ଦେଶର ଗ୍ରାମାଞ୍ଚଳରେ ୧୪ରୁ ୧୮ ବର୍ଷ ବୟସ ବର୍ଗର ପ୍ରାୟ ୨୫ ପ୍ରତିଶତ ଯୁବକ ଯୁବତୀ ଆଞ୍ଚଳିକ ଭାଷାରେ ଦ୍ୱିତୀୟ ଶ୍ରେଣୀର ପାଠକୁ ଠିକ୍ ରୂପେ ପଢ଼ି ପାରୁ ନଥିବା ବେଳେ ପ୍ରାୟ ୫୦ ପ୍ରତିଶତ ଇଂରେଜୀ ବାକ୍ୟ ପଢ଼ିପାରନ୍ତି ନାହିଁ । ଏକ ଅଣସରକାରୀ ସଂଗଠନ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏଭଳି ବିକଳ ଚିତ୍ରଟିଏ ସାମନାକୁ ଆସିବା ପରେ ଦେଶର ଗ୍ରାମାଞ୍ଚଳରେ ଶିକ୍ଷା ଓ ଶିକ୍ଷଣର ବାସ୍ତବ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ ପାଇବା ସ୍ୱାଭାବିକ । ଉଚିତ ଢଙ୍ଗରେ ମାନବ ସମ୍ୱଳର ବିକାଶ ନହେଲେ ଦେଶର ଅର୍ଥନୈତିକ ବିକାଶର ଲକ୍ଷ୍ୟ ଯେ ପୂରଣ ହେବା କଷ୍ଟକର ହେବ ତାହା ଅନସ୍ୱୀକାର୍ଯ୍ୟ । ତେଣୁ ରିପୋର୍ଟରେ ଶିକ୍ଷା ଓ ଶିକ୍ଷଣର ସ୍ଥିତିକୁ ଦର୍ଶାଇ ଆଉ ଯେଉଁ ସବୁ ବିନ୍ଦୁଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି ସେଗୁଡ଼ିକୁ ଜାଣିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେହି ଦୁର୍ବଳତାଗୁଡ଼ିକର ନିରାକରଣ ଲାଗି ସମୟବଦ୍ଧ ଭାବେ ଉଚିତ ପଦକ୍ଷେପ ଗ୍ରହଣ କରିବା ମଧ୍ୟ ତତୋଧିକ ମହତ୍ତ୍ୱପୂର୍ଣ୍ଣ ।
‘ପ୍ରଥମ’ ନାମକ ଅଣସରକାରୀ ସଂଗଠନ ଦ୍ୱାରା ଗତ ଦୁଇ ଦଶନ୍ଧି ଧରି ଶିକ୍ଷାର ସ୍ଥିତିକୁ ନେଇ ଏକ ବାର୍ଷିକ ରିପୋର୍ଟ (ଆନୁଆଲ ଷ୍ଟାଟସ ଅଫ ଏଜୁକେସନ ରିପୋର୍ଟ - ଅସର) ପ୍ରସ୍ତୁତ ହୋଇଆସୁଛି । ସଦ୍ୟ ଉନ୍ମୋଚିତ ‘ଅସର ରିପୋର୍ଟ-୨୦୨୩’ ଦେଶର ୨୬ଟି ରାଜ୍ୟର ୨୮ଟି ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ୧୪-୧୮ ବର୍ଷ ବୟସ ବର୍ଗର ପ୍ରାୟ ୩୫ ହଜାର କିଶୋର କିଶୋରୀଙ୍କ ଉପରେ ସର୍ଭେ କରାଯାଇ ପ୍ରସ୍ତୁତ ହୋଇଛି । ଶିକ୍ଷାଧିକାର ଆଇନ ଅନୁଯାୟୀ ୧୪ ବର୍ଷ ବୟସ ପର୍ୟ୍ୟନ୍ତ ଶିକ୍ଷା ନିଃଶୁଳ୍କ ଓ ବାଧ୍ୟତାମୂଳକ ହୋଇଥିଲା ବେଳେ ତା’ପରେ ଆଗାମୀ ୪ ବର୍ଷ ଯାଏଁ ସେହି ପିଲାମାନେ ପାଠପଢ଼ା ଜାରି ରଖିଛନ୍ତି କି ନାହିଁ ଓ ସେମାନଙ୍କ ଶିକ୍ଷଣ ସ୍ତର କ’ଣ, ତାହା ଜାଣିବାର ଏକ ପ୍ରୟାସ ଏହି ରିପୋର୍ଟରେ କରାଯାଇଛି ।
ଏହି ସର୍ଭେରେ ସାରା ଦେଶରେ ସାମଗ୍ରିକ ଭାବେ ହାରାହାରି ୧୩ ପ୍ରତିଶତ ପିଲା କୌଣସି ସ୍କୁଲ-କଲେଜରେ ନାମ ଲେଖାଇ ନଥିବା ଜଣାପଡ଼ିଛି । ୫୦ ପ୍ରତିଶତରୁ ଅଧିକ ପିଲା କଳା ବିଭାଗରେ ନାମ ଲେଖାଇଥିଲା ବେଳେ ମାତ୍ର ୫.୬ ପ୍ରତିଶତ କୌଣସି ଧନ୍ଦାମୂଳକ ଶିକ୍ଷାଗ୍ରହଣ କରୁଛନ୍ତି । ପିଲାମାନଙ୍କ ସାମର୍ଥ୍ୟକୁ ଜାଣିବା ପାଇଁ କରାଯାଇଥିବା ୫ ପ୍ରକାର ପରୀକ୍ଷା ମଧ୍ୟରେ ଥିଲା ପଢିବା, ଗଣନା କରିବା, ନିର୍ଦ୍ଦେଶ ପଢ଼ି ବୁଝିବା, ହିସାବ କରିବା ଓ ଡିଜିଟାଲ ସଚେତନତା, ଯେଉଁଗୁଡ଼ିକ ସାଧାରଣ ଲୋକଟିଏର ଦୈନନ୍ଦିନ ଆବଶ୍ୟକତାର ଅଂଶବିଶେଷ । ଅର୍ଦ୍ଧାଧିକ ପିଲା ତିନି ଅଙ୍କ ବିଶିଷ୍ଟ ସଂଖ୍ୟାର ହରଣଟିଏ କରିବାକୁ ଅସମର୍ଥ । ଅଧାରୁ ସାମାନ୍ୟ ଅଧିକ ସଂଖ୍ୟକ ପିଲା ଇଂରେଜୀ ବାକ୍ୟ ପଢ଼ିପାରୁଥିଲା ବେଳେ ତନ୍ମଧ୍ୟରୁ ଏକ-ଚତୁର୍ଥାଂଶ ତା’ର ଅର୍ଥ ବୁଝନ୍ତି ନାହିଁ । ଶୂନ ସେଣ୍ଟିମିଟରରୁ ଦୈର୍ଘ୍ୟ ମାପିବାରେ ୮୫ ପ୍ରତିଶତ ସଫଳ ହୋଇଥିଲା ବେଳେ ସ୍କେଲ ପଟାର ମଝିରୁ ମାତ୍ର ୩୯ ପ୍ରତିଶତ ମାପିପାରିଲେ । ଫେଡ଼ାଣ କରି ପାରୁଥିବା ପିଲାମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ସାଧାରଣ ବଜେଟଟିଏ ତିଆରି କରିପାରୁଥିବା ବେଳେ ମାତ୍ର ୩୭ ପ୍ରତିଶତ ରିହାତିର ହିସାବ ଓ ୧୦ ପ୍ରତିଶତ ଋଣ କିସ୍ତି ପରିମାଣର ହିସାବ କରିପାରୁଥିଲେ । କୋଭିଡ୍ ପରେ ସାରା ପୃଥିବୀ ବୈଷୟିକ ଜ୍ଞାନକୌଶଳ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଥିବା ବେଳେ ପିଲାମାନଙ୍କଠାରେ ଡିଜିଟାଲ ସଚେତନତା ବୃଦ୍ଧି ଅପରିହାର୍ଯ୍ୟ ହୋଇପଡ଼ିଛି । ଏ କ୍ଷେତ୍ରରେ ପିଲାମାନଙ୍କ ଦକ୍ଷତା ଯଥେଷ୍ଟ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ପ୍ରାୟ ୯୦ ପ୍ରତିଶତ ପିଲା ସ୍ମାର୍ଟ ଫୋନ ବ୍ୟବହାର କରିପାରୁଥିବା ଜଣାପଡ଼ିଛି । ତେବେ ମାତ୍ର ୯ ପ୍ରତିଶତ ପିଲାଙ୍କ ଘରେ କମ୍ପ୍ୟୁଟର ଅଛି । ଘରେ କମ୍ପ୍ୟୁଟର ଥିବା ପିଲାମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ତାହା ବ୍ୟବହାର କରିପାରୁଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମାତ୍ର ୩୪ ପ୍ରତିଶତ ଏଥିପାଇଁ ସମର୍ଥ । ୫୦ ପ୍ରତିଶତ ପୁଅ ଓ ୩୦ ପ୍ରତିଶତ ଝିଅଙ୍କର ନିଜସ୍ୱ ଇ-ମେଲ ଆଇଡି ଅଛି ଓ ୯୦ ପ୍ରତିଶତରୁ ଅଧିକ ସାମାଜିକ ଗଣମାଧ୍ୟମ ସହ ସଂଶ୍ଳିଷ୍ଟ । ସ୍ମାର୍ଟ ଫୋନକୁ ବ୍ୟବହାର କରି ପ୍ରାୟ ଏକ ଚତୁର୍ଥାଂଶ ପିଲା ଅନଲାଇନରେ ଟଙ୍କା ପଇଠ, ଫର୍ମ ପୂରଣ, ଟିକେଟ କାଟିବା ଆଦି କରିପାରୁଛନ୍ତି ।
ଓଡ଼ିଶାର ଏକମାତ୍ର ସମ୍ୱଲପୁର ଜିଲ୍ଲାରେ ହୋଇଥିବା ଏହି ସର୍ଭେରେ ଫଳାଫଳ ବିଶେଷ ଭିନ୍ନ ନୁହେଁ । ଏଠାକାର ୬୦ଟି ଗାଁର ୧୦୮୯ଟି ପରିବାରର ୧୪ରୁ ୧୮ ବର୍ଷ ବୟସ ବର୍ଗର ୧୧୭୭ ଜଣ କିଶୋର କିଶୋରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ସର୍ଭେର ଫଳାଫଳକୁ ଅନୁଶୀଳନ କଲେ ଜଣାପଡ଼େ ଯେ ଏହି ବୟସ ବର୍ଗର ପ୍ରାୟ ୨୨ ପ୍ରତିଶତ ପିଲା କୌଣସି ସ୍କୁଲ ବା କଲେଜରେ ନାମ ଲେଖାଇନଥିଲେ । ସର୍ବଭାରତୀୟ ସ୍ତର ଅପେକ୍ଷା ସମ୍ୱଲପୁରରେ ଅଧିକ ୯ ପ୍ରତିଶତ ପିଲା ନାମ ନ ଲେଖାଇବା ଉଦବେଗର ବିଷୟ । ସେହିପରି ପ୍ରାୟ ୮୫ ପ୍ରତିଶତ ପିଲା କଳାରେ ଶିକ୍ଷାଲାଭ କରୁଥିଲା ବେଳେ ମାତ୍ର ୫ ପ୍ରତିଶତ ଧନ୍ଦାମୂଳକ ଶିକ୍ଷାଗ୍ରହଣ କରୁଛନ୍ତି । ସର୍ବଭାରତୀୟ ସ୍ତରରେ କଳା ଶିକ୍ଷା ଲାଭ କରୁଥିବା ଛାତ୍ରଙ୍କ ପ୍ରତିଶତ ମାତ୍ର ୫୬ । ଏହି ବୟସ ବର୍ଗର ପ୍ରାୟ ୨୨ ପ୍ରତିଶତ ପିଲା ଦ୍ୱିତୀୟ ଶ୍ରେଣୀର ପାଠ ପଢ଼ିପାରୁ ନାହାନ୍ତି । ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ୬୦ ପ୍ରତିଶତରୁ ଅଧିକ ପିଲା ହରଣ କରି ପାରୁନାହାନ୍ତି । ପ୍ରାୟ ୪୫ ପ୍ରତିଶତ ପିଲା ଇଂରେଜୀ ବାକ୍ୟ ପଢ଼ିପାରୁ ନାହାନ୍ତି । ଦୈନନ୍ଦିନ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଗଣନାରେ ପିଲାମାନେ କେତେ ପାରଙ୍ଗମ ତାହା ଜାଣିବାର ପ୍ରୟାସ କରାଯାଇଥିଲା । ଜଣାପଡ଼ିଲା ଯେ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ପିଲା ସମୟର ଗଣନା କରିପାରୁନାହାନ୍ତି ଓ ମାତ୍ର ୫୩ ପ୍ରତିଶତ ପିଲା ଓଜନକୁ ମିଶାଇ କହିପାରିଛନ୍ତି । ତେବେ ସହଜ ଦୈର୍ଘ୍ୟ ମାପିବାରେ ପ୍ରାୟ ୮୪ ପ୍ରତିଶତ କୃତକାର୍ୟ୍ୟ ହୋଇଥିବା ବେଳେ ସେହି ଦୈର୍ଘ୍ୟକୁ ଟିକେ କଠିନ ପଦ୍ଧତିରେ ମାପିବାକୁ କୁହାଗଲେ ମାତ୍ର ୩୮ ପ୍ରତିଶତ ତାହା କରିପାରୁଛନ୍ତି । ‘୩ଟି କ୍ଲୋରିନ ବଟିକାରେ ୧୫ ଲିଟର ପାଣି ପରିଷ୍କାର କରି ହେଲେ ୨୫ ଲିଟର ପାଣି ପରିଷ୍କାର କରିବାକୁ କେତୋଟି କ୍ଲୋରିନ ବଟିକା ଆବଶ୍ୟକ’ ଭଳି ମାନସାଙ୍କର ଉତ୍ତର ମାତ୍ର ୪୬ ପ୍ରତିଶତ ଦେଇପାରିଥିଲେ । ଓଆରଏସ ଖୋଳ ଉପରେ ଲେଖା ହୋଇଥିବା ନିର୍ଦ୍ଦେଶକୁ ପଢି, ବୁଝି ସେଥିରୁ ପଚରାଯାଇଥିବା ଚାରିଟି ପ୍ରଶ୍ନ ଭିତରୁ ଅନ୍ତତଃ ୩ଟିର ଉତ୍ତର ଦେଇପାରୁଥିବା ପିଲାଙ୍କ ପ୍ରତିଶତ ଥିଲା ମାତ୍ର ୬୦, ଯାହା ସର୍ବଭାରତୀୟ ସ୍ତରଠାରୁ ୫ ପ୍ରତିଶତ କମ । ମାତ୍ର ୫୧ ପ୍ରତିଶତ ପିଲା ବଜେଟଟିଏ ତିଆରି କରିପାରୁଥିବା ବେଳେ ମାତ୍ର ୩୬ ପ୍ରତିଶତ ରିହାତି ହିସାବ କରିପାରିଥିଲେ । ଉଦବେଗର ବିଷୟ ଯେ ମାତ୍ର ୧୦ ପ୍ରତିଶତ ପିଲା ଋଣ କିସ୍ତି ପରିମାଣ ହିସାବ କରିବାକୁ ସମର୍ଥ ହୋଇଥିଲେ । ପ୍ରାୟ ୯୦ ପ୍ରତିଶତ ପିଲା ସ୍ମାର୍ଟ ଫୋନ ବ୍ୟବହାର କରିପାରୁଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୯୪ ପ୍ରତିଶତ କୌଣସି ଗୋଟିଏ ସାମାଜିକ ଗଣମାଧ୍ୟମର ବ୍ୟବହାର କରୁଛନ୍ତି । ତେବେ ଫୋନରେ ପ୍ରାୟ ୬୪ ପ୍ରତିଶତ ଆଲାର୍ମ ଲଗାଇ ପାରୁଥିବା ବେଳେ ନେଟ୍ ରୁ ଖୋଜି ବାହାର କରିବାରେ ମାତ୍ର ୪୧ ପ୍ରତିଶତ ପାରଙ୍ଗମ । ୟୁ ଟ୍ୟୁବରୁ ଭିଡିଓ ଖୋଜି ବାହାର କରିବାରେ ପ୍ରାୟ ୮୦ ପ୍ରତିଶତଙ୍କ ପାରଦର୍ଶିତା ଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ ତାହା ଅନ୍ୟମାନଙ୍କ ପାଖକୁ ପଠାଇ ପାରୁଛନ୍ତି । ହେଲେ ଗୁଗଲ୍ ମ୍ୟାପକୁ ବ୍ୟବହାର କରିବା ସାମର୍ଥ୍ୟ ମାତ୍ର ୪୧ ପ୍ରତିଶତ ପିଲାଙ୍କ ନିକଟରେ ଅଛି । ଅର୍ଥାତ୍ ଆଗ୍ରହ ଥିଲେ ପିଲାମାନଙ୍କ ଡିଜିଟାଲ ଦକ୍ଷତା ଆଶାତୀତ ବୃଦ୍ଧି ପାଉଥିବା ବେଳେ ଦରକାରୀ ଅଥଚ ଆଗ୍ରହ ନଥିବା କ୍ଷେତ୍ରରେ ତାହା ବିକଶିତ ହୋଇପାରିନାହିଁ । ସର୍ଭେରେ ସମ୍ୱଲପୁର ଜିଲ୍ଲାର ଯେଉଁ ଫଳାଫଳ ଦେଖିବାକୁ ମିଳୁଛି, ହୁଏତ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଊଣା ଅଧିକେ ସମାନ ସ୍ଥିତି ଥାଇପାରେ । ବାସ୍ତବ ସ୍ଥିତି ଜାଣିବା ଲାଗି ତୁରନ୍ତ ଶିକ୍ଷା ବିଭାଗ ତରଫରୁ ଜିଲ୍ଲାୱାରି ଅନୁରୂପ ସର୍ଭେମାନ କରାଯିବାର ଆବଶ୍ୟକତା ଅନୁଭୁତ ହେଉଛି । ତାହାହେଲେ ଦୁର୍ବଳ କ୍ଷେତ୍ରଗୁଡ଼ିକୁ ତୁରନ୍ତ ଚିହ୍ନଟ କରି ସେଗୁଡ଼ିକୁ ଦୂର କରିବା ଲାଗି ଆଶୁ ପଦକ୍ଷେପ ଗ୍ରହଣ କରିହେବ ।
ଗତ ଦୁଇ ଦଶନ୍ଧି ପୂର୍ବରୁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ପିଲାଙ୍କ ‘ଶିକ୍ଷଣ ଅକ୍ଷମତା’ (ଲର୍ଣ୍ଣିଂ ଡିସଆବିଲିଟି – ଏଲଡି) ବିମର୍ଶର ବିଷୟ ହେଉନଥିବାରୁ ତା’ର କାରଣଗୁଡ଼ିକୁ ଅନୁଧ୍ୟାନ କରି ନିରାକରଣ ଲାଗି ପଦକ୍ଷେପ ଗ୍ରହଣ କରିବା ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉ ନଥିଲା । ଭାରତରେ ଶିକ୍ଷଣ ଅକ୍ଷମତାର ମାତ୍ରାକୁ ଜାଣିବା ପାଇଁ ସେଭଳି କୌଣସି ବିସ୍ତୃତ ଅଧ୍ୟୟନ ବା ସର୍ଭେ ହୋଇ ନଥିଲେ ବି ଏକ ଆକଳନ ଅନୁସାରେ ପ୍ରାୟ ୧୦ରୁ ୧୨ ପ୍ରତିଶତ, ଅର୍ଥାତ୍ ପ୍ରତିଟି ଶ୍ରେଣୀ ଗୃହରେ ଅନ୍ତତଃ ପକ୍ଷେ ୪ ଜଣ ଛାତ୍ରଛାତ୍ରୀ, ଶିକ୍ଷଣ ଅକ୍ଷମତାର ଶିକାର ହୋଇଥାନ୍ତି । ଶିକ୍ଷଣ ଅକ୍ଷମତା ବିଭିନ୍ନ ପ୍ରକାରର ହୋଇଥିଲେ ବି ସେଗୁଡ଼ିକ ମୁଖ୍ୟତଃ ତିନି ଶ୍ରେଣୀର- ପଠନ ଅକ୍ଷମତା (ଡିସଲେକ୍ସିଆ), ଲିଖିତ ଭାଷା ଅକ୍ଷମତା (ଡିସଗ୍ରାଫିଆ) ଓ ଗଣିତ ଅକ୍ଷମତା (ଡିସକାଲକୁଲିଆ) । ପିଲାଙ୍କଠାରେ ଥିବା ଅକ୍ଷମତା ଶୀଘ୍ର ଚିହ୍ନଟ ହେଲେ ତା’ର ଉପଚାର ସମ୍ଭବ ହୋଇଥାଏ । ଶିକ୍ଷକମାନଙ୍କୁ ଏ ସଂକ୍ରାନ୍ତରେ ଆବଶ୍ୟକ ତାଲିମ ପ୍ରଦାନ କରାଯାଇ ସଶକ୍ତ କରାଗଲେ ସେମାନେ ପିଲାଙ୍କ ଶିକ୍ଷଣ ଅକ୍ଷମତାକୁ ମୂଳରୁ ଚିହ୍ନଟ କରିବାକୁ ସକ୍ଷମ ହୁଅନ୍ତେ । ପିଲାଙ୍କଠାରେ ଡିସଲେକ୍ସିଆ ଚିହ୍ନଟ କରିବାରେ ସହାୟତା କରିବା ଲାଗି ଇତିମଧ୍ୟରେ ‘ନ୍ୟାସନାଲ ବ୍ରେନ ରିସର୍ଚ୍ଚ ସେଣ୍ଟର’ ଦ୍ୱାରା ‘ଡାଲି’ (ଡିସଲେକ୍ସିଆ ଆସେସମେଣ୍ଟ ଫର ଲାଙ୍ଗୁଏଜେସ ଇନ ଇଣ୍ଡିଆ) ନାମକ ଏକ ଉପକରଣ ବିକଶିତ ହୋଇଛି । ବେଳହୁଁ ପିଲାମାନଙ୍କ ଶିକ୍ଷଣ ଅକ୍ଷମତାକୁ ଚିହ୍ନଟ କରି ତା’ର ନିରାକରଣ କରା ନ ଗଲେ ତାହା ପରବର୍ତ୍ତୀ ସମୟରେ ଏକ ବୃହତ୍ ଶ୍ରମବଳର ଉତ୍ପାଦକ ଶକ୍ତି ହ୍ରାସର କାରଣ ପାଲଟି ଦେଶର ଅର୍ଥନୀତିକୁ କ୍ଷତି ପହଞ୍ଚାଇବ । ଅପୁଷ୍ଟି ଓ ଅପପୁଷ୍ଟି ମଧ୍ୟ ଅନେକାଂଶରେ ଶିକ୍ଷଣ ଅକ୍ଷମତାର କାରଣ ପାଲଟିଥାଏ । ଏକ ଅଧ୍ୟୟନ ଅନୁସାରେ କ୍ରମାଗତ ଭାବେ ଅପପୁଷ୍ଟିର ଶିକାର ହେଉଥିବା ପିଲାମାନେ ଭାଷା, କଳା, ଗଣିତ, ସାଧାରଣ ବିଜ୍ଞାନ, ସାମାଜିକ ବିଜ୍ଞାନ, ସ୍ୱାସ୍ଥ୍ୟ, ଧର୍ମ ଆଦି ବିଷୟଗୁଡ଼ିକରେ ଦୁର୍ବଳ ହେବାର ଆଶଙ୍କା ଅଧିକ ଥାଏ । ସମଗ୍ର ବିଶ୍ୱରେ ଅପପୁଷ୍ଟିର ଶିକାର ସମୁଦାୟ ଶିଶୁଙ୍କ ମଧ୍ୟରୁ ସର୍ବାଧିକ ଏକ ତୃତୀୟାଂଶ ଶିଶୁ ଭାରତରେ ଥିବାରୁ ତାହା ସେମାନଙ୍କ ଶିକ୍ଷଣ ଅକ୍ଷମତାରେ ପ୍ରତିଫଳିତ ହେବାର ଆଶଙ୍କାକୁ ବହୁଗୁଣିତ କରିବା ସ୍ୱାଭାବିକ । ଉତ୍କଟ ଦାରିଦ୍ର୍ୟର ଶିକାର ସଂଖ୍ୟାଧିକ ଲୋକଙ୍କ ପକ୍ଷରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଏକ ବିଳାସିତା ବୋଲି ମନେ ହୋଇପାରେ । ତେଣୁ ଅପୁଷ୍ଟି ଓ ଅପପୁଷ୍ଟି ସମସ୍ୟାର ହ୍ରାସ ଲାଗି ସରକାରଙ୍କ ତରଫରୁ ଅଗ୍ରାଧିକାର ଭିତ୍ତିରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । କୋଭିଡ଼୍ ସମୟରେ ସ୍କୁଲ କଲେଜକୁ ନ ଆସି ପିଲାମାନେ ଅନଲାଇନ୍ ମାଧ୍ୟମରେ ଶିକ୍ଷାଗ୍ରହଣ କରିଥିବାରୁ କେତେକ ପିଲାଙ୍କ ମଧ୍ୟରେ କିଛି ମାତ୍ରାରେ ଶିକ୍ଷଣ ଅକ୍ଷମତା (ଲର୍ଣ୍ଣିଂ ଗ୍ୟାପ୍) ଦେଖାଦେଇଛି, ଯାହା ସେମାନଙ୍କ ଆତ୍ମବିଶ୍ୱାସକୁ କମ କରିବା ସହ ଏ ଯାଏଁ ଭରଣା ହୋଇପାରିନାହିଁ । ଉଚିତ କାଉନସେଲିଂ ମାଧ୍ୟମରେ ତାହା ଚିହ୍ନଟ କରି ସେହି ସମସ୍ତ ଶିକ୍ଷଣ ଫାଙ୍କକୁ ଦୂର କରିବା ଲାଗି ବିହିତ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ।
ଉଭୟ ଦେଶ ଓ ରାଜ୍ୟରେ ଶିକ୍ଷା ଓ ଶିକ୍ଷଣର ସ୍ତର ଯେ ନିମ୍ନଗାମୀ ହୋଇଛି, ଉପରୋକ୍ତ ରିପୋର୍ଟରୁ ତାହାର ସୂଚନା ମିଳୁଛି । ଏବେ ମଧ୍ୟ ଭାରତ ଏକ ନିମ୍ନ–ମଧ୍ୟମ ଆୟକାରୀ ଦେଶ । ଏହାକୁ ଏକ ମଧ୍ୟମ ଆୟକାରୀ ଦେଶରେ ପରିଣତ କରିବାକୁ ହେଲେ ଶ୍ରମବଳକୁ ମଧ୍ୟମ ଓ ଉଚ୍ଚ ଆୟକାରୀ କାର୍ୟ୍ୟରେ ନିୟୋଜିତ କରିବାକୁ ପଡ଼ିବ, ଯେଉଁଥିପାଇଁ ମାନବ ସମ୍ୱଳର ଗୁଣାତ୍ମକ ବିକାଶ ଅପରିହାର୍ଯ୍ୟ । ଅଧିକାଂଶ ଲୋକଙ୍କର ଜ୍ଞାନ ଓ କୌଶଳର ଉପଯୁକ୍ତ ବିକାଶ ନହେଲେ ମାନବ ସମ୍ୱଳର ବିକାଶ ସମ୍ଭବ ନୁହେଁ । ଦେଶରେ ରାସ୍ତାଘାଟ ପୋଲ ଆଦିର ନିର୍ମାଣର ବେଗ ବୃଦ୍ଧିକୁ ଦର୍ଶାଇ ଭିତ୍ତିଭୂମିର ଦ୍ରୁତ ଅଭିବୃଦ୍ଧି ହେଉଛି ବୋଲି କହି କେହି କେହି ଗର୍ବ କରିଥାନ୍ତି । ଏଭଳି ଭିତ୍ତିଭୂମିର ବିକାଶର ଆବଶ୍ୟକତା ରହିଛି । ତେବେ ମାନବ ସମ୍ୱଳର ବିକାଶ ଲାଗି ହେଉଥିବା ବିନିଯୋଗରୁ ଦୀର୍ଘକାଳୀନ ଭାବେ ଅପେକ୍ଷାକୃତ ଅଧିକ ଲାଭ ମିଳୁଥିବାରୁ ସେଥିପ୍ରତି ଅଧିକ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । କିନ୍ତୁ ଯେ ପର୍ଯ୍ୟନ୍ତ ମାନବ ସମ୍ୱଳକୁ ଭିତ୍ତିଭୂମି ପର୍ଯ୍ୟାୟବାଚୀ ବୋଲି ଗ୍ରହଣ କରି ତା’ର ଦ୍ରୁତ ବିକାଶ ପ୍ରତି ଧ୍ୟାନ ଦିଆ ନଯାଇଛି ସେ ଯାଏଁ ଦେଶ ପ୍ରକୃତ ଅର୍ଥରେ ବିକଶିତ ବୋଲି ପରିଗଣିତ ହେବନାହିଁ ।
Published in Sambad on January 23, 2024
Comments
Post a Comment