ଓଡିଶାର ଦୁର୍ଗମ ଅଞ୍ଚଳମାନଙ୍କରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ପ୍ରତ୍ୟହ ଗୁଣିଆ ଦ୍ୱାରା ଚିକିତ୍ସା, ଚେଙ୍କଦିଆ, ଆଦି ଘଟଣା ସାମନାକୁ ଆସୁଛି । ତାହାର ଏକ ପ୍ରମୁଖ କାରଣ, ସେ ସବୁ ଅଞ୍ଚଳରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଏବେ ବି ଅପହଞ୍ଚ । ଏକେ ତ ଆବଶ୍ୟକ ସଂଖ୍ୟକ ଡାକ୍ତରଙ୍କ ଅଭାବ, ତା' ଛଡା ଡାକ୍ତରଙ୍କ ସଂଖ୍ୟା ବଢିଗଲେ ଯେ ସେମାନେ ସେ ସବୁ ଅଞ୍ଚଳକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆଗ୍ରହ ଦେଖାଇବେ, ତା'ର କିଛି ମାନେ ନାହିଁ । ତେଣୁ ସେ ସବୁ ଅଞ୍ଚଳ ସବୁବେଳେ ଯେଉଁ ତିମିରେକୁ ସେହି ତିମିରେ । ଏହି ପରିପ୍ରେକ୍ଷୀରେ କ୍ୟୁବା ଭଳି ଏକ ଛୋଟ ଦେଶ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ଆଶାତୀତ ସଫଳତା ହାସଲ କରିଛି, ତାହା ଅନୁଶୀଳନ କରି ସେଥିରୁ କିଛିଟା ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲାଗୁ କରାଗଲେ ହୁଏତ ସ୍ଥିତିରେ ପରିବର୍ତ୍ତନ ଆସିପାରନ୍ତା ।
କ୍ୟୁବା ଲାଟିନ ଆମେରିକା ସନ୍ନିକଟସ୍ଥ କାରିବୀୟ ସାଗରରେ ଅବସ୍ଥିତ ଏକ ଦ୍ୱୀପପୁଞ୍ଜ । ଆୟତନରେ ଓଡିଶାଠାରୁ ଛୋଟ ଏହି ଦେଶଟିର ଲୋକସଂଖ୍ୟା ୧.୧୨ କୋଟି । ୧୮୯୮ ପର୍ଯ୍ୟନ୍ତ ଏହା ସ୍ପେନ ଶାସନାଧୀନ ଏକ ଉପନିବେଶ ଥିଲା । ପରେ ଏହା ଆମେରିକା ଅଧୀନକୁ ଆସି ୧୯୦୨ରେ ସ୍ୱାଧୀନତା ହାସଲ କଲା । ୧୯୫୯ ମସିହାରେ ସଂଘଟିତ ବିପ୍ଳବରେ ଏକଚ୍ଛତ୍ରବାଦୀ ଶାସକ ବାତିସ୍ତା ଗାଦିଚ୍ୟୁତ ହେଲା ପରେ ଶାସନଭାର ବିପ୍ଳବର ନେତୃତ୍ୱ ନେଉଥିବା ଫିଡେଲ କାଷ୍ଟ୍ରୋଙ୍କ ହାତକୁ ଆସିଲା । ତାଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ଯୁଗାନ୍ତକାରୀ ପଦକ୍ଷେପମାନ ନିଆ ଯାଇଥିଲା, ତା'ର ସୁଦୂରପ୍ରସାରୀ ପ୍ରଭାବ ଏବେ ବି ଦେଖିବାକୁ ମିଳୁଛି ।
୧୯୬୦ ମସିହା ବେଳକୁ ଓଡିଶା ପରି ସେଠାରେ ବି ଡାକ୍ତରମାନେ ଦୁର୍ଗମ ଅଞ୍ଚଳକୁ ଯିବାକୁ ଅମଙ୍ଗ ହେଉଥିଲେ । ସେ ସବୁ ଅଞ୍ଚଳରେ କାମ କରିବା ପାଇଁ ସରକାର ପ୍ରଥମେ ୭୫୦ ଜଣ ଡାକ୍ତର ଓ ଡାକ୍ତରୀ ଛାତ୍ରଙ୍କୁ ପ୍ରବର୍ତ୍ତାଇବାକୁ ସକ୍ଷମ ହେଲେ । ସ୍ୱାସ୍ଥ୍ୟସେବା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଗ୍ରାମ୍ୟ ସ୍ୱାସ୍ଥ୍ୟସେବା (ରୁରାଲ ମେଡିକାଲ ସର୍ଭିସ) ଆରମ୍ଭ ହେଲା । ପ୍ରଚଳିତ ସ୍ୱାସ୍ଥ୍ୟସେବାକୁ ଅନୁଧ୍ୟାନ କରି ସେଥିରେ ଥିବା ଦୋଷ ଦୁର୍ବଳତାକୁ ଚିହ୍ନଟ କରାଗଲା । (୧) ସେତେବେଳେ ସ୍ୱାସ୍ଥ୍ୟସେବା ପ୍ରତିଷେଧାତ୍ମକ ବ୍ୟବସ୍ଥା (ପ୍ରିଭେଣ୍ଟିଭ ମୋଡ) ନ ହୋଇ ଉପଚାରାତ୍ମକ ବ୍ୟବସ୍ଥା (କ୍ୟୁରେଟିଭ ମୋଡ) ଉପରେ ବେଶି ଗୁରୁତ୍ୱ ଦେଉଥିଲା । ଅର୍ଥାତ୍, ରୋଗ ହେଲା ପରେ ଉପଚାର ପାଇଁ ବ୍ୟଗ୍ରତା ଦେଖା ଦେଉଥିଲେ ବି ରୋଗର ନିବାରଣ କିପରି ହୋଇ ପାରିବ ତା' ଉପରେ ଗୁରୁତ୍ୱ ଦିଆ ଯାଉ ନ ଥିଲା । ଭାରତରେ ଏବେ ମଧ୍ୟ ଉପଚାରାତ୍ମକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି । (୨) ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ବିଭିନ୍ନ ଚିକିତ୍ସା ପଦ୍ଧତି ମଧ୍ୟରେ ସମନ୍ୱୟର ଅଭାବ । ଅର୍ଥାତ୍, ଆଲୋପାଥି, ହୋମିଓପାଥି, ଆକ୍ୟୁପଙ୍କଚର, ବିଭିନ୍ନ ପ୍ରକାର ଥେରାପି, ହର୍ବାଲ ମେଡିସିନ (ଜଡିବୁଟି) ଆଦି ମଧ୍ୟରେ କୌଣସି ସହଯୋଗ ନ ଥିଲା । (୩) ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଡାକ୍ତରଙ୍କ ଅଭାବ । (୪) ଖଣ୍ଡିତ ଚିକିତ୍ସା ବ୍ୟବସ୍ଥା, ଅର୍ଥାତ୍ ଜଣେ ରୋଗୀର ସାମଗ୍ରିକ ଚିକିତ୍ସା କରା ନ ହୋଇ ତାତ୍କାଳିକ ରୋଗର ଚିକିତ୍ସା କରା ଯାଉଥିଲା । ସରକାରଙ୍କ ଦ୍ବାରା ପ୍ରଥମ ପଦକ୍ଷେପ ସ୍ୱରୂପ, ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଜାତୀୟକରଣ କରାଯାଇ ଏହାକୁ ସାର୍ବଜନୀନ କରାଗଲା । ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ସମସ୍ତ ସେବା ଓ ସୁବିଧା ସରକାର ଯୋଗାଇ ଦେଲେ ।
କ୍ୟୁବାରେ ଏକ ତ୍ରିସ୍ତରୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରଚଳିତ । କନସଲଟରିଅସ ବା ଗ୍ରାମ୍ୟ କ୍ଲିନିକଗୁଡିକ ପ୍ରାଥମିକ ସ୍ତରରେ ସେବା ଯୋଗାଇ ଦେଇ ଥାଆନ୍ତି । ମାଧ୍ୟମିକ ସ୍ତରରେ ସେବା ଯୋଗାଇବା ଦାୟିତ୍ୱ ପଲୁକ୍ଲିନିକଗୁଡିକର । ଉଚ୍ଚତର ସ୍ୱାସ୍ଥ୍ୟସେବା ପାଇବା ପାଇଁ ହସପିଟାଲ ବା ଡାକ୍ତରୀ ଶିକ୍ଷାନୁଷ୍ଠାନକୁ ଯିବାକୁ ହୋଇଥାଏ ।
କନସଲଟରିଅସ ବ୍ୟବସ୍ଥା ୧୯୮୪ ମସିହାରୁ ଆରମ୍ଭ ହେଲା । ଏହି ବ୍ୟବସ୍ଥା ସହ ଫ୍ୟାମିଲି ଡାକ୍ତର-ନର୍ସ ସେବା ଜଡିତ । ଏ ଭଳି କ୍ଲିନିକରେ ଥିବା ଡାକ୍ତର-ନର୍ସ କ୍ଲିନିକ ସଂଲଗ୍ନ ହାରାହାରି ୧୫୦ଟି ପରିବାରର ପ୍ରାୟ ୬୦୦ ଲୋକଙ୍କ ଦାୟିତ୍ୱ ନେଇଥାଆନ୍ତି । ସକାଳ ଓଳି ଡାକ୍ତର ରୋଗୀମାନଙ୍କୁ କ୍ଲିନିକରେ ଦେଖନ୍ତି ଓ ଉପର ଓଳି ଅଧିକ ଚିକିତ୍ସା ବା ଯତ୍ନ ଆବଶ୍ୟକ କରୁଥିବା ରୋଗୀଙ୍କ ଘରକୁ ଯାଇ ଦେଖିଥାଆନ୍ତି । ପ୍ରତିଷେଧାତ୍ମକ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆ ଯାଉଥିବାରୁ ବର୍ଷକୁ ଥରେ ପ୍ରତି ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ବାଧ୍ୟତାମୂଳକ । ଉଦ୍ଦେଶ୍ୟ ହେଉଛି ଅସୁସ୍ଥତା ବା ରୋଗକୁ ପ୍ରାଥମିକ ଅବସ୍ଥାରେ ଚିହ୍ନଟ କରି ତାକୁ ସହଜରେ ନିବାରଣ ଓ ପ୍ରତିହତ କରିବା । ଫଳରେ ଖର୍ଚ୍ଚ ଅନେକଟା କମି ଯାଇଥାଏ । ଏହି ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା ଫ୍ୟାମିଲି ଡାକ୍ତର-ନର୍ସମାନେ ଘରକୁ ଘର ବୁଲି କରିଥାଆନ୍ତି । ରକ୍ତଚାପ, ହୃଦପରୀକ୍ଷା, ରକ୍ତପରୀକ୍ଷା ଆଦି ବିଭିନ୍ନ ଡାକ୍ତରୀ ପରୀକ୍ଷା ସହିତ ପ୍ରତ୍ୟେକଙ୍କ ଜୀବନଧାରଣ ଶୈଳୀ (ଧୂମପାନ, ମଦ୍ୟପାନ ଇତ୍ୟାଦି), ଘରର ଅର୍ଥନୈତିକ ଓ ଅନ୍ୟ ଅବସ୍ଥା, ପରିବାର ଓ ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କଲା ଭଳି ପାରିପାର୍ଶ୍ୱିକ ଅବସ୍ଥା ଆଦିକୁ ଅନୁଧ୍ୟାନ କରି ସେଗୁଡିକ ଲିପିବଦ୍ଧ ହୋଇଥାଏ । ପରୀକ୍ଷା ପରେ ରୋଗୀମାନଙ୍କୁ ବିପଦ (ରିସ୍କ) ଆଧାରରେ ବର୍ଗୀକରଣ କରାଯାଇଥାଏ । ଅସୁସ୍ଥତାର କୌଣସି ଲକ୍ଷଣ ଥିଲେ ରୋଗୀଙ୍କ ନିକଟକୁ ଘନ ଘନ ଯାଇ ଚିକିତ୍ସା ସହିତ ସେମାନଙ୍କ ଜୀବନ ଧାରଣ ଶୈଳୀରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରାଯାଏ । ଏହି ବ୍ୟବସ୍ଥା ଏକ ସମନ୍ୱିତ ବ୍ୟବସ୍ଥା, ଯେଉଁଥିରେ ବ୍ୟକ୍ତିବିଶେଷକୁ ନିର୍ଦ୍ଦିଷ୍ଟ ରୋଗ ପାଇଁ ନୁହେଁ ବରଂ ସାମଗ୍ରିକ ଭାବେ ଚିକିତ୍ସା କରା ଯାଇଥାଏ । ଏହାର ଲକ୍ଷ୍ୟ ହେଉଛି ସେ କୌଣସି ମତେ ଅସୁସ୍ଥ ନ ହେଉ । କ୍ୟୁବାର ସ୍ୱାସ୍ଥ୍ୟ ସମସ୍ୟାର ପ୍ରାୟ ଶତକଡା ୮୦ ଭାଗ ଏହି ଗ୍ରାମ୍ୟ କ୍ଲିନିକ ସ୍ତରରେ ହିଁ ସମାଧାନ ହୋଇ ଯାଇଥାଏ ।
କ୍ଲିନିକ ସ୍ତରରେ ଚିକିତ୍ସା ସମ୍ଭବ ହେଉ ନ ଥିବା ରୋଗୀମାନଙ୍କୁ ଅଧିକ ଚିକିତ୍ସା ପାଇଁ ପଲିକ୍ଲିନିକକୁ ପଠା ଯାଇଥାଏ । ପ୍ରତି ୪୦-୫୦ଟି କ୍ଲିନିକ ପାଇଁ ଗୋଟିଏ ପଲିକ୍ଲିନିକ ଥାଏ ଯାହା ଉପରେ ପ୍ରାୟ ୩୦ରୁ ୪୦ ହଜାର ଲୋକ ନିର୍ଭର କରିଥାଆନ୍ତି । କ୍ୟୁବାରେ ଏବେ ୪୯୮ଟି ପଲିକ୍ଲିନିକ ଅଛି । ଏ ସମସ୍ତ ପଲିକ୍ଲିନିକରେ ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତି ରୋଗଠାରୁ ଆରମ୍ଭ କରି ଏକ୍ସରେ, ଅଲଟ୍ରା ସାଉଣ୍ଡ, ଅପଟୋମେଟ୍ରି, ଏଣ୍ଡୋସ୍କୋପି, ଥ୍ରମ୍ୱୋଲସିସ, ଦାନ୍ତ ରୋଗ, ମଧୁମେହ, ମାନସିକ ରୋଗ, ଚର୍ମରୋଗ, ହୃଦରୋଗ, ପୁନର୍ବାସନ, ଟୀକାକରଣ ଭଳି ହାରାହାରି ୨୨ ପ୍ରକାର ସେବା ଉପଲବ୍ଧ ଥାଏ । ସ୍ଥାନୀୟ ଆବଶ୍ୟକତାକୁ ଆଧାର କରି ସେବାରେ ପରିବର୍ତ୍ତନ ମଧ୍ୟ କରା ଯାଇଥାଏ । ଉଲ୍ଲେଖଯୋଗ୍ୟ, ଫ୍ୟାମିଲି ଡାକ୍ତରମାନେ ପ୍ରତି ସପ୍ତାହରେ ଗୋଟିଏ ଓଳି ପଲିକ୍ଲିନିକକୁ ଯାଇ ସେମାନଙ୍କ ଅଞ୍ଚଳର ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝି ଥାଆନ୍ତି । ଏହା ଦ୍ୱାରା ରୋଗୀସେବାରେ ନିରନ୍ତରତା ରକ୍ଷା ହେବା ସହିତ ଫ୍ୟାମିଲି ଡାକ୍ତର ଓ ବିଶେଷଜ୍ଞଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇ ବିଶ୍ୱସନୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ହୋଇଥାଏ । ପଲିକ୍ଲିନିକ ସ୍ତରରେ ପ୍ରାୟ ୧୫ ଭାଗ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହୋଇ ଯାଇଥାଏ । ତେଣୁ ଆଉ ମାତ୍ର ୫ ପ୍ରତିଶତ ସ୍ୱାସ୍ଥ୍ୟ ସମସ୍ୟା ଦେଶର ୫୨ଟି ହସପିଟାଲ ଓ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ପହଞ୍ଚିଥାଏ । ଫଳରେ ଏମାନେ ଗବେଷଣା ଓ ବିକାଶ ଉପରେ ଅଧିକ ଧ୍ୟାନ ଦେଇ ପାରନ୍ତି । ଏ ଭଳି ବ୍ୟବସ୍ଥା ଦ୍ୱାରା କୌଣସି ଏକ ନିର୍ଦ୍ଦିଷ୍ଟ ସ୍ତର ଅଧିକ ଚାପଗ୍ରସ୍ତ ହୋଇ ନ ଥାଏ ଏବଂ ସୁଚାରୁ ରୂପେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ହୋଇଥାଏ ।
କ୍ୟୁବା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଦୁଇଟି ପ୍ରମୁଖ ସ୍ତମ୍ଭ ହେଲା ଗୋଷ୍ଠୀକୈନ୍ଦ୍ରିକ ପ୍ରାଥମିକ ସେବା ଓ ଅନୁପୂରକ ବୈକଳ୍ପିକ ଚିକିତ୍ସା । ରୋଗୀକୁ ତା'ର ସମଗ୍ର ପରିସରରେ ବୁଝିବାକୁ ହୋଇଥାଏ – ଶାରୀରିକ ସ୍ତରରେ, ମାନସିକ ସ୍ତରରେ, ସାମାଜିକ ସ୍ତରରେ ଏବଂ ବ୍ୟକ୍ତିଗତ ସ୍ତରରେ ଉଭୟ ପରିବାର ଓ ସମାଜରେ ତା'ର ସ୍ଥିତି । ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷାରେ ସଂଗୃହୀତ ତଥ୍ୟ ଆଞ୍ଚଳିକ ଓ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ । ଦରକାର ହେଲେ ଏଥିରେ ସାମାଜିକ ଅନୁଷ୍ଠାନମାନଙ୍କୁ ମଧ୍ୟ ସାମିଲ କରା ଯାଇଥାଏ । ଯେମିତି ସଂଗୃହୀତ ତଥ୍ୟରୁ ଦେଶର ୨୨ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ଥିବା ଜଣା ପଡିବା ପରେ, ଫେଡେରେସନ ଅଫ କ୍ୟୁବାନ ଉମେନ (ମହିଳା ସଂଗଠନ)ର ସ୍ୱାସ୍ଥ୍ୟସେବୀମାନଙ୍କୁ ଏ ସଂକ୍ରାନ୍ତରେ ତାଲିମ ପ୍ରଦାନ ମାଧ୍ୟମରେ ସେମାନଙ୍କ କ୍ଷମତା ବୃଦ୍ଧି କରି କରାଗଲା । ସେମାନେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଓ ତାର ନିରାକରଣ ପାଇଁ ଜନ ସଚେତନତା ସୃଷ୍ଟି କରି ପାରିଲେ, ଯାହା ସେହି ସମସ୍ୟାକୁ ହ୍ରାସ କରିବାରେ ସହାୟକ ହେଲା ।
କ୍ୟୁବା ଏକ ଗରିବ ରାଷ୍ଟ୍ର । ବିଶେଷ କରି ନବେ ଦଶକରେ ସୋଭିଏତ ୟୁନିଅନର ବିଘଟନ ପରେ କ୍ୟୁବାକୁ ଗ୍ରାଣ୍ଟ ଆକାରରେ ବିଦେଶୀ ସାହାଯ୍ୟ ମିଳିବା ଯଥେଷ୍ଟ କମିଗଲା । ଏହା ଏକ ସମାଜବାଦୀ ରାଷ୍ଟ୍ର ହୋଇଥିବାରୁ ଆମେରିକା ନିକଟରୁ ସାହାଯ୍ୟ ମିଳିବା ପରିବର୍ତ୍ତେ ଆମେରିକା କ୍ୟୁବା ଉପରେ ଅନେକ ନିଷେଧାଦେଶ ଜାରି କରିଥିଲା । ସମ୍ୱଳ ଅଭାବରୁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବାଧାପ୍ରାପ୍ତ ହେବାକୁ ଲାଗିଲା । ବାହାରୁ ଏଲୋପାଥି ଔଷଧ ଆସିବା ବ୍ୟୟବହୁଳ ହୋଇ ପଡିଲା । ଏ ଭଳି ପରିସ୍ଥିତିରେ ଏଲୋପାଥି ସହିତ ବୈକଳ୍ପିକ ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ସ୍ୱାସ୍ଥ୍ୟସେବାରେ ସାମିଲ କରାଗଲା । ବର୍ତ୍ତମାନ ସେଠାରେ ପ୍ରଚଳିତ ଡାକ୍କ୍ତରୀ ପାଠ୍ୟକ୍ରମରେ ଛାତ୍ରମାନେ ବୈକଳ୍ପିକ ଚିକିତ୍ସା ସମ୍ପର୍କରେ ୨୦୦ ଘଣ୍ଟାର ପାଠ ପଢିଥାଆନ୍ତି । ଏହାଛଡା ଫିଜିଓଲୋଜି, ଆନାଟୋମି ଏବଂ କ୍ଲିନିକାଲ ପାଠ୍ୟକ୍ରମଗୁଡିକରେ ମଧ୍ୟ ଏହା ସାମିଲ କରାଯାଇଛି । ତେଣୁ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଆକ୍ୟୁପଙ୍କଚର, ହୋମିଓପାଥି, ହର୍ବାଲ ମେଡିସିନ, ଯୋଗ, ମେଡିଟେସନ, ବିଭିନ୍ନ ପ୍ରକାର ଥେରାପି, କପିଙ୍ଗ, ମକ୍ସିବସନ, ଆଦି ବିଷୟରେ ଅବଗତ ଓ ତା' ମାଧ୍ୟମରେ ଚିକିତ୍ସା ମଧ୍ୟ କରିଥାଆନ୍ତି । ଅଧିକାଂଶ ଡାକ୍ତର ଗ୍ରିନ ମେଡିସିନ ବା ଚେରମୂଳର ଉପଯୋଗ କରିଥାଆନ୍ତି ।
ଆମ ଦେଶରେ ଡାକ୍ତରୀ ଶିକ୍ଷାକୁ ଏତେ ବ୍ୟୟବହୁଳ କରି ଦିଆଯାଇଛି ଯେ ତାହା ଗରିବ ଛାତ୍ରଙ୍କ ପହଞ୍ଚ ବାହାରକୁ ଚାଲିଯାଇଛି । ଫଳରେ ଗରିବ ଶ୍ରେଣୀରୁ ଡାକ୍ତରଙ୍କ ସଂଖ୍ୟା ଆଶାନୁରୂପ ଭାବେ ବଢି ପାରୁନାହିଁ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଡାକ୍ତରୀ ପାଠ ପଢି ସାରିଲା ପରେ, ସେମାନଙ୍କର ଆଉ ଦୁର୍ଗମ ଅଞ୍ଚଳକୁ ଯାଇ କାମ କରିବାର ମାନସିକତା ସୃଷ୍ଟି ହେଉ ନାହିଁ । ଏହା ହୃଦୟଙ୍ଗମ କରି ଫିଡେଲ କାଷ୍ଟ୍ରୋ ୧୯୯୯ ମସିହାରେ କ୍ୟୁବାର ରାଜଧାନୀ ହାଭାନା ନିକଟରେ ଲାଟିନ ଆମେରିକାନ ସ୍କୁଲ ଅଫ ମେଡିସିନ (ଇଲମ) ନାମକ ମେଡିକାଲ କଲେଜ ପ୍ରତିଷ୍ଠା କଲେ । ବର୍ତ୍ତମାନ ସମଗ୍ର ବିଶ୍ୱରେ ଏହା ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ସର୍ବବୃହତ୍ ଅନୁଷ୍ଠାନ । ଏଠାରେ ପ୍ରତିବର୍ଷ ୧୧୦ଟି ଦେଶର ପାଖାପାଖି ୧୦ ହଜାର ଗରିବ ଛାତ୍ର ନିଃଶୁଳ୍କ ପଢିଥାଆନ୍ତି । କେବଳ ଗୋଟିଏ ସର୍ତ୍ତ, ଡାକ୍ତର ହେଲା ପରେ ସେମାନେ ନିଜ ଅଞ୍ଚଳର ଗରିବ ଲୋକଙ୍କୁ ସେବା ପ୍ରଦାନ କରିବେ । କେବଳ ସର୍ତ୍ତ ରଖି ଦେଲେ ହେବ ନାହିଁ । ପାଠ୍ୟକ୍ରମକୁ ଏ ଭଳି ଭାବେ ତିଆରି କରା ଯାଇଛି, ପାଠ ସରିଲା ବେଳକୁ ସେମାନେ ସର୍ତ୍ତକୁ ଆଗ୍ରହ ସହକାରେ ମାନିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସାରିଥାଆନ୍ତି । ପଢିଲା ବେଳେ ପ୍ରତି ଛାତ୍ରକୁ ଗୋଟିଏ ଗ୍ରାମ୍ୟ କ୍ଲିନିକରେ ବର୍ଷଟିଏ ଇଣ୍ଟର୍ଣ୍ଣ ଭାବେ କାମ କରିବାକୁ ହୋଇଥାଏ । ଫଳରେ ଗ୍ରାମାଞ୍ଚଳ ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା ଓ ମାନସିକତା ସମ୍ପର୍କରେ ସେମାନଙ୍କର ପ୍ରତ୍ୟକ୍ଷ ଅନୁଭୂତି ହୋଇଥାଏ । କୌଣସି ବିଷୟରେ ବିଶେଷ ଜ୍ଞାନ (ସ୍ପେସିଆଲାଇଜେସନ) ହାସଲ କରିବା ପୂର୍ବରୁ ସେମାନଙ୍କୁ ଫ୍ୟାମିଲି ମେ଼ଡିସିନ ଉପରେ ବିଶେଷଜ୍ଞତା ହାସଲ କରିବାକୁ ହୋଇଥାଏ । ଏହି କ୍ରମରେ ସେମାନଙ୍କୁ ଗୋଟିଏ ପଲିକ୍ଲିନିକରେ ଦୁଇ ବର୍ଷ ରେସି଼ଡେନ୍ସି କରିବାକୁ ହୋଇଥାଏ । ଏ ଭଳି ଶିକ୍ଷା ବ୍ୟବସ୍ଥାରୁ ବାହାରୁଥିବା ଡାକ୍ତରଟିଏ ଅଧିକ ସମ୍ୱେଦନଶୀଳ ହେବା ସ୍ୱାଭାବିକ । ବର୍ତ୍ତମାନ କ୍ୟୁବାର ୪୦ ହଜାର ଡାକ୍ତରଙ୍କ ସମେତ ୯୦ ହଜାର ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ପୃଥିବୀର ୬୬ଟି ଦେଶରେ ସେବା ପ୍ରଦାନ କରି ଦେଶ ପାଇଁ ବହୁ ମୂଲ୍ୟ ବିଦେଶୀ ମୁଦ୍ରା ଉପାର୍ଜନ କରୁଛନ୍ତି । ଅତୀତରେ 'ଡାକ୍ତର ବଦଳରେ ତେଲ' କାର୍ଯ୍ୟକ୍ରମରେ କ୍ୟୁବାର ଡାକ୍ତରମାନେ ଭେନେଜୁଏଲାରେ ଅବସ୍ଥାପିତ ହୋଇ ଦେଶର ତେଲ ସଙ୍କଟକୁ ଲାଘବ କରି ପାରିଥିଲେ ।
କ୍ୟୁବାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଅତୁଳନୀୟ ସଫଳତା ଯୋଗୁ ସେଠାରେ ୨୦୧୪ ମସିହାରେ ଶିଶୁ ମୃତ୍ୟୁହାର ହଜାର ପିଛା ୪.୨ ଥିଲା ଯାହା ଆମେରିକାର ୬.୧ଠାରୁ ବି କମ । ଏହି ସଂଖ୍ୟା ଭାରତରେ ୪୦ ଓ ଓଡିଶାରେ ୫୧ । ସେଠାକାର ଲୋକମାନଙ୍କର ହାରାହାରି ଆୟୁ ୭୮.୬ ବର୍ଷ । ମାତୃ ମୃତ୍ୟୁ ହାର ୪୫, ଯାହା ଓଡିଶାରେ ୨୩୫ । ୨୦୧୫ ମସିହାରେ କ୍ୟୁବା ବିଶ୍ୱର ପ୍ରଥମ ଦେଶ ଭାବେ ମାଆଠାରୁ ଶିଶୁକୁ ସଂକ୍ରମିତ ହେଉଥିବା ଏଚ.ଆଇ.ଭି. ଓ ସିଫଲିସ ରୋଗକୁ ଦମନ କରି ପାରିଛି । ସେଠାରେ ଚାଲିଥିବା ନିରନ୍ତର ଡାକ୍ତରୀ ଗବେଷଣାର ଫଳସ୍ୱରୂପ କମ ଖର୍ଚ୍ଚରେ ଅନେକ ଭ୍ୟାକସିନ ବାହାରି ପାରିଛି । ନିକଟରେ ସେଠାରୁ ଫୁସଫୁସ କ୍ୟାନସରର ଭ୍ୟାକସିନ କାମିଭ୍ୟାକ୍ସ ବାହାରିଛି ।
ପ୍ରଶ୍ନ ଉଠୁଛି, କ୍ୟୁବାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପଲବ୍ଧିରୁ ଆମେ କିଛି ଶିକ୍ଷା ଲାଭ କରି ଓଡିଶାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିଛିଟା ସୁଧାର ଆଣି ପାରିବା କି ? ଆମର ବି ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଅଛି, କିନ୍ତୁ ବିଭିନ୍ନ କାରଣରୁ ସେଗୁଡିକ ପ୍ରାଣବନ୍ତ ନୁହନ୍ତି । ସେଥିପାଇଁ, ଗାଁଠାରୁ ସହର ପର୍ଯ୍ୟନ୍ତ, କଣ ଟିକେ ହେଲେ ସମସ୍ତେ କଟକ ଭୁବନେଶ୍ୱରର ଡାକ୍ତରଖାନାମାନଙ୍କୁ ଧାଇଁ ଆସୁଛନ୍ତି । ଏହି ବ୍ୟବସ୍ଥାରେ ତୁରନ୍ତ ପରିବର୍ତ୍ତନ ଆଣିବା ସମ୍ଭବ ନ ହେଲେ ବି ନିମ୍ନଲିଖିତ କେତୋଟି ପରିବର୍ତ୍ତନ କଥା ଚିନ୍ତା କରା ଯାଇପାରେ ।
ସ୍ୱାସ୍ଥ୍ୟସେବାରେ ଉପଚାରାତ୍ମକ ବ୍ୟବସ୍ଥା (କ୍ୟୁରେଟିଭ ମୋଡ) ଅପେକ୍ଷା ପ୍ରତିଷେଧାତ୍ମକ ବ୍ୟବସ୍ଥା (ପ୍ରିଭେଣ୍ଟିଭ ମୋଡ) ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ । କାରଣ ତୁଳନାତ୍ମକ ଭାବେ କ୍ୟୁରେଟିଭ ମୋଡ ଅଦକ୍ଷ ଓ ବ୍ୟୟବହୁଳ । ରାଜ୍ୟର କେତେକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ପାଇଲଟ ଭିତ୍ତିରେ କ୍ୟୁବା ଭଳି ଫ୍ୟାମିଲି ଡାକ୍ତର ବ୍ୟବସ୍ଥାର ପ୍ରଚଳନ ହେଉ । ଏଥିପାଇଁ ଏମବିବିଏସ ଡାକ୍ତରଙ୍କ ଅଭାବ ଥିଲେ, ହୋମିଓପାଥି ଓ ଆୟୁଷ ଡାକ୍ତରମାନଙ୍କୁ ନିଯୋଜିତ କରା ଯାଇପାରେ । ଆବଶ୍ୟକ ହେଲେ ଏମାନଙ୍କୁ ଦୁଇ ଶହ ଘଣ୍ଟାର ବୈକଳ୍ପିକ ଚିକିତ୍ସା ପଦ୍ଧତି ଉପରେ ତାଲିମ ପ୍ରଦାନ କରା ଯାଇପାରେ । ଏ ସବୁ ଅଞ୍ଚଳରେ ସରକାରୀ ଖର୍ଚ୍ଚରେ ସମସ୍ତଙ୍କ ପାଇଁ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କାରାଯାଉ । ଫଳରେ ସ୍ୱାସ୍ଥ୍ୟ ସେବା ସହିତ ଅଳ୍ପ ଦିନ ମଧ୍ୟରେ ଏ ଅଞ୍ଚଳଗୁଡିକର ସ୍ୱାସ୍ଥ୍ୟ ଅବସ୍ଥାର ବାସ୍ତବ ସ୍ଥିତି ଆକଳନ କରାଯାଇ ପାରିବ । ଏହି ଆକଳନ ଭିତ୍ତିରେ ସ୍ୱାସ୍ଥ୍ୟସେବା ପାଇଁ ନୀତି ନିର୍ଦ୍ଧାରଣଠାରୁ ଆରମ୍ଭ କରି ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରି ହେବ । ପାଇଲଟ ପ୍ରକଳ୍ପର ସମୀକ୍ଷା ପରେ ଏହାକୁ ସମଗ୍ର ରାଜ୍ୟରେ ବିସ୍ତାର କରା ଯାଇପାରେ ।
ଆଦିବାସୀ ସମାଜରୁ ଡାକ୍ତରୀ ପାଠ ପଢିବାକୁ ଆଗ୍ରହୀ ଶହେ ଜଣ ଗରିବ ମେଧାବୀ ଛାତ୍ରଙ୍କୁ ଚିହ୍ନଟ କରାଯାଉ । ରାଜ୍ୟ ସରକାର କ୍ୟୁବା ସରକାରଙ୍କ ସହ ସମ୍ପର୍କ ସ୍ଥାପନ କରି ସେମାନଙ୍କୁ ଲାଟିନ ଆମେରିକାନ ସ୍କୁଲ ଅଫ ମେଡିସିନ (ଇଲମ)ରେ ପଢିବାର ସୁଯୋଗ ଦେବା ପାଇଁ ଅନୁରୋଧ କରି ପାରିବେ । ସେଠାରେ ପାଠପଢା ନିଃଶୁଳ୍କ ହୋଇଥିବାରୁ ଯାହା କିଛି ଆନୁସଙ୍ଗିକ ଖର୍ଚ୍ଚ ଲାଗିବ ତାହା ରାଜ୍ୟ ସରକାର ବହନ କରି ପାରିବେ । ଉଲ୍ଲେଖଯୋଗ୍ୟ ଗରିବ ଅଞ୍ଚଳ ଓ ଗୋଷ୍ଠୀର ଛାତ୍ରଙ୍କୁ ଇଲମରେ ଡାକ୍ତରୀ ପାଠ ପଢିବା ପାଇଁ କ୍ୟୁବା ପ୍ରୋତ୍ସାହିତ କରିଥାଏ ।
୨୦୧୪ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହା ନିର୍ଦ୍ଦେଶକ ମାର୍ଗାରେଟ ଚାନ କ୍ୟୁବାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ପ୍ରଶଂସା କରି କହିଥିଲେ, “କ୍ୟୁବା ହେଉଛି ଏକମାତ୍ର ଦେଶ ଯେଉଁଠି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗବେଷଣା ଓ ବିକାଶ ସହ ଓତଃପ୍ରୋତ ଭାବେ ସଂଶ୍ଳିଷ୍ଟ । ଏହି ପରି ହିଁ ଆଗେଇବା ଉଚିତ, କାରଣ ମାନବ ସ୍ୱାସ୍ଥ୍ୟସେବା କେବଳ ନବପ୍ରବର୍ତ୍ତନ (ଇନୋଭେସନ) ଦ୍ବାରା ସମ୍ଭବ ହୋଇ ପାରିବ ।“ ଏହି ଉକ୍ତିର ପ୍ରାସଙ୍ଗିକତା ଓଡିଶା ଭଳି ଏକ ଗରିବ ରାଜ୍ୟ ପାଇଁ ଅଧିକ । ଆମକୁ ଅଳ୍ପ ସମୟରେ ଅନେକ କିଛି କରିବାର ଅଛି । ଉନ୍ନତ ସ୍ୱାସ୍ଥ୍ୟସେବାକୁ ବିକାଶର ଏକ ପ୍ରମୁଖ ସ୍ତମ୍ଭ ବୋଲି ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନିଆଗଲେ ସ୍ଥିତିରେ ନିଶ୍ଚୟ ସୁଧାର ଆସି ପାରିବ ।
Published in Dhwani Pratidhwani (16.12.16), Mnthan, Sakala, Matrubhasha, Sruti, Nyayabati, Naxatrajyoti, Ajikali, Duradarshi, Darshan, Anupam Bharat, Utkal Mail, Odisha Express
I am agree with you Sir. We have to learn from Quba & Immediately Start this system in our country. We only say " Health is Wealth" But never never follow "Prevention is better than cure". Let's Government & Everyone think about it immediately.
ReplyDeleteThanks Nishikant babu.
Deleteଭାରତୀୟ ଚିକିତ୍ସା ବ୍ୟବସ୍ଥାକୁ ସୁଧାରିବା ଦିଗରେ ଏହା ପଥ ପ୍ରଦର୍ଶକ ହେଉ ।
ReplyDeleteଧନ୍ୟବାଦ ଶାରଦାବାବୁ ।
DeleteVery good article. Wish it could reach the eyes of our policymakers !
ReplyDeleteThank you sir.
DeleteWhatever you have expressed for Cuba, I more or less think the same for us.
ReplyDeleteMy salient points:
1. Medical service is only in govt.
2. For every citizen there is health book in which all medicine and treatment record will be there and no one can reach secondary and tertiary (highest level) with out reference from lower level.
3. Medical students admission will be done taking into academic merit and type of work place interested ( hardship area, rural area, semi urban areas, urban areas and state capital/ metro).
Thank you very much to bring to my notice a country which is following my vision because whenever I say something my people want existing example.
Thanks
Delete