ଦେଶର ଗ୍ରାମାଞ୍ଚଳରେ ୧୪ରୁ ୧୮ ବର୍ଷ ବୟସ ବର୍ଗର ପ୍ରାୟ ୨୫ ପ୍ରତିଶତ ଯୁବକ ଯୁବତୀ ଆଞ୍ଚଳିକ ଭାଷାରେ ଦ୍ୱିତୀୟ ଶ୍ରେଣୀର ପାଠକୁ ଠିକ୍ ରୂପେ ପଢ଼ି ପାରୁ ନଥିବା ବେଳେ ପ୍ରାୟ ୫୦ ପ୍ରତିଶତ ଇଂରେଜୀ ବାକ୍ୟ ପଢ଼ିପାରନ୍ତି ନାହିଁ । ଏକ ଅଣସରକାରୀ ସଂଗଠନ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏଭଳି ବିକଳ ଚିତ୍ରଟିଏ ସାମନାକୁ ଆସିବା ପରେ ଦେଶର ଗ୍ରାମାଞ୍ଚଳରେ ଶିକ୍ଷା ଓ ଶିକ୍ଷଣର ବାସ୍ତବ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ ପାଇବା ସ୍ୱାଭାବିକ । ଉଚିତ ଢଙ୍ଗରେ ମାନବ ସମ୍ୱଳର ବିକାଶ ନହେଲେ ଦେଶର ଅର୍ଥନୈତିକ ବିକାଶର ଲକ୍ଷ୍ୟ ଯେ ପୂରଣ ହେବା କଷ୍ଟକର ହେବ ତାହା ଅନସ୍ୱୀକାର୍ଯ୍ୟ । ତେଣୁ ରିପୋର୍ଟରେ ଶିକ୍ଷା ଓ ଶିକ୍ଷଣର ସ୍ଥିତିକୁ ଦର୍ଶାଇ ଆଉ ଯେଉଁ ସବୁ ବିନ୍ଦୁଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି ସେଗୁଡ଼ିକୁ ଜାଣିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେହି ଦୁର୍ବଳତାଗୁଡ଼ିକର ନିରାକରଣ ଲାଗି ସମୟବଦ୍ଧ ଭାବେ ଉଚିତ ପଦକ୍ଷେପ ଗ୍ରହଣ କରିବା ମଧ୍ୟ ତତୋଧିକ ମହତ୍ତ୍ୱପୂର୍ଣ୍ଣ । ‘ପ୍ରଥମ’ ନାମକ ଅଣସରକାରୀ ସଂଗଠନ ଦ୍ୱାରା ଗତ ଦୁଇ ଦଶନ୍ଧି ଧରି ଶିକ୍ଷାର ସ୍ଥିତିକୁ ନେଇ ଏକ ବାର୍ଷିକ ରିପୋର୍ଟ (ଆନୁଆଲ ଷ୍ଟାଟସ ଅଫ ଏଜୁକେସନ ରିପୋର୍ଟ - ଅସର) ପ୍ରସ୍ତୁତ ହୋଇଆସୁଛି । ସଦ୍ୟ ଉନ୍ମୋଚିତ ‘ଅସର ରିପୋର୍ଟ-୨୦୨୩’ ଦେଶର ୨୬ଟି ରାଜ୍ୟର ୨୮ଟି ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ୧୪-୧୮ ବର୍ଷ ବୟସ ବର୍ଗର ...