Skip to main content

ପୁଣି ଏକ ବୃହତ୍ ବ୍ୟାଙ୍କ ଠକେଇ

ଦେଶର ପାଞ୍ଚଟି ରାଜ୍ୟରେ ହେଉଥିବା ନିର୍ବାଚନୀ କୋଳାହଳ ମଧ୍ୟରେ ସାଧାରଣ ଜନତାଙ୍କ ନଜରରୁ ବିଚଳିତ କଲା ଭଳି ଏକ ଖବର ପ୍ରାୟ ଲୁଚିଯାଇଛି, ଯାହା ହେଲା ସଦ୍ୟ ଉନ୍ମୋଚିତ ହୋଇଥିବା ଦେଶର ବୃହତ୍ତମ ବ୍ୟାଙ୍କ ଠକେଇ । ଅଠେଇଶଟି ସରକାରୀ ଓ ଘରୋଇ ବ୍ୟାଙ୍କର ଏକ ସହାୟତା-ସଂଘ (କନସୋର୍ଟିଅମ)କୁ ଗୁଜରାଟସ୍ଥିତ ଏବିଜି ସିପୟାର୍ଡ କମ୍ପାନୀ ଓ ତାହାର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରିଷି କମଲେଶ ଅଗ୍ରୱାଲ ୨୨୮୪୨ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ସିବିଆଇ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି । ଦେଶରେ ନିୟମିତ ଅନ୍ତରାଳରେ ବଡ ବଡ ବ୍ୟାଙ୍କ ଠକେଇମାନ ସଂଘଟିତ ହେବା ଉଦବେଗଜନକ କାରଣ ଦେଶର ବିତ୍ତୀୟ ବ୍ୟବସ୍ଥା ଉପରେ ଏହାର ଦୀର୍ଘ ମିଆଦି କୁପ୍ରଭାବ ପଡିଥାଏ ।

ଅଗ୍ରୱାଲଙ୍କ ଦ୍ୱାରା ୧୯୮୫ରେ ଗୁଜରାଟର ଦହେଶ ଓ ସୁରାଟରେ 'ଏବିଜି ସିପୟାର୍ଡସ' କମ୍ପାନୀ ସ୍ଥାପିତ ହୋଇଥିଲା । ଏହି କମ୍ପାନୀ ଜାହାଜ ତିଆରି ଓ ଜାହାଜ ମରାମତି କାର୍ୟ୍ୟରେ ନିୟୋଜିତ ହୋଇ ୧୬ ବର୍ଷ ମଧ୍ୟରେ ୧୬୫ଟି ଜାହାଜ ନିର୍ମାଣ କରିଥିଲା ଓ ସେଥିରୁ କିଛି ବିଦେଶରେ ବିକ୍ରି କରିଥିଲା ମଧ୍ୟ । ଏଥିପାଇଁ ଆଇସିଆଇସିଆଇ ବ୍ୟାଙ୍କ ସମେତ ୨୮ଟି ସରକାରୀ ଓ ଘରୋଇ ବ୍ୟାଙ୍କ ଏବଂ ଏଲଆଇସି ତାକୁ ଋଣ ପ୍ରଦାନ କରିଥିଲେ । ୨୦୦୮ରେ ବିଶ୍ୱ ଅର୍ଥ ସଙ୍କଟ ସମୟରେ କମ୍ପାନୀର କାର୍ୟ୍ୟକାରୀ ପୁଞ୍ଜିର ଅଭାବ ଦେଖା ଦେଇ ଆର୍ଥିକ ସମସ୍ୟା ଉତ୍କଟ ହେବାକୁ ଲାଗିଲା । ଏହା ସତ୍ତ୍ୱେ ୨୦୦୫ରୁ ୨୦୧୦ ମଧ୍ୟରେ ବ୍ୟାଙ୍କଗୁଡିକ କମ୍ପାନୀକୁ ଉଦାରତାପୂର୍ବକ ଋଣ ପ୍ରଦାନ କରି ଚାଲିଲେ । ଶେଷରେ ୨୦୧୩ର ବର୍ଷ ଶେଷ ବେଳକୁ କମ୍ପାନୀର ଋଣ ଅନାଦାୟ ଶ୍ରେଣୀଭୁକ୍ତ (ଏନପିଏ) ହୋଇଗଲା । ତେବେ ୨୦୧୪ରେ କର୍ପୋରେଟ ଋଣ ପୁନର୍ଗଠନ (ସିଡିଆର) ବ୍ୟବସ୍ଥା ଅନୁଯାୟୀ ଷ୍ଟେଟ ବ୍ୟାଙ୍କ ଦ୍ୱାରା କମ୍ପାନୀ ଋଣର ପୁନର୍ବିନ୍ୟାସ ପାଇଁ ଉଦ୍ୟମ କରାଗଲା । ହେଲେ କମ୍ପାନୀ ନିର୍ଦ୍ଧାରିତ କିସ୍ତି ଓ ସୁଧ ଠିକ ସମୟରେ ପଇଠ କରିବାକୁ ଅସମର୍ଥ ହେବାରୁ ଋଣ ପୁନର୍ଗଠନ ପ୍ରୟାସ ବିଫଳ ହେଲା । ୨୦୧୮ରେ ଠକେଇ ସମ୍ପର୍କରେ ଆଭାସ ମିଳିଲା ପରେ ‘ଆର୍ନଷ୍ଟ ଆଣ୍ଡ ୟଙ୍ଗ’ ସଂସ୍ଥାକୁ ଫରେନସିକ ଅଡିଟ କରିବା ପାଇଁ  ଦାୟିତ୍ୱ ନ୍ୟସ୍ତ କରାଗଲା, ଯିଏ ଜାନୁଆରୀ, ୨୦୧୯ରେ ରିପୋର୍ଟ ପ୍ରଦାନ କଲେ । କମ୍ପାନୀ ୨୦୧୨ରୁ ୨୦୧୭ ମଧ୍ୟରେ ବେଆଇନ ଭାବେ ବିପୁଳ ପରିମାଣର ଅର୍ଥ ଅପସାରଣ ଓ ଆତ୍ମସାତ କରିଥିବାର ଅଡିଟ ରିପୋର୍ଟରୁ ପ୍ରମାଣ ମିଳିଲା । ଏହା ପରେ କମ୍ପାନୀ ଦ୍ୱାରା ଏକ ବଡ ଧରଣର ବ୍ୟାଙ୍କ ଠକେଇ ସଂଘଟିତ ହୋଇଥିବା ସ୍ପଷ୍ଟ ହୋଇଗଲା । ବ୍ୟାଙ୍କ ଓ ଏଲଆଇସିରୁ ମିଳିଥିବା ଋଣ ରାଶିକୁ କମ୍ପାନୀ ତା’ର ୯୮ଟି ସହଯୋଗୀ କମ୍ପାନୀ ଜରିଆରେ ଅପସାରଣ କରିବାକୁ ସମର୍ଥ ହୋଇଥିଲା । ଏହି କମ୍ପାନୀଗୁଡିକ ମଧ୍ୟରୁ ଅଧିକାଂଶ  ନାମକୁ ମାତ୍ର ଅର୍ଥାତ୍ ସେଲ୍ କମ୍ପାନୀ ଥିଲେ । ଏହି ସହଯୋଗୀ କମ୍ପାନୀଗୁଡିକ ଜରିଆରେ କମ୍ପାନୀ ବିଦେଶରେ ସମ୍ପତ୍ତି ଆହରଣ କରିବା ସହ ବିଦେଶୀ କମ୍ପାନୀର ଅଂଶଧନରେ ବିନିଯୋଗ କରିବାକୁ ସମର୍ଥ ହେଲା । ବ୍ୟାଙ୍କ ଠକେଇରେ ଯେଉଁ ୨୨୮୪୨ କୋଟି ଟଙ୍କା ହଡପ ହୋଇଥିବାର ଅଭିଯୋଗ ହୋଇଛି, ତନ୍ମଧ୍ୟରୁ ସର୍ବାଧିକ ୭୦୮୯ କୋଟି ଟଙ୍କା ଆଇସିଆଇସିଆଇ ବ୍ୟାଙ୍କର ହୋଇଥିବା ବେଳେ ଆଇଡିବିଆଇ ବ୍ୟାଙ୍କ ୩୬୩୯ କୋଟି ଟଙ୍କା ପ୍ରଦାନ କରିଛି । ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ପରି ସରକାରୀ ବ୍ୟାଙ୍କଗୁଡିକ ମଧ୍ୟ ଯଥାକ୍ରମେ ୨୯୨୫ କୋଟି, ୧୬୧୪ କୋଟି, ୧୩୨୭ କୋଟି, ୧୨୪୪ କୋଟି, ୭୧୯ କୋଟି ଟଙ୍କା ଋଣ ପ୍ରଦାନ କରିଛନ୍ତି । ଜାନୁଆରୀ ୨୦୧୯ରେ ଠକେଇ ଚିହ୍ନଟ ହେବା ଓ ଷ୍ଟେଟ ବ୍ୟାଙ୍କ ଦ୍ୱାରା  ଅଭିଯୋଗ ଦାଖଲ ହେବାର ପ୍ରାୟ ୨ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହେବା ପରେ ଯାଇ ଫେବୃଆରୀ ଫେବୃଆରୀ ୭, ୨୦୨୨ରେ ସିବିଆଇ ତରଫରୁ ଏବିଜି ସିପୟାର୍ଡ ଓ ଏବିଜି ଇଣ୍ଟରନ୍ୟାସନାଲ କମ୍ପାନୀ ଦ୍ୱୟ ବିରୁଦ୍ଧରେ ମାମଲା ରୁଜ୍ଜୁ ହେବା ଓ ପରେ ପରେ ପ୍ରତିଷ୍ଠାତା ରିଷି କମଲେଶ ଅଗ୍ରୱାଲ ଓ ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ନୋଟିସ ଜାରି ହୋଇଥିଲା । ଏତେ ବଡ ଧରଣର ବ୍ୟାଙ୍କ ଠକେଇରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ୱ ହେବାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଷ୍ଟେଟ ବ୍ୟାଙ୍କ ତରଫରୁ ସିବିଆଇ ନିକଟରେ ଡିସେମ୍ୱର ୨୦୧୯ରେ ପ୍ରଥମ ଅଭିଯୋଗ ଓ ଡିସେମ୍ୱର ୨୦୨୦ରେ ବିସ୍ତୃତ ଅଭିଯୋଗ ହୋଇଥିଲେ ବି ଏ ଭଳି ଏକ ବଡ ଠକେଇ ମାମଲାରେ ସିବିଆଇ ତରଫରୁ ତତ୍ପରତା ପ୍ରକାଶ ନ ପାଇବାର ରହସ୍ୟ ବୁଝି ହେଉନାହିଁ । ଅଧିକନ୍ତୁ, ୨୦୧୮ରୁ ଠକେଇ ସମ୍ପର୍କରେ ଜଣା ପଡିଲା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଫେବୃଆରୀ ୨୦୨୨ ଲୁକ୍ ଆଉଟ ନୋଟିସ ଜାରି ହେବାର ଅର୍ଥ ଅଭିଯୁକ୍ତ ଚାହିଁଥିଲେ ନିରବ ମୋଦି, ମେହୁଲ ଚୋକ୍ସି, ଓ ବିଜୟ ମାଲ୍ୟାଙ୍କ ଭଳି ସହଜରେ ବିଦେଶକୁ ଖସି ଯାଇ ପାରିଥାଆନ୍ତେ ।

ଏଥି ପୂର୍ବରୁ ଗତ ୭ ବର୍ଷ ମଧ୍ୟରେ ଦେଶରେ ଅନେକ ବଡ ବଡ ବ୍ୟାଙ୍କ ଠକେଇ ସଂଘଟିତ ହୋଇଛି । ସେଗୁଡିକ ମଧ୍ୟରେ ରହିଛି ୨୦୧୮ରେ ସିମ୍ଭାଓଲି ଚିନି ମିଲ ବ୍ୟାଙ୍କ ଠକେଇ ମାମଲାରେ ପ୍ରାୟ ୨୦୦ କୋଟି ଟଙ୍କା, ୨୦୧୮ରେ ସଂଘଟିତ ୫୧୫ କୋଟି ଟଙ୍କାର ଆର ପି ଇନଫୋ ସିଷ୍ଟମ ବ୍ୟାଙ୍କ ଠକେଇ ଯେଉଁଥିରେ ୯ଟି ବ୍ୟାଙ୍କର ସମ୍ପୃକ୍ତି ଥିଲା, ରୋଟୋମାକ ପେନ ଠକେଇ ଯେଉଁଥିରେ କମ୍ପାନୀର ପ୍ରତିଷ୍ଠାତା ବିକ୍ରମ କୋଠାରୀଙ୍କ ଉପରେ ୭ଟି ବ୍ୟାଙ୍କକୁ ସୁଧ ଓ ମୂଳ ମିଶାଇ ୩୯୬୫ କୋଟି ଟଙ୍କା ଠକିଥିବାର ଅଭିଯୋଗ ହୋଇଥିଲା । ୨୦୧୮-୧୯ରେ ୧୮୭୫ କୋଟି ଟଙ୍କାର ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ ଠକେଇ ମାମଲାରେ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ ସମ୍ପୃକ୍ତି ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ କିଙ୍ଗଫିଶର ଏୟାର ଲାଇନସ ଦ୍ୱାରା ୧୩ଟି ବ୍ୟାଙ୍କକୁ ପ୍ରାୟ ୯୪୦୦ କୋଟି ଟଙ୍କା ଠକି ଶିଳ୍ପପତି ବିଜୟ ମାଲ୍ୟା ମାର୍ଚ୍ଚ ୨, ୨୦୧୬ରେ ଦେଶ ଛାଡି ବିଦେଶକୁ ଖସିଯିବା ଅନେକଙ୍କୁ ଚକିତ କରିଥିଲା । ସେହି ଏକା ପରି ଘଟଣାର ପୁନରାବୃତ୍ତି ଘଟିଥିଲା ୨୦୧୮ରେ, ଯେତେବେଳେ ଉଭୟ ନିରବ ମୋଦି ଓ ମେହୁଲ ଚୋକ୍ସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ୧୧୪୦୦ କୋଟି ଟଙ୍କା ଠକି ବିଦେଶକୁ ପଳାୟନ କରିଥିଲେ । ତା’ ପରେ ମନେ ହେଉଥିଲା ଯେମିତି ଦେଶରେ ଆଉ ବଡ ଧରଣର ବ୍ୟାଙ୍କ ଠକେଇ ହେବ ନାହିଁ । କିନ୍ତୁ ବିଡମ୍ୱନା, ମାତ୍ର ଅଳ୍ପ ଦିନର ବ୍ୟବଧାନରେ ‘ଏବିଜି ସିପୟାର୍ଡ’ ମାମଲା ହେଲା ଏବଂ ତାହା ପୂର୍ବର ସବୁ ବୃହଦାକାର ଠକେଇକୁ ବଳିଗଲା ।

ରିଜର୍ଭ ବ୍ୟାଙ୍କ ନିମାନୁସାରେ କେବଳ ୧ ଲକ୍ଷ ଟଙ୍କା ବା ତା’ଠାରୁ ଅଧିକ ରାଶିର ଠକେଇ ହୋଇଥିଲେ ତାହା ବ୍ୟାଙ୍କ ଠକେଇ ବୋଲି ବିବେଚିତ ହୋଇଥାଏ । ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ‘ରିପୋର୍ଟ ଅନ ଟ୍ରେଣ୍ଡ ଆଣ୍ଡ ପ୍ରୋଗ୍ରେସ ଅଫ ବ୍ୟାଙ୍କିଙ୍ଗ, ୨୦୨୦-୨୧’ ଅନୁଯାୟୀ ଏ ବର୍ଷ ଦେଶରେ ସମୁଦାୟ ୭୩୬୩ଟି ମାମଲାରେ ୧.୩୮ ଲକ୍ଷ କୋଟି ଟଙ୍କାର ଠକେଇ ହୋଇଛି, ଯାହା ପୂର୍ବ ବର୍ଷର ୧.୮୫ ଲକ୍ଷ କୋଟି ତୁଳନାରେ କମ । ବିଡମ୍ୱନାର ବିଷୟ ଯେ ଏହି ଠକେଇ ପରିମାଣ ଦେଶର କୃଷି ବଜେଟ ଓ ଓଡିଶା ଭଳି ଅନେକ ରାଜ୍ୟର ବାର୍ଷିକ ବଜେଟଠାରୁ ବି ଅଧିକ । ୨୦୨୧-୨୨ର ପ୍ରଥମ ୬ ମାସ ମଧ୍ୟରେ ସଂଘଟିତ ଠକେଇର ସଂଖ୍ୟା ୪୦୭୧, ଯାହା ୨୦୨୦-୨୧ର ସେହି ସମୟରେ ହୋଇଥିବା ଠକେଇ ସଂଖ୍ୟା ୩୪୯୯ ତୁଳନାରେ ଅଧିକ ହେବା ଚିନ୍ତାଜନକ । ଗତ ବର୍ଷ ସଂଘଟିତ ଠକେଇ ମଧ୍ୟରୁ ସଂଖ୍ୟା ଦୃଷ୍ଟିରୁ ୪୮ ପ୍ରତିଶତ ଋଣ କାରବାର ଜନିତ ହୋଇଥିଲା ବେଳେ ପରିମାଣ ଦୃଷ୍ଟିରୁ ଏହା ୧.୩୭ ଲକ୍ଷ କୋଟି ଟଙ୍କା ବା ପ୍ରାୟ ୯୯ ପ୍ରତିଶତ । ସରକାରୀ ବ୍ୟାଙ୍କଗୁଡିକରେ ଅଧିକ ସଂଖ୍ୟକ ବଡ ବଡ ଠକେଇ ସଂଘଟିତ ହେଉଥିଲେ ବି ଘରୋଇ ବ୍ୟାଙ୍କଗୁଡିକରେ ମଧ୍ୟ ଠକେଇ ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି । ସଂଖ୍ୟା ଦୃଷ୍ଟିରୁ କାର୍ଡ ଓ ଇଣ୍ଟରନେଟ (ଡିଜିଟାଲ କାରବାର)ରେ ଠକେଇ ପ୍ରାୟ ୩୫ ପ୍ରତିଶତ ହୋଇଥିଲେ ବି ଠକେଇର ପରିମାଣ ମାତ୍ର ୧୧୯ କୋଟି ଟଙ୍କା । ବିମୁଦ୍ରାକରଣ ପରେ ସରକାରଙ୍କ ତରଫରୁ ଡିଜିଟାଲ ଦେଣନେଣ ଉପରେ ଗୁରୁତ୍ୱ ଦିଆଗଲା । ଏହା ପରେ ଏହି ଧରଣର ବ୍ୟାଙ୍କ ଠକେଇ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ଅଫ ବାଲାନସ ସିଟ, ବିଦେଶୀ ମୁଦ୍ରା କାରବାର, ଜମା, ଆନ୍ତ-ଶାଖା କାରବାର, ଚେକ, ଡ୍ରାଫ୍ଟ, କ୍ଲିଅରିଂ ଆଦି ମାଧ୍ୟମରେ ମଧ୍ୟ ଠକେଇ ହେଉଥିଲେ ବି ଉଭୟ ସଂଖ୍ୟା ଓ ପରିମାଣ ଦୃଷ୍ଟିରୁ ସେଗୁଡିକ ନଗଣ୍ୟ । ଅର୍ଥାତ୍, କେବଳ ଯଦି ବଡ ବଡ ଋଣ ନେଇ ବ୍ୟାଙ୍କକୁ ଠକୁଥିବା ଋଣଗ୍ରହୀତାଙ୍କ ଉପରେ ଅଙ୍କୁଶ ଲଗାଯାଇପାରନ୍ତା ତେବେ ଦେଶରେ ବ୍ୟାଙ୍କ ଠକେଇର ପରିମାଣ ଯଥେଷ୍ଟ ହ୍ରାସ ପାଆନ୍ତା । ଏ ସଂକ୍ରାନ୍ତରେ ବିବେକାନୁମୋଦିତ ତଥା ଦ୍ରୁତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାରେ ଉଚ୍ଚ ପଦସ୍ଥ ବ୍ୟାଙ୍କ ଅଧିକାରୀ, ନିରୀକ୍ଷକ ଓ ନିୟନ୍ତ୍ରକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ବି ଅନେକ ସମୟରେ ସେମାନେ ରାଜନେତାଙ୍କ ଚାପ ଅଥବା ଲାଭ, ଲୋଭ ବା ଭୟର ବଶବର୍ତ୍ତୀ ହୋଇ ନିଜ ଭୂମିକାକୁ ସୁଚାରୁ ରୂପେ ନିର୍ବାହ କରିବାକୁ ଅସମର୍ଥ ହେଉଥିବାରୁ ବଡ ବଡ ଠକେଇକୁ ପ୍ରଶ୍ରୟ ମିଳୁଛି । ରିଜର୍ଭ ବ୍ୟାଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ବ୍ୟାଙ୍କଗୁଡିକ ସର୍ବମୋଟ ପ୍ରାୟ ୫ ଲକ୍ଷ କୋଟି ଟଙ୍କା ଠକାମିର ଶିକାର ହୋଇଛନ୍ତି, ଯାହା ସମଗ୍ର ବ୍ୟାଙ୍କ ଋଣ ରାଶିର ପ୍ରାୟ ୪.୫ ପ୍ରତିଶତ ।  ଠକେଇ ରାଶିରୁ ଆଦାୟ ହୋଇ ପାରିଛି ମାତ୍ର ୧୦ ପ୍ରତିଶତ । ବଡ ବଡ ଠକମାନଙ୍କ ନିକଟରୁ ବର୍ଷ ବର୍ଷ ଧରି ବା ଆଦୌ ଠକେଇ ରାଶି ଆଦାୟ ହୋଇ ନ ପାରିବା ଉଦବେଗଜନକ ।         

ଏହିପରି ବଡ ଧରଣର ବ୍ୟାଙ୍କ ଠକେଇ ବାରମ୍ୱାର ଘଟି ଚାଲିଲେ ଗ୍ରାହକଙ୍କର ବ୍ୟାଙ୍କ ବ୍ୟବସ୍ଥା ପ୍ରତି ବିଶ୍ୱାସ ସଙ୍କଟ ଦେଖା ଦେଇଥାଏ । ଏତଦଭିନ୍ନ ଏହା ସମଗ୍ର ବ୍ୟାଙ୍କ ତଥା ବିତ୍ତୀୟ ବ୍ୟବସ୍ଥା ପ୍ରତି ସମ୍ମାନହାନିର ବିପଦ, ପରିଚାଳନାତ୍ମକ ବିପଦ ତଥା ବ୍ୟବସାୟ ବିପଦର ନୂତନ ଆହ୍ୱାନ ମଧ୍ୟ ସୃଷ୍ଟି କରିଥାଏ । ଏହାର ପ୍ରତିକୂଳ ପ୍ରଭାବ କେବଳ ଦେଶ ଭିତରେ ନୁହେଁ ବରଂ ବିଶ୍ୱ ବିତ୍ତୀୟ ପଟଳରେ ମଧ୍ୟ ଅନୁଭୂତ ହୋଇଥାଏ । ତେଣୁ ନିରଙ୍କୁଶ ଭାବେ ଏହିପରି ବଡ ବଡ ବ୍ୟାଙ୍କ ଠକେଇମାନ ଘଟି ଚାଲିଲେ ତାହା ନିଶ୍ଚିତ ଭାବେ ଦେଶସ୍ୱାର୍ଥର ପରିପନ୍ଥୀ ହେବା ସହ ଦେଶର ଅର୍ଥନୀତିକୁ ଦୁର୍ବଳ କରୁଛି । ବର୍ଦ୍ଧିତ ଅନାଦାୟ ଋଣ (ଏନପିଏ) ବୋଝର ସମସ୍ୟାରେ ଆକ୍ରାନ୍ତ ବ୍ୟାଙ୍କଗୁଡିକ ଏ ଭଳି ଠକେଇ ଦ୍ୱାରା କ୍ଷତିଗ୍ରସ୍ତ ହୋଇ ଅଧିକ ଦୁର୍ବଳ ହେଉଛନ୍ତି । ସେମାନଙ୍କ କ୍ଷତିଭରଣା କରିବାକୁ ସରକାର ଆଗେଇ ଆସିଲେ ଟିକସ ଦାତାଙ୍କ ଅର୍ଥର ଅପଚୟ ହେବା ହିଁ ସାର ହୋଇଥାଏ । ଏ ଭଳି ବଡ ବଡ ବ୍ୟାଙ୍କ ଠକେଇ ଉଚ୍ଚ ପଦସ୍ଥ ବ୍ୟାଙ୍କ ଅଧିକାରୀ, ନିରୀକ୍ଷକ ଓ ରାଜନେତାଙ୍କ ବିନା ସମ୍ପୃକ୍ତି ବା ଜ୍ଞାତସାରରେ ସଂଘଟିତ ହେବା କଷ୍ଟକର । କିନ୍ତୁ ଏଥିପାଇଁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ଅଭାବ କାରଣରୁ ଓ ଠକଙ୍କଠାରୁ ଠକାମି ରାଶିର ସିଂହଭାଗ ଆଦାୟ ହୋଇ ନ ପାରିବା ଯୋଗୁ ଏ ଭଳି ଠକେଇ ଅଧିକରୁ ଅଧିକ ହେବାରେ ଲାଗିଛି । ଏ ଭିତରେ ଏବିଜି ସିପୟାର୍ଡ ମାମଲାରେ ଠକାମି ଚିହ୍ନଟ ହୋଇ ସିବିଆଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିବା ଚାରି ବର୍ଷ ବିତିଗଲାଣି । ଏ ବିଳମ୍ୱ ଇଚ୍ଛାକୃତ ନୁହେଁ ବରଂ ପ୍ରକ୍ରିୟାଗତ କାରଣରୁ ହେଲା ବୋଲି ଉଭୟ ବ୍ୟାଙ୍କ ଓ ଅର୍ଥମନ୍ତ୍ରୀ ସଫେଇ ଦେଇଛନ୍ତି । ତାହା ହେଲେ ସେପରି ପ୍ରକ୍ରିୟାରେ ସୁଧାର ଆଣିବା ଲାଗି ପଦକ୍ଷେପ ନିଆଯାଉ ନାହିଁ କାହିଁକି ? ବ୍ୟାଙ୍କ ବ୍ୟବସ୍ଥାକୁ  ପ୍ରାଣବନ୍ତ କରି ରଖିବାକୁ ହେଲେ ଠକେଇ ଉପରେ ପ୍ରଭାବୀ ଲଗାମ ଲାଗିବା ନିତାନ୍ତ ପ୍ରୟୋଜନ ।             

 

(Published in Sambad on February 22, 2022 

Comments

  1. Excellent analysis. It is a fact that the big thieves get scot free even as the small ones are hounded up. Compared to the biggest bank frauds, the defaults by agriculture, small business, msme sectors are miniscule. And as rightly mentioned by Author, all these ghotla and ghapla are happening in connivance of the bank seniors, political interventions, and the owners of the companies who take advantage of the loopholes. An intricately analysed blog. Profuse thanks to the Author.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍