‘ଥ୍ୱାହା ଫଜଲ ବନାମ ଭାରତ ସରକାର’ ମାମଲାରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଅକ୍ଟୋବର ୨୮, ୨୦୨୧ରେ ୟୁଏପିଏ ଅଭିଯୁକ୍ତ ଥ୍ୱାହା ଫଜଲ ଓ ଅଲାନ ସୁଏବଙ୍କୁ ଜାମିନ ପ୍ରଦାନ କରି ଯେଉଁ ଐତିହାସିକ ଆଦେଶ ଦେଇଛନ୍ତି ତାହା ଦୀର୍ଘ ଦିନ ଧରି ଜେଲରେ ରହିଥିବା ଅନେକ ୟୁଏପିଏ ଅଭିଯୁକ୍ତଙ୍କ ପାଇଁ ଜାମିନ ପାଇବା ଲାଗି ଆଶାର ସଞ୍ଚାର କରିଥିବାରୁ ପ୍ରଣିଧାନଯୋଗ୍ୟ । ଅନଲଫୁଲ ଆକ୍ଟିଭିଟିଜ ପ୍ରିଭେନସନ ଆକ୍ଟ (ୟୁଏପିଏ) ବା ବେଆଇନ ଗତିବିଧି ନିରୋଧକ ଆଇନ, ୧୯୬୭ରୁ କାର୍ଯ୍ୟକାରୀ ହୋଇ ଆସୁଥିଲେ ବି ୨୦୧୪ ପରଠାରୁ ଏହି ଆଇନରେ ରୁଜ୍ଜୁ ହୋଇଥିବା ମାମଲାରେ ଅଭିଯୁକ୍ତଙ୍କ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇଚାଲିଛି । ରାଷ୍ଟ୍ରଠାରେ ଏହି ଆତଙ୍କବାଦ ନିରୋଧ ଆଇନକୁ ମାଧ୍ୟମ କରି ଅଭିଯୁକ୍ତଙ୍କୁ ବିନା ବିଚାରରେ ଦୀର୍ଘ ଦିନ ଧରି ଜେଲ ଭିତରେ ଅଟକାଇ ରଖିବାର ପ୍ରବଣତା ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି । ଏନସିଆରବି ଦ୍ୱାରା ୨୦୨୦ରେ ପ୍ରକାଶିତ ‘ଭାରତରେ ଅପରାଧ’ ଶୀର୍ଷକ ରିପୋର୍ଟ ଅନୁଯାୟୀ ୟୁଏପିଏରେ ୨୦୧୪, ୨୦୧୫, ୨୦୧୬, ୨୦୧୭, ୨୦୧୮, ୨୦୧୯ରେ ଯଥାକ୍ରମେ ୯୭୬, ୮୯୭, ୯୨୨, ୯୦୧, ୧୧୮୨, ୧୨୨୬ଟି ମାମଲା ରୁଜ୍ଜୁ ହୋଇ ହଜାର ହଜାର ଲୋକ ଜେଲରେ ଅଟକ ରହିଛନ୍ତି । ଅବଶ୍ୟ ୨୦୨୦ରେ ଏହି ସଂଖ୍ୟା ୭୯୬କୁ କମ ହେବା ଉତ୍ସାହଜନକ ହୋଇଥିଲେ ବି ଏଥିରେ ୪୪ ଜଣ ମହିଳାଙ୍କ ସମେତ ୧୩୨୧ ଜଣଙ୍କୁ ଗିରଫ କରାଯାଇଥିଲା । ୨୦୧୪ରୁ ୨୦୨୦ ମଧ୍ୟରେ ପ୍ରାୟ ୬୯୦୦ ୟୁଏପି