Skip to main content

କନରାଡୋ ବେନିତେଜ ବ୍ରିଗେଡ ଓ ବିଜୁ ଯୁବ ବାହିନୀ

ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ଗଠିତ ଗୋଟିଏ ଉତ୍ସର୍ଗୀକୃତ ବାହିନୀ କିପରି ଚମତ୍କାରିତା ପ୍ରଦର୍ଶନ କରିପାରେ ତାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି କ୍ୟୁବାର କନରାଡୋ ବେନିତେଜ ବ୍ରିଗେଡ । କ୍ୟୁବା ବିପ୍ଳବ ପରେ ୧୯୫୯ରେ ଫିଡେଲ କାଷ୍ଟ୍ରୋ କ୍ଷମତା ଦଖଲ କଲା ବେଳକୁ ଦେଶରେ ସାକ୍ଷରତା ହାର ୬୦-୭୦ ପ୍ରତିଶତ ଥିଲା । ଯେ ପର୍ଯ୍ୟନ୍ତ ଦେଶର ସବୁ ଲୋକ ସାକ୍ଷର ଓ ଶିକ୍ଷିତ ହୋଇନାହାନ୍ତି, ସେ ଯାଏଁ ସେମାନଙ୍କ ନିକଟରେ ସରକାରଙ୍କ ବାର୍ତ୍ତା ଓ କାର୍ଯ୍ୟକ୍ରମ ସଠିକ ଭାବେ ପହଞ୍ଚାଇ ହେବ ନାହିଁ କି ସେମାନେ ସେଥିରୁ ଲାଭ ପାଇପାରିବେ ନାହିଁ ବୋଲି କାଷ୍ଟ୍ରୋଙ୍କର ଦୃଢ ଧାରଣା ଥିଲା । ତେବେ ସେଥିପାଇଁ ସବୁଠାରୁ ବଡ ଆହ୍ୱାନ ଥିଲା କିପରି ଅପହଞ୍ଚ ଅଞ୍ଚଳରେ ଶିକ୍ଷାଦାନର ବ୍ୟବସ୍ଥା କରାଯିବ ଓ ସେଠାରେ ଥିବା ନିରକ୍ଷରଙ୍କୁ ସାକ୍ଷର କରାଯିବ । ଯୁଦ୍ଧକାଳୀନ ଭିତ୍ତିିରେ ଏହା ହାସଲ କରିବାର ଲକ୍ଷ୍ୟ ରଖି ୧୯୬୧ ମସିହାକୁ ‘ଶିକ୍ଷା ବର୍ଷ’ ଭାବେ ଘୋଷଣା କରାଗଲା ଓ ଏହା ‘ଜାତୀୟ ସାକ୍ଷରତା ଅଭିଯାନ’ ନାମରେ ସେହି ବର୍ଷ ଜାନୁଆରୀ ପହିଲାରୁ ଆରମ୍ଭ ହୋଇ ୨୨ ଡିସେମ୍ବର ଯାଏଁ ଚାଲିଥିଲା । ଗାଁ ଗଣ୍ଡାରେ ସ୍କୁଲ ତିଆରି କରିବା, ନୂଆ ଶିକ୍ଷକମାନଙ୍କୁ ତାଲିମ ଦେବା ଓ ନିରକ୍ଷର ଚାଷୀଙ୍କୁ ସାକ୍ଷର କରିବାର ଲକ୍ଷ୍ୟ ରଖି କାଷ୍ଟ୍ରୋ ସାକ୍ଷରତା ବାହିନୀମାନ ଗଠନ କରି ସେଠାକୁ ପଠାଇଲେ । ଏହି ବାହିନୀଗୁଡିକରେ ଥିଲେ ସହରାଞ୍ଚଳର କଳ କାରଖାନାମାନଙ୍କରେ କାମ କରୁଥିବା ହଜାର ହଜାର ଶ୍ରମିକ ଓ ୧୫ ହଜାରରୁ ଊର୍ଦ୍ଧ୍ଵ ଶିକ୍ଷକ ।
ଅନେକଙ୍କ ଭଳି ଏହି ଅଭିଯାନରେ ସ୍ୱେଚ୍ଛାସେବୀ ଭାବେ ସାମିଲ ହେବାକୁ ଆଗେଇ ଆସିଲେ ୧୮ ବର୍ଷୀୟ ତରୁଣ କନରାଡୋ ବେନିତେଜ । ଅତି ଗରିବ ପରିବାରରୁ ଆସିଥିବା ବେନିତେଜ ନିଜ ବାଲ୍ୟାବସ୍ଥାରେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଜୋତା ପାଲିସ କରିବାଠାରୁ ଆରମ୍ଭ କରି ପାଉଁରୁଟି କାରଖାନାରେ କାମ କରିବା ଭଳି ଅନେକ ଛୋଟ ବଡ କାମ କରି ସାରିଥିଲେ । ତାଙ୍କୁ କିଛିଟା ମୌଳିକ ତାଲିମ ପ୍ରଦାନ କରାଯାଇ ଶିକ୍ଷକ ଭାବେ ଏସକାମ୍ବ୍ରେ ପାର୍ବତ୍ୟାଞ୍ଚଳକୁ ପଠାଗଲା । ସେଠାରୁ ତାଙ୍କୁ ଲା ସିଏରିଟା ନାମକ ଏକ ସ୍ଥାନକୁ ବଦଳି କରାଗଲା ଯେଉଁଠାରେ ୪୪ ଜଣ ଛାତ୍ରଙ୍କୁ ପଢାଇବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହେଲା ।
କ୍ୟୁବାର ସାକ୍ଷରତା ଅଭିଯାନ ସଫଳ ହେଲେ ସାଧାରଣ ଜନତାଙ୍କ ମଧ୍ୟରେ କାଷ୍ଟ୍ରୋ ତଥା କମ୍ୟୁନିଷ୍ଟମାନଙ୍କ ଲୋକପ୍ରିୟତା ବଢିବାର ଆଶଙ୍କା କରି ଏହାକୁ ଭଣ୍ଡୁର କରିବା ପାଇଁ ଆମେରିକାର ସିଆଇଏ ପକ୍ଷରୁ ଷଡଯନ୍ତ୍ର ହୋଇ ପ୍ରତି-ବିପ୍ଳବୀ (କାଉଂଟର ରିଭଲ୍ୟୁସନାରୀ)ଙ୍କ ସହାୟତାରେ ସ୍ୱେଚ୍ଛାସେବୀ ଶିକ୍ଷକମାନଙ୍କୁ ଧମକ ଚମକଠାରୁ ଆରମ୍ଭ କରି ଆକ୍ରମଣ ହେବାକୁ ଲାଗିଲା । ଜାନୁଆରୀ ୪, ୧୯୬୧ରେ ଏହାର ଶିକାର ହେଲେ ବେନିତେଜ । ପ୍ରତିପକ୍ଷର କିଛି ଅସ୍ତ୍ରଶସ୍ତ୍ରଧାରୀ ତାଙ୍କୁ ମାଡ ମାରି ଅପହରଣ କରି ନେଲେ ଓ ତାଙ୍କୁ ପ୍ରତି-ବିପ୍ଳବ ନେତା ରାମିରେଜଙ୍କ ସମ୍ମୁଖରେ ପ୍ରସ୍ତୁତ କଲେ । ଶିକ୍ଷକତା ଛାଡି ସେମାନଙ୍କ ସହ ଯୋଗ ଦେଲେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଗଲା । ସେ ତାହା ଗ୍ରହଣ ନକରି କହିଥିିଲେ ଯେ ଯେଉଁ ୪୪ ଜଣ ଛାତ୍ରଙ୍କୁ ପଢାଇବାର ଦାୟିତ୍ୱ ତାଙ୍କୁ ଦିଆଯାଇଛି ସେମାନଙ୍କୁ ଛାଡି ସେ ଯାଇପାରିବେ ନାହିଁ । ଏଥିରେ କ୍ଷୁବ୍ଧ ହୋଇ ତାଙ୍କ ସହ ଅନ୍ୟ ଜଣେ ଚାଷୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଗଲା ଓ ସେମାନଙ୍କ ମୃତଦେହକୁ ଗଛରେ ଟଙ୍ଗାଇ ଦେଇ ପ୍ରତି-ବିପ୍ଳବୀମାନେ ସେ ସ୍ଥାନ ଛାଡି ଚାଲି ଯାଇଥିଲେ । ଚାହୁଁଚାହୁଁ ବେନିତେଜଙ୍କ ଚରମ ବଳିଦାନର ସମ୍ବାଦ ବିଜୁଳି ବେଗରେ ସମଗ୍ର କ୍ୟୁବାରେ ବ୍ୟାପିଗଲା । ଯୁବକଙ୍କ ମଧ୍ୟରେ ଏହି ଘଟଣାର ଏଭଳି ପ୍ରତିକ୍ରିୟା ହେଲା ଯେ ସେମାନେ ସ୍ୱତଃପ୍ରବୃତ ଭାବେ ସାକ୍ଷରତା ଅଭିଯାନରେ ଝାସ ଦେଲେ । ଆଉ ସେମାନଙ୍କୁୁ ପ୍ରେରଣା ମିଳିଥିଲା କାଷ୍ଟ୍ରୋଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ୱରୁ । କମ ବୟସ ଯୋଗୁ କ୍ୟୁବା ବିପ୍ଲବରେ ଅଂଶ ଗ୍ରହଣ କରି ପାରି ନଥିବା ଏହି କିଶୋର କିଶୋରୀମାନଙ୍କଠାରେ ସାକ୍ଷରତା ଅଭିଯାନରେ ସାମିଲ ହୋଇ ଦେଶ ପାଇଁ କିଛି କରିବା ଏକ ସୌଭାଗ୍ୟର ବିଷୟ ହୋଇପଡିଲା । ୧୦ରୁ ୧୯ ବର୍ଷ ବୟସର ଏହି ଭଳି ପ୍ରାୟ ଏକ ଲକ୍ଷ ସ୍ୱେଚ୍ଛାସେବୀଙ୍କୁ ନେଇ ଗଠିତ ହେଲା କନରାଡୋ ବେନିତେଜ ବ୍ରିଗେଡ । ସେମାନଙ୍କୁ ଉଦବୋଧନ ଦେଇ କାଷ୍ଟ୍ରୋ କହିଥିଲେ, ‘ତୁମେ ପଢାଇବ ଆଉ ତୁମେ ଶିଖିବ ।’ ଏହି ସାକ୍ଷରତା ବାହିନୀରେ ସାମିଲ ପ୍ରତ୍ୟେକଙ୍କୁ ମିଳିଥିଲା ଧୂସର ବର୍ଣ୍ଣର ୟୁନିଫର୍ମ, ଗୋଟିଏ କମ୍ବଳ, ଶୋଇବା ପାଇଁ ଗୋଟିଏ ଦଉଡି ତିଆରି ଝୁଲା, ରାତିରେ ପଢାଇବା ପାଇଁ ଗୋଟିଏ ଗ୍ୟାସ ଲାଇଟ ଓ ଦୁଇଟି ବହି (‘ଆମେ ପଢିବା’ ଓ ‘ଆମେ ଜିତିବା’) । ସେମାନେ ଦେଶ ଗଠନର ଏହି ମହତ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ନିଜ ଜୀବନର ଗୋଟିଏ ଲେଖାଏଁ ବର୍ଷ ଦେଶକୁ ଦାନ କରିଥିଲେ । ଅଭିଯାନ ସରିଲା ବେଳକୁ ପ୍ରତି-ବିପ୍ଳବୀଙ୍କ ଦ୍ୱାରା ୨୩ ଜଣ ନିହତ ଓ ୩୭ ଜଣ ଗୁରୁତର ଭାବେ ଆହତ ହୋଇ ସାରିଥିଲେ ।    
କ୍ୟୁବାର ଜାତୀୟ ସାକ୍ଷରତା ଅଭିଯାନରେ ଥିବା ଚାରୋଟି ବ୍ରିଗେଡରେ ୨ ଲକ୍ଷରୁ ଊର୍ଦ୍ଧ୍ଵ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ । ଏମାନେ ବର୍ଷକ ମଧ୍ୟରେ ଦେଶର ସାତ ଲକ୍ଷରୁ ଊର୍ଦ୍ଧ୍ଵ ନିରକ୍ଷରଙ୍କୁ ସାକ୍ଷର କଲେ ଓ ସାକ୍ଷରତା ହାର ବଢି ୯୬ ପ୍ରତିଶତରେ ପହଞ୍ଚିଲା । ପୂର୍ବେ ପିଲାଙ୍କୁ ପଢାଇବା ପାଇଁ ଗାଁଗଣ୍ଡାରେ ଶିକ୍ଷକଙ୍କ ଅଭାବ ଥିଲା । ଅଭିଯାନର ଫଳସ୍ୱରୂପ ଶିକ୍ଷକଙ୍କ ଉପଲବ୍ଧତା ପ୍ରାୟ ୧୧ଗୁଣ ବଢିଗଲା । ଘରୋଇ ଶିକ୍ଷାଦାନ ବ୍ୟବସ୍ଥା ଯୋଗୁ ଅନେକ ପିଲା ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିଲେ । ଶିକ୍ଷାଦାନ ବ୍ୟବସ୍ଥା ଜାତୀୟକରଣ ହେବାରୁ ସ୍କୁଲମାନଙ୍କରେ ଅଧିକ ଛାତ୍ର ପଢିବାର ସୁଯୋଗ ପାଇଲେ ଓ ୧୯୮୬ ସୁଦ୍ଧା ଦେଶରେ ଶତ ପ୍ରତିଶତ ସ୍କୁଲ ଯିବା ବୟସର ପିଲା ସ୍କୁଲରେ ନାମ ଲେଖାଇଲେ । ବିଶେଷ ବଜେଟୀୟ ଆବଣ୍ଟନ ନଥାଇ ଜଣେ ନେତା ନିଜର ଚୁମ୍ବକୀୟ ନେତୃତ୍ୱର ଆକର୍ଷଣରେ ଦେଶ ଗଠନ କରିବା ପାଇଁ ଦେଶବାସୀଙ୍କୁ ସ୍ୱେଚ୍ଛାକୃତ ସେବା ପ୍ରଦାନ କରିବା ପାଇଁ କିପରି ଆକୃଷ୍ଟ କରିପାରେ, କାଷ୍ଟ୍ରୋ ହିଁ ତାହାର ଏକ ଜ୍ୱଳନ୍ତ ଉଦାହରଣ ।     
ଓଡିଶାର ପଞ୍ଚାୟତ ଓ ପୌରାଞ୍ଚଳରେ ସରକାରଙ୍କ ଦ୍ୱାରା ୮୦୦୦ ‘ବିଜୁ ଯୁବ ବାହିନୀ’ ଗଠନ ହେବା କଥା ଘୋଷଣା ହେବା ପରେ ଏଥିରେ ତିନି ଲକ୍ଷରୁ ଅଧିକ ଯୁବକ ଯୁବତୀ ଯୋଗ ଦେଇ ସାରିଲେଣି । ସଦସ୍ୟମାନଙ୍କୁ କୌଣସି ଦରମା ବା ଭତ୍ତା ମିଳିବାର ବ୍ୟବସ୍ଥା ନଥିଲେ ମଧ୍ୟ ପ୍ରତି ଯୁବ ବାହିନୀକୁ ବାର୍ଷିକ ଦେଢ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ, ଯେଉଁଥିପାଇଁ ସରକାର ଆଗାମୀ ୩ ବର୍ଷର୍ରେ ୪୫୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ । ଏମାନଙ୍କୁ କଳା, ସଂସ୍କୃତି, ଖେଳ, ସମାଜ ସେବା ଆଦି ବିଭିନ୍ନ କାର୍ଯ୍ୟରେ ସ୍ୱେଚ୍ଛାକୃତ ଭାବେ ସେବା ପ୍ରଦାନ କରିବାକୁ ପ୍ରବର୍ତ୍ତାଇବାର ଲକ୍ଷ୍ୟ ଥିଲେ ମଧ୍ୟ ଯୁବ ବାହିନୀର ନିଜସ୍ୱ ସେପରି କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥିବାରୁ ଏମାନଙ୍କ ନିକଟରେ ଯୋଜନାବଦ୍ଧ ଢଙ୍ଗରେ କିଛି କରିବା ପାଇଁ ନାହିଁ ଓ ପ୍ରତ୍ୟେକେ ନିଜ ନିଜ ଅନୁସାରେ ବିକ୍ଷିପ୍ତ ଢଙ୍ଗରେ କିଛି କରୁଛନ୍ତି, ଯାହା ହୁଏତ ଦୃଶ୍ୟମାନ ହେଉନାହିଁ ଅଥବା ତାର ସୁଫଳ ମାପି ହେଉନାହିଁ । ଫଳରେ ଉଭୟ ଅର୍ଥ ଓ ଯୁବକଙ୍କର ଶକ୍ତି ଓ ସମୟର ଅପଚୟ ହେଉଛି । ଏହା ଏକ ଯୋଜନାବଦ୍ଧ ଢଙ୍ଗରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାରେ ବିନିଯୋଗ କରାଗଲେ ତାହା ରାଜ୍ୟ ଗଠନରେ ସହାୟକ ହୁଅନ୍ତା । ଉଦାହରଣ ସ୍ୱରୂପ ନବରଙ୍ଗପୁର, ମାଲକାନଗିରି ଭଳି ଜିଲ୍ଲାରେ ଏବେ ମଧ୍ୟ ନିରକ୍ଷରତା ଏକ ମୁଖ୍ୟ ସମସ୍ୟା ହୋଇ ରହିଥିବାରୁ ବର୍ଷକ ମଧ୍ୟରେ ତାହା ଦୂର କରି ଶତ ପ୍ରତିଶତ ସାକ୍ଷରତା ହାସଲ କରିବାକୁ ଏକ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇପାରେ ।  
‘ବିଜୁ ଯୁବ ବାହିନୀ’ ଶାସକ ଦଳର ହାତ ବାରିସୀ ସାଜିଛି ବୋଲି ନିକଟରେ ବିରୋଧୀ ଦଳର ନେତା ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗରେ ସତ୍ୟତା ଥାଉ କି ନଥାଉ, ସରକାରୀ ଛାପ ଲଗାଇ ନିଜର ପତିଆରା ଦେଖାଇବାକୁ ବ୍ୟସ୍ତ ମୁଷ୍ଟିମେୟ ଅସାମାଜିକ ଯୁବକ ଏଥିରେ ସାମିଲ ହୋଇଥିବାରୁ ସେମାନଙ୍କ ଅଶୋଭନୀୟ ଆଚରଣ ଯୋଗୁୁ ‘ବିଜୁ ଯୁବ ବାହିନୀ’ ବାରମ୍ବାର ବିବାଦ ଘେରକୁ ଆସି ଏହାର ବିଶ୍ୱସନୀୟତା ହରାଉଛି । କ୍ରମଶଃ ‘ବିଜୁ’ ନାମ ସଂଯୁକ୍ତ ଯେ କୌଣସି ଯୋଜନା ବା କାର୍ଯ୍ୟକ୍ରମ ଏକ ଦଳୀୟ କାର୍ଯ୍ୟକ୍ରମର ଭ୍ରମ ସୃଷ୍ଟି କରୁଥିବାରୁ ଏହା ସମାବେଶୀ ହୋଇ ପାରୁନାହିଁ, ଯାହା ପରୋକ୍ଷରେ ବିଜୁବାବୁଙ୍କ ପ୍ରତି ଅସମ୍ମାନ ଭଳି ମନେ ହେଉଛି । ତେଣୁ ଏହି ଯୁବ ବାହିନୀର ନାମ ପରିବର୍ତ୍ତନ କରି ‘ଓଡିଶା ଯୁବ ବାହିନୀ’ ବା ବାଜି ରାଉତଙ୍କ ଭଳି ଓଡିଶାର ଜଣେ ପ୍ରେରଣାଦାୟକ ବାଳକଙ୍କ ନାମାନୁସାରେ ‘ବାଜି ଯୁବ ବାହିନୀ’ ରଖାଗଲେ ତାହା ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହେବା ସହ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେବ ଓ ଏଥି ସହ ସାମିଲ ହେଉଥିବା ରାଜ୍ୟର ଯୁବକମାନେ ଦଳୀୟ ରାଜନୀତିର ଊଦ୍ଧ୍ୱର୍କୁ ଉଠି କନରାଡୋ ବେନିତେଜ ବ୍ରିଗେଡ ପରି ନିଜକୁ ଦେଶ ଗଠନରେ ନିୟୋଜିତ କରି ପାରିବେ ।

Published in Odia daily Nitidin on 30 November 2018

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍