ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ବାଚନୀ ବଣ୍ଡ୍ ଅବୈଧ ବୋଲି ରାୟ ପ୍ରକାଶ ପାଇଛି । ତେଣୁ ଏହି ଅସ୍ୱଚ୍ଛ ବଣ୍ଡର ପ୍ରଚଳନ ଉପରେ ରୋକ ଲାଗିଛି । ତା’ ଛଡ଼ା ରାଜନୈତିକ ଦଳଗୁଡ଼ିକୁ ଦିଆଯାଉଥିବା ଚାନ୍ଦା ସଂକ୍ରାନ୍ତରେ ନାଗରିକଙ୍କର ଜାଣିବାର ଅଧିକାର ନାହିଁ ବୋଲି ସରକାରଙ୍କ ଯୁକ୍ତିକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି । ଏହି ବଣ୍ଡ୍ ସମ୍ୱିଧାନର ଅନୁଚ୍ଛେଦ ୧୯(୧)(ଏ)ରେ ପ୍ରଦତ୍ତ ସୂଚନା ଅଧିକାରର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହା ଅସାମ୍ୱିଧାନିକ ବୋଲି ଘୋଷଣା କରିଛନ୍ତି । ଅନେକେ ଏହାକୁ ଭାରତୀୟ ଗଣତନ୍ତ୍ରର ଏକ ଐତିହାସିକ ବିଜୟ ବୋଲି ଅଭିହିତ କରୁଛନ୍ତି । ଭାରତୀୟ ରାଜନୀତି ଉପରେ ଏହି ରାୟର ସୁଦୂର ପ୍ରସାରୀ ପ୍ରଭାବ ପଡ଼ିବା ସୁନିଶ୍ଚିତ । ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରଦାନରେ ସ୍ୱଚ୍ଛତା ଆଣିବାକୁ ଆଳ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାନୁଆରୀ ୨, ୨୦୧୮ରେ ‘ନିର୍ବାଚନୀ ବଣ୍ଡ୍ ସ୍କିମ’ର ପ୍ରଚଳନ ହୋଇଥିଲା । ଟଙ୍କା ପରି ନିର୍ବାଚନୀ ବଣ୍ଡ ଏକ ପ୍ରମିଶରି ନୋଟ ଯହିଁରେ କ୍ରେତାଙ୍କ ପରିଚୟ ଗୋପନୀୟ ରଖାଯାଇଥାଏ । ଷ୍ଟେଟ ବ୍ୟାଙ୍କର ଅଧିକୃତ କେତେକ ଶାଖାରେ ବର୍ଷର ନିର୍ଦ୍ଦିଷ୍ଟ କିଛି ଦିନ ଲାଗି ୧୦୦୦ ଟଙ୍କାରୁ ଆରମ୍ଭ କରି ୧ କୋଟି ଟଙ୍କା ମୂଲ୍ୟର ୫ ପ୍ରକାରର ନିର୍ବାଚନୀ ବଣ୍ଡ୍ ଉପଲବ୍ଧ ହୋଇଥାଏ । ତାହ।କୁ ଯେ କେହି କିଣି ଯେ କୌଣସି ଦଳକୁ ଚାନ୍ଦା ଆକାରରେ ଦେଇପାରେ ଓ ଏ ସମସ୍ତ ପ୍ରକରଣ ଗୋପନୀୟ ରହିଥାଏ । ...