କିଛି ବ୍ୟକ୍ତିଙ୍କର ଯୁକ୍ତି ଥିଲା, କର୍ମଜୀବୀ ମହିଳାମାନଙ୍କ ପ୍ରତି ସର୍ବସମକ୍ଷରେ ଏ ଭଳି ଅପରାଧ ସଂଘଟିତ ହେଲେ ସେମାନେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିଜକୁ ସୁରକ୍ଷିତ ମଣିବେ କିପରି ? ଏଥିରୁ ଜଣାପଡ଼ୁଛି ଯେ ମହିଳାଙ୍କୁ ଛୁଇଁବା ଗ୍ରହଣୀୟ କି ନୁହେଁ ଓ ଛୁଇଁବାର ଲକ୍ଷ୍ମଣରେଖା କ'ଣ ସେ ନେଇ ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି । ମହିଳା ଜଣଙ୍କୁ ଚାପୁଡ଼ା ମରାଯାଇଥାଉ କି ଗେହ୍ଲାରେ ଥାପୁଡ଼ାଇ ଦିଆଯାଇଥାଉ, ସେ କର୍ମଜୀବୀ ମହିଳା ହୋଇଥାଆନ୍ତୁ କି ଜଣେ ସାଧାରଣ ଗୃହିଣୀ, ପ୍ରତ୍ୟେକ ମହିଳାଙ୍କର ନିଜ ଶରୀର ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଛି ଓ ତାଙ୍କ ସମ୍ମତି ବିନା ଅନ୍ୟ କେହି ତାଙ୍କ ଶରୀରକୁ ସ୍ପର୍ଶ କରିବା ତାଙ୍କର ସେହି ଅଧିକାରର ଉଲ୍ଲଂଘନ ଭାବେ ଗ୍ରହଣ କରାଯାଇପାରେ । ତେବେ ସବୁ ଛୁଆଁ ଖରାପ ଶ୍ରେଣୀର ହୋଇ ନଥିଲା ବେଳେ ଭଲ ଛୁଆଁ ଓ ଖରାପ ଛୁଆଁ ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟଟିକୁ ବୁଝିବା ଓ ବୁଝାଇବା ଯେତିକି ଆବଶ୍ୟକ, ଏକ ପୁରୁଷତାନ୍ତ୍ରିକ ସମାଜ ବ୍ୟବସ୍ଥାରେ ଏ ପ୍ରସଙ୍ଗକୁ ଏଡ଼ାଇ ନଯାଇ ଆଲୋଚନା ମାଧ୍ୟମରେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ତତୋଧିକ ।

ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ମାନବୀୟ ସ୍ପର୍ଶ ତା’ ପାଇଁ ଅତ୍ୟାବଶ୍ୟକ । ଏହା ବିଜ୍ଞାନସମ୍ମତ ମଧ୍ୟ । ନିଜ ଲୋକଙ୍କ ସ୍ପର୍ଶ ତାକୁ ଆନନ୍ଦ ଦେଇଥାଏ, ତାଠାରେ ସକାରାତ୍ମକ ଶକ୍ତି ଜାଗ୍ରତ କରିଥାଏ । କେତେକ ଅଣ-ଯୌନ ସ୍ପର୍ଶରେ ତ ମସ୍ତିଷ୍କରୁ ଅକ୍ସିଟୋସିନ କ୍ଷରଣ ହୋଇଥାଏ, ଯାହାକୁ ବନ୍ଧନ (ବଣ୍ଡିଙ୍ଗ) ହର୍ମୋନ ବୋଲି ମଧ୍ୟ କୁହାଯାଏ । ଏହା ଶରୀରରେ ଡୋପାମିନ, ସେରୋଟୋନିନ ଭଳି ଭଲ ହର୍ମୋନ କ୍ଷରଣ ହେବାରେ ସହାୟକ ହୁଏ, ଯଦ୍ଦ୍ୱାରା ଶରୀରରେ ଉଦବେଗ ବଢ଼ାଉଥିବା କର୍ଟିସୋଲ, ନୋରପ୍ରିନଫ୍ରାଇନ ଭଳି ହର୍ମୋନଗୁଡ଼ିକର କ୍ଷରଣ କମ ହୋଇଥାଏ । ଫଳରେ ଚିନ୍ତା ହ୍ରାସ ହୋଇ ସେ ଆନନ୍ଦ ଅନୁଭବ କରିଥାଏ ଓ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ବଜାଏ ରଖିବାରେ ତାହା ସହାୟକ ହୋଇଥାଏ । କିନ୍ତୁ ସବୁ ଛୁଆଁ ମଣିଷକୁ ଆନନ୍ଦ ଦେଇ ନଥାଏ । ଖରାପ ଛୁଆଁ ଜଣକୁ ଅସହଜ, ବିବ୍ରତ ଓ ଭୟାତୁର କରିଥାଏ । ମାଡ଼ ମାରିବା, ଆଘାତ ଦେବା, ପେଲି ଦେବା, ନାତ ମାରିବା, ଗୁପ୍ତାଙ୍ଗରେ ହାତ ମାରିବା, ପୋଷାକ ଭିତରେ ହାତ ପୂରାଇବା, କୁଣ୍ଢାଇବା, ଯୌନୋଦ୍ଦେଶ୍ୟରେ ଛୁଇଁବା,  ଛୁଇଁବା ପାଇଁ ବାଧ୍ୟ କରିବା, ଏ ବିଷୟରେ କାହାକୁ ନ କହିବା ଓ କହିଲେ ଫଳ ଭଲ ହେବନାହିଁ ବୋଲି ଧମକାଇବା ଆଦି ଖରାପ ଛୁଆଁର କେତୋଟି ଉଦାହରଣ ମାତ୍ର । ଏଥିରେ ଉଦବେଗ ବୃଦ୍ଧିକାରୀ ହର୍ମୋନର କ୍ଷରଣ ଅଧିକ ହୋଇଥାଏ, ଯାହା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । ମାତ୍ର ପରିତାପର ବିଷୟ ହେଉଛି ଆମ ଦେଶରେ ଭଲ ଛୁଆଁ ଓ ଖରାପ ଛୁଆଁ ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟଟିକୁ ପିଲାଦିନରୁ ବୁଝାଇବା ତ ଦୂରର କଥା ସେ ନେଇ ଆଲୋଚନା କରିବା ମଧ୍ୟ ଗର୍ହିତ ହୋଇଥାଏ । ଫଳରେ କେତେକ କ୍ଷେତ୍ରରେ ଅଜ୍ଞତାବଶତଃ ପୀଡ଼ିତାଟିଏ ପ୍ରାରମ୍ଭିକ ଅବସ୍ଥାରେ ତା'ର ଯୌନ ଶୋଷଣ ହୋଇଛି କି ନାହିଁ ତାହା ମଧ୍ୟ ଜାଣି ନଥାଏ । ତେଣୁ ଖରାପ ଛୁଆଁ ବା ଅସଙ୍ଗତ ଛୁଆଁକୁ ବୁଝିବା ଓ ଚିହ୍ନଟ କରିବା ପ୍ରଥମ ଆବଶ୍ୟକତା । ଅନେକ ସମୟରେ ଯାତ୍ରୀବାହୀ ବସ ବା ରେଳରେ ଯାତ୍ରା କରିବା ବେଳେ କିଛି ସହଯାତ୍ରୀ ମହିଳାଙ୍କୁ ଛୁଇଁବାର ଘୃଣିତ ଚେଷ୍ଟା କରିଥାନ୍ତି । ଏପରିକି କର୍ମକ୍ଷେତ୍ରଠାରୁ ଆରମ୍ଭ କରି ସର୍ବସାଧାରଣ ସ୍ଥାନମାନଙ୍କରେ ମହିଳାମାନେ ଖରାପ ଛୁଆଁର ଶିକାର ହେବାର ଖବରମାନ ଶୁଣିବାକୁ ମିଳିଥାଏ । ସେଇ ଏକା ଛୁଆଁ ମାଆ ଛୁଇଁଲେ ‘ଭଲ ଛୁଆଁ’ ହେଉଥିଲା ବେଳେ ଜଣେ ଅପରିଚିତ ଛୁଇଁଲେ ‘ଖରାପ ଛୁଆଁ’ ହୋଇଥାଏ । ମିଳିତ ଭାବେ ଅକ୍ସଫୋର୍ଡ, ଆଲଟୋ ଓ ଟୁର୍କୁ ବିଶ୍ୱବିଦ୍ୟାଳୟର କିଛି ଗବେଷକ ଶରୀରର କେଉଁ ଅଙ୍ଗ ପ୍ରତ୍ୟଙ୍ଗକୁ ପରିବାରର ବିଭିନ୍ନ ସଦସ୍ୟ, ସାଙ୍ଗ, ପରିଚିତ ବ୍ୟକ୍ତି ଓ ଅଜଣା ବ୍ୟକ୍ତି ଛୁଇଁଲେ ଜଣେ ସହଜ ବା ଅସହଜ ଅନୁଭବ କରେ ତାହା ଜାଣିବା ପାଇଁ ୧୩୦୦ ଲୋକଙ୍କୁ ନେଇ କରିଥିବା ଗବେଷଣାରୁ ଜଣା ପଡ଼ିଥିଲା ଯେ ଅପରିଚିତ ଲୋକଙ୍କ କଥା ତ ଛାଡ଼ ଏପରିକି ପରିବାରର ବିଭିନ୍ନ ସଦସ୍ୟଙ୍କ ଛୁଆଁ ବି ଜଣକୁ ସହଜ ବା ଅସହଜ ମନେ ହୋଇପାରେ ।     

ଖରାପ ଛୁଆଁ ଯୋଗୁଁ ଶିଶୁଙ୍କ ଯୌନ ଶୋଷଣ ପ୍ରଶ୍ରୟ ପାଇବାର ଯଥେଷ୍ଟ ଆଶଙ୍କା ଥାଏ । ଏହାର ଶିକାର କେବଳ ଯେ ଝିଅମାନେ ବା ବସ୍ତି ଅଞ୍ଚଳର ପିଲାମାନେ ହୋଇଥାଆନ୍ତି ତାହା ନୁହେଁ, ପୁଅମାନେ ଓ ସମ୍ଭ୍ରାନ୍ତ ଅଞ୍ଚଳରେ ରହୁଥିବା ପିଲାମାନେ ମଧ୍ୟ ଏହାର ଶରବ୍ୟ ହୋଇଥାଆନ୍ତି । ଅନେକଙ୍କ ଭ୍ରାନ୍ତ ଧାରଣା ଯେ ପିଲାଟିଏର ତିକ୍ତ ଅନୁଭୂତି କାଳକ୍ରମେ ଭୁଲି ହୋଇଯାଇଥାଏ । ଅନ୍ୟ ପକ୍ଷରେ ପିଲାଟି ଉପରେ ଏହାର ଗଭୀର କୁପ୍ରଭାବ ପଡ଼ିଥାଏ, ଯଦ୍ଦ୍ୱାରା ସେ ତା'ର ସରଳତା, ବିଶ୍ୱାସ, ସ୍ୱାଭିମାନ, ଆତ୍ମ-ମର୍ଯ୍ୟାଦା ଆଦି ହରାଇ ବସିବାର ଆଶଙ୍କା ଦେଖା ଦେଇଥାଏ ଓ ତା'ର ଉପଯୁକ୍ତ ବ୍ୟକ୍ତିତ୍ୱ ଗଠନରେ ବାଧା ଉତ୍ପନ୍ନ ହୋଇଥାଏ ।  

କେତେକ ନିର୍ଦ୍ଦିଷ୍ଟ ପ୍ରକାର ଛୁଆଁରେ ଜଣକୁ ତା'ର ବ୍ୟକ୍ତିସତ୍ତାକୁ ଆକ୍ରମଣ ହେଲା ପରି ଅନୁଭବ ହୋଇ ସେ ଆଘାତପ୍ରାପ୍ତ ହୋଇଥାଏ । ତେବେ ସବୁ କ୍ଷେତ୍ରରେ ତଦ୍ଦ୍ୱାରା ଅପରାଧଟିଏ ସଂଘଟିତ ହେଲା ବୋଲି ଧରି ନେବା ମଧ୍ୟ ଠିକ୍ ନୁହେଁ । ହେଲେ ସ୍ଥଳ ବିଶେଷରେ ସେଥିପାଇଁ ଅଭିଯୁକ୍ତକୁ ଯୌନ ଅପରାଧ ଅଭିଯୋଗର ମଧ୍ୟ ସାମନା କରିବାକୁ ପଡ଼ିଥାଏ ।  ଭାରତୀୟ ପିଙ୍ଗଳ କୋଡର ଧାରା ୩୫୪ ଅନୁଯାୟୀ ଜଣେ ମହିଳାଙ୍କ ଶାଳୀନତାକୁ କ୍ଷୁଣ୍ଣ କରିବାର ପ୍ରୟାସ ଏକ ଦଣ୍ଡନୀୟ ଅପରାଧ ଯେଉଁଥିରେ ଉଭୟ ଜେଲ ଦଣ୍ଡ ଓ ଜୋରିମାନାର ପ୍ରାବଧାନ ରହିଛି । ସେହିପରି ପକସୋ ଆଇନର ଧାରା ୭ ଅନୁଯାୟୀ ଯୌନ ଶୋଷଣର ଉଦ୍ଦେଶ୍ୟ ରଖି ଶିଶୁଙ୍କ ଗୁପ୍ତାଙ୍ଗକୁ ଛୁଇଁବା, ଏକ ଦଣ୍ଡନୀୟ ଅପରାଧ ।  ସେହି ଛୁଆଁଟି ଅସଙ୍ଗତ କି ନୁହେଁ ଓ ହୋଇଥିଲେ କେଉଁ ଧରଣର ଅସଙ୍ଗତ ଛୁଆଁ ତାହା ଶେଷରେ ଅଦାଲତ ହିଁ ନିର୍ଦ୍ଧାରଣ କରିଥାଆନ୍ତି । ତେବେ ଅସଙ୍ଗତ ଛୁଆଁ ସାଧାରଣତଃ ଦୁଇ ଶ୍ରେଣୀର । ପ୍ରଥମଟି ଯୌନ ଉଦ୍ଦେଶ୍ୟ ରଖି ବିନା ସମ୍ମତିରେ ଜଣକର ଗୁପ୍ତାଙ୍ଗକୁ ଛୁଇଁବା ହୋଇଥିବା ବେଳେ ଦ୍ୱିତୀୟଟିରେ ପୀଡ଼ିତା ଶାରୀରିକ ଆକ୍ରମଣର ଶିକାର ହୋଇ କଟା, ଫଟା, ଆଞ୍ଚୁଡ଼ା ଭଳି ଆଘାତରେ ଆକ୍ରାନ୍ତ ହୋଇଥାଆନ୍ତି ।

ପ୍ରତିବର୍ଷ ଓଡ଼ିଶାରେ ଯୌନ ଶୋଷଣ ଶିକାର ହେଉଥିବା ନାବାଳିକାଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇଚାଲିଛି । ତଥ୍ୟ ଅନୁଯାୟୀ ୨୦୧୯ରେ ୧୬୩୫ ଜଣ ନାବାଳିକା ଯୌନ ଶୋଷଣର ଶିକାର ହୋଇଥିଲେ ଯାହା ୨୦୨୦ ଓ ୨୦୨୧ରେ ଯଥାକ୍ରମେ ୧୬୬୪ ଓ ୧୮୭୧କୁ ବୃଦ୍ଧି ପାଇଥିଲା । ଅପରାଧୀଙ୍କ ଘୃଣ୍ୟ ତଥା ରୁଗ୍ଣ ମାନସିକତା, ପିଲାଙ୍କ ଉପରେ ଉପଯୁକ୍ତ ନଜର ରଖିବାରେ ପିତାମାତାଙ୍କ ଅବହେଳା ଓ ସ୍ଥଳ ବିଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ପୋଲିସ କର୍ତ୍ତୃପକ୍ଷଙ୍କ ତତ୍ପରତାର ଅଭାବ ସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ବୋଲି କୁହାଯାଇଥାଏ । ଅଧିକାଂଶ କ୍ଷେତ୍ରରେ ଅପରାଧୀ ପୀଡ଼ିତାଙ୍କ ସମ୍ପର୍କୀୟ, ଚିହ୍ନାପରିଚିତ ବା ପଡ଼ୋଶୀ ହୋଇଥିବାରୁ ପିତାମାତାମାନେ ପିଲାଙ୍କ ଚାଲିଚଳନ ଓ ଗତିବିଧି ଉପରେ ଉପଯୁକ୍ତ ଧ୍ୟାନ ଦେବା ସହ ପିଲାଙ୍କୁ ଭଲ ଛୁଆଁ, ଖରାପ ଛୁଆଁ, ସଙ୍ଗତ ଓ ଅସଙ୍ଗତ ଆଚରଣ ସମ୍ପର୍କରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି । ଏଥିପାଇଁ ସେମାନେ ‘ସନ୍ତରଣ ପୋଷାକ’ (ସ୍ୱିମ ସୁଟ) ନିୟମକୁ ଆଧାର ଭାବେ ଗ୍ରହଣ କରି ପିଲାମାନଙ୍କୁ ‘ଖରାପ ଛୁଆଁ’ ସମ୍ପର୍କରେ ବୁଝାଇ ପାରିବେ । ଅର୍ଥାତ୍, ଶରୀରର ଯେଉଁ ସମ୍ୱେଦନଶୀଳ ଅଙ୍ଗଗୁଡ଼ିକ ସନ୍ତରଣ ପୋଷାକ ଘୋଡ଼ାଇ ରଖିଥାଏ ଅନ୍ୟ କେହି ସେଗୁଡ଼ିକୁ ଛୁଇଁବା ‘ଖରାପ ଛୁଆଁ’ ଅନ୍ତର୍ଭୁକ୍ତ । ସେଭଳି ଖରାପ ଛୁଆଁକୁ ତତକ୍ଷଣାତ୍ ବିରୋଧ କରି ଦୃଢ଼ କଣ୍ଠରେ ‘ନା’ ବୋଲି ପ୍ରତିବାଦ କରିବାକୁ ପିଲାଦିନରୁ ଶିଖାଯିବା ଆବଶ୍ୟକ । ତଦ୍ଦ୍ୱାରା ଅପରାଧୀ ମାନସିକତାର ଲୋକମାନେ ଆଉ ଅଗ୍ରସର ହେବାକୁ ଦୁଃସାହସ କରନ୍ତେ ନାହିଁ ଓ ମହିଳାଙ୍କ ପ୍ରତି ହେଉଥିବା ଯୌନ ଶୋଷଣର ସଂଖ୍ୟା ହ୍ରାସ ପାଆନ୍ତା ।   

କିଛି ବୟସ୍କ ଓ ପ୍ରତିଷ୍ଠିତ ବ୍ୟକ୍ତି ସର୍ବସମକ୍ଷରେ ମହିଳାଙ୍କ ପ୍ରତି ସ୍ନେହ ପ୍ରଦର୍ଶନ କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ । ବିଭିନ୍ନ ସଭାସମିତିରେ ମହିଳାମାନଙ୍କୁ ପୁରସ୍କାର ବା ସମ୍ମାନ ପ୍ରଦାନ କଲାବେଳେ ସେମାନଙ୍କୁ ମହିଳାଙ୍କ ପିଠି ଓ ଗାଲ ଥାପୁଡ଼ାଇବାର ଦେଖାଯାଏ । ଏ ଭଳି ସ୍ପର୍ଶ ‘ଅସଙ୍ଗତ ଛୁଆଁ’ ଶ୍ରେଣୀର ହୋଇପାରେ ବୋଲି ତାଙ୍କ ଦୃଷ୍ଟି ଆକର୍ଷଣ କରାଗଲେ କେହି କେହି ‘ସିଏ ତ ମୋ ଝିଅ ବୟସର କି ନାତୁଣୀ ବୟସର’ କହି କଥାଟିକୁ ହାଲୁକା କରିବାକୁ ଚେଷ୍ଟା କରିଥାଆନ୍ତି । ଧ୍ୟାନ ଦେବା ଉଚିତ ଯେ ମନରେ କୌଣସି ଆବିଳତା ନ ଥିଲେ କି ମହିଳାଜଣକ ପୂର୍ବ ପରିଚିତ ହୋଇଥିଲେ ମଧ୍ୟ ସର୍ବସମକ୍ଷରେ ତାଙ୍କ ପ୍ରତି ସ୍ନେହ ପ୍ରଦର୍ଶନରୁ ବୟସ୍କ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ କ୍ଷାନ୍ତ ରହିବା ଆବଶ୍ୟକ, କାରଣ ବେଳ ପଡ଼ିଲେ ଏଭଳି ଆଚରଣ ପାଇଁ ଜଣକୁ ନିନ୍ଦିତ ଓ ଚରମ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ମୁଖ୍ୟତଃ ଝିଅମାନେ ଖରାପ ଛୁଆଁର ଶରବ୍ୟ ହେଉଥିଲେ ବି ସ୍ଥଳ ବିଶେଷରେ ଅଳ୍ପ ବୟସର ପୁଅମାନେ ବି ତାର ଶିକାର ହୋଇଥାଆନ୍ତି । ତେଣୁ ୫ ବର୍ଷ ବୟସରୁ ପିଲାମାନଙ୍କୁ ଭଲ ଛୁଆଁ ଓ ଖରାପ ଛୁଆଁ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ସ୍ପଷ୍ଟ ରୂପେ ଶିକ୍ଷା ଦିଆଯିବା ଆବଶ୍ୟକ । ଖରାପ ଛୁଆଁକୁ ବରଦାସ୍ତ ନ କରି ପ୍ରତିବାଦ ଓ ପ୍ରତିରୋଧ କରିବା  ଦରକାର ବୋଲି ସେମାନଙ୍କୁ ଶିଖାଯିବା ଆବଶ୍ୟକ । ଏହି ଦାୟିତ୍ୱଟି ମାଆ ଓ ଅନ୍ୟ ବୟସ୍କ ମହିଳାମାନେ ନିର୍ବାହ କରିପାରିଲେ ସବୁଠାରୁ ଭଲ । ହେଲେ ପ୍ରତିବାଦ ତ ଦୂରର କଥା ଲୋକଲଜ୍ଜା ଯୋଗୁଁ ପାଟି ନଖୋଲି ସହିଯିବା ଲାଗି ଝିଅମାନଙ୍କୁ ଉପଦେଶ ଦିଆଯାଇଥାଏ । ଆଉ କେଉଁ ଝିଅ ପାଟି ଖୋଲିଲେ ସେ ଶିଷ୍ଟାଚାର ଶିଖିନାହିଁ କହି ତା ଚରିତ୍ର ପ୍ରତି ଆକ୍ଷେପ କରାଯାଇଥାଏ । ଏପରି ସ୍ଥିତିରେ ପରିବାର ସ୍ତରରେ ସେଭଳି ଶିକ୍ଷା ଆହରଣ କରିବା ସମ୍ଭବ ହେଉ ନଥିବାରୁ ସ୍କୁଲ ସ୍ତରରେ ଏହି ଶିକ୍ଷା ପ୍ରଦାନ କରାଯାଇପାରିବ । ନିକଟରେ ପୁଣେ ସହରର ଏକ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଝିଅମାନଙ୍କୁ ଖେଳ ମାଧ୍ୟମରେ ଭଲ ଛୁଆଁ ଓ ଖରାପ ଛୁଆଁ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝାଉଥିବା ଓ ଖରାପ ଛୁଆଁ କ୍ଷେତ୍ରରେ କିପରି ବିରୋଧ କରିବାକୁ ହୁଏ ତାହା ଶିଖାଉଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଶିକ୍ଷୟିତ୍ରୀଙ୍କ ଏହି ଅଭିନବ ଉଦ୍ୟମ ବେଶ୍ ପ୍ରଶଂସିତ ହୋଇଥିଲା । ଓଡ଼ିଶାର ସ୍କୁଲଗୁଡ଼ିକରେ ଏ ସମ୍ପର୍କରେ ଶିକ୍ଷାଦାନ କରିବା ଲାଗି ତୁରନ୍ତ ବିଧିବଦ୍ଧ ବ୍ୟବସ୍ଥା କରାଯିବା ଆବଶ୍ୟକ । କାରଣ ସଚେତନତା ଅଭାବରେ ପିଲାମାନେ ଅହରହ ଖରାପ ଛୁଆଁର ଶିକାର ହେଉଥିଲେ ବି ମୁହଁ ଖୋଲିବାକୁ ସାହସ କରିନଥାଆନ୍ତି । ସ୍ଥଳ ବିଶେଷରେ ସେମାନଙ୍କ ପ୍ରତିବାଦହୀନତା ଅପରାଧୀକୁ ଏପରି ସାହସ ପ୍ରଦାନ କରିଥାଏ ଯେ ସେ ଦୁଷ୍କର୍ମ ଭଳି ଅପରାଧ କରିବାକୁ ବି ପଛାଇନଥାଏ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଥିବା ଅନେକ କନ୍ୟାଶ୍ରମରେ ଦୁଷ୍କର୍ମର ଶିକାର ଛାତ୍ରୀମାନେ କୁଆଁରୀ ମାଆ ହେଉଥିବାର ଖବରମାନ ଶୁଣିବାକୁ ମିଳିବା ସେହି ସମସ୍ୟାର ଗମ୍ଭୀରତାକୁ ପୁଷ୍ଟି କରିଥାଏ । ତେଣୁ ଖରାପ ଛୁଆଁକୁ ଗ୍ରହଣୀୟ ବୋଲି ଧରି ନ ନେଇ ସରକାରୀ ସ୍ତରରେ ତାକୁ ପ୍ରତିହତ କରିବା ଲାଗି ତତ୍ପରତା ପ୍ରକାଶ ପାଇବା ସହ ସାମାଜିକ ସ୍ତରରେ ତା' ବିରୋଧରେ ସ୍ୱର ତୀବ୍ର ହେଲେ ମହିଳା ଓ ଶିଶୁମାନଙ୍କ ପ୍ରତି ହେଉଥିବା ବିଭିନ୍ନ ପ୍ରକାର ଅପରାଧର ସଂଖ୍ୟା କ୍ରମଶଃ ହ୍ରାସ ପାଇପାରନ୍ତା । ପୀଡ଼ିତା ମହିଳାମାନେ ନୀରବତା ଅବଲମ୍ୱନ ନକରି ସାହସର ସହିତ ଅପରାଧୀଙ୍କ ଦୁଷ୍କୃତି ବିରୋଧରେ ମୁଖର ହେବାକୁ ପ୍ରୋତ୍ସାହିତ କରାଯିବାର ମଧ୍ୟ ଆବଶ୍ୟକତା ରହିଛି । 


Published in Sambad on November 18, 2023


Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍