କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଜଳ ସମ୍ପଦ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ଏହିପରି ଚାରିଟି ବିଭାଗ ପାଇଁ ହେଉଥିବା ଆବଣ୍ଟନକୁ ମିଶାଇ ୨୦୧୩ରୁ ପ୍ରତି ବର୍ଷ ଏକ ସ୍ୱତନ୍ତ୍ର କୃଷି ବଜେଟ ପ୍ରସ୍ତୁତ ହୋଇଆସୁଛି । ଓଡିଶା ସରକାରଙ୍କ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ସ୍ୱତନ୍ତ୍ର କୃଷି ବଜେଟର ଆକାର ୨୧୧୧୬ କୋଟି ଟଙ୍କା, ଯାହା ସମଗ୍ର ବଜେଟ ରାଶି ୨ ଲକ୍ଷ କୋଟି ଟଙ୍କାର ୧୧ ପ୍ରତିଶତ । ପରିମାଣ ଦୃଷ୍ଟିରୁ ଗତ ବର୍ଷ ତୁଳନାରେ କୃଷି ବଜେଟରେ ପ୍ରାୟ ୨୧ ପ୍ରତିଶତ ବୃଦ୍ଧି ହୋଇଥିଲେ ବି ଏଥିରେ ଉଲ୍ଲେଖନୀୟ ନୂତନତା ପରିଲକ୍ଷିତ ନ ହେବା ଉଦବେଗର ବିଷୟ ।
ଏ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୬୪୪୬ କୋଟି ଟଙ୍କାର ଆବଣ୍ଟନ ହୋଇଛି, ଯାହା ସମଗ୍ର କୃଷି ବଜେଟର ପ୍ରାୟ ୩୧ ପ୍ରତିଶତ ଓ ଗତ ବର୍ଷ ଅପେକ୍ଷା ପ୍ରାୟ ୭୦୦ କୋଟି ଟଙ୍କା ଅଧିକ । ଏଥିରୁ ପ୍ରାୟ ୧୫ ପ୍ରତିଶତ ରାଶି ପ୍ରଶାସନିକ ବ୍ୟୟ ବାବଦରେ ଆବଣ୍ଟିତ ହୋଇଥିବା ବେଳେ ୧୮୭୪ କୋଟି ଟଙ୍କା ବା ପ୍ରାୟ ୨୯ ପ୍ରତିଶତ ‘କାଳିଆ’ କାର୍ୟ୍ୟକ୍ରମ ପାଇଁ ଉଦ୍ଦିଷ୍ଟ । ଅର୍ଥାତ୍, ବିଭାଗର ସମସ୍ତ କାର୍ୟ୍ୟକ୍ରମ ବ୍ୟୟ ପାଇଁ ଅବଶିଷ୍ଟ ମାତ୍ର ୩୭୭୯ କୋଟି ଟଙ୍କା ଉପଲବ୍ଧ । କୃଷି କ୍ଷେତ୍ରରେ ନୂଆ ନୂଆ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ଓ ଚାହିଦା ବଢୁଥିବା ବେଳେ ରାଜ୍ୟରେ କୃଷି ଯାନ୍ତ୍ରିକୀକରଣକୁ ଗତି ପ୍ରଦାନ କରାଯିବା ଆବଶ୍ୟକ । ହେଲେ ଏଥିପାଇଁ ଗତ ବଜେଟରେ ୨୫୦ କୋଟି ଟଙ୍କାର ପ୍ରାବଧାନ ଥିଲା ବେଳେ ଏ ବର୍ଷ ତାହା ସାମାନ୍ୟ ବୃଦ୍ଧି ପାଇ ୨୬୦ କୋଟି ଟଙ୍କା ହେବା ଉତ୍ସାହଜନକ ହୋଇ ନ ପାରେ । ସେହିପରି କୃଷି ଯାନ୍ତ୍ରିକୀକରଣ ସବ-ମିଶନରେ ଆବଣ୍ଟନ ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ୧୮୦ କୋଟି ଟଙ୍କାରେ ଅପରିବର୍ତ୍ତିତ ରହିଛି । ୨୦୧୮ରୁ ସମଗ୍ର ଦେଶରେ ଆରମ୍ଭ ହୋଇଥିବା ‘କୃଷି ଉଦ୍ୟମୀ ପ୍ରୋତ୍ସାହନ ଯୋଜନା’ରେ ରାଜ୍ୟରେ ୧୦୦୦ ନୂତନ କୃଷି ଉଦ୍ୟମୀ ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି । ଏଥିପାଇଁ ଗତ ବର୍ଷ ବଜେଟରେ ନୂଆ କରି ପ୍ରାୟ ୧୦ କୋଟି ଟଙ୍କାର ପାଣ୍ଠି ବରାଦ କରା ଯାଇଥିବା ବେଳେ ଏ ଥର ତାକୁ ପ୍ରାୟ ୬ କୋଟି ଟଙ୍କାକୁ ହ୍ରାସ କରାଯାଇଛି । ଏଥିରୁ ଇଙ୍ଗିତ ମିଳେ ଯେ ରାଜ୍ୟରେ ଆଉ ଏକ ଯୋଜନାର ସଫଳ ରୂପାୟନ ସମ୍ଭବପର ହେବନାହିଁ । କୃଷକମାନଙ୍କ ଆୟ ବଢାଇବାକୁ ହେଲେ ସେମାନଙ୍କୁ ଏଫପିଓ ମାଧ୍ୟମରେ ସଂଗଠିତ କରାଇ ସେଗୁଡିକୁ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଗତ ୨ ବର୍ଷ ଧରି ଏଫପିଓଗୁଡିକୁ ସହାୟତା ପାଇଁ ବଜେଟରେ ୬୦ କୋଟି ଟଙ୍କା ଲେଖାଏଁ ଆବଣ୍ଟିତ ହୋଇ ଆସୁଥିବା ବେଳେ ଏଥର ତାହା ୨୫ କୋଟି ଟଙ୍କାକୁ ହ୍ରାସ ହେବା ପରିତାପର ବିଷୟ । ମିଳିତ ଜାତିସଂଘ ଦ୍ୱାରା ୨୦୨୩କୁ ‘ଆନ୍ତର୍ଜାତୀୟ ମିଲେଟ ବର୍ଷ’ ଭାବରେ ପାଳନ କରାଯାଉଥିବା ବେଳେ ଓଡିଶାର ୧୫ଟି ଜିଲ୍ଲାର ୮୫ଟି ବ୍ଲକରେ ‘ଓଡିଶା ମିଲେଟ ମିଶନ’ ୫ ବର୍ଷ ଧରି ସଫଳତାର ସହ କାମ କରୁଥିବାରୁ ମାଣ୍ଡିଆ ଆଦି ଫସଲର ଚାଷୀଙ୍କ ପାଇଁ ଏହା ନୂତନ ସୁଯୋଗ ସୃଷ୍ଟି କରିପାରେ । ଏଥିପାଇଁ ବଜେଟ ଆବଣ୍ଟନକୁ ଗତ ବର୍ଷର ୧୧୦ କୋଟି ଟଙ୍କାର ତିନି ଗୁଣରୁ ଅଧିକ ବଢାଇ ୩୬୨ କୋଟି ଟଙ୍କା କରାଯିବା ନିଶ୍ଚିତ ଭାବେ ଉତ୍ସାହବର୍ଦ୍ଧକ । ତେବେ ଏହି କାର୍ୟ୍ୟକ୍ରମକୁ ଅଧିକ ଅଞ୍ଚଳକୁ ସମ୍ପ୍ରସାରିତ କରାଯିବା ଆବଶ୍ୟକ । ‘କୃଷି ନୀତି ଅନ୍ତର୍ଗତ ପୁଞ୍ଜି ସବସିଡି’ ବାବଦ ବ୍ୟୟ ବରାଦ ଗତ ୨ ବର୍ଷ ଧରି ୧୦୦ କୋଟି ଟଙ୍କା ରହିବା ପରେ ଏ ବର୍ଷ ତାକୁ ୮୦ କୋଟି ଟଙ୍କାକୁ ହ୍ରାସ କରାଯିବା ହତାଶାଜନକ । କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜି ନିର୍ମାଣରେ ଆଶାନୁରୂପ ବୃଦ୍ଧି ନ ହେଲେ ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି ପାଇବା ସମ୍ଭବ ହେବନାହିଁ । ତେଣୁ ସବସିଡି ରାଶିର ପରିମାଣ ହ୍ରାସ ପାଇଲେ ତାର ପ୍ରତିକୂଳ ପ୍ରଭାବ ବ୍ୟାଙ୍କମାନଙ୍କ ଦ୍ୱାରା ଋଣ ପ୍ରଦାନରେ ପରିଲକ୍ଷିତ ହୋଇପାରେ । ରାଜ୍ୟରେ ଅଧିକାଂଶ ଅଞ୍ଚଳ ବୃଷ୍ଟି ନିର୍ଭର ହୋଇଥିଲେ ବି ବୃଷ୍ଟି ନିର୍ଭର ଫସଲ ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ଅନୁଭୂତ ହେଉନାହିଁ । ‘ବୃଷ୍ଟି ନିର୍ଭର ଅଞ୍ଚଳର ଉନ୍ନତିକରଣ ଓ ଜଳବାୟୁ ପରିବର୍ତ୍ତନ’ ପାଇଁ ଗତ ବର୍ଷ ଆବଣ୍ଟିତ ହୋଇଥିବା ମାତ୍ର ୩୦ କୋଟି ଟଙ୍କାକୁ ସାମାନ୍ୟ ବଢାଇ ଏ ବର୍ଷ ୩୫ କୋଟି ଟଙ୍କା କରାଯାଇଛି । ଏଥର ବଜେଟରେ ଯେଉଁ ନୂଆ ଦିଗଗୁଡିକ ପ୍ରତି ଧ୍ୟାନ ଦିଆଯାଇଛି ସେଥିରେ ଅମଳ ପରବର୍ତ୍ତୀ ପରିଚାଳନା ଓ ବିପଣନ ପାଇଁ ୫୫ କୋଟି ଟଙ୍କା, କୃଷିର ଡିଜିଟାଇଜେସନ ପାଇଁ ୧୦ କୋଟି ଟଙ୍କା, କୃଷିରେ ମହିଳା ସଶକ୍ତିକରଣ ପାଇଁ ୧୦୦ କୋଟି ଟଙ୍କା, ଖାଦ୍ୟ ଓ ପୁଷ୍ଟିର ସୁରକ୍ଷା ପାଇଁ ଅଭିନବ ଜଙ୍ଗଲ କୃଷି ବାବଦକୁ ୧୦ କୋଟି ଟଙ୍କା, ଜୀବିକା ପାଇଁ କଫିଚାଷ ବାବଦକୁ ୧୦ କୋଟି ଟଙ୍କା ଆଦି ଅନ୍ତର୍ଭୁକ୍ତ ।
ଏ ବର୍ଷ ସମବାୟ ବିଭାଗ ପାଇଁ ୧୯୪୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ଯାହା ସମଗ୍ର କୃଷି ବଜେଟର ପ୍ରାୟ ୯ ପ୍ରତିଶତ । ଏଥି ମଧ୍ୟରୁ ୬୦୦ କୋଟି ଟଙ୍କା କେବଳ ଫସଲ ବୀମାର ପ୍ରିମିୟମ ବାବଦକୁ ବରାଦ କରାଯାଇଛି, ଯାହା ଗତ ବର୍ଷ ୫୦୦ କୋଟି ଟଙ୍କା ଥିଲା । ଫସଲ ଋଣରେ ସୁଧ ରିହାତି ବାବଦକୁ ଏଥର ୭୮୭ କୋଟି ଟଙ୍କାର ପ୍ରାବଧାନ ହୋଇଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୧୧୨ କୋଟି ଟଙ୍କା ଅଧିକ । ରାଜ୍ୟର ଅଧିକାଂଶ ଭାଗଚାଷୀ ବ୍ୟାଙ୍କ ଋଣ ପାଇ ପାରୁ ନଥିବାରୁ ସେମାନେ ଉଭୟ ସୁଧ ରିହାତି ଓ ଫସଲ ବୀମା ସୁବିଧାର ଲାଭାର୍ଥୀ ହୋଇପାରୁ ନାହାନ୍ତି । ଅନ୍ୟ ପକ୍ଷରେ ଚାଷ କରୁ ନଥିବା କିଛି ଜମିମାଲିକ ଏହି ଉଭୟ ସୁବିଧାର ଲାଭାର୍ଥୀ ହେଉଥିବା ପରିଲକ୍ଷିତ ହେଉଛି । ତେଣୁ ଫସଲ ଋଣ ରିହାତି ଓ ଫସଲବୀମା ସୁବିଧା ଦୁଇଟିର ତର୍ଜମା କରି ଚାଷ କରୁ ନ ଥିବା ଜମି ମାଲିକଙ୍କୁ ବାଦ ଦେବା ସହ ଭାଗଚାଷୀମାନେ କିପରି ଅଧିକ ସଂଖ୍ୟାରେ ଏହି ସୁବିଧା ଦୁଇଟିର ଲାଭାର୍ଥୀ ହୋଇପାରିବେ ସେଥି ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ । ଅଣ ଧାନ ଫସଲଗୁଡିକର ସଂଗ୍ରହକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସମବାୟ ବାଣିଜ୍ୟିକ ଫେଡରେସନ (ଓଏସସିଏମଏଫ)ର ଏକ କର୍ପସ ପାଣ୍ଠିକୁ ୧୦୦ କୋଟି ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କଥା ବଜେଟରେ ଉଲ୍ଲେଖ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ପ୍ରତି ବର୍ଷ ଅଣଧାନ ଫସଲଗୁଡିକର ସର୍ବନିମ୍ନ ସହାୟକ ଦର ବୃଦ୍ଧି ପାଇ ଚାଲିଥିଲେ ବି ବର୍ଷ ବର୍ଷ ଧରି ଓଏସସିଏମଏଫର କର୍ପସ ପାଣ୍ଠି ସେହି ୯୦ରୁ ୧୦୦ କୋଟି ଟଙ୍କା ମଧ୍ୟରେ ସୀମିତ ରହିଆସିଛି । ଚାଷୀଙ୍କୁ ଅଣଧାନ ଫସଲ ପ୍ରତି ଆକୃଷ୍ଟ କରିବାକୁ ହେଲେ ଏହାର ସଂଗ୍ରହକୁ ବ୍ୟାପକ କରିବାକୁ ହେବ । ସେଥିପାଇଁ ଏହି କର୍ପସ ପାଣ୍ଠିର ଆକାରକୁ ଯଥେଷ୍ଟ ବଢାଇବାର ଆବଶ୍ୟକତା ରହିଛି । କୃଷି କ୍ଷେତ୍ରକୁ ଗତିଶୀଳ କରିବା ପାଇଁ ସମବାୟ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ବି ବଜେଟରେ ବିଭାଗର କୌଣସି ନୂଆ ଯୋଜନା ବା କାର୍ୟ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ ନାହିଁ ।
ଏ ବର୍ଷ ବଜେଟରେ ଜଳ ସମ୍ପଦ ବିଭାଗ ପାଇଁ ୧୦୦୫୦ କୋଟି ଟଙ୍କା ଆବଣ୍ଟିତ ହୋଇଛି ଯାହା ଗତ ବର୍ଷ ତୁଳନାରେ ୧୭୭୯ କୋଟି ଟଙ୍କା ଅଧିକ । ୨୦୨୨-୨୩ରେ ଅତିରିକ୍ତ ୨.୮୦ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଧାର୍ୟ୍ୟ ହୋଇଛି । ତେବେ ଗତ ବର୍ଷ ଧାର୍ୟ୍ୟ ହୋଇଥିବା ଅତିରିକ୍ତ ୨.୭୪ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ କେତେ ମାତ୍ରାରେ ପୂରଣ ହୋଇଛି ତାହା ମଧ୍ୟ ଜନସାଧାରଣ ଜାଣିବାର ଆବଶ୍ୟକତା ରହିଛି । ରାଜ୍ୟର ମୁଖ୍ୟ ନଦୀଗୁଡିକ ଉପରେ ଆଗାମୀ ୫ ବର୍ଷ ମଧ୍ୟରେ ୧୨୦୦୦ କୋଟି ଟଙ୍କା ବ୍ୟୟରେ ଇନ-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ପାଇଁ ଏକ ଦୀର୍ଘ ମିଆଦି କାର୍ୟ୍ୟକ୍ରମ ପ୍ରସ୍ତୁତ ହେବା ବିଷୟ ୨୦୨୦-୨୧ ବଜେଟରେ ଘୋଷଣା ହୋଇଥିଲେ ବି ସେଥିରେ ଉଲ୍ଲେଖନୀୟ ଅଗ୍ରଗତି ହୋଇ ପାରିନାହିଁ । ସେଥିପାଇଁ ଗତ ବର୍ଷ ବଜେଟରେ ମାତ୍ର ୭୯୫ କୋଟି ଟଙ୍କା ଓ ଚଳିତ ବର୍ଷ ମାତ୍ର ୫୮୮ କୋଟି ଟଙ୍କା ବରାଦ ହେବା ଯୋଗୁଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ ହେବା ନେଇ ସନ୍ଦେହ ଉପୁଜିବା ସ୍ୱାଭାବିକ । ପାର୍ବତୀ ଗିରି ମେଗା ଲିଫ୍ଟ ପ୍ରକଳ୍ପରେ ଗତ ବର୍ଷ ୮୨୦ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ବେଳେ ଏ ବର୍ଷ ତାହା ପ୍ରାୟ ଅଧା କମ ହୋଇ ୪୩୫ କୋଟି ଟଙ୍କାରେ ପହଞ୍ଚିଛି । ତେବେ ‘ତ୍ୱରିତ ଜଳସେଚନ ସୁବିଧା ଯୋଜନା’ (ଏଆଇବିପି) ପାଇଁ ଆବଣ୍ଟନ ପ୍ରାୟ ୩୬୪ କୋଟି ଟଙ୍କା ବୃଦ୍ଧି ପାଇ ୨୦୨୨ କୋଟି ଟଙ୍କା ହେବା ଉତ୍ସାହଜନକ । ଜଳସମ୍ପଦ ବିଭାଗ ଅଧୀନରେ ଅନେକ ଯୋଜନା କାର୍ୟ୍ୟ କରୁଥିବାରୁ ବର୍ଷ ଶେଷରେ କେଉଁ ଯୋଜନାରେ କେଉଁ ଅଞ୍ଚଳର କେଉଁ କେଉଁ ଅତିରିକ୍ତ ଚାଷଜମିକୁ ଜଳସେଚନ ଯୋଗାଇ ଦିଆଗଲା, ତାହା ସର୍ବସାଧାରଣଙ୍କୁ ସୂଚାଇବାର ବିଧି ପ୍ରଚଳିତ ହେବା ଆବଶ୍ୟକ ।
ଚଳିତ ବର୍ଷ ବଜେଟରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପାଇଁ ୧୬୫୭ କୋଟି ଟଙ୍କା ଆବଣ୍ଟିତ ହୋଇଛି ଯାହା ଗତ ବର୍ଷ ତୁଳନାରେ ୨୪୨ କୋଟି ଟଙ୍କା ଅଧିକ ହୋଇଥିଲେ ବି ପୂର୍ବ ବର୍ଷ ପରି ଏହା ସମଗ୍ର କୃଷି ବଜେଟର ୮ ପ୍ରତିଶତରେ ସୀମିତ ରହିଛି । ବଜେଟରେ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଅଧୀନରେ ୧୭୭ କୋଟି ଟଙ୍କା ଆବଣ୍ଟିତ ହୋଇଛି । ବିଭାଗ ତରଫରୁ ଏହି ଯୋଜନା ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ସମ୍ଭାବ୍ୟ ଉଦ୍ୟୋଗୀଙ୍କ ମଧ୍ୟରେ ତୁରନ୍ତ ସଚେତନତା ବୃଦ୍ଧି ପାଇଁ ପ୍ରୟାସକୁ ବ୍ୟାପକ କରାଗଲେ ତାହା ଉତ୍ପାଦନ ବୃଦ୍ଧି ସହ ଗାଁ ଗଣ୍ଡାରେ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହୁଅନ୍ତା । ବିଭାଗ ତରଫରୁ ମତ୍ସ୍ୟ ଓ ପଶୁସମ୍ପଦ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇ ବଜେଟରେ ମତ୍ସ୍ୟ ଓ ମତ୍ସ୍ୟ ପାଳନ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଏଫଆଇଡିଏଫ)ରେ ୨୫ କୋଟି ଟଙ୍କା, ପଶୁସମ୍ପଦ ଓ ପ୍ରାଣୀ ବିଜ୍ଞାନ ସେବା ନିମିତ୍ତ ଭିତ୍ତିଭୂମି ସହାୟତା ପାଇଁ ୧୪୪ କୋଟି ଟଙ୍କା, ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଆରଆଇଡିଏଫ)ରେ ୪୩ କୋଟି ଟଙ୍କା ଆବଣ୍ଟିତ ହେବା ସ୍ୱାଗତଯୋଗ୍ୟ ।
ରାଜ୍ୟର ୫ ଲକ୍ଷ ଭାଗଚାଷୀଙ୍କୁ ୧ ଲକ୍ଷ ଜେଏଲଜି ଜରିଆରେ ବ୍ୟାଙ୍କ ଋଣ ସହ ସଂଯୁକ୍ତ କରାଯିବା ଲକ୍ଷ୍ୟରେ ନାବାର୍ଡ ସହଯୋଗରେ ‘ବଳରାମ’ ଯୋଜନା ଆରମ୍ଭ ହୋଇଥିବା କଥା ଅର୍ଥମନ୍ତ୍ରୀ ଉଲ୍ଲେଖ କରିଥିଲେ ମଧ୍ୟ ବାସ୍ତବରେ ଏହି ଯୋଜନା ପ୍ରାୟ ୨ ବର୍ଷ ଧରି କାର୍ୟ୍ୟ କରି ଆସୁଛି ଓ ସେଥିରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହେଉନାହିଁ । ଏପରି ସମୟରେ ରାଜ୍ୟରେ ଭାଗଚାଷର ବୈଧତାକୁ ନେଇ ବିଧାନସଭାରେ ଉଠିଥିବା ପ୍ରଶ୍ନର ଉତ୍ତର ଅସମାହିତ ଥିବାରୁ ତାହାର ପ୍ରତିକୂଳ ପ୍ରଭାବ ‘ବଳରାମ’ ଯୋଜନାର କ୍ରିୟାନ୍ୱୟନ ଉପରେ ପଡି ବ୍ୟାଙ୍କଗୁଡିକ ଜେଏଲଜିଗୁଡିକୁ ଋଣ ଦେବାରେ ଆଗ୍ରହ ପ୍ରଦର୍ଶନ କରି ନପାରନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଅନ୍ତର୍ଗତ ତୈଳବୀଜ ଚାଷ ପାଇଁ ବଜେଟରେ ପ୍ରାୟ ୩୮ କୋଟି ଟଙ୍କାର ପ୍ରାବଧାନ ହୋଇଥିବାରୁ ବିଭାଗ ତରଫରୁ ଚାଷୀମାନଙ୍କୁ ସେଥିପ୍ରତି ପ୍ରୋତ୍ସାହିତ କରାଯିବା ଆବଶ୍ୟକ ।
ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୦ରେ ପ୍ରଣୀତ ‘ସମୃଦ୍ଧି-କୃଷି ନୀତି’ ଅନୁଯାୟୀ ଫସଲ ପରିବର୍ତ୍ତନ, ବଜାର ସହ ସଂଯୋଗୀକରଣ ଏବଂ ବୈଷୟିକ ଜ୍ଞାନକୌଶଳର ଉପଯୋଗକୁ ଆଧାର କରି କୃଷକଙ୍କ ଆୟ ବୃଦ୍ଧି ପାଇଁ ପ୍ରୟାସ କରାଯିବାର ଳକ୍ଷ୍ୟ ରହିଛି । ଏ ଥର ବଜେଟରେ ଫସଲ ପରିବର୍ତ୍ତନ କାର୍ୟ୍ୟକ୍ରମ ପାଇଁ ନୂଆ କରି ୧୦୬ କୋଟି ଟଙ୍କାର ଆବଣ୍ଟନ ହେବା ସ୍ୱାଗତଯୋଗ୍ୟ । ତେବେ ଚାଷୀକୁ ଉନ୍ନତ ବଜାର ବ୍ୟବସ୍ଥା ଉପଲବ୍ଧ କରାଇବା ଓ ଯାନ୍ତ୍ରିକୀକରଣ ଓ ଅନ୍ୟାନ୍ୟ ବାଟରେ ତା ନିକଟରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ପହଞ୍ଚାଇବା ପାଇଁ ବଜେଟରେ ନିର୍ଦ୍ଦିଷ୍ଟ ଭାବେ ନୂତନ କାର୍ୟ୍ୟକ୍ରମର ଅବତାରଣା ହୋଇନାହିଁ । ପୂର୍ବ ବର୍ଷମାନଙ୍କ ଭଳି ଗତାନୁଗତିକ ଭାବେ କୃଷି ବଜେଟଟି ପ୍ରସ୍ତୁତ ହୋଇଥିବାରୁ ସମୃଦ୍ଧି- କୃଷି ନୀତିରେ ସନ୍ନିବେଶିତ ଉପରୋକ୍ତ ଲକ୍ଷ୍ୟକୁ ଆଗେଇ ନେବାରେ ଏଥରର ବଜେଟ ହୁଏତ ବିଶେଷ ସହାୟକ ହୋଇ ନପାରେ ।
Published in Sambad on July12, 2022
Comments
Post a Comment