ଗତ କିଛି ବର୍ଷ ଧରି ଭାରତର ଋଣ ଭାର ଆଶାତୀତ ଭାବେ ବୃଦ୍ଧି ପାଇଚାଲିଛି । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ପ୍ରତି ବର୍ଷ ପ୍ରକାଶ କରୁଥିବା ଆର୍ଟିକଲ୍- ୪ ସମୀକ୍ଷା ପତ୍ରରେ ଡିସେମ୍ୱର ୨୦୨୩ରେ ସତର୍କ ବାଣୀ ଶୁଣାଇ ପୂର୍ବାନୁମାନ କରିଛି ଯେ ପ୍ରତିକୂଳ ପରିସ୍ଥିତି ହେଲେ ଭାରତର ଋଣ-ଜିଡିପି ଅନୁପାତ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୦୦ ପ୍ରତିଶତ ଟପିଯାଇପାରେ, ଅର୍ଥାତ୍ ଦେଶର ମୋଟ ଘରୋଇ ଉତ୍ପାଦର ମୂଲ୍ୟ ଯାହା ମୋଟ ଋଣର ପରିମାଣ ତାଠାରୁ ଅଧିକ ହେବ । ଆଇଏମଏଫର ଏହି ପୂର୍ବାନୁମାନକୁ ‘ଭୁଲ୍’ ବୋଲି ଅଭିହିତ କରି ଅର୍ଥ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ସବୁଠାରୁ ଖରାପ ପରିସ୍ଥିତି ଉପୁଜିଲେ ଋଣ-ଜିଡ଼ିପି ଅନୁପାତ ୧୦୦ ପ୍ରତିଶତ ଟପିଯିବାର ପୂର୍ବାନୁମାନକୁ ‘ଭବିତବ୍ୟ’ ବୋଲି ଧରି ନେଇ ହେବନାହିଁ ବା ସ୍ଥିତିରେ ସୁଧାର ଆଣି ହେବନାହିଁ ବୋଲି ଭାବିବା ଭୁଲ ହେବ । ବରଂ ସବୁ କିଛି ଠିକଠାକ୍ ଚାଲିଲେ ଏହି ଅନୁପାତ ୭୦ ପ୍ରତିଶତକୁ ହ୍ରାସ ପାଇପାରେ ବୋଲି ଯାହା ରିପୋର୍ଟରେ ଲେଖାଯାଇଛି ତାହା ଅଧିକ ଗ୍ରହଣୀୟ । ତେବେ ଆଇଏମଏଫର ସତର୍କ ବାଣୀ ଆଧାରରେ ଭାରତର ଋଣଭାରର ବାସ୍ତବ ପ୍ରଭାବକୁ ବୁଝିବାର ଆବଶ୍ୟକତା ରହିଛି । ସାରା ବିଶ୍ୱରେ ବିଭିନ୍ନ ଦେଶର ସରକାରୀ ଋଣର ପରିମାଣ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ‘ବିଶ୍ୱ ଅର୍ଥନୀତି ମଞ୍ଚ' ତରଫରୁ ୨୦୨୩ର ବର୍ଷ ଆରମ୍ଭରେ ସତର୍କବାଣୀ ଶୁଣାଇ ଦିଆଯାଇଥିଲା । ଦେଶଗୁଡ଼ିକ ହଠାତ...