Skip to main content

ଦୁର୍ବଳ ଟଙ୍କା ଚିନ୍ତାର କାରଣ

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଲଗାତାର ହ୍ରାସ ପାଇ ଜୁଲାଇ ୧୯, ୨୦୨୨ରେ ୮୦ ଟଙ୍କା ଛୁଇଁବା ଦେଶର ଅର୍ଥନୀତି ପାଇଁ ଚିନ୍ତାର କାରଣ ପାଲଟିଛି । ଟଙ୍କାର ଦୁର୍ବଳତାକୁ ସ୍ୱୀକାର କରି ବୈଶ୍ୱିକ କାରଣଗୁଡିକ ଏଥିପାଇଁ ଦାୟୀ ବୋଲି ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ପ୍ରକାଶ କରିଥିଲେ ବି ଟଙ୍କା ଲଗାତାର ଦୁର୍ବଳ ହେବାର ପ୍ରକୃତ କାରଣଗୁଡିକୁ ବିଶ୍ଳେଷଣ କରାଯାଇପାରେ । 

ଟଙ୍କା ସମେତ ଯେ କୌଣସି ଦେଶର ମୁଦ୍ରାର ମୂଲ୍ୟ ତାର ଚାହିଦା ଉପରେ ନିର୍ଭର କରିଥାଏ । ଚାହିଦା ଅଧିକ ଥିଲେ ମୁଦ୍ରାର ମୂଲ୍ୟ ବୃଦ୍ଧି ପାଇ ତାହା ସୁଦୃଢ ହୋଇଥାଏ, ଚାହିଦା କମ ହେଲେ ମୂଲ୍ୟ ହ୍ରାସ ପାଇ ତାହା ଦୁର୍ବଳ ହୋଇଥାଏ । ବିଦେଶୀ ନିବେଶକମାନେ ଭାରତୀୟ ବଜାରରେ ପୁଞ୍ଜି ନିବେଶ କଲେ ଦେଶକୁ ଡଲାର ସମେତ ଅନ୍ୟ ବୈଦେଶିକ ମୁଦ୍ରା ଆସିବା ଦ୍ୱାରା ଟଙ୍କା ସୁଦୃଢ ହୋଇଥାଏ । ଅନୁରୂପ ଭାବେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ମାନେ ଦେଶରୁ ପୁଞ୍ଜି ପ୍ରତ୍ୟାହାର କଲେ ଡଲାରର ଚାହିଦା ବୃଦ୍ଧି ପାଇ ଟଙ୍କାର ଚାହିଦା କମ ହୋଇଥାଏ । ଆମେରିକାରେ ଫେଡେରାଲ ରିଜର୍ଭ ବ୍ୟାଙ୍କ ଫେଡ ରେଟ (ଭାରତରେ ରେପୋ ରେଟ ଭଳି ସୁଧ ହାର) ବଢାଇବା ଓ ରୁଷିଆ-ୟୁକ୍ରେନ ଯୁଦ୍ଧ ଦୀର୍ଘ ଦିନ ଧରି ଲାଗି ରହିବା ଯୋଗୁଁ ଏଫପିଆଇମାନେ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରି ନେଉଛନ୍ତି । ଉପଲବ୍ଧ ତଥ୍ୟ ଅନୁଯାୟୀ ଜାନୁଆରୀରୁ ଜୁନ ୨୦୨୨ ମଧ୍ୟରେ ସେମାନେ ଅଂଶଧନ (ଇକ୍ୱୁଇଟି) ଓ ଋଣ (ଡେଟ) ବଜାରରୁ ପ୍ରାୟ ୧.୮୨ ଲକ୍ଷ କୋଟି ଟଙ୍କାର ପୁ଼୍ଞ୍ଜି ପ୍ରତ୍ୟାହାର କରି ନେବା ଯୋଗୁଁ ଟଙ୍କା ଅତିମାତ୍ରାରେ ଚାପଗ୍ରସ୍ତ ହୋଇଛି । ତେବେ ଭାରତୀୟ ପୁଞ୍ଜି ବଜାର ସେମାନଙ୍କ ପାଇଁ ଆକର୍ଷଣୀୟ ମନେ ହେଲେ, ସେମାନଙ୍କ ପ୍ରତ୍ୟାବର୍ତ୍ତନର ଆଶା ଦେଖା ଦେଇପାରେ ।  

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ରପ୍ତାନୀକାରିମାନେ ଲାଭବାନ ହେଉଥିବା ବେଳେ ଆମଦାନୀକାରିମାନେ କ୍ଷତିଗ୍ରସ୍ତ ହୋଇଥାଆନ୍ତି । ଆମଦାନୀ ହେଉଥିବା ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଲେ ଦେଶରେ ମୁଦ୍ରାସ୍ଫୀତି ହାର ଅଧିକ ହୋଇଥାଏ । ରପ୍ତାନୀ ଅପେକ୍ଷା ଆମଦାନୀ ଯେତେ ଅଧିକ ହୁଏ ଦେଶ ପାଇଁ ବାଣିଜ୍ୟ ନିଅଣ୍ଟର ସ୍ଥିତି ଉତ୍କଟ ହୋଇ ଚଳନ୍ତି ଖାତାରେ ନିଅଣ୍ଟ (କରେଣ୍ଟ ଆକାଉଣ୍ଟ ଡେଫିସିଟ) ବଢି ଅର୍ଥନୀତି ପାଇଁ ଚିନ୍ତାର କାରଣ ପାଲଟିଥାଏ । କାରଣ ତଦ୍ଦ୍ୱାରା ଡଲାରର ଚାହିଦା ବଢି ଟଙ୍କାର ମୂଲ୍ୟ ହ୍ରାସ ପାଇଥାଏ । କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ୨୦୨୧ ଏପ୍ରିଲ-ଜୁନ ତିନିମାସ ମଧ୍ୟରେ ବିଦେଶକୁ ୧୫୧୭୫ କୋଟି ଡଲାର ମୂଲ୍ୟର ଦ୍ରବ୍ୟ ଓ ସେବା ରପ୍ତାନୀ ହୋଇଥିଲା ବେଳେ ବିଦେଶରୁ ଆମଦାନୀ ହୋଇଥିବା ଦ୍ରବ୍ୟ ଓ ସେବାର ମୂଲ୍ୟ ଥିଲା ୧୫୭୩୭ କୋଟି ଡଲାର । ଅର୍ଥାତ୍ ବାଣିଜ୍ୟ ନିଅଣ୍ଟ ଥିଲା ମାତ୍ର ୫୬୧ କୋଟି ଡଲାର । ୨୦୨୨ର ପ୍ରଥମ ତ୍ରିମାସ (ଏପ୍ରିଲ-ଜୁନ) ମଧ୍ୟରେ ରପ୍ତାନୀର ମୂଲ୍ୟ ୧୮୯୯୩ କୋଟି ଡଲାର ଓ ଆମଦାନୀର ମୂଲ୍ୟ ୨୩୫୧୧ କୋଟି ଡଲାରରେ ପହଞ୍ଚିଛି । ଫଳସ୍ୱରୂପ ବାଣିଜ୍ୟ ନିଅଣ୍ଟ ଯଥେଷ୍ଟ ବୃଦ୍ଧି ପାଇ ୪୫୧୮ କୋଟି ଡଲାରରେ ପହଞ୍ଚିବା ଚିନ୍ତାର କାରଣ । ଏକ ପକ୍ଷରେ ବିଭିନ୍ନ ଦେଶର ଆର୍ଥିକ ସ୍ଥିତି ଭାରତରୁ ରପ୍ତାନୀ ହେଉଥିବା ଦ୍ରବ୍ୟଗୁଡିକ ପାଇଁ ସେତେ ବେଶି ଅନୁକୂଳ ହୋଇ ନଥିବା ବେଳେ ପେଟ୍ରୋଲ ଓ ପେଟ୍ରୋଲଜାତ ଦ୍ରବ୍ୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ଉପରେ ନିର୍ଭର କରୁଥିବା ଭାରତ ପକ୍ଷରେ ଆମଦାନୀକୁ କମ କରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । କମ ହେବା ତ ଦୂରର କଥା ଗତ ବର୍ଷର ଏହି ସମୟ ତୁଳନାରେ ମୂଲ୍ୟ ଦୃଷ୍ଟିରୁ ଏ ବର୍ଷ ଅଶୋଧିତ ତେଲ ଓ ପେଟ୍ରୋଲଜାତ ପଦାର୍ଥର ଆମଦାନୀ ୨ ଗୁଣ ବଢିଥିବା ବେଳେ କୋଇଲା, ସୁନା ଆଦିର ଆମଦାନୀ ୩ ଗୁଣରୁ ଅଧିକ ହୋଇଛି । ବର୍ଦ୍ଧିତ ବାଣିଜ୍ୟ ନିଅଣ୍ଟର ଏକ ପ୍ରକୃଷ୍ଟ ଉଦାହରଣ ସ୍ୱରୂପ ଭାରତର ଚୀନ ସହ ବାଣିଜ୍ୟକୁ ଗ୍ରହଣ କରାଯାଇପାରେ । ଚୀନ ସାମଗ୍ରୀକୁ ବର୍ଜନ କରିବାକୁ ପାଇଁ ଆମର ଆଭିମୁଖ୍ୟ ସତ୍ତ୍ୱେ ବାସ୍ତବତା ହେଉଛି ପ୍ରତି ବର୍ଷ ଚୀନରୁ ଆମଦାନୀ ବଢି ବାଣିଜ୍ୟ ନିଅଣ୍ଟ ରେକର୍ଡ ସ୍ତରରେ ପହଞ୍ଚିସାରିଛି । ୨୦୨୧-୨୨ରେ ଭାରତରୁ ଚୀନକୁ ମାତ୍ର ୨୧୨୫ କୋଟି ଡଲାର ମୂଲ୍ୟର ରପ୍ତାନୀ ହୋଇଥିବା ବେଳେ ଚୀନରୁ ୪ ଗୁଣରୁ ଅଧିକ ଅର୍ଥାତ୍ ୯୪୧୬ କୋଟି ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ ହୋଇଥିଲା । ଅର୍ଥାତ୍, କେବଳ ଚୀନ ସହ ଭାରତର ବାଣିଜ୍ୟ ନିଅଣ୍ଟର ପରିମାଣ ୭୨୯୦ କୋଟି ଡଲାର ହେଲାଣି ଯାହା ୨୦୧୩-୧୪ର ୩୬୦୦ କୋଟି ଡଲାର ନିଅଣ୍ଟ ତୁଳନାରେ ୨ ଗୁଣରୁ ଅଧିକ । ଅବଶ୍ୟ ଭାରତ କିଛି ନିର୍ଦ୍ଦିଷ୍ଟ ଦେଶଙ୍କ ସହ ଡଲାର ବଦଳରେ ଟଙ୍କା ଓ ସମ୍ପୃକ୍ତ ଦେଶର ମୁଦ୍ରାରେ ବାଣିଜ୍ୟ କରିବା ପାଇଁ ଉଦ୍ୟମ କରୁଛି ଯାହା ଟଙ୍କାକୁ ଅଧିକ ଦୁର୍ବଳ ହେବାରୁ କିଛିଟା ସୁରକ୍ଷା ପ୍ରଦାନ କରିପାରେ । ଏହି କ୍ରମରେ ଭାରତ ଓ ରୁଷ ମଧ୍ୟରେ ଟଙ୍କା ଓ ରୁବଲ (ରୁଷିଆର ମୁଦ୍ରା) ମାଧ୍ୟମରେ ବାଣିଜ୍ୟ କାରବାର ହେବା ସ୍ୱାଗତଯୋଗ୍ୟ । ତେବେ ଅତ୍ୟବଶ୍ୟକ ସାମଗ୍ରୀକୁ ବାଦ ଦେଇ ଅନ୍ୟ ସାମଗ୍ରୀଗୁଡିକର ଅବିଚାରିତ ଆମଦାନୀ ଉପରେ ଅନ୍ତତଃ କିଛି ଦିନ ପାଇଁ କଟକଣା ଲାଗିବା ଉଚିତ ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଯୋଗୁଁ ତାର ପ୍ରଭାବ ଟଙ୍କାର ମୂଲ୍ୟ ଉପରେ ବି ପଡିଛି । ଜୁଲାଇ ୨୦୨୧ରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ପ୍ରାୟ ୭୫ ଡଲାର ଥିଲା ବେଳେ ଜୁଲାଇ ୨୦୨୨ରେ ତାହା ୧୧୩ ଡଲାର ଛୁଇଁଛି । ପ୍ରତିବର୍ଷ ତେଲ ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଥିଲା ବେଳେ ଭାରତ ତାର ତୈଳ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ବିଦେଶରୁ ଆମଦାନୀ ଉପରେ ନିର୍ଭର କରୁଛି । ଏଥିପାଇଁ ତାକୁ ପ୍ରାୟତଃ ଡଲାର ହିଁ ଦେବାକୁ ହେଉଛି । ତେଲର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ଦେଶ ଭିତରେ ନୂତନ ତୈଳଭଣ୍ଡାର ଅନୁସନ୍ଧାନର କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ଲାଗି ତତ୍ପରତା ପ୍ରକାଶ ପାଇବା ଆବଶ୍ୟକ ।

ବୈଶ୍ୱିକ କାରଣ ଯୋଗୁଁ ଟଙ୍କାର ମୂଲ୍ୟ ହ୍ରାସ ପାଉଛି ବୋଲି କୁହାଯାଉଥିଲେ ବି ଦେଶରେ ବର୍ଦ୍ଧିତ ବିତ୍ତୀୟ ନିଅଣ୍ଟ ଏହି ହ୍ରାସର ଅନ୍ୟତମ କାରଣ । ୨୦୨୧-୨୨ରେ ବିତ୍ତୀୟ ନିଅଣ୍ଟ ୮.୨ ପ୍ରତିଶତ ଥିଲା ବେଳେ ୨୦୨୨-୨୩ ପାଇଁ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ୬.୪ ପ୍ରତିଶତ ଧାର୍ୟ୍ୟ ହୋଇଛି । କୋଭିଡ ମହାମାରୀ ପରେ ଅତିମାତ୍ରାରେ ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ସଜାଡିବା ଲାଗି ସରକାରୀ ବ୍ୟୟକୁ ବଢାଇବା ସରକାରଙ୍କ ପାଇଁ ଏକ ବାଧ୍ୟବାଧକତା କହିଲେ ଅତ୍ୟୁକ୍ତି ହେବନାହିଁ । ତେଣୁ ତାର ପ୍ରଭାବ ଟଙ୍କା ଉପରେ ପଡିବା ବି ସ୍ୱାଭାବିକ । ତେବେ ପ୍ରାଥମିକତା ଆଧାରରେ କିଛି ବ୍ୟୟକୁ ସାମୟିକ ଭାବେ ଘୁଞ୍ଚାଇ ଦିଆଯାଇ ପାରିଲେ ବିତ୍ତୀୟ ନିଅଣ୍ଟକୁ କିଛି ପରିମାଣରେ କମ କରିହେବ । ଟଙ୍କା ଦୁର୍ବଳ ହେଲେ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ସାଧାରଣ ଜନତା ମଧ୍ୟ ପ୍ରଭାବିତ ହେବା ନିଶ୍ଚିତ । ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ସୁଧ ହାରକୁ ବଢାଇବେ । ଫଳରେ ଜମାକାରୀମାନେ ଜମା ଉପରେ ଅଧିକ ହାରରେ ସୁଧ ପାଇପାରନ୍ତି । ହେଲେ ଋଣଗ୍ରହୀତାଙ୍କ ଲାଗି ମଧ୍ୟ ସୁଧ ହାର ବଢି ବିକାଶ ପ୍ରକ୍ରିୟା ମନ୍ଥର ହେବ । ବିଦେଶୀ ନିବେଶକମାନେ ପୁ଼୍ଞ୍ଜି ପ୍ରତ୍ୟାହାର କରିବା ପରେ ପୁଞ୍ଜି ବଜାର ଅନାକର୍ଷଣୀୟ ହେବା ଯୋଗୁଁ ଘରୋଇ ନିବେଶକଙ୍କ ଉତ୍ସାହରେ ଭଟ୍ଟା ପଡିବାର ଆଶଙ୍କା ଦେଖାଦେବ । ତା ଛଡା ବିଦେଶରେ ଅଧ୍ୟୟନ ଓ ବିଦେଶ ଭ୍ରମଣ ମଧ୍ୟ ମହଙ୍ଗା ହୋଇଯିବ ।               

ମୁଦ୍ରା ନୀତିର ଆବଶ୍ୟକତା ଅନୁଯାୟୀ ଦେଶରେ ମୁଦ୍ରାସ୍ଫୀତିର ହାରକୁ ନିୟନ୍ତ୍ରଣ କରି ୪ ପ୍ରତିଶତ ବା ସର୍ବାଧିକ ୬ ପ୍ରତିଶତ ମଧ୍ୟରେ ରଖିବାର ଗୁରୁଦାୟିତ୍ୱ ରିଜର୍ଭ ବ୍ୟାଙ୍କ ଉପରେ ନ୍ୟସ୍ତ । ହେଲେ ଗଲା କେଇ ମାସ ଧରି ଏହା କ୍ରମାଗତ ଭାବେ ୭ ପ୍ରତିଶତରୁ ଅଧିକ ରହିବା ଉଦବେଗର କାରଣ ହୋଇଥିବାରୁ ରିଜର୍ଭ ବ୍ୟାଙ୍କକୁ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ହୋଇଛି । ଠିକ୍ ସେତିକି ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଲଗାତାର ହ୍ରାସ ପାଇବା ସମସ୍ୟାକୁ ଅଧିକ ଜଟିଳ କରିଛି । କେବଳ ଗତ ୬ ମାସ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରାୟ ୭ ପ୍ରତିଶତ ହ୍ରାସ ପାଇସାରିଛି । ରିଜର୍ଭ ବ୍ୟାଙ୍କର ଗଣନା ଅନୁଯାୟୀ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୫ ପ୍ରତିଶତ ହ୍ରାସ ପାଇଲେ ମୁଦ୍ରାସ୍ଫୀତିର ହାର ପ୍ରାୟ ୦.୧ରୁ ୦.୧୫ ପ୍ରତିଶତ ବୃଦ୍ଧି ପାଇଥାଏ । ନିକଟରେ ରିଜର୍ଭ ବ୍ୟାଙ୍କ ସେହିପରି ଅନେକ ପଦକ୍ଷେପ ନେଇଛି । ଦୁର୍ବଳ ଟଙ୍କାକୁ ସ୍ଥିରତା ପ୍ରଦାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଗଚ୍ଛିତ ଡଲାରକୁ ନିୟମିତ ଅନ୍ତରାଳରେ ବଜାରରେ କମ ଦାମରେ ବିକିବାକୁ ଏକ ପ୍ରକାର ବାଧ୍ୟ ହେଉଛି । ୨୦୨୨ ଆରମ୍ଭରେ ଦେଶରେ ୬୩୪୦୦ କୋଟି ଡଲାର ଗଚ୍ଛିତ ଥିଲା, ଯାହା ମାତ୍ର ୬ ମାସ ମଧ୍ୟରେ ପ୍ରାୟ ୫୩୭୫ କୋଟି ଡଲାର ବା ୮ ପ୍ରତିଶତରୁ ଅଧିକ ହ୍ରାସ ପାଇ ଜୁଲାଇ ୮, ୨୦୨୨ ସୁଦ୍ଧା ୫୮୦୨୫ କୋଟି ଡଲାରରେ ପହଞ୍ଚିଲାଣି । ତେବେ ଭାରତ ନିକଟରେ ଗଚ୍ଛିତ ଡଲାର ପରିମାଣ ଅଧିକ ହୋଇଥିବାରୁ ଦୁର୍ବଳ ଟଙ୍କାକୁ ସ୍ଥିର ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଆଉ କେଇ ହଜାର କୋଟି ଡଲାର ବିକ୍ରି କରି ବଜାରରେ ହସ୍ତକ୍ଷେପ (ମାର୍କେଟ ଇଣ୍ଟରଭେନସନ) କରିବାକୁ କୁଣ୍ଠାବୋଧ କରି ନ ପାରେ । କେତେକ ଅର୍ଥନୀତିଜ୍ଞଙ୍କ ମତରେ ଯଦି ରିଜର୍ଭ ବ୍ୟାଙ୍କ ଟଙ୍କାକୁ ସୁରକ୍ଷା ପ୍ରଦାନ କରିବାକୁ ଆଗେଇ ଆସି ନ ଥାଆନ୍ତା ତେବେ ଟଙ୍କା ହୁଏତ ଏବର ୮୦ ଟଙ୍କାଠାରୁ ଆହୁରି ତଳକୁ ଖସି ଯାଇଥାଆନ୍ତା । ତେବେ ଟଙ୍କାର ଚାହିଦା ନ ବଢିଲେ ତାକୁ ଦୀର୍ଘ ଦିନ ଯାଏଁ ରିଜର୍ଭ ବ୍ୟାଙ୍କର ଢିରା ଦେଇ ନିମ୍ନମୁଖୀ ହେବାରୁ ରକ୍ଷା କରି ହେବନାହିଁ । ୨୦୨୨ ଆରମ୍ଭରେ ପ୍ରତି ଡଲାରର ମୂଲ୍ୟ ୭୪.୨୯ ଟଙ୍କା ଥିବା ବେଳେ ବର୍ଷ ଶେଷ ବେଳକୁ ତାହା ୮୦.୫୦ ଟଙ୍କାରୁ ୮୩ ଟଙ୍କା ଯାଏଁ ଖସିଯିବା ବିଚିତ୍ର ନୁହେଁ ବୋଲି କେହି କେହି ବିତ୍ତୀୟ ସମୀକ୍ଷକ ମତ ପ୍ରକାଶ କରୁଛନ୍ତି ।

କେବଳ ଯେ ଭାରତୀୟ ଟଙ୍କାର ମୂଲ୍ୟହ୍ରାସ ହୋଇଛି ତାହା ନୁହେଁ, ଏସିଆ ମହାଦେଶର ପ୍ରାୟ ପ୍ରତିଟି ଦେଶର ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି । ବିଶ୍ୱର ଅନ୍ୟତମ ସୁଦୃଢ ମୁଦ୍ରା ଭାବେ ପରିଗଣିତ ହେଉଥିବା ଚୀନର ୟୁଆନର ମୂଲ୍ୟ ମଧ୍ୟ ଏ ବର୍ଷ ପ୍ରାୟ ୭ ପ୍ରତିଶତ କମ ହୋଇ ରେକର୍ଡ ନିମ୍ନ ସ୍ତରରେ ପହଞ୍ଚି ସାରିଛି । ଅନ୍ୟାନ୍ୟ ମୁଦ୍ରା ତୁଳନାରେ ଉନ୍ନତ ମୁଦ୍ରା ନୀତି ଓ ପରିଚାଳନା କାରଣରୁ ଟଙ୍କାର ମୂଲ୍ୟ ଅପେକ୍ଷାକୃତ କମ ଖସିଛି ବୋଲି ସରକାର ଓ ରିଜର୍ଭ ବ୍ୟାଙ୍କ ଦାବି କରୁଛନ୍ତି । ତେଣୁ କୃତ୍ରିମ ଉପାୟରେ ଟଙ୍କାକୁ ସୁଦୃଢ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅବିଚାରିତ ଭାବେ ଡଲାର ବିକ୍ରି କରିବାକୁ ଆଗଭର ନ ହୋଇ କେବଳ ଟଙ୍କା ମୂଲ୍ୟର ଅତ୍ୟଧିକ ଅସ୍ଥିରତାକୁ ରୋକିବା ଲାଗି ବଜାରରେ ହସ୍ତକ୍ଷେପ କରିପାରେ । ଫଳରେ ଅଶୋଧିତ ତେଲ ଲାଗି ଅତ୍ୟଧିକ ଆମଦାନୀନିର୍ଭରଶୀଳତା କାରଣରୁ ଆଗାମୀ ଦିନରେ ଟଙ୍କାର ମୂଲ୍ୟ ଆହୁରି ହ୍ରାସ ପାଇପାରେ ।

ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ବିରୋଧୀ ଦଳଗୁଡିକ ସରକାରଙ୍କୁ ଆକ୍ଷେପ କରିବାର ସୁଯୋଗକୁ ହାତଛଡା କରନ୍ତି ନାହିଁ । ଏହାକୁ ଦେଶର ଅସ୍ମିତା ସହ ଯୋଡି ଏହା ଦ୍ୱାରା ଦେଶର ସମ୍ମାନହାନି ହେଉଛି ବୋଲି ସରକାର ଓ ଶାସକ ଦଳକୁ କଟାକ୍ଷ କରିଥାଆନ୍ତି । ୨୦୧୩ରେ ୟୁପିଏ ସରକାର ଅମଳରେ ଡଲାର ପିଛା ଟଙ୍କାର ମୂଲ୍ୟ ଯେତେବେଳେ ୬୦ ଟଙ୍କା ଛୁଇଁଲା ସେତେବେଳେ ବିଜେପି ତରଫରୁ ଟଙ୍କା ଆଇସିୟୁରେ ଅଛି ବୋଲି କୁହାଯାଇଥିଲା । ତେବେ, ଏଭଳି ରାଜନୀତିରୁ ଉପରେ ଥିବା ଅସଲ ଚିନ୍ତାଟି ହେଲା ଟଙ୍କା ପୁଣି କେତେ ଶୀଘ୍ର ସୁଦୃଢ ହେବ ଓ ଜନସାଧାରଣଙ୍କୁ ଦରବୃଦ୍ଧିଜନିତ ସେମାନଙ୍କ ଆର୍ଥକ ବୋଝରୁ ମୁକ୍ତ କରିବାରେ ସହାୟକ ହେବ ।


Published in Sambad on July 26, 2022


Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍