ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଲଗାତାର ହ୍ରାସ ପାଇ ଜୁଲାଇ ୧୯, ୨୦୨୨ରେ ୮୦ ଟଙ୍କା ଛୁଇଁବା ଦେଶର ଅର୍ଥନୀତି ପାଇଁ ଚିନ୍ତାର କାରଣ ପାଲଟିଛି । ଟଙ୍କାର ଦୁର୍ବଳତାକୁ ସ୍ୱୀକାର କରି ବୈଶ୍ୱିକ କାରଣଗୁଡିକ ଏଥିପାଇଁ ଦାୟୀ ବୋଲି ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ପ୍ରକାଶ କରିଥିଲେ ବି ଟଙ୍କା ଲଗାତାର ଦୁର୍ବଳ ହେବାର ପ୍ରକୃତ କାରଣଗୁଡିକୁ ବିଶ୍ଳେଷଣ କରାଯାଇପାରେ । ଟଙ୍କା ସମେତ ଯେ କୌଣସି ଦେଶର ମୁଦ୍ରାର ମୂଲ୍ୟ ତାର ଚାହିଦା ଉପରେ ନିର୍ଭର କରିଥାଏ । ଚାହିଦା ଅଧିକ ଥିଲେ ମୁଦ୍ରାର ମୂଲ୍ୟ ବୃଦ୍ଧି ପାଇ ତାହା ସୁଦୃଢ ହୋଇଥାଏ, ଚାହିଦା କମ ହେଲେ ମୂଲ୍ୟ ହ୍ରାସ ପାଇ ତାହା ଦୁର୍ବଳ ହୋଇଥାଏ । ବିଦେଶୀ ନିବେଶକମାନେ ଭାରତୀୟ ବଜାରରେ ପୁଞ୍ଜି ନିବେଶ କଲେ ଦେଶକୁ ଡଲାର ସମେତ ଅନ୍ୟ ବୈଦେଶିକ ମୁଦ୍ରା ଆସିବା ଦ୍ୱାରା ଟଙ୍କା ସୁଦୃଢ ହୋଇଥାଏ । ଅନୁରୂପ ଭାବେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ମାନେ ଦେଶରୁ ପୁଞ୍ଜି ପ୍ରତ୍ୟାହାର କଲେ ଡଲାରର ଚାହିଦା ବୃଦ୍ଧି ପାଇ ଟଙ୍କାର ଚାହିଦା କମ ହୋଇଥାଏ । ଆମେରିକାରେ ଫେଡେରାଲ ରିଜର୍ଭ ବ୍ୟାଙ୍କ ଫେଡ ରେଟ (ଭାରତରେ ରେପୋ ରେଟ ଭଳି ସୁଧ ହାର) ବଢାଇବା ଓ ରୁଷିଆ-ୟୁକ୍ରେନ ଯୁଦ୍ଧ ଦୀର୍ଘ ଦିନ ଧରି ଲାଗି ରହିବା ଯୋଗୁଁ ଏଫପିଆଇମାନେ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରି ନେଉଛନ୍ତି । ଉପଲବ୍ଧ ତଥ୍ୟ ଅନୁଯାୟୀ ଜାନୁଆରୀରୁ ଜୁନ ୨୦୨୨ ମଧ୍ୟରେ ସେମାନେ ଅଂଶଧନ (ଇକ୍ୱୁଇଟି) ଓ ଋଣ (...