ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ କଟାକ୍ଷ କରି ବିରୋଧ କରୁଥିବା କେହି କେହି କହିଥାଆନ୍ତି ଯେ ଚାଷୀମାନେ ସେମାନଙ୍କ କୃଷି ଆୟ ଉପରେ କୌଣସି ଆୟକର ନ ଦେଇ ଏମିତିରେ ଲାଭରେ ଅଛନ୍ତି । ହଁ, ଏହା ସତ ଯେ ବର୍ତ୍ତମାନ ଦେଶରେ କୃଷି ଆୟ ଆୟକର ପରିସରଭୁକ୍ତ ନୁହେଁ । ଅବଶ୍ୟ ଦେଶର ପ୍ରାୟ ୮୭ ପ୍ରତିଶତ ଚାଷୀ କ୍ଷୁଦ୍ର ବା ନାମମାତ୍ର ଚାଷୀ ହୋଇଥିବାରୁ ସେମାନଙ୍କ ଆୟ ଏତେ ନଗଣ୍ୟ ଯେ ତାହା କୌଣସି ମତେ କର ପରିସରଭୁକ୍ତ ହୁଅନ୍ତା ନାହିଁ । ତେଣୁ କୃଷି ଆୟ ଉପରେ ଆୟକର ବ୍ୟବସ୍ଥା ଥିଲେ ହୁଏତ ମୁଷ୍ଟିମେୟ ବଡ ଚାଷୀଙ୍କୁ ଆୟକର ଦେବାକୁ ପଡୁଥାଆନ୍ତା । ତେବେ ନୂଆ କୃଷି ଆଇନ ପ୍ରଣୟନ ପରେ କୃଷି ଆୟ କର ପରିସରଭୁକ୍ତ ହେବାର ଆଶଙ୍କା ଦେଖା ଦେଲାଣି, ଯାହାକୁ ନେଇ ସାଧାରଣରେ ବିଶେଷ ଆଲୋଚନା ପରିଲକ୍ଷିତ ହେଉନାହିଁ । ଚାଷୀମାନେ ସେମାନଙ୍କ କୃଷି ଆୟ ଉପରେ ଆୟକର ଦେଉ ନ ଥିଲେ ବି ସେମାନେ ଯେ ସମ୍ପୂର୍ଣ୍ଣ ରୂପେ କର ପରିସର ବାହାରେ ରହି କୌଣସି କର ଦିଅନ୍ତି ନାହିଁ କହିବା ଠିକ ନୁହେଁ । କେବଳ ବିହନ, ପଶୁ ଖାଦ୍ୟ ଓ କୁକୁଡା ଖାଦ୍ୟକୁ ବାଦ ଦେଇ କୃଷି ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ପାଇଁ ସେମାନଙ୍କୁ ଜିଏସଟି ଦେବାକୁ ହୋଇଥାଏ । ସେମାନଙ୍କୁ ବିଭିନ୍ନ ପ୍ରକାର ସାର ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡୁଥିବା ବେଳେ ଟ୍ରାକ୍ଟର, ଅନ୍ୟାନ୍ୟ କୃଷି ଯନ୍ତ୍ରପାତି, ପମ୍ପ, ଡ୍ରିପ, ସ୍ପ୍ରିଙ୍କଲର...