Skip to main content

ପରିସଂଖ୍ୟାନ ଚପାଇ ଦେବା ଏକ ଅସୁସ୍ଥ ଧାରା

ଦେଶ ଓ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନମାନଙ୍କରେ କାର୍ଯ୍ୟରତ ୧୦୮ଜଣ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଓ ସମାଜବିଜ୍ଞାନୀ ଯେତେବେଳେ ଭାରତ ସରକାରଙ୍କୁ ତଥ୍ୟ ଲୁଚାଇବାରୁ ନିବୃତ୍ତ ହେବା ପାଇଁ ଅପିଲ କଲେ, ସରକାର ତଥ୍ୟ ଲୁଚାଇବାର ପ୍ରୟାସ କରୁଥିବାର ବାର୍ତ୍ତା ବିଦେଶ ପର୍ଯ୍ୟନ୍ତ ପହଞ୍ଚିଲା ଓ ଉଭୟ ଦେଶ ତଥା ସରକାରଙ୍କ ଭାବମୂର୍ତ୍ତି ଲାଗି ହାନିକାରକ ସାବ୍ୟସ୍ତ ହେଲା । କେବଳ ସେତିକି ନୁହେଁ, ଅର୍ଥନୀତିଜ୍ଞ ଓ ପରିସଂଖ୍ୟାନବିଦମାନେ ସେମାନଙ୍କ ନୀତି ଓ ଆଦର୍ଶଗତ ବିଭେଦର ଊଦ୍ଧ୍ୱର୍କୁ ଉଠି ଏବେକାର ତଥା ଭବିଷ୍ୟତର ସରକାରମାନଙ୍କୁ ସୁହାଉ ନଥିବା ତଥ୍ୟକୁ ଚାପିବା ପାଇଁ ସରକାରୀ କଳର ମନୋବୃତ୍ତିକୁ ନିନ୍ଦା କରିବା ସହ ଏପରି ଅପଚେଷ୍ଟା ବିରୁଦ୍ଧରେ ମୁହଁ ଖୋଲିବା ପାଇଁ ଆହ୍ୱାନ ଦେଇଛନ୍ତି । ଏଥି ସହିତ ସବୁ ସ୍ତରରେ ସର୍ବସାଧାରଣ ପରିସଂଖ୍ୟାନର ଉପଲବ୍ଧତା ଓ ପ୍ରାମାଣିକତା ବଜାୟ ରହିବା ସଙ୍ଗେସଙ୍ଗେ ପରିସଂଖ୍ୟାନ ଅନୁଷ୍ଠାନଗୁଡିକର ସ୍ୱାୟତତାର ପୁନଃ ପ୍ରତିଷ୍ଠା ହେବା ଉପରେ ଗୁରୁତ୍ୱ ଦେଇଛନ୍ତି । ତେବେ ସରକାରଙ୍କ ଦ୍ୱାରା ସର୍ବସାଧାରଣଙ୍କ ସମ୍ମୁଖରେ ସଠିକ ତଥ୍ୟ ଉପସ୍ଥାପନ କରିବା ନେଇ ସତରେ କଣ ଏପରି କିଛି ଅନିୟମିତତା ହୋଇଛି ଯେଉଁଥିପାଇଁ ଅର୍ଥନୀତିଜ୍ଞମାନଙ୍କୁ ଏଭଳି ଚରମ ପଦକ୍ଷେପ ନେବାକୁ ପଡିଲା ?

ଜାତୀୟ ନମୁନା ସର୍ଭେକ୍ଷଣ ସଂଗଠନ (ଏନଏସଏସଓ) ଦ୍ୱାରା ନିଯୁକ୍ତି ସ୍ଥିତିର ଆକଳନ ପାଇଁ ନିୟମିତ ଶ୍ରମ ବଳ ସର୍ଭେ (ପିଏଲଏଫଏସ) ପରିସଂଖ୍ୟାନ ପ୍ରସ୍ତୁତ ହୋଇ ଜାତୀୟ ପରିସଂଖ୍ୟାନ କମିଶନଙ୍କ ଅନୁମୋଦନ ପାଇଁ ଉପସ୍ଥାପିତ ହୋଇଥାଏ । ଏନଏସଏସଓ ଦ୍ୱାରା ୨୦୧୭-୧୮ ପାଇଁ ପ୍ରସ୍ତୁତ ପିଏଲଏଫଏସ ତଥ୍ୟ କମିଶନଙ୍କ ଦ୍ୱାରା ଅନୁମୋଦିତ ହୋଇ ଦୀର୍ଘ ଦିନ ଧରି ପ୍ରକାଶିତ ନ ହେବା ପ୍ରତିବାଦରେ କମିଶନର ଦୁଇ ଜଣ ସଦସ୍ୟ ଇସ୍ତଫା ଦେଲେ, ଯାହା ଦୁର୍ଭାଗ୍ୟଜନକ । ଏନଏସଏସଓର ଏହି ତଥ୍ୟ ଅନୁଯାୟୀ ଦେଶରେ ବେକାରୀ ହାର ୬.୧ ପ୍ରତିଶତରେ ପହଞ୍ଚିଛି, ଯାହା ଗତ ୪୫ ବର୍ଷ ମଧ୍ୟରେ ସର୍ବାଧିକ । ଏହି ତଥ୍ୟ ସରକାରଙ୍କ ନିଯୁକ୍ତି ପ୍ରସଙ୍ଗରେ ପ୍ରତିବଦ୍ଧତାକୁ ନେଇ ପ୍ରଶ୍ନ ଉଠାଉଥିବାରୁ ଓ ତାହା ସରକାରଙ୍କ ପାଇଁ ଅସ୍ୱସ୍ତିକର ହୋଇଥିବାରୁ ତଥ୍ୟକୁ ପ୍ରକାଶ ହେବାକୁ ଦିଆଗଲା ନାହିଁ । ବିମୁଦ୍ରାକରଣ ଓ ଜିଏସଟି ଯୋଗୁ ଦେଶରେ ନିଯୁକ୍ତି ସମସ୍ୟାର ଉତ୍କଟତାକୁ ସରକାର ମାନିବାକୁ ପ୍ରସ୍ତୁତ ନଥିବାରୁ ଇପିଏଫଓରେ ସଦସ୍ୟ ସଂଖ୍ୟା ବୃଦ୍ଧି, ଅଧିକ ଲୋକଙ୍କୁ ମୁଦ୍ରା ଋଣ ଦିଆଯାଇଥିବାର ଆଳ ଦେଖାଇ ପରୋକ୍ଷରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି ବୋଲି ଦାବି କରି ଆସୁଛନ୍ତି । ହେଲେ ଆଜି ଯାଏଁ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, ତାହା ଆଧିକାରିକ ଭାବେ ଜଣାଇ ଦିଆ ଯାଉନାହିଁ । ଆଖି ବୁଜି ଦେଲେ ବା ସତ୍ୟକୁ ଗ୍ରହଣ ନ କଲେ ଯଦି ସମସ୍ୟା ଅନ୍ତର୍ଦ୍ଧାନ ହୋଇ ଯାଉଥାନ୍ତା, ତାହାହେଲେ କୌଣସି ଅସୁବିଧା ନଥିଲା । କିନ୍ତୁ ନିଯୁକ୍ତି ସମସ୍ୟାର ଉତ୍କଟତା ବାସ୍ତବିକ ହୋଇଥିବାରୁ ତାହା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ନିଯୁକ୍ତି ସଂକ୍ରାନ୍ତୀୟ ତଥ୍ୟ ଯେତେ ଅସ୍ୱସ୍ତିକର ହେଲେ ମଧ୍ୟ ତାହା ନିଯୁକ୍ତି ବଜାରର ସ୍ଥିତି ଓ ଗତି ସମ୍ପର୍କରେ ସୂଚନା ଦେଇ ନୀତି ନିର୍ଦ୍ଧାରକଙ୍କୁ ଉଚିତ ପଦକ୍ଷେପ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ । ଫଳରେ ପରିସ୍ଥିତି ବିକଟ ହୋଇଥିଲେ ମଧ୍ୟ ତାହା ନିୟନ୍ତ୍ରଣାଧୀନ କରିହୁଏ ।

ଜାତୀୟ ପରିସଂଖ୍ୟାନ କମିଶନଙ୍କ ଅନୁମୋଦନ କ୍ରମେ ଜାନୁଆରୀ ୨୦୧୫ରୁ ୨୦୧୧-୧୨କୁ ନୂତନ ଆଧାର ବର୍ଷ ଭାବେ ଗ୍ରହଣ କରି ସୁଦୀପ୍ତୋ ମୁଣ୍ଡଲେ କମିଟିଙ୍କ ଗଣନା କ୍ରମେ ପ୍ରସ୍ତୁତ ମୋଟ ଘରୋଇ ଉତ୍ପାଦ(ଜିଡିପି) ତଥ୍ୟ ଅଗଷ୍ଟ ୨୦୧୮ରେ ପ୍ରକାଶ ପାଇଥିିଲା । ତଦନୁୁଯାୟୀ ଏନଡିଏ ସରକାରଙ୍କ ଅମଳରେ ହୋଇଥିବା ବିକାଶ ଦର ତୁଳନାରେ ୟୁପିଏ ସରକାରଙ୍କ ଅମଳରେ ହୋଇଥିବା ବିକାଶ ଦର ଯଥେଷ୍ଟ ଅଧିକ ଥିଲା । ଏହାର ରାଜନୈତିକ କୁପ୍ରଭାବକୁ ଆକଳନ କରି ସରକାର ଜିଡିପି ତଥ୍ୟର ନୂଆ ପଦ୍ଧତିରେ ପୁନଃ ଆକଳନ କଲେ ଯାହା ନଭେମ୍ବର ୨୦୧୮ରେ ପ୍ରକାଶିତ ହୋଇ ଏନଡିଏ ସରକାରଙ୍କ ଅମଳରେ ବିକାଶ ଦର ଅଧିକ ହୋଇଛି ବୋଲି ଦର୍ଶାଗଲା । ସରକାରଙ୍କ ଗ୍ରହଣଯୋଗ୍ୟ ହେଲା ଭଳି ଜିଡିପି ତଥ୍ୟ ପ୍ରସ୍ତୁତିରେ ‘ନୀତି ଆୟୋଗ’ର ସମ୍ପୃକ୍ତିକୁ ନେଇ ମଧ୍ୟ ଅନେକେ ପ୍ରଶ୍ନ ଉଠାଇଲେ, କାରଣ ଏହା ଦ୍ୱାରା କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନର ଦକ୍ଷତାକୁ ନ୍ୟୂନ କରାଗଲା । ତଦ୍ୱାରା ଭାରତର ଜିଡିପି ତଥ୍ୟର ବିଶ୍ୱସନୀୟତା ଉପରେ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସନ୍ଦେହ ଉପୁଜିବା କିଛି ବିଚିତ୍ର ନୁହେଁ । ଅଧିକନ୍ତୁ ଇତି ମଧ୍ୟରେ ତ୍ରୈମାସିକ ଭିତ୍ତିରେ ହେଉଥିବା ଲେବର ବ୍ୟୁରୋ ଏଂଟରପ୍ରାଇଜ ସର୍ଭେ କାର୍ଯ୍ୟକୁ ମଧ୍ୟ ସରକାର ମାର୍ଚ୍ଚ ୨୦୧୮ ପରଠାରୁ ବନ୍ଦ କରି ଦେଇଛନ୍ତି ।

୧୯୮୬ ମସିହାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ସ୍ଥାପିତ ହୋଇ ଦେଶରେ ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ସୂଚନାର ଏକ ଗନ୍ତାଘର ଭାବେ କାମ କରିଆସୁଛି ।  ପ୍ରତି ବର୍ଷ ଏହି ସଂସ୍ଥା ଦ୍ୱାରା ଦେଶ ସାରା ସଂଘଟିତ ବିଭିନ୍ନ ଅପରାଧ ତଥ୍ୟ ସମ୍ବଳିତ ସୂଚନା ପୁସ୍ତିକାରୁ ଦେଶର ବିଭିନ୍ନ ରାଜ୍ୟରେ ହେଉଥିବା ବିଭିନ୍ନ ଅପରାଧ ସମ୍ପର୍କରେ ବିସ୍ତୃତ ସୂଚନା ମିଳିଥାଏ, ଯାହା ନୀତି ନିର୍ଦ୍ଧାରକଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ଦିଗରେ ସାହାଯ୍ୟ କରିଥାଏ । ପରିତାପର ବିଷୟ ୨୦୧୬ ପରଠାରୁ ଏନସିଆରବିର ଅପରାଧ ପରିସଂଖ୍ୟାନ ସମ୍ବଳିତ ବାର୍ଷିକ ପୁସ୍ତିକା ଆଉ ପ୍ରକାଶ ପାଇନାହିଁ । ତେଣୁ ଚାଷୀ ଆତ୍ମହତ୍ୟା ସମ୍ପର୍କରେ କୌଣସି ତଥ୍ୟ ସାଧାରଣରେ ଉପଲବ୍ଧ ନୁହେଁ । ଚାଷୀ ଆତ୍ମହତ୍ୟା ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ଉପଲବ୍ଧ ତଥ୍ୟରୁ ଜଣା ପଡିଛି କେବଳ ମହାରାଷ୍ଟ୍ର୍ରରେ ଗତ ଚାରି ବର୍ଷ (ଜାନୁଆରୀ ୨୦୧୫ରୁ ଡିସେମ୍ବର ୨୦୧୮) ମଧ୍ୟରେ ୧୧,୯୯୫ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି ଯାହା ପୂର୍ବ ଚାରି ବର୍ଷ (୨୦୧୧ ରୁ ୨୦୧୪) ସମୟ ଅବଧି ମଧ୍ୟରେ ହୋଇଥିବା ଚାଷୀ ଆତ୍ମହତ୍ୟା (୬,୨୬୮) ତୁଳନାରେ ପ୍ରାୟ ଦୁଇଗୁଣ । ଏଥିରୁ ସ୍ପଷ୍ଟ ଯେ ସାରା ଦେଶରେ କୃଷି ସଙ୍କଟର ଭୟାବହତା ଏବଂ ତଦଜନିତ ଚାଷୀ ଆତ୍ମହତ୍ୟାର ସଂଖ୍ୟା ଏତେ ଅଧିକ ଯେ ସେହି ପରିସଂଖ୍ୟାନ ସର୍ବ ସାଧାରଣଙ୍କ ସମ୍ମୁଖକୁ ଆସିଲେ ତାହା ଶାସକ ଦଳକୁ ନିର୍ବାଚନରେ ଅସୁବିଧାରେ ପକାଇବାର ଆଶଙ୍କା ଯଥେଷ୍ଟ ଅଧିକ ରହିଛି, ଆଉ ସେଥିପାଇଁ ଏନସିଆରବି ତଥ୍ୟକୁ ପ୍ରକାଶ କରାଯାଉନାହିଁ ବୋଲି ସମାଲୋଚକଙ୍କ ଧାରଣା ।

କେବଳ କେନ୍ଦ୍ର ସରକାର ନୁହେଁ, ଜନ ସାଧାରଣଙ୍କ ସମ୍ମୁଖରେ ନିୟମିତ ତଥ୍ୟ ଉପସ୍ଥାପନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଟ୍ରାକ ରେକର୍ଡ ମଧ୍ୟ ସେତେଟା ଉତ୍ସାହଜନକ ନୁହେଁ । ଉଦାହରଣ ସ୍ୱରୂପ, ଗତ ପାଞ୍ଚ ବର୍ଷ ମଧ୍ୟରେ କେଉଁ ଅଞ୍ଚଳର କେଉଁ ଚାଷ ଜମିକୁ ଜଳ ସେଚନର ସୁବିଧା ଯୋଗାଇ ଦିଆଯାଇଛି ତାହା ବିଭାଗୀୟ ଓ୍ଵେବସାଇଟରେ ଉପଲବ୍ଧ ନାହିଁ । ଫଳରେ ପ୍ରକୃତ ପକ୍ଷେ ଜଳସେଚିତ ଅଞ୍ଚଳର ପରିମାଣକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଥାଏ । ସେହିପରି ବିଗତ କିଛି ବର୍ଷ ଧରି ରାଜ୍ୟ କୃଷି ବିଭାଗର ବାର୍ଷିକ ବିବରଣୀ ବିଭାଗୀୟ ଓ୍ଵେବସାଇଟରେ ସ୍ଥାନ ନ ପାଇବାରୁ ମନେ ହେଉଛି ସତେ ଯେମିତି ସରକାର ଅନେକ ତଥ୍ୟ ଜନ ସାଧାରଣଙ୍କ ଜ୍ଞାତସାରକୁ ଆଣିବାକୁ ଚାହୁଁ ନାହାନ୍ତି । ରାଜ୍ୟ ସରକାରଙ୍କ ପରିଚାଳିତ ଅଧିକାଂଶ କର୍ପୋରେସନ ଓ ଉଦ୍ୟୋଗର ବାର୍ଷିକ ବିବରଣୀ ଓ ଲାଭ କ୍ଷତି ବିବରଣୀ ସର୍ବ ସାଧାରଣଙ୍କ ଗୋଚରାର୍ଥେ ଉଚିତ ଢଙ୍ଗରେ ଉପସ୍ଥାପିତ ହେଉ ନଥିବାରୁ ସେଗୁଡିକର ପରିଚାଳନା ଓ ସ୍ୱାସ୍ଥ୍ୟ ସମ୍ପର୍କରେ ଲୋକେ ଜାଣି ପାରୁ ନାହାନ୍ତିି ।

ବର୍ଷ ବର୍ଷ ଧରି ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ପରିମାପକକୁ ସୂଚାଇ ସଠିକ ଓ ବିଶ୍ୱସନୀୟ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ଏନଏସଏସଓ ଓ ସିଏସଓ ଭଳି ପ୍ରତିଷ୍ଠିତ ଭାରତୀୟ ପରିସଂଖ୍ୟାନ ପ୍ରସ୍ତୁତକାରୀ ଅନୁଷ୍ଠାନଗୁଡିକ ବିନା ହସ୍ତକ୍ଷେପରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରି ଆସିଛନ୍ତି ଓ ସେଥିପାଇଁ ସେମାନେ ବିଶ୍ୱସ୍ତରରେ ପ୍ରଶଂସିତ ହୋଇଛନ୍ତି ମଧ୍ୟ । ସେମାନଙ୍କ ପ୍ରସ୍ତୁତ ପରିସଂଖ୍ୟାନକୁ ଠିକ ସମୟରେ ପ୍ରକାଶିତ କରାଇ ନ ଦେବା ଓ ସେମାନଙ୍କ କାର୍ଯ୍ୟରେ ସରକାରୀ ହସ୍ତକ୍ଷେପ ହେବା ଦ୍ୱାରା ଏହି ଅନୁଷ୍ଠାନଗୁଡିକର ଛବି ଓ ବିଶ୍ୱସନୀୟତା ଉପରେ ଆଞ୍ଚ ଆସିଛି ।

ବର୍ଷେ ପଢି ଶ୍ରେଣୀ ପରୀକ୍ଷା ଦେଇଥିବା ପିଲାଟିର ଅଭିଭାବକମାନେ ମଧ୍ୟ ଉତ୍ସୁକତାର ସହିତ ତାର ପରୀକ୍ଷା ଫଳକୁ ଅପେକ୍ଷା କରିଥାନ୍ତି । ତେଣୁ ପାଞ୍ଚ ବର୍ଷ ପାଇଁ ସରକାର ଚଲାଇବାକୁ ଜନାଦେଶ ଦେଇଥିବା ମତଦାତାଙ୍କ ସମ୍ମୁଖରେ ନିର୍ବାଚିତ ସରକାରଙ୍କ ପ୍ରଦର୍ଶନର ଆକଳନ କରିବା ପାଇଁ ସଠିକ ତଥ୍ୟ ଉପସ୍ଥାପିତ ହେବା କଣ ଜରୁରୀ ନୁହେଁ ? ଗାଳି ଖାଇବା ଭୟରେ ପରୀକ୍ଷାରେ ଭଲ କରି ନଥିବା ପିଲାଟିଏ ତା ପରୀକ୍ଷା ଫଳକୁ ବାପା-ମାଆଙ୍କଠାରୁ ଲୁଚାଇବା ପାଇଁ ବିଭିନ୍ନ ବାହାନାର ଆଶ୍ରୟ ନେଇଥାଏ । ଅନୁରୂପ ଭାବେ ସରକାରଙ୍କ କାର୍ଯ୍ୟକାଳ ପୂରିଲା ବେଳକୁ ମତଦାତାଙ୍କ ସମ୍ମୁଖରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପିତ ନ ହେଲେ ସରକାର ତାଙ୍କ ଅପାରଗତାକୁ ଲୁଚାଇବାର ଚେଷ୍ଟା କରୁଛନ୍ତି ବୋଲି ବାର୍ତ୍ତା ଯାଇଥାଏ । ସଠିକ ତଥ୍ୟ ଉପସ୍ଥାପନ ନ କରି ସରକାରୀ ଦଳ ନିର୍ବାଚନରେ ଓହ୍ଲାଇବା ବାସ୍ତବିକ ନୈତିକତା ଦୃଷ୍ଟିରୁ ସମୀଚୀନ ନୁହେଁ । ତେଣୁ ତଥ୍ୟକୁ ଦୁଇ ଶ୍ରେଣୀରେ ବିଭକ୍ତ କରି ପ୍ରଥମ ଶ୍ରେଣୀର ତଥ୍ୟ, ଯାହା ସରକାରଙ୍କ କାର୍ଯ୍ୟକାଳ ପୂରିବାର ଅନ୍ତତଃ ଚାରି ମାସ ପୂର୍ବରୁ ସର୍ବ ସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବା ଅନିବାର୍ଯ୍ୟ ହେବା ଉଚିତ । ଏହି ଶ୍ରେଣୀରେ ନିଯୁକ୍ତି, ଅପରାଧ, ମୁଣ୍ଡ ପିଛା ଋଣଭାର, ବିକାଶ ଦର, ଆର୍ଥିକ ନିଅଂଟ, ଅର୍ଥନୀତିର ସ୍ୱାସ୍ଥ୍ୟ ଓ ସୁଶାସନକୁ ଦର୍ଶାଉଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପରିମାପକ ସମ୍ବଳିତ ତଥ୍ୟକୁ ସ୍ଥାନ ଦିଆ ଯାଇପାରେ । ଏତଦଭିନ୍ନ ଅନ୍ୟାନ୍ୟ ଅତିରିକ୍ତ ତଥ୍ୟକୁ ଦ୍ୱିତୀୟ ଶ୍ରେଣୀରେ ରଖି ସରକାର ଚାହିଁଲେ ତାହା ଉପସ୍ଥାପନ କରିପାରନ୍ତି । ଗଣତନ୍ତ୍ରରେ ସୂଚନା ଓ ତଥ୍ୟର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ମତଦାତାମାନେ ପ୍ରତି ପାଞ୍ଚ ବର୍ଷରେ ଥରେ ସେମାନଙ୍କ ପ୍ରତିନିଧି ମାଧ୍ୟମରେ ସରକାରକୁ ବାଛିଥାନ୍ତି ଓ ସରକାରଙ୍କ ପ୍ରଦର୍ଶନ ଆଧାରରେ ତାଙ୍କୁ ପୁଣି ଥରେ ସୁଯୋଗ ଦିଆ ଯିବା ଉଚିତ କି ନୁହେଁ ତାହା ନିର୍ଦ୍ଧାରଣ କରିଥାନ୍ତି । ସରକାରଙ୍କୁ ତଥ୍ୟ ସୁହାଉ ନାହିଁ ବୋଲି ତାକୁ ଚାପି ଦେବା ବା ତାହା ଉପସ୍ଥାପନ କରାଇ ନ ଦେବା ବାସ୍ତବିକ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ପାଇଁ ବିପଜ୍ଜନକ । ଗଣତନ୍ତ୍ରରେ ମତଦାତା ମାଲିକ ହୋଇଥିବାରୁ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କ ପାଇଁ ପରିସଂଖ୍ୟାନ ଅଦୃଶ୍ୟ ହେବା ସ୍ପୃହଣୀୟ ନୁହେଁ, କାରଣ ସଠିକ ତଥ୍ୟ ହିଁ ମତଦାତାଙ୍କୁ ନିର୍ବାଚନରେ ନିଜ ପସନ୍ଦ ନିର୍ଦ୍ଧାରଣ ବେଳେ ବୁଝିବିଚାରି ନିଷ୍ପତ୍ତି (ଇନଫର୍ମଡ ଡିସିସନ) ନେବାରେ ସହାୟକ ହୋଇଥାଏ ।

Published in Odia Daily Sambad on April 24, 2019

Comments

  1. Whether anybody from Govt. listening? A timely article and very well analysed.Thank you Das Babu.

    ReplyDelete
  2. In our state and at national level the voters caste their votes on the basis of the monetary benefits they got from the ruling party throughout the tenure of 5 years and not on the basis of statistics of work done by them. At national level it is to some extent based on the statistics of good work done and somehow manageable but in state this statistics has no bearing.

    ReplyDelete
    Replies
    1. Thanks. It is a different matter whether voters make use of the available statistics or not. However, it should be obligatory on the part of the governments to present their report card by publishing key data.

      Delete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍